Unknown

୩୮ଶ ସଂଖ୍ୟା-କୋଣାର୍କ-୧୯୭୯

ଓଡିଶା ସାହିତ୍ୟ ଏକାଡ଼େମୀ

 

ସୂଚୀପତ୍ର

 

ବିଷୟ

 

୧।

ଜାନୁଘଣ୍ଟ ଓ ଘଣ୍ଟାକର୍ଣ୍ଣ

ଡକ୍ଟର କୁଞ୍ଜବିହାରୀ ଦାଶ

୨।

ଆଧୁନିକ ଓଡ଼ିଆ ଚରିତ-ସାହିତ୍ୟ ରଚନାର ପ୍ରସ୍ତୁତି

ଶ୍ରୀମତି ଲାବଣ୍ୟ ନାୟକ

୩।

କବିସମ୍ରାଟ ପଦବୀ’ ଓ କବି ଉପେନ୍ଦ୍ର ଭଞ୍ଜ

ଅଧ୍ୟାପକ ଦୁର୍ଗାମାଧବ ନନ୍ଦ

୪।

ଶକ୍ତି ଉପାସନା ଓ ଶାକ୍ତ ପୀଠ

ଶ୍ରୀ ସୁଶିଲ ଚନ୍ଦ୍ର ଦେ

୫।

ସନ୍ଥକବି ବାଲିଗାଁ ଦାସ ଓ ଭକ୍ତମାଳିକା

ଶ୍ରୀ ନୀଳମଣି ମିଶ୍ର

୬।

ଋଗ୍‌ ବୈଦିକ ପୃଷ୍ଠଭୂମିରେ : ନୌକଳା- ଏକ ଅଧ୍ୟୟନ

ପଣ୍ଡିତ ଗୌରୀଶଙ୍କର ଶତପଥୀ

୭।

ଓଡ଼ିଶାର ସଂସ୍କୃତ ରୂପକରେ ଶ୍ରୀଜଗନ୍ନାଥ

ଶ୍ରୀ ଭଗବାନ ପଣ୍ଡା

୮।

କାହ୍ନୁ ଚରଣଙ୍କ ଉପନ୍ୟାସରେ ନାରୀ-ଚରିତ୍ର

ପ୍ରମୋଦକୁମାର ଦ୍ୱିବେଦୀ

 

ଜାନୁଘଣ୍ଟ ନୟାଗଡ଼ର ପ୍ରସିଦ୍ଧ ଠାକୁର ରଘୁନାଥଙ୍କ ଭକ୍ତ; ନରସିଂହପୁର, ବଡ଼ମ୍ବା ଓ ଖଣ୍ଡପଡ଼ାରେ ଜାନୁଘଣ୍ଟଙ୍କର ମଠ ଅଛି । ଜାନୁଘଣ୍ଟ ପର୍ଶୁ ରାମଙ୍କର ପ୍ରତିନିଧି । ରାମଙ୍କ ଠାରୁ ପରାଜୟ ପ୍ରାପ୍ତି ପରେ ସେ ନିଜର କ୍ଷତ୍ରୀୟ-ସଂହାରୀ ପ୍ରଳୟଙ୍କର ରୂପ ତ୍ୟାଗ କରିଥିଲେ, ଦୈହିକ ଶକ୍ତି ଉପରେ ତାଙ୍କର ବିଶ୍ୱାସ ତୁଟି ଯାଇଥିଲା । ସେ ହୋଇଥିଲେ ପରମଯୋଗୀ, ରାମଙ୍କର ଏକନିଷ୍ଠ ଭକ୍ତ । ସେ ଲୋକଦୃଷ୍ଟି ଆକର୍ଷଣ ଲାଗି ଜାନୁରେ ଘଣ୍ଟିଟିଏ ବାନ୍ଧିଥିଲେ ଓ ଦେଶ ଦେଶ ଭ୍ରମଣ କରି ରାମନାମ ପ୍ରଚାର କରିଥିଲେ ।

 

ପୁରାଣ-ପ୍ରସିଦ୍ଧ ରାଜା ଜାନୁଘଣ୍ଟଙ୍କ ସହିତ ପର୍ଶୁରାମ ଭକ୍ତ ଜାନୁଘଣ୍ଟଙ୍କ ସଂପର୍କ ସ୍ଥାପନ କରାଯାଇ ପାରେ । ଶାରଳା ଦାସଙ୍କ ମହାଭାରତ (ସଭାପର୍ବ) ଜାନୁଘଣ୍ଟ ସିନ୍ଧୁଦେଶର ରାଜା । ସେ ସୂର୍ଯ୍ୟଭକ୍ତ, ଯେ ଗସିଦ୍ଧ । ତାଙ୍କର ଏକନିଷ୍ଠ ତପସ୍ୟାରେ ତୁଷ୍ଟହୋଇ ‘ତୁ ଦ୍ୱାପର ଯୁଗ ଭୋଗ କରିବୁ’ ବୋଲି ସୂର୍ଯ୍ୟଦେବ ବର ପ୍ରଦାନ କରିଥିଲେ । କିନ୍ତୁ ଭୋଗ ନୁହେ, ତ୍ୟାଗକୁ ହିଁ ସେ ଜୀବନର ଦୀକ୍ଷା ସ୍ୱରୂପ ଗ୍ରହଣ କରିଥିଲେ :

 

‘‘ଜାନୁଘଣ୍ଟ ପଦ ତୁହି କଲୁ ଯେବେ ଇଚ୍ଛା

ତୋର ନାମ ଜାନୁଘଣ୍ଟ ଖାଅ କରି ଭିକ୍ଷା ।

ଦିନକର ବଚନରେ ସିନ୍ଧୁ ରାଜ ତନୁ

ସେଦିନୁ ଘଣ୍ଟ ବାନ୍ଧିଲା ଆପଣାର ଜାନୁ ।

 

ମହାମନ୍ତ୍ର ବିଦ୍ୟାରେ ସେ ରାଜ୍ୟ କରେ ରକ୍ଷା

ଜନପ୍ରଜା ପାଳି ସେହୁ ମାଗି ଖାଏ ଭିକ୍ଷା ।

ଘଣ୍ଟାର ଶବଦ କରି କରେ ଖଡ୍‌ଗ ଧରି

ପ୍ରଜାଙ୍କ ହିତେ ବୁଲଇ ହୋଇ ଦିଗମ୍ବରୀ ।

 

ସେ ସିନ୍ଧୁ ମନ୍ଦାର ଦେଶେ ଅର୍ଜ୍ଜୁନ ପ୍ରବେଶ

କଟକେ ପଶି କରିଲା ବୀର ବାଦ୍ୟଘୋଷ ।

X            X            X

ପର ହତ୍ୟାକାରୀ ନୁହେଁ ନୁହେଁ ପରବାଦୀ

ଦ୍ୱାପର ଭୋଗ କରୁଛି ମହାଯୋଗ ସାଧି ।

 

 

ଧାର୍ମିକେ ଧାର୍ମିକ ମୁହିଁ ଦୁଷ୍ଟେ ଅନର୍ଗଳା

ପ୍ରାଣେ ତୋର ଆଶାଥିଲେ ଏଥୁଁ ବେଗେ ପଳା ।

 

ସେ ରାଜା, କିନ୍ତୁ ରାଜାବେଶ ଭୂଷଣ ଆଡ଼ମ୍ବର ଶୂନ୍ୟ । ଭୋଗ୍ୟ ଦ୍ରବ୍ୟସମ୍ଭାରରେ ରାଜ୍ୟ ପରିପୂର୍ଣ୍ଣ, କିନ୍ତୁ ଭୋଗ କରିବାର ପ୍ରବୃତ୍ତି ତାଙ୍କର ନାହିଁ । ସେ ସ୍ୱଭାବତଃ ଅହିଂସ୍ର, କିନ୍ତୁ ଯୋଗବିରୋଧୀ ଅସ୍ତ୍ରଶସ୍ତ୍ରରେ ବିଭୂଷିତ; ଆକ୍ରାନ୍ତ ହେଲେ ରାଜ୍ୟ ରକ୍ଷାଲାଗି ସେ ସଂଗ୍ରାମ କରନ୍ତି ।

 

ଜାନୁଘଣ୍ଟା ଓ ଘଣ୍ଟାକର୍ଣ୍ଣ

 

ସେ ମହାନଦୀ, ପୁଣି ଭିକ୍ଷୁକ । ଶରୀର ରକ୍ଷା ଲାଗି ଅନ୍ନ ଭିକ୍ଷା କରନ୍ତି, ପ୍ରଜାରକ୍ତ ରାଜସ୍ୱ ସ୍ପର୍ଶ କରନ୍ତି ନାହିଁ । ପ୍ରଜାମାନଙ୍କୁ ସୁବସ୍ତ୍ର ପରିଧାନ କରାଇ ନିଜେ ଦିଗମ୍ବର ହୋଇଥାନ୍ତି ।

 

ରାମଭକ୍ତ ବା ସୌର ହେବାରେ ଉଭୟ ଜାନୁଘଣ୍ଟଙ୍କ ମଧ୍ୟରେ ଯତ୍‌ସାମାନ୍ୟ ତାରତମ୍ୟ ରହିଅଛି । କାଳକ୍ରମେ ହୁଏତ ଲୋକ-ଚଳଣିରେ ଏ ବ୍ୟତିକ୍ରମ ଆସିଅଛି । କିନ୍ତୁ ଲୋକକଲ୍ୟାଣ ହିଁ ଉଭୟଙ୍କର ଆଜୀବନ ବ୍ରତ ।

 

ଘଣ୍ଟାକର୍ଣ୍ଣ ଜାନୁଘଣ୍ଟଙ୍କଠାରୁ ଭିନ୍ନ । କାହାରି କାହାରି ମତରେ ସେ ଏକପଦ ଭୈରବ । ତାଙ୍କର ବାହନ ବ୍ୟାଘ୍ର । ଘଣ୍ଟାକର୍ଣ୍ଣଙ୍କ ପୂଜାଦିନ ପୁରୀର ଗୃହଦ୍ୱାରମାନଙ୍କରେ ଏକପଦ ଭୈରବ ଓ ବ୍ୟାଘ୍ରର ଚିତ୍ର ଅଙ୍କିତ ହୁଏ । ଆଗେ ଓଡ଼ିଶା ଅରଣ୍ୟ-ସଂକୁଳ ଥିଲା । ହୁଏତ ବ୍ୟାଘ୍ର ଭୟନିବାରଣାର୍ଥେ ଏହି ଭୈରବ ତୁଷ୍ଟି ବିଧାୟକ ପୂଜା ଅନୁଷ୍ଠିତ ହେଉଥିଲା ।

 

କାହା କାହା ମତରେ ଘଣ୍ଟାକର୍ଣ୍ଣ କୁମ୍ଭକର୍ଣ୍ଣ ପରି ଏକ ଭୟଙ୍କର ଅସୁର । ତା’ର କର୍ଣ୍ଣରେ ଗୋଟିଏ ଘଣ୍ଟ ବନ୍ଧାଥାଏ, ଅସୁର ଚାଲିଲାବେଳେ ସେ ଘଣ୍ଟା ବାଜେ; ଜୀବଜନ୍ତୁ ସାବଧାନ ହୋଇଯାନ୍ତି । ଭାଦ୍ରବ କୃଷ୍ଣପକ୍ଷ ରାତ୍ରିରେ ସେ ଗୃହେ ଗୃହେ ଉପଦ୍ରବ ସୃଷ୍ଟି କରେ, ଧନ ସମ୍ପଦ ହରଣ କରେ ଓ ଜନ ଜୀବନ ବିପନ୍ନ କରେ । ବାଧାବିଘ୍ନ ବିପଦ ସଂଘଟନକାରୀ ଏହି ଅସୁରର ମୃତ୍ୟୁ ନାହିଁ । କେବଳ ପୂଜାର୍ଚ୍ଚନା ଦ୍ୱାରା ତା’ର ତୁଷ୍ଟି ବିଧାନ କରାଯାଇପାରେ । ତଦ୍ଦ୍ୱାରା ବହୁ ଉପଦ୍ରବରୁ ଅବ୍ୟାହତି ମିଳେ । ଜଗନ୍ନାଥ ଓ ତେତ୍ରିଶ କୋଟି ଦେବତାଙ୍କ ଦେଶରେ ଘଣ୍ଟାକର୍ଣ୍ଣ ଏକ ଅହୁର ମଜ୍‌ଦା; ଏହା ବୋଧହୁଏ ଓଡ଼ିଶାର ଏକମାତ୍ର ଅସୁରପୂଜା ।

 

ବର୍ଷ ମଧ୍ୟରେ ରେଖାପଞ୍ଚମୀ (ଭାଦ୍ରବ କୃଷ୍ଣ ପକ୍ଷର ପଞ୍ଚମୀ) ତା’ର ପୂଜାର ଦିନ । ଏହା ଏକ ସର୍ବସାଧାରଣ ପର୍ବ ନୁହେଁ; କେତେକ ବ୍ରାହ୍ମଣ ଗୋଷ୍ଠୀ ମଧ୍ୟରେ ଏହା ସିମୀତ ମାତ୍ର । ଏହି ପର୍ବ ଦିନ ଘରର କବାଟମାନଙ୍କରେ ଦୁଧ ଖଡ଼ିରେ ଚତୁଷ୍କୋଣ ରେଖା ଚିତ୍ର କାଟି ତା ମଧ୍ୟରେ ଲେଖା ଯାଏ -

 

ଓଁ ଗଣେଶାୟ ନମଃ

ଓଁ ଶ୍ରୀ ରୁଦ୍ରାୟ ନମଃ

ଓଁ ଶ୍ରୀ ଭୈରବାୟ ନମଃ

ଓଁ ଶ୍ରୀ ଚଣ୍ଡିକାୟେ ନମଃ

 

ରେଖାଚିତ୍ରର ଉପରି ଭାଗରେ ଲେଖାଯାଏ ଓଁ । ହଳଦି, ଅଳାଁ, ମେଥି ବାଟି ଗୁଳା କରି ରେଖାଚିତ୍ର ମଝିରେ ସମାନ୍ତରାଳ ଭାବରେ ଲଖେଇ ଦିଆହୁଏ । ତା ଉପରେ ଚନ୍ଦନ, ସିନ୍ଦୂର ଫୁଲ ଚଢ଼ାଇ ଗଣେଷ, ରୁଦ୍ର ଭୈରବ, ଚଣ୍ଡିକା ଏଇ ଚାରି ଦେବଦେବୀଙ୍କୁ ପୂଜା କରାଯାଏ । ପୂଜା ପରେ ଚକୁଳି, ମଣ୍ଡା, କାକରା ପ୍ରଭୃତି ପିଠାକୁ ଘଣ୍ଟାକର୍ଣ୍ଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାହୁଏ ।

 

ରେଖାପଞ୍ଚମୀ ପର୍ବରେ ଘରର ବାଡ଼ିପଟେ, ଦାଣ୍ଡପଟ ଓ ପ୍ରତ୍ୟେକ ହାରଝରକା ମନ୍ତ୍ରପଢ଼ି କିଳାଯାଏ । ଜୁଣ କେରାରେ ବେଣୀକରି ଦ୍ୱାରର ଚାଳରେ ଝୁଲେଇ ଦିଆହୁଏ । ସେଇ ଜୁଣ ବେଣୀରେ ଖଣ୍ଡିଏ, ତାଳପତ୍ରଲେଖ ବନ୍ଧାଥାଏ - ସେଥିରେ ଏହି ମନ୍ତ୍ରଟି ଥାଏ :

 

 

 

ଘଣ୍ଟାକର୍ଣ୍ଣ ମହାବୀର

ସର୍ବବ୍ୟାଧି ନିବାରଣ

ସର୍ବୋପଦ୍ରବ ସଂଘାତ

ବିଦ୍ର ବଣଂ ହରପ୍ରିୟେ

 

କଣ୍ଠେ ଯସ୍ୟ ମହାନୀଳଂ

ଭୁଷଣଂ ଯସ୍ୟ ପନ୍ନଗାଃ

ତେଜାଂସି ତସ୍ୟ ଦେବସ୍ୟ

ରକ୍ଷନ୍ତୁ ମମ ମନ୍ଦିରଂ ।

 

ବର୍ଷକୁ ବର୍ଷ ଏହିପରି ନୂଆ ଜୁଣବେଣୀ ଓ ଲେଖ ଚାଳରେ ଝୁଲା ହେଉଥାଏ । ଏହାକୁ ସ୍ପର୍ଶ କଲେ ପିଲାମାନଙ୍କୁ ଶୈବ-ଜ୍ୱର ଆକ୍ରମଣ କରେ ବୋଲି ଲୋକବିଶ୍ୱାସ ପ୍ରଚଳିତ ।

 

ଘଣ୍ଟାକର୍ଣ୍ଣ ପର୍ବ କେବଳ ଓଡ଼ିଶା ମଧ୍ୟରେ ସୀମିତ ନୁହେଁ । ଏହା ବୋଧହୁଏ ଭିନ୍ନ ରୂପରେ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ । ଏହି ଦିଗରେ ଗଭୀର ଗବେଷଣା ଆବଶ୍ୟକ ।

 

ନେପାଳରେ ଏବେ ମଧ୍ୟ ଘଣ୍ଟାକର୍ଣ୍ଣ ଉତ୍ସବ ପାଳିତ ହୁଏ । ପୂର୍ବେ ସେ ରାଜ୍ୟରେ ଘଣ୍ଟାକର୍ଣ୍ଣ ନାମକ ଦୁର୍ଦ୍ଦାନ୍ତ ଅସୁର ଥିଲା । ସେ ନାସ୍ତିକ । ଈଶ୍ୱରଙ୍କ ନାମ ଶୁଣିଲେ କ୍ରୋଧରେ ଜଳି ଉଠେ । କାଳେ ଈଶ୍ୱରଙ୍କ ନାମ କର୍ଣ୍ଣରେ ପ୍ରବେଶ କରିବ, ଏଥିଲାଗି କାନରେ ସେ ଗୋଟିଏ ଘଣ୍ଟି ବାନ୍ଧିଥାଏ । ସେ ଜଘନ୍ୟ କାମୁଳ, ଘୋର ଅତ୍ୟାଚାରୀ । ଅଜଜୁ ନାମକ ଜଣେ ବୃଦ୍ଧଙ୍କ ନେତୃତରେ ଦଳେ ଲୋକ ଘଣ୍ଟାକର୍ଣ୍ଣ ଶୋଇଥିବା ବେଳେ ତାକୁ ବିନାଶ କଲେ । ଦେଶ ବହୁ ଉପଦ୍ରବରୁ ଅବ୍ୟାହତି ପାଇଲା । ଏହି ହତ୍ୟାର ସ୍ମାରକ ସଦୃଶ କୃଷ୍ଣପକ୍ଷ ଶ୍ରାବଣ ଚୌଦ ଦିନ ଘଣ୍ଟାକର୍ଣ୍ଣ ଉତ୍ସବ ପାଳିତ ହେଉଅଛି । ଶସ୍ୟଗୁଚ୍ଛ ଘଣ୍ଟାକର୍ଣ୍ଣର ପ୍ରତୀକ । ଲୋକେ ସେଦିନ ରାସ୍ତାଘାଟ ବନ୍ଦ କରନ୍ତି, ପଥିକମାନଙ୍କ ନିକଟରୁ ଘଣ୍ଟାକର୍ଣ୍ଣ ନାମରେ ଚାନ୍ଦା ଆଦାୟ କରନ୍ତି । ସେମାନେ ଲୁହାର ଘଣ୍ଟି କାନରେ ବାନ୍ଧିଥାନ୍ତି । ଭୂତପ୍ରେତ ଘଉଡ଼ିବା ଲାଗି ଦୁଆରବନ୍ଧରେ କଣ୍ଟା ବାଡ଼େଇଥାନ୍ତି ।

 

ମଣିଷ ଜୀବନ ପାଇ କିଏ ବାଧାବିଘ୍ନର ସମ୍ମୁଖୀନ ନ ହୁଏ ? କିଏ ଦୁଃଖଶୋକରେ ମ୍ରିୟମାଣ ନ ହୁଏ ? ଘଣ୍ଟାକର୍ଣ୍ଣ ସବୁ ଆଧିବ୍ୟଧି ଦୁଃଖ-ଶୋକର ପ୍ରତୀକ । ଗୃହକୁ ନିରୁପଦ୍ରବ ଓ ଜୀବନକୁ ସୁଖମୟ ରଖିବା ଲାଗି ଗୃହୀ ଘଣ୍ଟାକର୍ଣ୍ଣକୁ ସନ୍ତୁଷ୍ଟ ରଖେ ।

 

 

ଆଧୁନିକ ଓଡ଼ିଆ ଚରିତ-ସାହିତ୍ୟ ରଚନାର ପ୍ରସ୍ତୁତି

ଶ୍ରୀମତି ଲାବଣ୍ୟ ନାୟକ

୧-ଶିକ୍ଷା/ପାଠ୍ୟପୁସ୍ତକ

ଆଧୁନିକ ଶିକ୍ଷାର ପ୍ରଚଳନ, ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା ଓ ପତ୍ର-ପତ୍ରିକାର ପ୍ରକାଶ ହେତୁ ମାନବର ଦୃଷ୍ଟିକୋଣ କ୍ରମଶଃ ପରିବର୍ତିତ ହେଲା । ଊନବିଂଶ ଶତାବ୍ଦୀର ବୁଦ୍ଧିଜୀବୀମାନେ ସକଳ ଦିଗରୁ ମାନବାତ୍ମାକୁ ଚିହ୍ନବା ପାଇଁ ପ୍ରୟାସୀ ହେଲେ । ବାସ୍ତବତାର ବିବିଧ ଭୂମିକାରେ ପରିବର୍ଦ୍ଧିତ ମଣିଷର ସ୍ୱରୂପକୁ ବିଚାର କରି ସେମାନେ ଆପଣାର ଚିନ୍ତନ ଓ ଅବବୋଧକୁ ପ୍ରକଟିତ କଲେ । ଜୀବନ ସମସ୍ୟାର ସଂଗ୍ରାମ ଭୂମିରେ ବିକଶିତ ମଣିଷର ପୁରୁଷକାରକୁ ନାନା ଦିଗରୁ ପ୍ରତ୍ୟକ୍ଷ କରି ତା’ର ମୂଲ୍ୟବୋଧକୁ ଆଗାମୀ ବଂଶଧରଙ୍କ ପ୍ରେରଣା ପାଇଁ ସାଇତି ଯିବାର ଏକ ବଳିଷ୍ଠ ଇଚ୍ଛା ଆଧୁନିକ ଲେଖକମାନଙ୍କ ଠାରେ ପ୍ରକାଶ ପାଇଥିଲା । ତେଣୁ କରି କେବଳ ସାଧୁସନ୍ଥମାନଙ୍କ ଜୀବନୀ ଅପେକ୍ଷା ତ୍ୟାଗୀ, କର୍ମୀ, ସାହିତ୍ୟିକ, ଐତିହାସିକ ଓ ଶକ୍ତିଶାଳୀ ବ୍ୟକ୍ତିତ୍ୱ ସମ୍ପନ୍ନ ନରନାରୀଙ୍କର ଜୀବନୀ ରଚନା ପ୍ରତି ଲେଖକକୁଳ ବିଶେଷ ଦୃଷ୍ଟି ଦେଇଥିଲେ । ସେ କାଳରେ ଜୀବନୀ-ସାହିତ୍ୟର ବିକାଶ ପାଇଁ ଶିକ୍ଷା, ପାଠ୍ୟ ପୁସ୍ତକ ଓ ପତ୍ରପତ୍ରିକା ପ୍ରଭୃତି ବିଶେଷ ତତ୍ପରତା ପ୍ରକାଶ କରିଥିଲେ ।

 

ଜୀବନର ସମୁନ୍ନତ ବିକାଶ ପାଇଁ ଶିକ୍ଷାଦାନ ଚରିତ ସାହିତ୍ୟର ମୁଖ ଉଦ୍ଦେଶ୍ୟ ହୋଇଥିବାରୁ ସେମାନେ ବୁଝିଥିଲେ ଯେ ମହତ ବ୍ୟକ୍ତିର ଜୀବନୀ ପାଠ ଦ୍ୱାରା ଏହି ଉଦ୍ଦେଶ୍ୟ ସଫଳ ହୋଇଥିଲା । ମାନବର କର୍ମ ସାଧନା ଓ ସିଦ୍ଧିର ଚରିତ୍ର ଅନୁଧ୍ୟାନ କରି ତାଙ୍କର ଧାରଣା ହୋଇଥିଲା ଯେ ମନୀଷୀଗଣ ନିଜର ଲକ୍ଷ୍ୟ ସାଧନ କରିବା ପାଇଁ ବହୁ ବାଧାବିଘ୍ନ ଘାତପ୍ରତିଘାତ ମଧ୍ୟ ଦେଇ ଜୀବନ ଅତିକ୍ରମ କରିଥାନ୍ତି; ଏଥିପାଇଁ ସେମାନଙ୍କୁ ବହୁ ଶ୍ରମ ସ୍ୱୀକାର ଓ ସ୍ୱାର୍ଥ ତ୍ୟାଗ କରିବାକୁ ହୋଇଥାଏ । କିନ୍ତୁ ଐକାନ୍ତିକ ନିଷ୍ଠା, ଅପରିମେୟ ତ୍ୟାଗ ଓ ଅନାହତ ସାଧନା ହିଁ ସେମାନଙ୍କୁ ସ୍ମରଣୀୟ ଗୌରବରେ ଭୂଷିତ କରିଥାଏ । ଅତଏବ ଜୀବନୀ ପାଠ କଲେ ଚରିତନାୟକର ବ୍ୟକ୍ତିତ୍ୱ ଦ୍ୱାରା ଅନୁପ୍ରାଣିତ ହେବା ସଙ୍ଗେ ସଙ୍ଗେ ପାଠକ ଆପଣାର ଦୋଷଦୁର୍ବଳତା ଓ ତ୍ରୁଟି-ବିଚ୍ୟୁତି ଗୁଡ଼ିକୁ ପରିତ୍ୟାଗ କରିବା ଲାଗି ପ୍ରେରଣା ପାଇଥାଏ । ଏତଦ୍‌ଭିନ୍ନ ଏଥିରୁ ତତ୍‌କାଳୀନ ସମାଜର ରୀତିନୀତି ସାଧାରଣ ଚଳଣି ଓ ଇତିହାସ ସଂପର୍କରେ ମଧ୍ୟ ଜ୍ଞାନ ଲାଭ କରିହୁଏ । ପୁନଶ୍ଚ ସ୍ୱଜାତୀୟ ମହାପୁରୁଷମାନଙ୍କର ଗୌରବ କୀର୍ତ୍ତନରେ ଜାତୀୟ ଗୌରବବୋଧ ଜାଗ୍ରତ ହୋଇଥାଏ । ଚିନ୍ତାବିତ୍‌ ଓ ଲେଖକମାନଙ୍କର ଏପରି ଧାରଣା ଅନ୍ତରାଳରେ ଏକ ପ୍ରକାର ଜାତୀୟବାଦୀ ଚେତନା ଥିବା ଲକ୍ଷିତ ହୁଏ । ମନେହୁଏ ସେମାନେ ପ୍ରତ୍ୟେକ ବିଶ୍ୱାସ କରୁଥିଲେଁ ଯେ କୌଣସି ବ୍ୟକ୍ତି ବା ଜାତି ଦେଶର ଚିର ସ୍ମରଣୀୟ ମନୀଷୀମାନଙ୍କୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରି ଶିଖିଲେ କାଳକ୍ରମେ ସେହି ଦେଶ ବା ବ୍ୟକ୍ତିବିଶେଷଙ୍କର ଅଗ୍ରଗତି ସାଧିତ ହେବ । ଏହି ବିଶ୍ୱାସ ବୀର-ପୂଜା ଦର୍ଶନ ଦ୍ୱାରା ଅନୁପ୍ରେରିତ ।

 

ତେଣୁ ଏହି ଦର୍ଶନକୁ ଲେଖକଗଣ ସେ କାଳର ପତ୍ରପତ୍ରିକା ମାଧ୍ୟମରେ ପ୍ରଚାର କରିଥିଲେ । ‘ଉତ୍କଳ ସାହିତ୍ୟ’ ପତ୍ରିକାର ଏକ ଟିପ୍‌ପଣୀରୁ ଜଣାଯାଏ :

 

କଟକ ବ୍ରାହ୍ମ ମନ୍ଦିରରେ ୮।୧।୧୯୦୦ ତାରିଖରେ ଆଚର୍ଯ୍ୟ କେଶବଚନ୍ଦ୍ର ସେନଙ୍କ ସ୍ମରଣୋପଲକ୍ଷେ ଆହୂତ ଏକ ସଭାରେ କୃଷ୍ଣପ୍ରସାଦ ଚୌଧୁରୀ ଏକ ପ୍ରବନ୍ଧ ପାଠ କରିଥିଲେ । ସେଥିରେ ଉଲ୍ଲେଖ ଥିଲା, ‘‘ମହତ୍ତ୍ୱର ପୂଜା କରି ନ ପାରିଲେ ଆମ୍ଭମାନଙ୍କର ଉନ୍ନତିର ଆଶା ନାହିଁ , ପାଶ୍ଚାତ୍ୟ ମହାଜାତିମାନଙ୍କର ଅଦ୍‌ଭୂତ ଉନ୍ନତି ମୂଳରେ ଏହି ମହତ୍ତ୍ୱପୂଜା ବିଦ୍ୟମାନ ।’’ X

 

ଏଥିରୁ ଅନମିତ ହୁଏ ଯେ ବୀରପୂଜା ବା ମହନୀୟ ବ୍ୟକ୍ତିତ୍ୱ ପୂଜାର ଧାରା ପାଶ୍ଚାତ୍ୟ ସଂସର୍ଗରୁ ଏ ଦେଶର ମନନ ଭୂମିରେ ପ୍ରବେଶ କରିଥିଲା । ଅବଶ୍ୟ ଆମ ଦେଶରେ ବହୁ ପୂର୍ବରୁ ରାମ, କୃଷ୍ଣ, ବୁଦ୍ଧ ପ୍ରମୁଖଙ୍କ ପାଇଁ ସ୍ୱତନ୍ତ୍ର ତିଥି ପାଳନରେ ଏକ ପ୍ରକାର ବୀରପୂଜା କରାଯାଉଥିଲା । ‘ବୀର ପୂଜାର ମର୍ମକଥା’ ପ୍ରସଙ୍ଗରେ ନିଶିକାନ୍ତ ସାନ୍ୟାଲ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ଦର୍ଶାଇ ଥିଲେ । ‘‘ଆଧୁନିକ ଭାରତରେ ବୀରପୂଜାର ପ୍ରଚଳନ ପାଶ୍ଚାତ୍ୟ ମନୋଭାବର ଆମଦାନୀ କି ନୁହେଁ ପ୍ରତ୍ନତତ୍ତ୍ୱବିଦ୍‌ମାନେ ଏ ବିଷୟରେ ଗବେଷଣା କରିବେ । ତେବେ ଏହା କହିପାରୁଁ, ଆଧୁନିକ ଭାରତବର୍ଷରେ ଯେ ପ୍ରଣାଳୀରେ ଗଣ-ମନୋରଂଜକ ନାୟକମାନଙ୍କୁ ଲୌକିକି ବା ସାମାଜିକ ଶ୍ରଦ୍ଧା ଦେଖାଇବାର ମନୋବୃତ୍ତି ଦେଖା ଦେଇଅଛି ଓ ଯେଉଁସବୁ ପ୍ରଣାଳୀ ବରଣ କରାଯାଉଅଛି, ତହିଁରେ ପାଶ୍ଚାତ୍ୟ ମନୋଭାବ ନ୍ୟୂନାଧିକ କ୍ଷୀଣ ସ୍ପର୍ଶ ଅଛି ।’’ * ସେହିପରି ବୀରପ୍ରଜାର ପ୍ରଭାବ ସମ୍ପର୍କରେ ସୂଚାଇବାକୁ ଯାଇଁ ପଣ୍ଡିତ କୁଳମଣି ଦାଶ ଉଲ୍ଲେଖ କରିଥିଲେ, ‘‘ବୀର ପୂଜା ପାଶ୍ଚାତ୍ୟ ଜାତିର ଉନ୍ନତିର ଅନ୍ୟତମ ହେତୁ । ଯେଉଁ ଜାତି ସ୍ୱଦେଶୀୟ ତଥା ବିଦେଶୀୟ ବୀରମାନଙ୍କୁ ସମ୍ୟକ୍‌ ଉପାସନା କରି ଶିଖିଅଛି ସେ ଜାତି ହିଁ ଜଗତରେ ଉନ୍ନତିଶୀଳ ।’’ +

X ଉତ୍କଳ ସାହିତ୍ୟ-୪ର୍ଥ ଖଣ୍ଡ/୧ମ ସଂଖ୍ୟା (୧୩୦୭ ସାଲ)

* ଉତ୍କଳ ସାହିତ୍ୟ - ୪୨ଶ ଭାଗ/୨ୟ ସଂଖ୍ୟା-୧୩୪୫ ସାଲ, ଜ୍ୟେଷ୍ଠ, ପୃଷ୍ଠା ୮୯-୯୨

+ ପଣ୍ଡିତ କୁଳମଣି ଦାଶ - କାବ୍ୟତିର୍ଥ-ମାହାତ୍ମା ରାଜା ରାମମୋହନ ରାୟ-ପ୍ରକାଶକ-ସମ୍ପାଦକ-ଉତ୍କଳ ବାହ୍ମ ସମାଜ-୧ମ ସଂ-୧୯୩୫-ପୃ ୧୪୯

ଆଧୁନିକ ଓଡିଆ ଚରିତ – ସାହିତ୍ୟ ରଚନାର ପ୍ରସ୍ତୁତି

 

ପୁନଶ୍ଚ ବିଚ୍ଛନ୍ଦଚରଣ ପଟ୍ଟନାୟକ, କାରଲାଇଲଙ୍କ ଅନୁସରଣରେ ବୀରପୂଜାର ସ୍ୱରୂପ ବ୍ୟାଖ୍ୟା କରିବାକୁ ଯାଇ ସୂଚାଇଥିଲେ ଯେ ‘‘ଯୁଗବିଶେଷରେ ଜଣେ ଜଣେ ବିଶିଷ୍ଟ ପୁରୁଷ ଜାତ ହୁଅନ୍ତି, ଯାହାଙ୍କଠାରେ ସେହି ଯୁଗର ତାବତୀୟ ବିଶିଷ୍ଟତା ଓ ଉତ୍କର୍ଷ ପୁଂଜିଭୂତ ହୋଇଥାଏ । ସେହିମାନେ ହିଁ କର୍ମବିଭାଗ ବିଶେଷରେ ଛତ୍ରପତି ହୋଇବସନ୍ତି । ସେହିମାନେ ହିଁ ଜଗତର ମୁଖ୍ୟମାନବ, ଜଗତ ସତତ ସର୍ବତୋଭାବ ସେମାନଙ୍କର ଅନୁଗାମୀ । ସେମାନଙ୍କର କର୍ମକ୍ଷେତ୍ର ଯାହା ହେଉନା କାହିଁକି ସେହିମାନେ ହିଁ ବୀର ପଦବାଚ୍ୟ ଓ ସେହିମାନଙ୍କର ଜୀବନୀର ସମଷ୍ଟି ହିଁ ଜଗତର ଇତିହାସ । ସେମାନଙ୍କ ତୁଙ୍ଗ ବ୍ୟକ୍ତିତ୍ୱ ନିକଟରେ ମାନବଜାତି ନିଜକୁ ଖର୍ବ ବୋଧକରି ସ୍ୱତଃପ୍ରଣତ ହୋଇ ସେମାନଙ୍କୁ ଭକ୍ତିର ଯେଉଁ କୁସୁମାଞ୍ଜଳି ଓ ମିନତିର ଯେଉଁ ଅର୍ଘ୍ୟ ଟେକିଦିଏ, କାରଲାଇଲ ତାହାକୁ ବୀରପୂଜା ଆଖ୍ୟା ପ୍ରଦାନ କରିଅଛନ୍ତି । *

 

ଅତଏବ ଏସବୁ ମନ୍ତବ୍ୟରୁ ପ୍ରତୀତ ହୁଏ ଯେ ଆଧୁନିକ ଓଡ଼ିଆ ଲେଖକମାନେ ଜୀବନୀ ରଚନା ପ୍ରତି ପ୍ରବୃତ୍ତ ଓ ଉତ୍ସାହିତ ହେବା ମୂଳରେ ଉପଯୁକ୍ତ ଦୃଷ୍ଟିକୋଣ ବିଶେଷ କାର୍ଯ୍ୟ କରିଥିଲା । ଆଧୁନିକ ଶିକ୍ଷା ଓ ପାଠ୍ୟକ୍ରମ ଜରିଆରେ ଜୀବନ-ଚରିତର ପ୍ରସାର ଆରମ୍ଭ ହେଲା । ପାଠ୍ୟପୁସ୍ତକରେ ଜୀବନ-ଚରିତକୁ ଅନ୍ତର୍ଭୁକ୍ତ କରିବାର ପ୍ରୟୋଜନୀୟତା ଅନେକ ଉପଲବ୍‌ଧି କଲେ ।

 

୧୮୫୮-୫୯ ସାଲରେ ଓଡ଼ିଶାର ଶିକ୍ଷାବିଭାଗ ଇନିସ୍‌ପେକ୍‌ଟର ଡକ୍‌ଟର ରୋରସାହେବ ପାଠ୍ୟପୁସ୍ତକରେ ଅଭାବ ଦର୍ଶାଇ ଦେଶର ଶିକ୍ଷା ବିସ୍ତାରଲାଗି ଯେଉଁ ବିଷୟମାନ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ ତହିଁରେ ହିତୋପଦେଶକୁ ଅଗ୍ରାଧିକାର ଦିଆ ଯାଇଥିଲା ଏବଂ ସାଧୁ, ସନ୍ଥ ଓ ମନୀଷୀମାନଙ୍କ ଜୀବନ-ଚରିତରୁ ଏପରି ହିତୋପଦେଶ ମିଳିବାର ସୁଯୋଗ ପ୍ରଶସ୍ତ ବୋଲି ତାଙ୍କର ଧାରଣା ହୋଇଥିଲା । ତେଣୁ ଜୀବନୀକୁ ପାଠ୍ୟ ପୁସ୍ତକ ମଧ୍ୟରେ ସନ୍ନିବେଶିତ କରିବା ପାଇଁ ସେତେବେଳେ ନିର୍ବୋଧ ସୁଯୋଗ ସୃଷ୍ଟି ହେଲା-। କ୍ରମେ କ୍ରମେ ପାଠ୍ୟ ପୁସ୍ତକର ଅଭିବୃଦ୍ଧି ଘଟିବାରୁ ଏହା ଜୀବନୀସାହିତ୍ୟର ବିକାଶ ପାଇଁ ମଧ୍ୟ ସାହାଯ୍ୟ କଲା । ଆଧୁନିକ ଶିକ୍ଷାକୁ କେବଳ ଉଚ୍ଚବର୍ଣ୍ଣ ଓ ଧନୀକ ଶ୍ରେଣୀଠାରେ ସୀମାବଦ୍ଧ ନ ରଖି ସର୍ବସାଧାଣ ସ୍ତରକୁ ପ୍ରସାରିତ କରିବା ଥିଲା ଉଡ଼ସ୍‌ ଡ଼େସ୍‌ପାଚ (୧୮୫୮) ର ଲକ୍ଷ୍ୟ । ଇଂରେଜ ସରକାରଙ୍କର ଏପରି ଶିକ୍ଷାନୀତି, ଦେଶର ପାଠ୍ୟପୁସ୍ତକ ଅଭିବୃଦ୍ଧିର ସହାୟକ ହୋଇଥିଲା । ଡକ୍‌ଟର ନଟବର ସାମନ୍ତରାୟ କହନ୍ତି - ପାଠ୍ୟ ପୁସ୍ତକ ଯେ ନୂତନ ବିଦ୍ୟା ବିତରଣ କରି ଏକ ନୂତନ ରୁଚି ଓ ନୂତନ ମୂଲ୍ୟବୋଧ ଦେଇ ପାରିଥିଲା ତାହା ନୁହେଁ, ତାହା ମଧ୍ୟ ଏକ ସ୍ୱତନ୍ତ୍ର ଜୀବନବୋଧ ସୃଷ୍ଟି କରିବାକୁ ସମର୍ଥ ହୋଇଥିଲା ।

* ଅମର ବଲ୍ଲଭ ଦେ - ବୀର ପୂଜା (ମୁଖବନ୍ଧ-ବିଚ୍ଛନ୍ଦଚରଣ ପଟ୍ଟନାୟକ) ୧୯୨୯ ପୃଷ୍ଠା ୩/୧ମ ସଂ ୧୯୨୯-ମୁକୁର ପ୍ରେସ, କଟକ ।

 

X ଡକ୍ଟର ନଟବର ସାମନ୍ତରାୟ-ଓଡ଼ିଆ ସାହିତ୍ୟର ଇତିହାସ ୧୯୬୪-ପୃ ୧୦୭

 

X ଏଣୁ ପ୍ରତୀତ ହୁଏ ଯେ, ପାଠ୍ୟ ପୁସ୍ତକରେ ଜୀବନ-ଚରିତର ସମାବେଶ ହେଉଛି-ଏଇ ନୂତନ ଦୃଷ୍ଟିକୋଣର ଏକ ଶୁଭ ପରିମାଣ ।

 

ରାଧାନାଥ ରାୟ ଶିକ୍ଷା ପ୍ରଶାସକ ପଦରେ (୧୮୭୨-୧୯୦୩) ଥିଲାବେଳେ ଓଡ଼ିଶାରେ ଶିକ୍ଷାର ଉନ୍ନତି ପ୍ରତି ଯତ୍ନଶୀଳ ହୋଇଥିଲେ । ନିଜେ ପାଠ୍ୟ ପୁସ୍ତକ ଲେଖିବା ଓ ଅନ୍ୟମାନଙ୍କୁ ଲେଖିବାପାଇଁ ପ୍ରେରଣା ଯୋଗାଇବା ଏବଂ ପାଠ୍ୟ ପୁସ୍ତକକୁ ସାହିତ୍ୟ ରସ ପିଣ୍ଡିତ କରିବା ପାଇଁ ସେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ରାଧାନାଥ ଶିକ୍ଷା କ୍ଷେତ୍ରକୁ ଆସିବା ପୂର୍ବରୁ ବିଦ୍ୟାଳୟ ନିମନ୍ତେ ଯେଉଁ ପାଠ୍ୟପୁସ୍ତକ ଚଳୁଥିଲା ତାହା ପ୍ରାୟ ପଦାର୍ଥ ବିଜ୍ଞାନ, ଭୂଗୋଳ ଓ ଇତିହାସ ବିଷୟକ ପୁସ୍ତକ । ସାହିତ୍ୟ ପୁସ୍ତକମାନଙ୍କୁ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବାରେ ରାଧାନାଥ ଥିଲେ ଶ୍ରେଷ୍ଠ ପୁରୋଧା ।

 

ଖ୍ରୀ ୧୮୮୦ ମସିହା ପରେ ଦେଶରେ କେତେକ ନିମ୍ନତମ ସ୍କୁଲ ପ୍ରତିଷ୍ଠିତ ହୋଇଥିଲା ଏବଂ ବିଦ୍ୟାନୁରାଗୀ ଛାତ୍ରମାନଙ୍କୁ ପୁସ୍ତକ ଆକାରରେ ପୁରସ୍କାର ପ୍ରଦାନ କରିବା ସିଦ୍ଧାନ୍ତ ସରକାର ଏତେବେଳେ ଗ୍ରହଣ କରିଥିଲେ । ଏଥି ନିମନ୍ତେ ସରକାରଙ୍କର ଅନେକ ପୁସ୍ତକ କିଣିବା ଲୋଡ଼ା ହେଲା ଏବଂ ସରକାର ପାଠ୍ୟ ପୁସ୍ତକ ରଚନାରେ ଲୋକଙ୍କୁ ପ୍ରେରଣା ଓ ଉତ୍ସାହ ଯୋଗାଇବା ପାଇଁ ତିନିହଜାର ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା (୧୮୭୨) କରିଥିଲେ । ପ୍ୟାରିମୋହନ ଆଚାର୍ଯ୍ୟଙ୍କ ଓଡ଼ିଶାର ଇତିହାସ (୧୮୭୫) ଏବଂ ମଧୁସୂଦନ ରାଓଙ୍କ ‘ପ୍ରବନ୍ଧମାଳା’ (୧୮୮୦) ପ୍ରତ୍ୟେକେ ଏଇ ଯୋଜନାରୁ ତିନିଶହ ଲେଖାଏଁ ଟଙ୍କା ପୁରସ୍କାର ପାଇଥିଲେ । ସରକାରୀ ପ୍ରୋତ୍ସାହନ ବ୍ୟତୀତ କେତେକ ସାହିତ୍ୟ-ପ୍ରେମୀ ବିତ୍ତଶାଳୀ ବ୍ୟକ୍ତି ମଧ୍ୟ ପାଠ୍ୟ ପୁସ୍ତକର ପ୍ରସାର ପାଇଁ ପ୍ରେରଣା ଯୋଗାଇ ଥିଲେ । ଢ଼େଙ୍କାଳାନର ମହାରାଜ ଭଗୀରଥ ମହୀନ୍ଦ୍ର ବାହାଦୂର କଟକ ସ୍କୁଲ କମିଟି ମାର୍ଫତରେ ନଅ ହଜାର ଟଙ୍କା ଦୁଇଜଣ ଓଡ଼ିଆ ଛାତ୍ରଙ୍କର ବୃତ୍ତି ଏବଂ ଯୋଗ୍ୟ ପାଠ୍ୟପୁସ୍ତକ ଲେଖକଙ୍କୁ ପୁରସ୍କାର ଦେବା ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ପାଠ୍ୟ ପୁସ୍ତକ ରଚନା ପାଇଁ ଉତ୍ସାହିତ କରିବାର ଏହା ଅନ୍ୟ ଏକ ପଦକ୍ଷପ । ଦ୍ୱାରିକାନାଥ ରାୟଙ୍କର ‘କ୍ଷେତ୍ର ପରିମାଣ’ (୧୮୭୦) ଓ ‘ଜଡ଼ବିଜ୍ଞାନ’ (୧୮୭୦) ଏହି ଯୋଜନାରୁ ପୁରସ୍କାର ପାଇଲେ । * ତେଣୁ ଏଥିରୁ ପ୍ରତିପନ୍ନ ହୁଏ ଯେ ଊନବଂଶ ଶତାବ୍ଦୀରେ ପାଠ୍ୟ ପୁସ୍ତକ ରଚନା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲା । କ୍ରମଶଃ ପାଠ୍ୟପୁସ୍ତକର ପ୍ରସାର ହେତୁ ଜୀବନୀ-ସାହିତ୍ୟର ସମୃଦ୍ଧି ମଧ୍ୟ ସାଧିତ ହେଲା ।

* ଡଃ କ୍ଷେତ୍ରବାସୀ ନାୟକ-କବି ଚରିତ ରାଧାନାଥ-୧୯୭୫ ପୃ ୪୦ ପୁସ୍ତକ ଭଣ୍ଡାର-ବ୍ରହ୍ମପୁର ।

 

 

 

ଆଧୁନିକ ଓଡିଆ ଚରିତ – ସାହିତ୍ୟ ରଚନାର ପ୍ରସ୍ତୁତି

 

ମାତ୍ର ପ୍ରାଥମିକ ଅବସ୍ଥାରେ ପାଠ୍ୟ ପୁସ୍ତକରେ ସ୍ଥାନ ପାଇଥିବା ଜୀବନ ଚରିତ ମଧ୍ୟରୁ କେହି ପୂର୍ଣ୍ଣାଙ୍ଗ ଜୀବନ କାହାଣୀର ଚିତ୍ର ପ୍ରଦାନ କରି ନ ଥିଲେ । ଊନବିଂଶ ଶତାବ୍ଦୀର ପାଠ୍ୟ ପୁସ୍ତକରେ ସନ୍ନିବେଶିତ ଚରିତ ରଚନାବଳୀକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଏଗୁଡ଼ିକ ପ୍ରାୟ ବିଭିନ୍ନ ରାଜା, ଐତିହାସିକ ବ୍ୟକ୍ତି ଓ ମନୀଷୀଙ୍କର ସଂକ୍ଷିପ୍ତ ଜୀବନ ବୃତ୍ତାନ୍ତ କିମ୍ବା ସେମାନଙ୍କ ଜୀବନରେ ଘଟିଥିବା ଗୋଟିଏ ଗୋଟିଏ ଘଟଣାକୁ ନେଇ ଲିଖିତ ହୋଇଥିଲା । ଏପରି ଜୀବନୀ-ପ୍ରବନ୍ଧ ସମେତ କିଛି କିଛି ପଦ୍ୟ ମଧ୍ୟ ପାଠ୍ୟ ପୁସ୍ତକରେ ରଖା ଯାଉଥିଲା ।

 

ମଧୁସୂଦନ ରାଓଙ୍କ ‘ପ୍ରବନ୍ଧମାଳା’ (୧୮୮୦) ହେଉଛି ଏହି ପର୍ଯ୍ୟାୟର ଏକ ଉଲ୍ଲେଖଯୋଗ୍ୟ ପାଠ୍ୟ ପୁସ୍ତକ । ଏହା ପୁସ୍ତକ ଆକାରରେ ମୁଦ୍ରିତ ହେବା ପୂର୍ବରୁ ଏଥିରେ ଥିବା ରଚନା ସମୂହ ସାହିତ୍ୟ ପ୍ରବନ୍ଧ ଭାବରେ ସ୍ୱୀକୃତି ପାଇ ସାରିଥିଲେ । ଏଥିରେ ରାଣୀ ଦୁର୍ଗାବତୀ, ବୁଦ୍ଧଦେବ, ସାର ଆଇଜାକ୍‌ ନିୟୁଟନ୍‌, ନେପୋଲିୟନ ପ୍ରଭୃତି ଜୀବନୀ-ପ୍ରବନ୍ଧ ସ୍ଥାନ ପାଇଥିଲା । ବସ୍ତୁତଃ ସ୍ୱଦେଶୀ, ବିଦେଶୀ, ଧର୍ମବୀର, ଜ୍ଞାନବୀର ଓ ଯୁଦ୍ଧବୀରମାନଙ୍କର ଜୀବନୀ ପ୍ରବନ୍ଧରେ ଏହି ’ପ୍ରବନ୍ଧମାଳା’ ଋଦ୍ଧିମନ୍ତ ହେଇଥିଲା ।

 

ଏକାଧିକ ଜୀବନ ଚରିତକୁ ନେଇ ରଚିତ ‘ପ୍ରବନ୍ଧମାଳା’ ସେ କାଳରେ ଏକ ଉତ୍କୃଷ୍ଟ ପାଠ୍ୟ ପୁସ୍ତକର ଗୌରବ ଲାଭ କରିଥିଲା ଓ ପାଠକ ପ୍ରାଣକୁ ସହଜରେ ସ୍ପର୍ଶ କରି ପାରିଥିଲା । ଏହି ଗୌରବ ପାଠ୍ୟ ପୁସ୍ତକ ରୂପେ କେବଳ ପ୍ରବନ୍ଧମାଳାର ନୁହେଁ, ବରଂ ସାହିତ୍ୟିକ ସୃଷ୍ଟି ରୂପେ ଚରିତ ରଚନାର ହୋଇପାରେ ।

 

ସେତେବେଳେ ମଧ୍ୟ ସୀତାନାଥ ରାୟଙ୍କ ଦ୍ୱାରା ସଂକଳିତ ଓ ରାୟପ୍ରେସ, କଟକରେ ମୁଦ୍ରିତ ‘ଚତୁର୍ଥ‌ପାଠ’ (୧୮୯୯) ଏକ ପାଠ୍ୟ ପୁସ୍ତକ ଭାବରେ ଚଳୁଥିଲା । ଏଥିରେ ଆଲେକଜାଣ୍ଡାରଙ୍କ ବାଲ୍ୟ ଉପାଖ୍ୟାନ ଏବଂ ‘ଋଷି ଆଲେକଜାଣ୍ଡାର’ ନାମକ ଦୁଇଟି ରଚନା ସ୍ଥାନ ପାଇଥିଲା । କିନ୍ତୁ ଏହା ପୂର୍ଣ୍ଣାଙ୍ଗ ଜୀବନ-ଚରିତ ନୁହେଁ ।

 

ଊନବିଂଶ ଶତାବ୍ଦୀରେ ପ୍ରଚଳିତ ପାଠ୍ୟ ପୁସ୍ତକମାନଙ୍କ ମଧ୍ୟରେ ଫକୀରମୋହନଙ୍କ ଦ୍ୱାରା ଅନୂଦିତ ’ଜୀବନ ଚରିତ’ (୧୮୬୬) ବିଶେଷ ଭାବରେ ଆଦୃତି ଲାଭ କରିଥିଲା । ଏହା ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ବଙ୍ଗଳା ରଚନାର ଓଡ଼ିଆ ଅନୁବାଦ । ଏଥିରେ ଦେଶ ବିଦେଶର ସ୍ମରଣୀୟ ବ୍ୟକ୍ତିଙ୍କର ସଂକ୍ଷିପ୍ତ ଜୀବନୀ ଲିଖିତ ହୋଇଛି । ଏହି ଗ୍ରନ୍ଥଟି ଆଧୁନିକ ଓଡ଼ିଆ ଚରିତସାହିତ୍ୟ ରଚନାର ପ୍ରାଥମିକ ଉଦ୍ୟମ ରୂପେ ବିବେଚିତ ହୋଇଥାଏ । ଅତଏବ ମନେହୁଏ, ଆଧୁନିକ ଯୁଗର ଆଦ୍ୟ ପ୍ରହରରୁ ପାଠ୍ୟ ପୁସ୍ତକ ମାଧ୍ୟମରେ ଚରିତ ରଚନାର ଉନ୍ମେଷ ପର୍ବ ସାଧିତ ହୋଇଥିଲା । ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରୁ ଆରମ୍ଭକରି ବିଂଶ ଶତାବ୍ଦୀର ପର୍ବର୍ଦ୍ଧ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକର ଇତିହାସରେ ବହୁ ଜୀବନୀ ଗ୍ରନ୍ଥ ସ୍ୱୀକୃତ ସ୍ଥାନ ଅଧିକାର କରିଥିଲେ । ପାଠ୍ୟ ପୁସ୍ତକରେ ଜୀବନୀକୁ ଅନ୍ତର୍ଭୁକ୍ତ କରିବା ପାଇଁ ସରକାର ମଧ୍ୟ ଅନୁକୂଳ ନୀତି ନିର୍ଦ୍ଧାରଣ କରିଥିଲେ । ନିମ୍ନ ପ୍ରାଥମିକ ସ୍କୁଲର ଶିକ୍ଷାକ୍ରମରେ ଯାହା ପାଠ୍ୟ ପୁସ୍ତକ ରୂପେ ନିର୍ବାଚିତ ହେବ ସେଥିରେ ମନୋହର ଗଳ୍ପ, ଜୀବନ ଚରିତ ଓ ଐତିହାସିକ କାହାଣୀ ରହିବ ବୋଲି ସ୍ଥିର ହୋଇଥିଲା । * ତଦନୁଯାୟୀ ପୁସ୍ତକ ମଧ୍ୟ ଲେଖକମାନେ ପ୍ରଣୟନ କରୁଥିଲେ ।

 

ସେ କାଳର ଅନ୍ୟତମ ପାଠ୍ୟପୁସ୍ତକ ଲେଖକ ସୀତାନାଥ ରାୟଙ୍କର ତୃତୀୟ ପାଠରେ ପ୍ରତାପ ସିଂ, ମହାତ୍ମା ୱାସିଂଟନ, ମହାତ୍ମା ପିଟର୍‌ ପ୍ରଭୃତି ଜୀବନୀ, ମୃତ୍ୟୁଞ୍ଜୟ ରଥଙ୍କର ପ୍ରବନ୍ଧ ପାଠ (୧୯୦୭) ରେ ପ୍ରତାପ ସିଂ, ଉଇଲିୟମ, ହଣ୍ଟର, ସାର ଉଇଲିୟମ ଜୋନ୍‌ସ, ରାଣୀ ଅହଲ୍ୟାବାଈ, ଶଙ୍କରାଚାର୍ଯ୍ୟ ଏବଂ ନାରୀ ଦର୍ପଣ (୧୯୧୭)ରେ ସାବିତ୍ରୀ, ସୀତା, ପାନ୍ନା, ମହାରାଣୀ ସ୍ୱର୍ଣ୍ଣମୟୀ, ସୁଲକ୍ଷଣା, ମାଧବୀ ଦାସୀ, ଇତ୍ୟାଦିଙ୍କ ଚରିତ ପ୍ରକାଶ ପାଇଥିଲା । ମଧୁସୂଦନ ରାଓଙ୍କ ଦ୍ୱାରା ସଂକଳିତ ପାଠ୍ୟପୁସ୍ତକ ‘ସାହିତ୍ୟ’ ପ୍ରସଙ୍ଗ’ରେ ବୁଦ୍ଧଦେବ, କୃଷ୍ଣମୋହନ ବନ୍ଦୋପାଧ୍ୟାୟ, ରାଣୀ ଦୁର୍ଗାବତୀ, ସାର୍‌ ଆଇଜାକ୍‌ ନିଉଟନ, ଫ୍ଳରେନ୍‌ସ ନାଇଟଙ୍ଗେଲ; ମହାପୁରୁଷ ମହମ୍ମଦ, ବାବର, ଅଶୋକ, କୁମାରୀ ତରୁଦତ୍ତ, ସାମନ୍ତ ଚନ୍ଦ୍ରଶେଖର ସିଂ ଆଦିଙ୍କର ସଂକ୍ଷିପ୍ତ ଜୀବନ ଚରିତ ଗ୍ରଥିତ ହୋଇଥିଲା । ଚନ୍ଦ୍ର ମୋହନ ମହାରଣାଙ୍କର କଥାବଳୀ (୧୯୨୩) ରେ ସମ୍ରାଟ ହୁମାୟୁନ୍‌ ଓ ଭିସ୍ତିର କଥା, ରାଜା ଆଲ୍‌ଫେଡ଼ ଉପାଖ୍ୟାନ, ଜର୍ଜ ୱାସିଂଟନ, ରାଜା କେନୁୟୁଟ ଓ ଚାଟୁକାର ପାରିଷଦମାନଙ୍କ କଥା ଲିଖିତ ହୋଇଥିଲା । ବାସୁଦେବ ମହାପାତ୍ରଙ୍କ ପ୍ରବନ୍ଧ ପ୍ରବେଶ (୧୯୨୩-୨ୟସଂ) ରେ ଚନ୍ଦ୍ର ଶେଖର, ଆକବର, ଆଉରଙ୍ଗ ଜେବ ଓ ପ୍ୟାରୀମୋହନ ଆଦିଙ୍କର ଜୀବନ କାହାଣୀ ସ୍ଥାନ ପାଇଥିଲା । ସେହିପରି ଗୋଦାବରୀଶ ମିଶ୍ରଙ୍କର ‘ରଚନା ବୋଧ’ (୧ମ ଭାଗ/୨ୟ ସଂ-୧୯୨୯) ରେ ନେପୋଲିୟନ୍‌, ଚୈତନ୍ୟ, ପ୍ରତାପରୁଦ୍ର ଦେବ, ରାଜା ରାମମୋହନ ରାୟ ଏବଂ ରଚନା ବୋଧ (୨ୟ ଭାଗ ୧୯୨୬) ରେ ଶଙ୍କରାଚାର୍ଯ୍ୟ, ଚନ୍ଦ୍ରଶେଖର, ମୁକୁନ୍ଦଦେବ, ଆଉରଙ୍ଗ ଜେବ ପ୍ରଭୃତିଙ୍କର ଚରିତ ସଂକଳିତ ହୋଇଥିଲା । କୁଳମଣି ମିଶ୍ରଙ୍କ ‘ପ୍ରବନ୍ଧ ପ୍ରସୂନ’ (୧୯୨୭)ରେ ଶଙ୍କରାଚାର୍ଯ୍ୟ, ସ୍ୱାମୀ ରାମାନୁଜ, ଜୟଦେବ, ଦୁର୍ଗାବତୀ, କାଳିଦାସ, ମୀରାବାଈଙ୍କର ଜୀବନାଲେଖ୍ୟ ଲିପିବଦ୍ଧ ହୋଇଥିଲା । ଭୀମରାଉତଙ୍କର ‘ସରଳ ପାଠ’ ପାଠ୍ୟ ପୁସ୍ତକରେ ମଧୁସୂଦନ, ଫକୀରମୋହନ ଓ ନିଉଟନ ପ୍ରଭୃତି ସ୍ମରଣୀୟ ବ୍ୟକ୍ତିଙ୍କର ଜୀବନୀ ସନ୍ନିବେଶିତ ହୋଇଥିଲା । ମାତ୍ର ଏଥିରେ କିଛି ତଥ୍ୟଗତ ପ୍ରମାଦ ରହିଯାଇ ଥିବାରୁ ସେତେବେଳେ ଉତ୍କଳ ସାହିତ୍ୟ ପତ୍ରିକାରେ ଚରିତ ଲେଖାର ତ୍ରୁଟିପୂର୍ଣ୍ଣ ଦିଗପ୍ରତି ସମାଲୋଚନା ପ୍ରକାଶ ପାଇଥିଲା । ଉଲ୍ଲିଖିତ ବ୍ୟକ୍ତିଙ୍କର ଜୀବନୀ ରଚନା ସମୟରେ ଚରିତ ନାୟକମାନଙ୍କର ଜନ୍ମ, ମୃତ୍ୟୁ ସମୟ ଏବଂ ବ୍ୟକ୍ତିତ୍ୱର ସ୍ମରଣୀୟ ଘଟଣାବଳୀ ପ୍ରତି ବିଶେଷ ଧ୍ୟାନ ଦେଇ ନ ଥିଲେ । ଏହା ଚରିତ ରଚନାର ଏକ ତ୍ରୁଟି ବୋଲାଯାଇପାରେ । ଏପରି ବିଚାର ସଚେତନତା ବିଂଶ

 

* ପାଠ୍ୟ ପୁସ୍ତକ ସମାଲୋଚନା-ଉତ୍କଳ ସାହିତ୍ୟ-୩୪ ଭାଗ/୧୧ ସଂଖ୍ୟା-୧୩୩୮ ଫାଲଗୁନ-ପୃ ୪୮୪-୯୬

 

ଆଧୁନିକ ଓଡିଆ ଚରିତ – ସାହିତ୍ୟ ରଚନାର ପ୍ରସ୍ତୁତି

 

ଶତାବ୍ଦୀର ତୃତୀୟ ଦଶକ ବେଳକୁ ପାଠକ ଓ ସମାଲୋଚକଙ୍କ ମନରେ ଚେଇଁ ଉଠିଥିଲା-। ଚରିତ-ସାହିତ୍ୟ ରଚନାର ବିଭିନ୍ନ ଦିଗପ୍ରତି ଲେଖକ ଦିଗପ୍ରତି ଲେଖକ କିମ୍ବା ପାଠକମାନଙ୍କର ଆଗ୍ରହ ବଢ଼ୁ ନ ଥିଲେ ଏପରି ପ୍ରତିକ୍ରିୟା ପ୍ରକାଶ ପାଇଥାନ୍ତ କି ?

 

ଅତଏବ ଉପର୍ଯ୍ୟୁକ୍ତ ଆଲୋଚନାରୁ ପ୍ରତୀତ ହୁଏ ଯେ ଦେଶରେ ମୁଦ୍ରାଯନ୍ତ୍ରର ପ୍ରତିଷ୍ଠ ଏବଂ ଆଧୁନିକ ଶିକ୍ଷାର ଚାହିଦା ପୂରଣ ପାଇଁ ପାଠ୍ୟ ପୁସ୍ତକର କ୍ରମ-ପ୍ରସାର ହେତୁ ଚରିତ-ସାହିତ୍ୟ ସୃଷ୍ଟିର କ୍ଷେତ୍ର ସଚେତନ ଭାବେ ପ୍ରସ୍ତୁତ ହୋଇଥିଲା । ଓଡ଼ିଶାରେ ପ୍ରଥମ ଛାପାଖାନା (୧୮୩୫) ପ୍ରତିଷ୍ଠିତ ହେବା ପୂର୍ବରୁ ଶ୍ରୀରାମପୁର ମିଶନାରୀ ପ୍ରେସରୁ ବାଇବେଲ ପ୍ରଭୃତି କେତେକ ଓଡ଼ିଆ ପୁସ୍ତକ ଖ୍ରୀଷ୍ଟିୟାନ ମିଶନାରୀମାନଙ୍କ ଦ୍ୱାରା ଲିଖିତ ବା ଅନୂଦିତ ହୋଇ ପ୍ରକାଶିତ ହୋଇଥିଲା । ଏହି ଅବସରରେ ସେମାନେ ଖ୍ରୀଷ୍ଟିୟାନ ଧର୍ମାତ୍ମାନଙ୍କ ଦୁଇଟି ଜୀବନୀ ପୁସ୍ତିକା ଖ୍ରୀ: ୧୮୧୧ରେ ଶ୍ରୀରାମପୁରରୁ ପ୍ରକାଶ କରିଥିଲେ ବୋଲ ଡ଼ଃ ବଂଶୀଧର ମହାନ୍ତିଙ୍କ ଉଲ୍ଲେଖରୁ ଜଣାଯାଏ । * ଏତଦ୍‌ ଭିନ୍ନ କେତେକ ଉତ୍କଳୀୟ ମିଶନାରୀ ଲେଖକ ପ୍ରଚାର ପୁସ୍ତିକାରୂପେ କିଛି ଜୀବନୀ ଗ୍ରନ୍ଥ ରଚନା କରିଥିଲେ । ପ୍ରଫୁଲ୍ଲ କୁମାର ପାତ୍ରଙ୍କର ଓଡ଼ିଶାର କେତେକ ମିଶନାରୀ କର୍ମବୀର (୧୯୪୩), ‘ମହାରାଷ୍ଟ୍ରର ଖ୍ରୀଷ୍ଟିୟାନ କବି ବାବୁ ନାରାୟଣ’, ଭାମନ ତିଳକ (୧୯୫୮), ଦୀନବନ୍ଧୁ କାଗାଓଆ (୧୯୩୭), ‘ମହାତ୍ମା ଫ୍ରାନସିସ, (ଅନୁବାଦ-୧୯୬୦) ପ୍ରଭୃତି ଗ୍ରନ୍ଥ ରଚିତ ହୋଇଥିଲା-। ଏଥିପୂର୍ବରୁ ‘ଯୀଶୁ ଅଦ୍ୱିତୀୟ କ୍ରାଣକର୍ତ୍ତା’ ନାମକ ଏକ ସନ୍ଥ-ଚରିତ ଓଡ଼ିଶା ମିସନ ପ୍ରେସରୁ ଛାପାଯାଇ (୧୯୫୦) ସାଧାରଣରେ ବିତରିତ ହୋଇଥିଲା । ବସ୍ତୁତଃ କ୍ଷୁଦ୍ର ଜୀବନୀ-ପ୍ରବନ୍ଧ ରଚନା ଉଦ୍ୟମରୁ ଆଧୁନିକ କାଳରେ କ୍ରମେ କ୍ରମେ ପୂର୍ଣ୍ଣାଙ୍ଗ ଜୀବନ-ଚରିତ ରଚନାର ପଦକ୍ଷେପ ଲେଖକଗଣ ଗ୍ରହଣ କରିଥିଲେ ଏବଂ ବିଂଶ ଶତାବ୍ଦୀର ପ୍ରଶସ୍ତ ପ୍ରହରରେ ବହୁ ସ୍ୱୟଂସଂପୂର୍ଣ୍ଣ ଜୀବନୀ ଗ୍ରନ୍ଥ ଲିଖିତ ହୋଇ ଲୋକଲୋଚନକୁ ଆସି ପାରିଥିଲା । କାଳକ୍ରମେ ଏହାର ଲୋକପ୍ରିୟତା ବଢିଛି ସିନା କମିନାହିଁ । ଅଦ୍ୟାବଧି ପାଠ୍ୟ ପୁସ୍ତକ ମଧ୍ୟରେ ଜୀବନଚରିତ ସ୍ଥାନ ଘେନୁଛି ।

* ଡଃ ବଂଶୀଧର ମହାନ୍ତି-ସାହିତ୍ୟ ଓ ସଂସ୍କୃତ--୧୯୫୫ ପୃ ୧୦୭

 

୨. ପତ୍ର ପତ୍ରିକା

ପାଠ୍ୟପୁସ୍ତକ ତୁଲ୍ୟ ପତ୍ରପତ୍ରିକା ମଧ୍ୟ ଚରିତ-ସାହିତ୍ୟର ବିକାଶ ନିମନ୍ତେ ଯଥେଷ୍ଟ ସାହାଯ୍ୟ କରିଥିଲେ । ଊନବିଂଶ ଶତାବ୍ଦୀରୁ ହିଁ ପତ୍ରିକାର ସଂପାଦକମାନେ ଏ ଦିଗରେ ବିଶେଷ ସଚେତନ ହୋଇ ଉଠିଥିଲେ । ପତ୍ରିକାମାନଙ୍କରେ ସାଧୁ, ସନ୍ଥ ଆଦି ମହାପୁରୁଷମାନଙ୍କର ମହତ୍ତ୍ୱ ଦର୍ଶାଇ ପ୍ରବନ୍ଧମାନ ପ୍ରକାଶିତ ହେଉଥିଲା ଏବଂ ଅଧିକ ପରିମାଣରେ ଏପରି ଜୀବନୀ - ପ୍ରବନ୍ଧ ରଚନା ପାଇଁ ସଂପାଦକଗଣ ଲେଖକମାନଙ୍କୁ ଆହ୍ୱାନ କରୁଥିଲେ । ଜୀବନୀ ରଚନାକୁ ନିଜ ପତ୍ରିକାରେ ପ୍ରକାଶ କରିବାପାଇଁ ମଧ୍ୟ ପ୍ରତିଶ୍ରୁତି ଦେଉଥିଲେ । ଉଦାହରଣ ସ୍ୱରୂପ ଏଠାରେ ଉତ୍କଳ ସାହିତ୍ୟ ପତ୍ରିକାର ସଂପାଦକ, ଲେଖକ ଓ ପାଠକମାନଙ୍କ ଉଦ୍ଦେଶ୍ୟରେ ପ୍ରଚାର କରିଥିବା ଏକ ନିବେଦନକୁ ଏଠାରେ ଉଦ୍ଧାର କରାଯାଇ ପାରେ । ବିଶ୍ୱନାଥ କର ଉତ୍କଳ ସାହିତ୍ୟ ପତ୍ରରେ ଲେଖିଥିଲେ, ‘‘ପ୍ରସଙ୍ଗ କ୍ରମେ ଓଡ଼ିଆ-ସାହିତ୍ୟ ସେବକମାନଙ୍କୁ ଗୋଟିଏ ନିବେଦନ କରୁଅଛୁଁ । ପୁଣ୍ୟଭୂମି ଉତ୍କଳ ଖଣ୍ଡରେ ଏ ପ୍ରକାର ଅନେକ ସାଧୁ ଭକ୍ତ ଜନ୍ମ ଗ୍ରହଣ କରି ଦେହରେ ପାତ କରିଯାଇଅଛନ୍ତି । ସେମାନଙ୍କର ମହଜ୍ଜୀବନ କ୍ଷୀଣ ଆଲୋକ ରେଖା ଆଜି ସୁଦ୍ଧା ଆମ୍ଭମାନଙ୍କ ଅନ୍ଧକାରାଚ୍ଛନ୍ନ ହୃଦୟାକାଶରେ ପ୍ରତିଭାତ ହୋଇ ଆମ୍ଭମାନଙ୍କ ପ୍ରାଣରେ ବଳ ବିଧାନ କରୁଅଛି । ଏ ପର୍ଯ୍ୟନ୍ତ ଓଡ଼ିଶା ଇତିହାସରେ ସେମାନଙ୍କ ପୂର୍ଣ୍ଣଛବି ଅଙ୍କିତ ହୋଇ ନ ଥିବାରୁ କାଳକ୍ରମେ ସମାନଙ୍କର ନାମ ଲୋପ ପାଇବାର ଅସମ୍ଭବ ନୁହେଁ । କେହି ସାହିତ୍ୟ ସେବକ ସେମାନଙ୍କ ସମ୍ବନ୍ଧରେ ନାନା କିମ୍ବଦନ୍ତୀ ସଂଗ୍ରହ କରି ଏହି ପ୍ରକାର ସଂକ୍ଷିପ୍ତ ପ୍ରଣାଳୀରେ ଜୀବନ-ଚରିତ ଲେଖି ‘‘ଉତ୍କଳ ସାହିତ୍ୟ’’ରେ ପ୍ରକାଶାର୍ଥେ ପ୍ରେରଣ କଲେ ଆମ୍ଭେମାନେ ସାଦରେ ତାହା ପ୍ରକାଶ କରିବୁ । * ଏହି ଆବେଦନରୁ ଜଣାଯାଏ, ସଂପାଦକମାନେ ପତ୍ରିକାର କିଛି ପୃଷ୍ଠା ସାଧୁମାନଙ୍କର ଜୀବନୀ ପ୍ରକାଶ ପାଇଁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥିଲେ ।

* ଉତ୍କଳ ସାହିତ୍ୟ-୨ୟ ଖଣ୍ଡ-୨ୟ ସଂଖ୍ୟା-ଫାଲଗୁନ ୧୩୦୫ ପୃ-୪୫

 

ଓଡ଼ିଆ ଭାଷାରେ ଲେଖା ହୋଇଥିବା ସମସ୍ତ ପୁସ୍ତକର ଗୋଟିଏ ତାଲିକା ପ୍ରସ୍ତୁତି କରି ପୁସ୍ତକର ବିଷୟବସ୍ତୁ ଓ ଲେଖକଙ୍କର ଜୀବନ-ବୃତ୍ତାନ୍ତ ତହିଁରେ ସନ୍ନିବେଶିତ କରିବାପାଇଁ ଏକ ସିଦ୍ଧାନ୍ତ ‘ଉତ୍କଳଭାଷୋଦ୍ଦିପିନୀ’ସଭା (୨୮।୭।୧୮୬୭)ରେ ଗ୍ରହଣ କରାଯାଇଥିଲା ଏବଂ ଏହାକୁ ‘ଉତ୍କଳ ଦୀପିକା’ ୨ୟ ଭାଗ, ୩୨ ସଂଖ୍ୟା (୧୦।୬।୧୮୬୭)ରେ ପ୍ରକାଶ କରାଯାଇଥିଲା । ପତ୍ରିକାର ସମ୍ପାଦକମାନେ ସାଧୁ ସନ୍ଥମାନଙ୍କର ଚରିତ ସହିତ ସାହିତ୍ୟକମାନଙ୍କର ଜୀବନୀ ରଚନା ପାଇଁ ୧୮୬୭ ମସିହାରୁ ଯେ ସଚେତନ ହୋଇଥିଲେ ତାହା ଏଥିରୁ ସହଜରେ ଅନୁମାନ କରାଯାଇ ପାରେ ମାତ୍ର ଏହି ଯୋଜନା ବହୁବର୍ଷ ପର୍ଯ୍ୟନ୍ତ ବିଶେଷ କାର୍ଯ୍ୟକାରୀ ହୋଇଥିବା ମନେ ହୁଏନାହିଁ । ତା’ ହୋଇଥିଲେ ଉତ୍କଳ-ମଧୁପର ସମ୍ପାଦକ ୧୯୨୪ ମସିହାରେ କାହିଁକି ଅନୁଭବ କରିଥା’ନ୍ତେ ଯେ ‘କବିମାନଙ୍କର ରଚନାମାନ ଗ୍ରନ୍ଥାବଳୀ ଆକାରରେ ଜୀବନୀ ସହିତ ପ୍ରକାଶ କରି ଦେଶ-ବିଦେଶର ଲୋକମାନଙ୍କୁ ଆପଣା ଜାତିର ପ୍ରାଚୀନ ସଂପଦ ଦେଖାଇବା ଚେଷ୍ଟା କାହାରି ହୃଦୟକୁ ସ୍ପର୍ଶ କରିବାର ଜଣା ଯାଉନାହିଁ । X ପୁନଶ୍ଚ ‘ଉତ୍କଳ ସାହିତ୍ୟ’ ପତ୍ରିକାର ସମ୍ପାଦକଙ୍କ ବିବରଣୀରୁ ଜଣାଯାଏ ଯେ ସେକାଳରେ ପ୍ରକାଶ ପାଇଥିବା ‘ବିଶ୍ୱଜୀବନ’ର ସମ୍ପାଦକ ମହାଶୟ, ସରଳ, ସୁଲଳିତ ଭାଷାରେ ଏବଂ ସଂକ୍ଷେପରେ ଲିଖିତ ପୁଣ୍ୟ ଚରିତାବଳୀ ତାଙ୍କ ପତ୍ରିକାରେ ପ୍ରକାଶ କରୁଥିଲେ । ରଚନାଗୁଡ଼ିକ ସୁନ୍ଦର, ସୁଖପାଠ୍ୟ ଶିକ୍ଷାପ୍ରଦ ହୋଇଥିବାରୁ ଉତ୍କଳ ସାହିତ୍ୟର ସମ୍ପାଦକ ଏହି ପତ୍ରିକାର ଗ୍ରାହକ ହେବାପାଇଁ ଛାତ୍ର ସମାଜକୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଏହାର ଦୀର୍ଘ ଜୀବନ କାମନା କରିଛନ୍ତି । * ମାତ୍ର ଏପରି କାମନା ଅନ୍ଧକାରାଚ୍ଛନ୍ନ ଓଡିଶାରେ ଚରିତାର୍ଥ ହୋଇ ପାରିଲା ନାହିଁ । ବିଶ୍ବଜୀବନ କାହିଁ କୁଆଡ଼େ ହଜିଗଲା । ଉତ୍ତର ଦାୟାଦଙ୍କ ପାଇଁ ତାହା ଆଜି ଅଲଭ୍ୟ

X ପ୍ରାଚୀନ କବିଙ୍କ ସମ୍ବନ୍ଧରେ ବର୍ତ୍ତବ୍ୟ-ଉତ୍କଳ ମଧୁପ-ଅଗଷ୍ଟ-ସେପ୍ଟେମ୍ବର-୧୯୨୪।୫।୬ ସଖ୍ୟା-ପୃ-୫୭

* ଉତ୍କଳ ସାହିତ୍ୟ-୨ୟ ଖଣ୍ଡ୨ୟ ସଂଖ୍ୟା-ଫାଲଗୁନ-୧୩୦୫ ସାଲ-ପୃ-୪୫

 

ପୁଣ୍ୟ ରଚିତ ଲେଖି କିମ୍ବା ଲେଖାଇ ତାହାକୁ ପ୍ରକାଶ କରିବା ଯେ ଏକ ଜାତୀୟ ଆବଶ୍ୟକତା ଏଥିପାଇଁ ଉତ୍ସାହ ସୃଷ୍ଟି କରିବାକୁ ‘ଝଙ୍କାର’ ପତ୍ରିକାର ସମ୍ପାଦକ ଡକ୍ଟର ହରେକୃଷ୍ଣ ମହତାବ ଚଳିତ ଶତାବ୍ଦୀରେ ମଧ୍ୟ ଉଦ୍ୟମ କରିଥିବା ତାଙ୍କର ଏକ ସମ୍ପଦକୀୟ ଉଲ୍ଲେଖରୁ ଜଣାଯାଏ । ତାଙ୍କର ମତ ଯେ ‘‘କାବ୍ୟ, କବିତା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ପରି ଉକ୍ତ ଜୀବନୀ ମଧ୍ୟ ସାହିତ୍ୟର ଏକ ବିଶାଳ ଅଙ୍ଗ ଓ ଏହା ଭକ୍ତି ଭାବରେ ଉଦ୍‌ବୁଦ୍ଧ ବ୍ୟକ୍ତିଙ୍କ ପାଇଁ ନିତାନ୍ତ ପ୍ରୟୋଜନ ।’’ X

X ଡଃ ହରେକୃଷ୍ଣ ମହତାବ-ଭକ୍ତଙ୍କ ଜୀବନୀ-ସମ୍ପାାଦକୀୟ, ଝଙ୍କାର - ୨୫ଶ ବର୍ଷ-୧୧ଶ ସଂଖ୍ୟା-ପୃ ୧୦୭୮

 

ମହାତ୍ମାମାନଙ୍କର ଗୁଣ କୀର୍ତ୍ତନ କେବଳ ମାନବ ସମାଜ ପ୍ରତି ଯେ ଏକ ହିତକର ଅନୁଷ୍ଠାନ ତା’ ନୁହେଁ, ଅନ୍ୟ ପକ୍ଷରେ ଏହା ଭକ୍ତ ମହାତ୍ମାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ମଧ୍ୟ କରିଥାଏ । f ଏଣୁକରି ସମ୍ପାଦକମାନେ ବିଭିନ୍ନ ସମୟରେ ମହତ୍ତ୍ୱର ସମାଦର କରି ଓ ସେମାନଙ୍କର ଆଦର୍ଶ ଅନୁସରଣ କରି ମହତ୍‌ ହେବାପାଇଁ ଆହ୍ୱାନ ଦେଇଛନ୍ତି । +

 

f ଶ୍ରୀଜଗନ୍ନାଥ ତ୍ରିପାଠୀ-ସ୍ୱର୍ଗୀୟ କବିବର ରାଧାନାଥ ଉତ୍କଳ ସାହିତ୍ୟ-୧୨ଶ ଭାଗ ୧୦ମ ସଂଖ୍ୟା-୧୩୧୫/୧୬

+ ବିବିଧ ପ୍ରସଙ୍ଗ ଉତ୍କଳ ସାହିତ୍ୟ=୨ୟ ଖ-୬ ସଂ-ପୃ-୧୪୩-୪୪

/ ସ୍ମରଣାର୍ଥ ସଭା - ଉ.ସା- ୨ୟ ଖ - ୨ୟ ସ -୧୩୦୫ ସାଲ,୧୮୯୮-୯୯-ପୃ ୪୬

/ଚନ୍ଦ୍ରଶେଖର ନନ୍ଦ –ଚରିତ୍ର ଚିନ୍ତନ- ଉ.ସା- ୧୦ମ ଭାଗ, ୫ମ ସଂଖ୍ୟା-୧୩୧୪ -ପୃ-୧୪୨

/ କୃଷ୍ଣ ପ୍ରସାଦ ଚୌଧୁରୀ-ସ୍ୱାବଲମ୍ବନ-ଉତ୍କଳ ସାହିତ୍ୟ, ୧୦ ଭାଗ-୫ମ ସଂଖ୍ୟା-୧୩୧୪-ପୃ ୧୨୪

 

ପତ୍ରିକା ମାଧ୍ୟମରେ ଜୀବନୀ ରଚନାର ଅଭିବୃଦ୍ଧି ସାଧନ ପାଇଁ ସମ୍ପାଦକ ଓ ଲେଖକମାନେ ଯେଉଁ ସଯତ୍ନ ପ୍ରୟାସ କରିଥିଲେ, ତାହାର ସ୍ୱର୍ଣ୍ଣଫଳ ତତ୍‌କାଳୀନ ପତ୍ରପତ୍ରିକା ଜରିଆରେ ମିଳିଥିବାର ଏଥିରୁ ପରିଲକ୍ଷିତ ହୁଏ । ଏ ପ୍ରକାର ଆହ୍ୱାନକୁ ଯେ ବିଭିନ୍ନ ସାହିତ୍ୟକ ଓ ଜୀବନୀକାର ପୂର୍ଣ୍ଣପ୍ରାଣରେ ସମର୍ଥନ କରୁଥିଲେ ଏଥିରେ କୌଣସି ସନ୍ଦେହ ନାହିଁ । କାରଣ ବହୁ ଲୋକଙ୍କର ଜୀବନୀ ଓ ସ୍ମୃତି ଚିତ୍ର ପତ୍ରିକାରେ ପ୍ରକାଶିତ ହେଉଥିବା ନିଦର୍ଶନ ମିଳେ ।

 

ସାଧୁଚରଣ ରାୟଙ୍କର ମୃତ୍ୟୁ (ଖ୍ରୀ:୧୯୦୦ ଜୁନ ୨୯) ପରେ ପରଲୋକଗତ ସାଧୁଚରଣ ଏବଂ ଜଗମ୍ମୋହନ ରାୟଙ୍କ ମୃତ୍ୟୁପରେ ‘ପରଲୋକଗତ ଶ୍ରୀ ଜଗମ୍ମୋହନ ରାୟ’ ଶିରୋନାମାରେ ଜୀବନୀ-ପ୍ରବନ୍ଧ ଉତ୍କଳ ସାହତ୍ୟରେ ପ୍ରକାଶ ପାଇଥିଲା । * ପରଲୋକଗତ ସାଧୁଚରଣ’ ପ୍ରବନ୍ଧଟି ସଂକ୍ଷିପ୍ତ ହେଲେ ମଧ୍ୟ ସେଥିରେ ତାଙ୍କ ଜୀବନର ବିଭିନ୍ନ ଘଟଣା ସାହିତ୍ୟକ ପ୍ରତିଭା ଓ ଈଶ୍ୱର ବିଶ୍ୱାସ ଆଦି ବିସ୍ତୃତ ଭାବରେ ଆଲୋଚନା କରା ଯାଇଥିଲା । ସେହିପରି ଜଗମ୍ମୋହନ ରାୟଙ୍କ ସଂପର୍କରେ ସଂକ୍ଷିପ୍ତ ଚର୍ଚ୍ଚା ମଧ୍ୟ ଶଂସିତ ପ୍ରବନ୍ଧଟିରେ କରାଯାଇଥିଲା ।

 

*ଉତ୍କଳ ସାହିତ୍ୟ-୨ୟ ଖଣ୍ଡ-୭ମ ସଂଖ୍ୟା-ପରଲୋକଗତ ସାଧୁଚରଣ/୨ୟ ଖଣ୍ଡ -୧୧ଶ ସଂଖ୍ୟା-ପରଲୋକଗତ ଶ୍ରୀ ଜଗମ୍ମୋହନ ରାୟ ।

 

କ୍ରମଶଃ ଜୀବନୀପାଠ ପ୍ରତି ପାଠକଙ୍କର ଶ୍ରଦ୍ଧାଜାତ ହେବାରୁ ଚରିତ-ଲେଖକମାନେ ରଚିତ-ନାୟକଙ୍କ ମୃତ୍ୟୁର ବହୁବର୍ଷ ମଧ୍ୟ ଜୀବନୀ-ରଚନା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ଏତାଦୃଶ ରଚନାବଳୀ ଏକାଧିକ ପତ୍ରପତ୍ରିକାରେ ହୋଇଥିବା ପ୍ରମାଣ ମିଳେ । ରାୟ ରାମାନନ୍ଦ, ରସିକାନନ୍ଦ, ଅଚ୍ୟୁତାନନ୍ଦ, ରାମମୋହନ ରାୟ ପ୍ରଭୃତି କେତେକ ବ୍ୟକ୍ତିଙ୍କର ତିରୋଧାନ ବହୁବର୍ଷ ପୂର୍ବରୁ ହୋଇଥିଲେହେଁ ତତ୍‌ସଂପର୍କୀୟ ଲେଖା ପରବର୍ତ୍ତୀକାଳରେ ବିଭିନ୍ନ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା । X

 

X ୧- ପାର୍ବତୀ ଚରଣ ଦାସ-ଶ୍ରୀ ରାୟ ମୋହନ ରାମାନନ୍ଦ-ମୁକୁର-୧୦ମ ବର୍ଷ-୧ମ ସଂଖ୍ୟା, ୧୩୨୨

୨-ପାର୍ବତୀ ଚରଣ ଦାସ-ପ୍ରଭୁ ଶ୍ରୀ ରସିକା ନନ୍ଦ ଦେବ-ମୁକୁର ୧୨ଶ ଭାଗ-୧ମ ସଂଖ୍ୟା-୧୩୨୪- ପୃ-୯

 

୩-ମୃତ୍ୟୁଞ୍ଜୟ ରଥ-ଅଚ୍ୟୁତାନନ୍ଦ ଦାସ-ଉତ୍କଳ ସାହିତ୍ୟ, ୧୩ଶ ଭାଗ-୭ମ ସଂଖ୍ୟା -୧୩୧୭-ପୃ ୧୭୩

୪- ରାଧାଚରଣ ପଣ୍ଡା-ଯୁଗ ପରିବର୍ତ୍ତକ ରାଜା ରାମମୋହନ ରାୟ, ସହକାର-୧୬ଶ ଭାଗ-୧ମ ସଂଖ୍ୟା-୧୩୪୨-ପୃ ୨୪

 

୫- ଆଧୁନିକ ଭାରତ ଓ ରାଜା ରାମମୋହନ-ସହକାର, ୯ମ କଳସ-୧ମ ଅଞ୍ଜଳି-୧୩୩୬-ପୃ ୧୬

୬-ଲକ୍ଷ୍ମୀନାରାୟଣ ସାହୁ-ସାମନ୍ତ ଚନ୍ଦ୍ର ଶେଖର-ସହକାର, ୭ମ ଭାଗ-୮ । ୯ ସଂଖ୍ୟା - ୧୩୩୪-ପୃ ୨୪୪

୭- ଆନନ୍ଦ ବେହେରା--ଭକ୍ତକବି ଜଗନ୍ନାଥ ଦାସଙ୍କର ଜୀବନୀ, ମୁକୁର-୧୩ ଭାଗ-୨ୟ-୩ୟ ସଂଖ୍ୟା-୧୩୨୪

 

ଆଧୁନିକ ଓଡିଆ ଚରିତ – ସାହିତ୍ୟ ରଚନାର ପ୍ରସ୍ତୁତି

 

ପତ୍ରିକାର ସମ୍ପାଦକମାନଙ୍କର ଆହ୍ୱାନ ଓ ପ୍ରେରଣାନୁସାରେ ବହୁ ଲେଖକ ଜୀବନୀ ରଚନାରେ ପ୍ରବୃତ୍ତ ହୋଇ ସ୍ମରଣୀୟ ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତିଙ୍କର ମୃତ୍ୟୁପରେ ସେମାନଙ୍କ ସଂପର୍କରେ ସ୍ମୃତିଚିତ୍ର ଓ ସଂକ୍ଷିପ୍ତ ଜୀବନୀ ଲେଖି ପତ୍ରିକାମାନଙ୍କରେ ପ୍ରକାଶ ପାଇଁ ପଠାଉଥିଲେ ତାହା ଖୁବ୍‌ ଶୀଘ୍ର ମଧ୍ୟ ପ୍ରକାଶ ପାଉଥିଲା । ଏପରିକି ଜଣେ ବ୍ୟକ୍ତିଙ୍କୁ କେନ୍ଦ୍ର କରି ଏକ ସମୟରେ ଏକାଧିକ ପତ୍ରିକାରେ ଲେଖାମାନ ପ୍ରକାଶିତ ହେଉଥିଲା ।

 

ମଧୁସୂଦନଙ୍କ ତିରୋଧାନ ପରେ ତାଙ୍କ ସଂପର୍କୀୟ ବହୁ ଜୀବନୀ ଲେଖା ଏକ ସମୟରେ ପ୍ରକାଶିତ ହୋଇଥିଲା । x କୌଣସି ବ୍ୟକ୍ତିର ସ୍ମୃତିରକ୍ଷା ଉଦ୍ଧେଶ୍ୟରେ ଅନେକ କବିତା ମଧ୍ୟ ପତ୍ରିକାରେମାଧ୍ୟମରେ ପ୍ରକାଶିତ ହେଉଥିଲା । ଲକ୍ଷ୍ୟ କଲେ ଜଣାଯାଏ ଜୀବନୀ ପ୍ରବନ୍ଧ ଅପେକ୍ଷା ସଂକ୍ଷିପ୍ତ ଜୀବନୀ ବା ସ୍ମୃତିଚିତ୍ର କବିତା ଆକାରରେ ଲେଖି ପ୍ରକାଶ କରିବା ପାଇଁ ଲେଖକ ତଥା ସଂପାଦକମାନେ ଅଧିକ ତତ୍ପର ହୋଇ ପଡ଼ିଥିଲେ । ଜଣେ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଓ ଗୋଟିଏ ଗୋଟିଏ ପତ୍ରିକାରେ ପ୍ରଚୁର କବିତା ପ୍ରକାଶିତ ହେଉଥିଲା । ମଧୁସୂଦନ ଓ ରାଧାନାଥଙ୍କ ବିୟୋଗ ପରେ ଏହିପରି ବହୁ କବିତା ପତ୍ରିକାମାନଙ୍କରେ ପ୍ରକାଶ ପାଇଛି । * ସେହିପରି ଗୋପବନ୍ଧୁଙ୍କ ବିୟୋଗ ପରେ ସ୍ମୃତି ଓ ଜୀବନ ଚିତ୍ର ସଂବଳିତ ବହୁ ଲେଖା ପତ୍ରପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିଲା । ଏକଦା ସହକାରର ସଂପାଦିକା ନାରୀକବି ଅନ୍ନପୂର୍ଣ୍ଣା ଦେବୀ ଗୋପବନ୍ଧୁଙ୍କ ସ୍ମୃତିରକ୍ଷା ଉଦ୍ଦଶ୍ୟରେ କହିଥିଲେ, ‘‘ଦରିଦ୍ରବନ୍ଧୁ ଗୋପବନ୍ଧୁଙ୍କ ଉପଯୁକ୍ତ ସ୍ମୃତି ରକ୍ଷାପାଇଁ ଆମ୍ଭେମାନେ ଗତ ମାସରେ ସାମାନ୍ୟ ଇଙ୍ଗିତ ପ୍ରଦାନ କରିଥିଲୁ । ଏଇ ମାସକ ମଧ୍ୟରେ ଉତ୍କଳର ବିଭିନ୍ନ ପତ୍ର ପତ୍ରିକାମାନଙ୍କରେ ସେ ବିଷୟ ନେଇ ଅନେକ ଲେଖାଲେଖି ହୋଇଗଲାଣି । +

 

x ସହକାର-୧୪ ଭାଗ-୧୦ ସଂଖ୍ୟା-୧୩୪୧-ପୃ ୯୪୩-କର୍ମୀ ମଧୁସୂଧନ-ବ୍ରଜବିହାରୀ ମହାନ୍ତି/ପୃ ୯୦୯- ଉତ୍କଳ ଜନନେତା ମଧୁବାବୁଙ୍କ ଶେଷ ଚାରିଦିନ-ନବକିଶୋର ଦାସ/ପୃ ୯୦୬ ଉତ୍କଳ ମାର୍ତଣ୍ଡ ମଧୁସୂଦନ ବିଚ୍ଛନ୍ଦଚରଣ ପଟ୍ଟନାୟକ ।

 

* ଉତ୍କଳ ସାହିତ୍ୟ-୧୪ ଭାଗ-୧୦ ସଂଖ୍ୟା-୧୩୪୧-ପୃ ୯୪୨ ଆର୍ଯ୍ୟ ମଧୁସୂଦନ-ମାୟାଧର ମାନସିଂହ/ପୃ ୯୫୬-ଅଶ୍ରୁକଣା ଜଗନ୍ନାଥ ତ୍ରିପାଠୀ/ପୃ ୯୫୪-ଶୋକ ଗୀତିକା-ନିକୁଞ୍ଜକିଶୋର ଦାସ/୧୨ଶ ଭାଗ-୪ର୍ଥ ସଂଖ୍ୟା-୧୩୧୫-୧୬-ଅଶ୍ରୁକଣା-ପଦ୍ମଚରଣ ପଟ୍ଟନାୟକ/୧୨ଶ ଭାଗ ଦଶମ ସଂଖ୍ୟା-୧୩୧୫-୧୬-କବିଙ୍କର ସ୍ମୃତି-ପଦ୍ମଚରଣ ପଟ୍ଟନାୟକ/୧୩ଶ ଭାଗ-୧୦ମ ସଂଖ୍ୟା-୧୩୧୭ ରାଧାନାଥଙ୍କ ସମାଧି ପ୍ରତିଷ୍ଠା ଉତ୍ତାରେ କୃଷ୍ଣମୋହନ ପଟ୍ଟନାୟକ/୧୩ଶ ଭାଗ ୧୨ଶ ସଂଖ୍ୟା-୧୩୧୭-କବିବରଙ୍କ ସ୍ମୃତି-ପଦ୍ମଚରଣ ପଟ୍ଟନାୟକ ।

 

+ ସହକାର-୮ମ କଳସ-୧୦ ଅଞ୍ଜଳି-୧୩୩୫-ପୃ ୨୮୨ ।

 

ପୁନଶ୍ଚ ଉତ୍କଳର ବରପୁତ୍ରମାନଙ୍କ ଜୀବନ-ଚରିତକୁ କ୍ଷୁଦ୍ର କବିତାକାରରେ ଲିପିବଦ୍ଧ କରିବାପାଇଁ ମୁକୁରର ସମ୍ପାଦକ ବ୍ରଜସୁନ୍ଦର ଦାସ ବନ୍ଧୁମାନଙ୍କୁ ନିରନ୍ତର ପ୍ରବର୍ତ୍ତାଉ ଥିଲେ । ତାଙ୍କର ଅନୁରୋଧ ଓ ଉତ୍ସାହ ଦ୍ୱାରା ଅନୁପ୍ରେରିତ ହୋଇ କେତେକ କବି ମଧ୍ୟ ଜୀବନୀକବିତା ରଚନା କରିଥିଲେ । ମୁକୁରରେ ପ୍ରକାଶ ପାଇଥିବା ଗୋପବନ୍ଧୁଙ୍କର ‘ସରଳାଦାସ’, ବଳରାମ ଦାସ, ଉପେନ୍ଦ୍ରଭଞ୍ଜ, ‘ସାମନ୍ତ ଚନ୍ଦ୍ର ଶେଖର’ ପ୍ରଭୃତି କବିତା ବ୍ରଜସୁନ୍ଦରଙ୍କ ପ୍ରେରଣାରୁ ସୃଷ୍ଟ । ଏଥିରୁ ମନେହୁଏ, ଜୀବନୀ-ସାହିତ୍ୟର ପରିପୃଷ୍ଟ ଓ ବୀରପୂଜା ଲାଗି ପତ୍ରପତ୍ରିକାମାନେ ସେତେବେଳେ ସଚେତନ ପଦକ୍ଷେପ ଗ୍ରହଣ କରୁଥିଲେ ।

 

କେବଳ ସଂକ୍ଷିପ୍ତ ଜୀବନୀ-ପ୍ରବନ୍ଧ ବା କବିତା ପ୍ରକାଶ କରି ସମ୍ପାଦକମାନେ କ୍ଷାନ୍ତ ହୋଇ ନାହାନ୍ତି । ପୂର୍ଣ୍ଣାଙ୍ଗ ଜୀବନୀ ଗ୍ରନ୍ଥ ପ୍ରକାଶ କରିବାରେ ନିୟମିତ ଭାବରେ ପତ୍ରିକାର କିଛି କିଛି ପୃଷ୍ଠା ବ୍ୟୟକରି ଜୀବନୀ-ସାହିତ୍ୟ ପ୍ରତି ଥିବା ନିଜର ଉଦାର ମନୋଭାବର ପରିଚୟ ମଧ୍ୟ ଦେଇଛନ୍ତି । କେତେକ ପୂର୍ଣ୍ଣାଙ୍ଗ ସନ୍ଥ ଜୀବନୀ, ପତ୍ରିକାଗୁଡ଼ିକରେ କ୍ରମଶଃ ପ୍ରକାଶ ପାଇଛି; ଏପରିକି ପତ୍ରିକାର ଗୋଟିଏ ସଂଖ୍ୟାରେ ଦୁଇଟି ଦୀର୍ଘ ଜୀବନୀ ପ୍ରକାଶିତ ହୋଇ ଥିବାର ଦୃଷ୍ଟାନ୍ତ ମଧ୍ୟ ଅଲଭ୍ୟ ନୁହେଁ । *

 

* ୧-ମୁକୁର-୧୦ମ ବର୍ଷ ୧ମ ସଂଖ୍ୟା-୧୩୨୨-ଶ୍ରୀ ରାୟ ରାମାନନ୍ଦ-ପାର୍ବତୀ ଚରଣ ଦାସ ଶ୍ରୀ ଶ୍ରୀ ରାମକୃଷ୍ଣ ଚରିତାମୃତ-କୃଷ୍ଣଚନ୍ଦ୍ର ସେନଗୁପ୍ତ ।

 

୨-ଶ୍ରୀ ଶ୍ରୀ ରାଧାରମଣ ଦେବ ଚରିତ-୰ ମହାତ୍ମା ରାଧାକୃଷ୍ଣ ବସୁ ଏମ.ଏ. -ନବ ଭାରତ ୧୧ଶ ଓ ୧୨ଶ ସଂଖ୍ୟା-୩ୟ ବର୍ଷ-ପୃ-୮୦୨ ।

 

ଊନବିଂଶ ଶତାବ୍ଦୀର ପତ୍ର-ପତ୍ରିକାମାନଙ୍କରେ ପ୍ରକାଶ ପାଇଥିବା ଜୀବନୀଗୁଡ଼ିକ ପ୍ରାୟଶଃ ଥିଲା ସାଧୁ, ସନ୍ଥଙ୍କର ଚରିତାଶ୍ରିତ । କିନ୍ତୁ ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ ସାହିତ୍ୟିକ ଓ ଐତିହାସିକ ବ୍ୟକ୍ତିମାନଙ୍କର ଜୀବନୀ ବହୁଳ ଭାବରେ ପ୍ରକାଶ ପାଇଲା । ମୁଖ୍ୟତଃ ସେ କାଳରେ ସାହିତ୍ୟକମାନଙ୍କର ଜୀବନୀ ପ୍ରକାଶ କରିବାରେ ମୁକୁର ସକ୍ରିୟ ଅଂଶ ଗ୍ରହଣ କରିଥିବା ପରିଲକ୍ଷିତ ହୁଏ । X ଲେଖକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁକୁରର ସମ୍ପାଦକ କିଛି କିଛି ପାରିଶ୍ରମିକ ମଧ୍ୟ ଦେଉଥିଲେ । ଏହା ପୂର୍ବରୁ ଏ ପ୍ରକାର ପଦକ୍ଷେପ କେହି ଗ୍ରହଣ କରିଥିବା ଜଣାଯାଏ ନାହିଁ । ତେଣୁ ଜୀବନୀ ରଚନା ପାଇଁ ଏହା ମଧ୍ୟ ପରୋକ୍ଷରେ ଉତ୍ସାହ ଯୋଗାଉଥିଲା । ଏଥିରୁ ସ୍ପଷ୍ଟ ଅନୁଭୂତ ହୁଏ ଯେ ମୁକୁର ପତ୍ରିକା ପ୍ରାୟ ପ୍ରତ୍ୟେକ ବର୍ଷ କିଛି ନା କିଛି ଜୀବନ-ଚରିତ ପ୍ରକାଶ କରୁଥିଲେ ।

X ମୁକୁର-୩ୟ ଭାଗ-୧ମ ସଂଖ୍ୟା-ଫକୀର ମୋହନ-ଲେ-ନନ୍ଦକିଶୋର ବଳ ।

 

 

 

 

ଆଧୁନିକ ଓଡିଆ ଚରିତ – ସାହିତ୍ୟ ରଚନାର ପ୍ରସ୍ତୁତି

 

କ୍ରମଶଃ ଦେଶୀୟ ମହତ୍‌ ବ୍ୟକ୍ତିଙ୍କ ଜୀବନୀ ସହିତ ବୈଦେଶିକମାନଙ୍କର ଜୀବନଚରିତ ବା ସ୍ମୃତିଚିତ୍ର ମଧ୍ୟ ପତ୍ର-ପତ୍ରିକାରେ ପ୍ରକାଶିତ ହେବାକୁ ଲାଗିଲା । କେହି କେହି ଲେଖକ ବୈଦେଶିକମାନଙ୍କର ଜୀବନକୁ ଭିତ୍ତିକରି ସ୍ୱରଚିତ ବା ଅନୂଦିତ ଲେଖାମାନ ମଧ୍ୟ ପତ୍ରପତ୍ରିକାରେ ପ୍ରକାଶ କରୁଥିଲେ । * ଫଳରେ ପତ୍ରପତ୍ରିକା ଜରିଆରେ ବୈଦେଶିକମାନଙ୍କର ଚରିତଲିପି ସାହିତ୍ୟ-ରାଜ୍ୟରେ ପ୍ରବେଶ କରିବାର ପଥ ସୁଗମ ହେଲା ।

 

* ୧-ବର୍ଣ୍ଣାଡ଼ସଙ୍କ ଆତ୍ମକଥା-ଲେ-ଯୁଗବାର୍ତ୍ତା-ଅନୁବାଦକ-ଶ୍ରୀ ରାମଚନ୍ଦ୍ର ଦାସ-ସହକାର-୩ୟ ଭାଗ ୮ମ ସଂଖ୍ୟା-ମାର୍ଗଶିର ୧୩୩୦ ସାଲ ।

୨-କବି ୟିଟସ୍‌ଙ୍କ ସ୍ମୃତି ତର୍ପଣ-ନବ କିଶୋର ଦାସ-ନବଭାରତ-ଧନୁ ୧୩୪୬-୫ମ ବର୍ଷ ୭ମ ସଂଖ୍ୟା-ପୃ ୪୧୫ ।

 

ପୁନଶ୍ଚ ସନ୍ଥ ଓ ସାହିତ୍ୟିକମାନଙ୍କ ସହିତ ପ୍ରତ୍ୟେକ ସ୍ତରରୁ ଚରିତ-ନାୟକ ନିର୍ବାଚନ କରି ସେମାନଙ୍କର ଜୀବନୀ ଲିପିବଦ୍ଧ କରିବାର ପ୍ରଚେଷ୍ଟା ମଧ୍ୟ ପତ୍ରିକାମାନଙ୍କରେ ପ୍ରକାଶ ପାଇଲା । ମୁକୁରରେ ପ୍ରକାଶିତ ଜଗବନ୍ଧୁ ସିଂଙ୍କର ‘କର୍ମବୀର ରମେଶ୍ଚନ୍ଦ୍ର ଦତ୍ତ ଓ କର୍ମବୀର ମହାଦେବ ଗୋବିନ୍ଦ ରାଣାଡ଼େ’ ପ୍ରବନ୍ଧ ଦୁଇଟି ଜନନାୟକ, କର୍ମୀମାନଙ୍କର ଜୀବନକୁ ନେଇ ଲିଖିତ । ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ମଧ୍ୟ ସେହିପରି ଜଣେ ନୀରବ କର୍ମୀ । ତାଙ୍କ ଜୀବନୀ ମଧ୍ୟ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା । +

 

+ ନୀରବ କର୍ମୀ-ଶ୍ରୀ ଶ୍ରୀକୃଷ୍ଣ ମହାପାତ୍ର-ଭକ୍ତି ଭୂଷଣ-ସହକାର-୧୮ଭାଗ-୧୧ ଓ ୧୨ସଂଖ୍ୟା ଫାଲଗୁନ-ଚୈତ୍ର ୧୩୪୫ ।

 

କର୍ମୀମାନଙ୍କ ପରି ଶିଳ୍ପୀମାନେ ମଧ୍ୟ ଏ ଦେଶ ଓ ଜାତିର ଗୌରବ । ସେମାନଙ୍କ ନିଷ୍ଠା ଓ ସାଧନା ବ୍ୟକ୍ତିକୁ ଉଦ୍‌ବୁଦ୍ଧ କରେ । ତେଣୁ ସେମାନଙ୍କ ଜୀବନୀ-ରଚିତ ହେବା ଯେ ଏକାନ୍ତ ବାଞ୍ଛନୀୟ ଏହା ମଧ୍ୟ ସମ୍ପାଦକମାନେ ଅନୁଭବ କରି ନିଜ ପତ୍ରିକାରେ ସେପରି କୃତିକୁ ସ୍ଥାନ ଦେଉଥିଲେ । X

X ଗୋପାଳ ଚରଣ କାନୁନ୍‌ଗୋ-ଶିଳ୍ପୀ-ଶ୍ରୀଧର ମହାପାତ୍ର-ସହକାର-୧୮ ଭାଗ-୧୧ ଓ ୧୨ ସଂଖ୍ୟା-ଫାଲଗୁନ, ଚୈତ୍ର ୧୩୪୫-ପୃ ୧୦୧୧ ।

 

୩-ସାମାଜିକ ଓ ସାରସ୍ୱତ ଅନୁଷ୍ଠାନ

ଏତଦ୍‌ଭିନ୍ନ ସାହିତ୍ୟକ ଅନୁଷ୍ଠାନମାନେ ମଧ୍ୟ କୃତବିଦ୍ୟଙ୍କର ଜୀବନୀକୁ ଅକ୍ଷରାଙ୍କିତ କରିବା ଲାଗି ପ୍ରୋତ୍ସାହନ ଯୋଗାଉଥିଲେ । ଉତ୍କଳ ସାହିତ୍ୟ ସମାଜ ସହିତ ତତ୍‌କାଳୀନ ପତ୍ରପତ୍ରିକାମାନ ବିଭିନ୍ନ ସୂତ୍ରରେ ସଂପୃକ୍ତ ଥିଲେ । ଜୀବନୀ-ସାହିତ୍ୟର ବିକାଶ ପାଇଁ ଅନୁଷ୍ଠାନ ଯେଉଁ ପ୍ରୟାସ କରୁଥିଲେ ପତ୍ର-ପତ୍ରିକାଗଣ ତାହାର ସ୍ୱୀକାରୋକ୍ତିର ସ୍ୱର ଉତ୍ତୋଳନ କରୁଥିଲେ । କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତତ୍‌ ସମ୍ବନ୍ଧୀୟ ସଂକ୍ଷିପ୍ତ ଜୀବନୀ, ସ୍ମୃତିଚିତ୍ର, କ୍ଷୁଦ୍ର କବିତା ଓ ଅଭିଭାଷଣମାନ ଆନୁଷ୍ଠାନିକ ଭାବରେ ପାଠ କରାଯାଉଥିଲା । ପୁନଶ୍ଚ ସେସବୁ ଯଥାଶୀଘ୍ର ପତ୍ରିକାମାନଙ୍କରେ ମଧ୍ୟ ପ୍ରକାଶ ପାଉଥିଲା । ମଧୁସୂଦନ ଦାସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ପାଇଁ ତା ୬।୨।୧୯୩୪ରେ ଉତ୍କଳ ସାହିତ୍ୟ ସମାଜ ଦ୍ୱାରା ଯେଉଁ ସାଧାରଣ ସଭା ଆୟୋଜିତ ହୋଇଥିଲା ଓ ତହିଁରେ ଯେଉଁସବୁ ପ୍ରବନ୍ଧ ଓ କବିତା ପାଠ କରାଯାଇଥିଲା, ପ୍ରାୟ ସବୁଗୁଡ଼ିକ ସଙ୍ଗେ ସଙ୍ଗେ ପତ୍ରିକାରେ ପ୍ରକାଶ ଲାଭ କରିଥିଲା । ସରକାର ଏପରି ସାଧୁ ଉଦ୍ୟମକୁ ପୂର୍ଣ୍ଣତଃ ଅଙ୍ଗୀକର କରିଥିଲେ ।

 

ଉତ୍କଳ ସାହିତ୍ୟ ସମାଜ ତରଫରୁ ମଧ୍ୟ ଜୀବନୀ ଲେଖକଙ୍କ ପାାଇଁ କେତୋଟି ପୁରସ୍କାରର ବ୍ୟବସ୍ଥା କରାଯାଇଥିଲା । ଅନୁଷ୍ଠାନ ଯେଉଁ ପୁରସ୍କାରର ଘୋଷଣା କରୁଥିଲା ତାହାକୁ ଜନସାଧାରଣଙ୍କଠାରେ ପହଞ୍ଚାଇବା ଦାୟିତ୍ୱ ପତ୍ରିକାମାନେ ହିଁ ଗ୍ରହଣ କରିଥିଲେ । * ଚିନ୍ତାମଣି ମହାନ୍ତିଙ୍କ ଜୀବନ ଚରିତ ରଚନା ପାଇଁ ୧୯୪୧ ମସିହାରେ ଉତ୍କଳ ସାହିତ୍ୟ ସମାଜ ତରଫରୁ ପୁରସ୍କାର ଘୋଷିତ ହୋଇ ଲେଖକମାନଙ୍କ ଅବଗତି ନିମନ୍ତେ ନବଭାରତରେ ବିଜ୍ଞାପିତ ହୋଇଥିଲା । +

 

* ଉତ୍କଳ ସାହିତ୍ୟ ସମାଜ ପୁରସ୍କାର ଘୋଷଣା-୧୯୨୨

୧-ତାଳଚେର ପୁରସ୍କାର-ଟ ୪୦-ବିଷୟ-ବିଚିତ୍ର ରାମାୟଣର କବି ବିଶ୍ୱନାଥ ଖୁଣ୍ଟିଆଙ୍କ ସକ୍ଷିପ୍ତ ଜୀବନ ବୃତ୍ତାନ୍ତ ପ୍ରକାଶ କରନ୍ତୁ ।

 

୨-ଗୌରୀଶଙ୍କର ପୁରସ୍କାର-ଟ ୩୦, ବିଷୟ-କବିବର ରାଧାନାଥଙ୍କ ଜୀବନ ଚରିତ (ସହକାର-୨ୟ ଭାଗ-୬ ସଂଖ୍ୟା-ଆଶ୍ୱିନ-୧୩୩୦)

 

+ ଉତ୍କଳ ସହିତ୍ୟ ସମାଜର ବାର୍ଷିକ ପୁରସ୍କାର ଘୋଷଣା -୧୯୪୧

ଗୌରୀଶଙ୍କର ପୁରସ୍କାର-ଟ ୨୦

କବିବର ଚିନ୍ତାମଣି ମହାନ୍ତିଙ୍କ ଜୀବନ ଚରିତ

ନବକିଶୋର ଦାସ-ସହ ସମ୍ପାଦକ-କଟକ-୨।୯।୪୧ (ନବଭାରତ-ସେପ୍‌ଟେମ୍ବର ୧୯୪୧-୮ମ ବର୍ଷ-୧ମ ସଂଖ୍ୟା)

 

ଉତ୍କଳ ସାହିତ୍ୟ ସମାଜର ୬ଷ୍ଠ ବାର୍ଷିକ ଅଧିବେଶନରେ ସର୍ବୋତ୍କୃଷ୍ଟ ପ୍ରବନ୍ଧ ଲେଖକଙ୍କୁ ନିର୍ଦ୍ଧିଷ୍ଟ ମୂଲ୍ୟର ପଦକ ଓ ପୁରସ୍କାର ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ପୁରସ୍କୃତ ହୋଇଥିବା ପ୍ରବନ୍ଧଗୁଡ଼ିକରୁ ମନେହୁଏ, କେବଳ ଜୀବନୀ ପ୍ରବନ୍ଧ ରଚନା ପାଇଁ ହିଁ ପୁରସ୍କାରଗୁଡ଼ିକ ଉଦ୍ଦିଷ୍ଟ ଥିଲା । X

 

X ସୁଦାମ ଚନ୍ଦ୍ର ନାୟକ-କବି ଉପେନ୍ଦ୍ର ଭଞ୍ଜଙ୍କ ଜୀବନ ଚରିତ ଟ ୧୫-ହରିହର ପଣ୍ଡା-କବି ଅଭିମନ୍ୟୁ ଚରିତ-ଟ ୧୫, ରଙ୍ଗାଭଟ୍ଟ ଗୁନ୍ନୟା ଶାସ୍ତ୍ରୀ-କବିସୂର୍ଯ୍ୟ ବଳଦେବ ରଥ ଚରିତ-ଟ ୧୫ ।

 

ଆଧୁନିକ ଓଡିଆ ଚରିତ – ସାହିତ୍ୟ ରଚନାର ପ୍ରସ୍ତୁତି

 

‘ଉତ୍କଳ ସାହିତ୍ୟ ସମାଜ’ ସଦୃଶ ‘ଉତ୍କଳ ବ୍ରାହ୍ମ ସମାଜ’ ମଧ୍ୟ ଚରିତ ରଚନା ପାଇଁ କିଛି ପୁରସ୍କାର ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ । ରାଜା ରାମମୋହନ ରାୟଙ୍କ ମହାପ୍ରୟାଣର ଶତବାର୍ଷିକ ଉତ୍ସବ ପାଳନ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ତାଙ୍କର ଏକ ଜୀବନୀ ପ୍ରକାଶ ପାଇ ନ ଥିବା ଲକ୍ଷ୍ୟ କରି ବ୍ରହ୍ମ ସମାଜର କାର୍ଯ୍ୟ ନିର୍ବାହିକା ସମିତିର ଅନୁମୋଦନ କ୍ରମେ ସର୍ବୋତ୍କୃଷ୍ଟ ଚରିତ ଲେଖକଙ୍କୁ ଏକଶତ ଟଙ୍କା ପୁରସ୍କାର ପ୍ରଦାନ ନିମନ୍ତେ ଘୋଷଣା କରାଯାଇଥିଲା ଏବଂ ଗ୍ରନ୍ଥର ପ୍ରକାଶନ ଦାୟିତ୍ୱ ମଧ୍ୟ ବ୍ରାହ୍ମ ସମାଜ ଗ୍ରହଣ କରିଥିଲା । ବ୍ରାହ୍ମ ସମାଜର ଏ ପ୍ରକାର ପ୍ରେରଣା ଦ୍ୱାରା ଉତ୍ସାହିତ ହୋଇ କୁଳମଣି ଦାଶ କାବ୍ୟତୀର୍ଥ ‘ମହାତ୍ମା ରାଜା ରାମମୋହନ ରାୟ’ ଜୀବନୀ ଗ୍ରନ୍ଥ ରଚନା କରିଥିଲେ । * ଅତଏବ ପତ୍ରପତ୍ରିକା ଓ ଅନୁଷ୍ଠାନବର୍ଗ ଲେଖକମାନଙ୍କୁ ପୁରସ୍କାର ଓ ପାରିଶ୍ରମିକ ଦେଇ ଜୀବନୀ ରଚନା ପାଇଁ ଉଦ୍‌ବୁଦ୍ଧ କରୁଥିବା ଉଦ୍ୟମ ଯେ ଚରିତ-ସାହିତ୍ୟର ପୁଷ୍ଟିପାଇଁ କେତେ ସହାୟକ ହୋଇଥିଲା ତାହା ଏଥିରୁ ଖୁବ୍‌ ସ୍ପଷ୍ଟ ।

 

* ପଣ୍ଡିତ ଶ୍ରୀ କୁଳମଣି ଦାଶ କାବ୍ୟତୀର୍ଥ-ମହାତ୍ମା ରାଜା ରାମମୋହନ ରାୟ-ପ୍ରକାଶକ ଓ ସଂପାଦକ-ଉତ୍କଳ ବ୍ରାହ୍ମ ସମାଜ-୧ମ ସଂସ୍କରଣ-୧୯୩୫-କଟକ ।

 

କେବଳ ବିଭିନ୍ନ ଜୀବନୀ ପ୍ରକାଶ କରି ପତ୍ରିକାର ସମ୍ପାଦକମାନେ କ୍ଷାନ୍ତ ହୋଇ ନାହାନ୍ତି । ଜୀବନୀ ରଚନା ପାଇଁ ଉପାଦନ ସଂଗ୍ରହ କରିବାରେ ମଧ୍ୟ ସେମାନେ ପ୍ରବୃତ୍ତ ହୋଇଛନ୍ତି । ମଧୁସୂଦନଙ୍କ ବିୟୋଗ ପରେ ତାଙ୍କର ଚିଠି, ଲେଖା କିମ୍ବା ତାଙ୍କ ବିଷୟରେ ଜାଣିଥିବା କୌଣସି ଘଟଣାକୁ ଲିପିବଦ୍ଧ କରି ପଠାଇବା ପାଇଁ ନବକିଶୋର ଦାସ ସହକାର ଜରିଆରେ ଲେଖକ ଗୋଷ୍ଠୀଙ୍କୁ ଆହ୍ୱାନ କରିଥିଲେ । ପୁନଶ୍ଚ ୧୯୨୨ ମସିହା ମାର୍ଚ୍ଚ ମାସରେ ବିହାର ଓଡ଼ିଶା କାଉନସିଲର ମନ୍ତ୍ରୀ ରୂପେ ମଧୁ ବାବୁ ଯେଉଁ ଭାଷଣ ଦେଇଥିଲେ ତାହାର କିୟଦଂଶ ମଧ୍ୟ ସହକାରରେ ପ୍ରକାଶ କରାଇଥିଲେ ।

 

କୌଣସି ଲୋକର ମୃତ୍ୟୁ ପରେ କେବଳ ଶ୍ରାଦ୍ଧ ସଭାଟିଏ କରିଦେଲେ କିମ୍ବା ତାଙ୍କ ସମ୍ପର୍କରେ ଦୁଇ ଚାରି କଥା ଲେଖି ପକାଇଲେ ସେହି ବ୍ୟକ୍ତିର ସ୍ମୃତି ରକ୍ଷା ହୁଏ ନାହିଁ । କୌଣସି ସ୍ଥାୟୀ କାର୍ଯ୍ୟ ଦ୍ୱାରା ଦେଶ ବକ୍ଷରେ ସ୍ମୃତିକୁ ଚିର ଜାଗରୂକ କରି ସେହି ବ୍ୟକ୍ତିର ଋଣକୁ ସ୍ୱୀକାର କରାଯାଇ ପାରେ । ମଧୁସୂଦନଙ୍କ ମୃତ୍ୟୁ ପରେ ଏହି ମର୍ମରେ ‘ମଧୁସ୍ମୃତି’ ଶିରୋନାମାରେ ଏକ ପରାମର୍ଶ ସହକାରରେ ପ୍ରକାଶ ପାଇଥିଲା । ତାଙ୍କ ବାସଗୃହକୁ ଶିକ୍ଷା ବା ଶିଳ୍ପ ଅନୁଷ୍ଠାନ କରିବା ଏକ ପ୍ରସ୍ତାବ ମଧ୍ୟ ଆଗତ ହୋଇଥିଲା । ଯେତେଦୂର ସମ୍ଭବ ଏହି ପ୍ରତିକ୍ରିୟାର ଫଳ ସ୍ୱରୂପ ପରବର୍ତ୍ତୀ କାଳରେ ସେଠାରେ ଶୈଳବାଳା ମହିଳା କଲେଜ ଅନୁଷ୍ଠାନଟି ପ୍ରତିଷ୍ଠିତ ହୋଇଥିଲା ।

 

ସୁତରାଂ ଏଥିରୁ ସ୍ପଷ୍ଟ ପ୍ରତୀତ ହୁଏ ଯେ ଏ ଦେଶର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ପତ୍ରପତ୍ରିକାମାନଙ୍କର ଶୁଭଦାନରୁ ସାହିତ୍ୟ ଭୂମିରେ ଜୀବନୀ ରଚନା ପ୍ରତି ଏକ ଅନୁକୂଳ ମନୋଭାବ କାଳକ୍ରମେ ସୃଷ୍ଟି ହୋଇଥିଲା । ଜାତୀୟ ଶ୍ରଦ୍ଧାର ସନ୍ତକ ସ୍ୱରୂପ ପ୍ରତିଭା ପୂଜାର ଆଦର୍ଶକୁ ବରଣ କରିବାପାଇଁ ବିଭିନ୍ନ ମହଲରେ ଆଗ୍ରହ ସୃଷ୍ଟି ହୋଇଥିଲା । ଦେଶର ତରୁଣ ବଂଶଧରମାନଙ୍କ ମନରେ ଜାତିର ପ୍ରତିଭାଧର ବୀରପୁରୁଷମାନଙ୍କ ଜୀବନୀର ଘଟଣାବଳୀକୁ ଚରିତ୍ର ନିର୍ମାଣର ଅବଲମ୍ବନ ରୂପେ ଅନୁଭବ କରି ବିଦ୍ୟାଳୟ ପାଠ୍ୟକ୍ରମ ଜରିଆରେ ଏହାର ପ୍ରସାରଣ ପାଇଁ ବହୁ ଲେଖକ ଉଦ୍ୟମ କରିଥିଲେ । ଫଳତଃ ଜୀବନୀ-ସାହିତ୍ୟ ସ୍ୱତନ୍ତ୍ର ଆକାର ଘେନି ପାଠକ ସମାଜରେ ପ୍ରବେଶ କଲା । ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରୁ ଓଡ଼ିଆ ଚରିତ-ସାହିତ୍ୟର ବିଭବମୟ ବିକାଶ ଆରମ୍ଭ ହେଲା ।

 

 

‘କବିସମ୍ରାଟ ପଦବୀ’ ଓ କବି ଉପେନ୍ଦ୍ରଭଞ୍ଜ

ଅଧ୍ୟାପକ ଦୁର୍ଗାମାଧବ ନନ୍ଦ

ଦୀର୍ଘଦିନ ଧରି ଓଡ଼ିଶାର ସାହିତ୍ୟିକ ଓ ସାଂସ୍କୃତିକ ଜଳବାୟୁରେ ରାଜକବି ଉପେନ୍ଦ୍ରଭଞ୍ଜଙ୍କୁ ‘କବିସମ୍ରାଟ’ ଓ ‘ସଙ୍ଗୀତ ସମ୍ରାଟ’ (୧) ରୂପେ ପ୍ରମାଣିତ କରିବାକୁ ଚେଷ୍ଟାକରାଯାଉଛି । ସେଥିପାଇଁ ଆଜି ମଧ୍ୟ ଓଡ଼ିଶାର ପୁର-ପଲ୍ଲୀରେ ଭଞ୍ଜଜୟନ୍ତୀମାନ ପାଳନ କଲାବେଳେ, ବିଭିନ୍ନ ବକ୍ତା ଭାଷଣ ପ୍ରସଙ୍ଗରେ କବି ଉପେନ୍ଦ୍ର ଭଞ୍ଜ ଗଜପତି ରାଜଦରବାରରୁ କିପରି ‘କବିସମ୍ରାଟ’ ପଦବୀ ଲାଭ କରିଥିଲେ ତା’ର ଏକ ସୁନ୍ଦର କିମ୍ବଦନ୍ତୀ ଉପସ୍ଥାପିତ କରିଥାନ୍ତି । ଓଡ଼ିଆ ସାହିତ୍ୟର ଐତିହାସିକ ଓ ସମାଲୋଚକଗଣ ମଧ୍ୟ ଉପେନ୍ଦ୍ରଭଞ୍ଜଙ୍କୁ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ’ ରୂପେ ସେମାନଙ୍କ ବିଭିନ୍ନ ଗ୍ରନ୍ଥରେ ଉଲ୍ଲେଖ କରିଥିବା ଦେଖାଯାଏ । ଏ ସମସ୍ତ ଶୁଣିବା ଓ ପଢ଼ିବା ପରେ ମନରେ ସ୍ୱତଃ ପ୍ରଶ୍ନ ଉଦ୍ରେକ ହୁଏ ଯେ ପ୍ରକୃତରେ କ’ଣ ଉପେନ୍ଦ୍ର ଭଞ୍ଜ ‘‘କବି-ସମ୍ରାଟ’’ ? କବି କ’ଣ ତାଙ୍କର ଜୀବଦ୍ଦଶାରେ ଉକ୍ତ ପଦବୀ ଗଜପତି ରାଜଦରବାରରୁ ଲାଭ କରିଥିଲେ ? ଯଦି ଲାଭ କରିଥିଲେ ତେବେ ତାଙ୍କର ବିପୁଳ ସୃଷ୍ଟି ମଧ୍ୟରେ ଅନ୍ୟ ସମସ୍ତ ପଦବୀର ଉଲ୍ଲେଖ କରିବା ସତ୍ତ୍ୱେ ଏହି ପଦବୀ ସମ୍ପର୍କରେ କିଛି ପ୍ରକାଶ କଲେ ନାହିଁ, କାହିଁକି ? ‘‘ବର୍ତ୍ତମାନ ଯଦି କେହି ପଚାରେ-ଉପେନ୍ଦ୍ର ଭଞ୍ଜଙ୍କୁ କବିସମ୍ରାଟ ଉପାଧି ଦେଲା କିଏ ? ତତ୍‌କ୍ଷଣାତ୍‌ ଉତ୍ତର ଆସିବ ପୁରୀର ଗଜପତି ରାଜା । ଅଥଚ ପୁରୀ ରାଜା ଭଞ୍ଜଙ୍କୁ ଏ ଉପାଧି ଦେଇଥିବାର କୌଣସି ପ୍ରମାଣ କୌଣସି ଉପାଦାନରେ ନାହିଁ, କିମ୍ବା ଏ ସମ୍ବନ୍ଧରେ କୌଣସି ଲିପିବଦ୍ଧ କିମ୍ବଦନ୍ତୀ ନାହିଁ କିମ୍ବା ଭଞ୍ଜ କବିତାବଳୀର କୌଣସି ଅଂଶରେ ଏ ଉପାଧି ବ୍ୟବହୃତ ହୋଇନାହିଁ ।’’ (୨) ‘ସମ୍ରାଟ’ ଉପାଧି ରାଜାମାନଙ୍କର ସର୍ବଶେଷ ଓ ଗୌରବପୂର୍ଣ୍ଣ ପଦବୀ ବିଶେଷ । ଯେତେବେଳେ ଜନୈକ ରାଜା ନିଜର ବାହୁବଳରେ ସମଗ୍ର ଦେଶର ପ୍ରାନ୍ତୀୟ ରାଜାମାନଙ୍କୁ ଜୟ କରି ଏକଛତ୍ର ଶାସନ କରୁଥିଲେ, ସେତିକିବେଳେ ସେ ନିଜକୁ ‘ସମ୍ରାଟ’ ରୂପେ ଉଦ୍‌ଘୋଷିତ କରୁଥିଲେ । ଉଦାହରଣ ସ୍ୱରୂପ ସମ୍ରାଟ ଅଶୋକ କିମ୍ବା ମୋଗଲ ସମ୍ରାଟ ଆକ୍‌ବରଙ୍କ ନାମକୁ ଗ୍ରହଣ କରାଯାଇପାରେ । ଉକ୍ତ ଉଭୟ ସମ୍ରାଟଙ୍କ ରାଜତ୍ୱ କାଳରେ ଭାରତର ପ୍ରାୟ ସମସ୍ତ ରାଜ୍ୟର ରାଜାମାନେ ତାଙ୍କର ପଦାନତ ସ୍ୱୀକାର କରିଥିବା ଭାରତୀୟ ଇତିହାସରୁ ଜଣାଯାଏ । ଏହି ପରିପ୍ରେକ୍ଷୀରେ କବି ଉପେନ୍ଦ୍ରଭଞ୍ଜଙ୍କୁ କବି ସମ୍ରାଟ କହିବାର ତାତ୍ପର୍ଯ୍ୟ ହେଉଛି ଯେ ଭାରତର, ବିଶେଷତଃ ଓଡ଼ିଶାର ଅନ୍ୟ କୌଣସି କବି, ଉପେନ୍ଦ୍ର ଭଞ୍ଜଙ୍କ ମହନୀୟ କବିତ୍ୱ ଶକ୍ତିକୁ ଅତିକ୍ରମ କରିଯାଇ ପାରିନାହାନ୍ତି ଏବଂ ଉପେନ୍ଦ୍ର ସମସ୍ତ କବିଙ୍କୁ ନିଜର ପାଣ୍ଡିତ୍ୟ ଓ ରଚନାଶକ୍ତି ଦ୍ୱାରା ପରାଜୟ କରିଥିଲେ । ଉକ୍ତ ସମ୍ପର୍କରେ କେତେକ ସତ୍ୟ ଉଦ୍‌ଘାଟନ କରିବାହିଁ ଏହି ପ୍ରବନ୍ଧର ମୁଖ୍ୟ ଉଦ୍ଦେଶ୍ୟ ।

 

୧। ‘ସଙ୍ଗୀତ ସମ୍ରାଟ ଉପେନ୍ଦ୍ର ଭଞ୍ଜ’ (ପ୍ରବନ୍ଧ) ଲେଖକ-କାଳୀଚରଣ ପଟ୍ଟନାୟକ, ପୃ-୯୩, ପ୍ରକାଶକ ଭଞ୍ଜଜୟନ୍ତୀ ସମିତି, ୧୯୫୩

 

୨। ଓଡ଼ିଆମାନଙ୍କ ସଂସ୍କୃତି ପ୍ରୀତି (ପ୍ରବନ୍ଧ) ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଝଙ୍କାର, ଊନବିଂଶ ବର୍ଷ, ନବମ ସଂଖ୍ୟା, ପୃ-୭୪୮

 

ରାଜକବି ଉପେନ୍ଦ୍ର କେଉଁ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କର ମହାପ୍ରୟାଣ କେବେ ଘଟିଥିଲା, ସେ ସମ୍ପର୍କରେ ଅଦ୍ୟାବଧି ଓଡ଼ିଶାର ତଦ୍‌ବିଦଗଣ ଏକ ସ୍ଥିର ନିଶ୍ଚିତ ମତରେ ଉପନୀତ ହୋଇ ପାରିନାହାନ୍ତି । କବି ଉପେନ୍ଦ୍ର ଓ ତାଙ୍କ ସାହିତ୍ୟକୁ ଭିତ୍ତିକରି ଓଡ଼ିଶାରେ ପ୍ରାୟ ୧୮୭୦ ଖ୍ରୀଷ୍ଟାବ୍ଦଠାରୁ ଯଦିଓ ଏକ ପ୍ରବଳ ଝଡ଼ ତୋଫାନ ଲାଗି ରହିଛି ତଥାପି ଉପେନ୍ଦ୍ରଭଞ୍ଜଙ୍କ ଗ୍ରନ୍ଥ ସଂଖ୍ୟା କେତେ ଏବଂ ସେ କି କି ଗ୍ରନ୍ଥ ପ୍ରକୃତରେ ରଚନା କରିଥିଲେ ସେ ସମ୍ପର୍କରେ ବହୁ ମତ ଦେଖାଯାଇଥାଏ । ଏପରି କେତେକ ହୀନମନ୍ୟ ବ୍ୟକ୍ତି ନିଜେ ରଚନା କରି ହେଉ ବା ଅନ୍ୟ କୌଣସି ଅନାମଧେୟ କବିଙ୍କର ରଚନା ଗୁଡ଼ିକର ଶେଷାଂଶକୁ କବି ଉପେନ୍ଦ୍ରଙ୍କ ନାମରେ ଭଣିତ କରି ପ୍ରଚାର କରିବାକୁ ମଧ୍ୟ ଲଜ୍ଜ୍ୟାବୋଧ କରୁନାହାନ୍ତି । “ଉପେନ୍ଦ୍ରଙ୍କ ଉପରେ ଲମ୍ବା ଲମ୍ବା ବକ୍ତୃତା ଦେବା ପରିବର୍ତ୍ତେ ଆଜି ଯଦି କୌଣସି ପାଠକ ପାଠିକା ତାଙ୍କ ପ୍ରକୃତ ରଚନା ସ୍ଥିର କରିବାରେ ଲାଗି ପଡ଼ନ୍ତେ, ତା ହେଲେ ଏ କବି ସମ୍ରାଟଙ୍କ ନାମରେ ଯେଉଁ ଅପଦାର୍ଥ ଚୋରିମାଲ ଚାଲୁଛି, ସେହି ଅପକର୍ମର ଦୂଷିତ ବାୟୁମଣ୍ଡଳରୁ ଉପେନ୍ଦ୍ରଭଞ୍ଜ ଟିକିଏ ହେଲେ ମୁକ୍ତି ପା’ନ୍ତେ ।’’ (୩) ସେ ଯାହାହେଉ କବିଉପେନ୍ଦ୍ର ସ୍ୱ-ସୃଷ୍ଟି-ଗୁଡ଼ିକର ଏକ ତାଲିକା ତାଙ୍କର ‘ଚିତ୍ରକାବ୍ୟ-ବନ୍ଧୋଦୟ’ର ପ୍ରାରମ୍ଭରେ ଦେବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଛାନ୍ଦର ଭଣତିରେ ନିଜର ନାମ ତଥା ‘ପଦବୀ’ ଉଲ୍ଲେଖ କରିଥିବା ପରିଲକ୍ଷିତ ହୁଏ । ଭଞ୍ଜକବି ତାଙ୍କର ‘ବୈଦେହୀଶ ବିଳାସ’ ‘ଲାବଣ୍ୟବତୀ’, ‘କୋଟିବ୍ରହ୍ମାଣ୍ଡସୁନ୍ଦରୀ’, ‘ସୁଭଦ୍ରା ପରିଣୟ’, ‘ରସିକ ହାରାବଳୀ’, ‘ପ୍ରେମସୁଧାନିଧି‘, ‘ଷୋଳପୋଇ’ ପ୍ରଭୃତି ଗ୍ରନ୍ଥର ପ୍ରତି ଛାନ୍ଦର ଭଣତିରେ ନିଜକୁ ‘ବୀରବର ଉପଇନ୍ଦ୍ର’ ବୋଲି ପରିଚିତ କରାଇଛନ୍ତି । ଯଥା –

‘‘ବୀରବର ଉପଇନ୍ଦ୍ର ମୋର ନାମ

ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ ।।’’ (୪)

୩। ସାହିତ୍ୟାଦର୍ଶ, ଡକ୍‌ଟର ନଟବର ସାମନ୍ତରାୟ, ୧ମ ସଂସ୍କରଣ, ପୃ-୨୩୨

୪। ବୈଦେହୀଶ ବିଳାସ, ଜଗନ୍ନାଥ କମ୍ପାନୀ ପ୍ରକାଶିତ, ୫୨ ଛାନ୍ଦ-୫୦ ପଦ

ସେହିପରି—

‘‘ସୀତା ବଲ୍ଲଭ-ପଦ ସୁମନ ମନେ ଚିନ୍ତି

ସଂଜ୍ଞା ଭଞ୍ଜ ନାମ ଉପଇନ୍ଦ୍ର ପଦ ବୀରବର ଯେ ରଚନ୍ତି ।।’’ (୫)

୫। ସୁଭଦ୍ରା ପରିଣୟ, ଜଗନ୍ନାଥ କମ୍ପାନୀ ପ୍ରକାଶିତ, ୧୦ମ ଛାନ୍ଦ-୩୭ ପଦ

 

ସେହିପରି କବି ‘ପଞ୍ଚଶାୟକ, ରସ-ପଞ୍ଚକ ଓ ସୁଭଦ୍ରା ପରିଣୟ’ ଆଦି କେତେକ ଗ୍ରନ୍ଥର ଭଣତିରେ ନିଜକୁ ‘ନୃପତି’ ବୋଲି ଘୋଷଣା କରିଥିବା ଦେଖାଯାଏ । ଯଥା-

 

‘‘ପ୍ରଥମ ଛାନ୍ଦ ହୋଇଲା ଏଥେ ସମାପତି

ଭଣିଲେ ଉପେନ୍ଦ୍ର ଭଞ୍ଜ ନୃପତି ଏ ଗୀତି ।।’’(୬)

 

୬। ପଞ୍ଚଶାୟକ, ଜଗନ୍ନାଥ କମ୍ପାନୀ ପ୍ରକାଶିତ-୧ମ ଛାନ୍ଦ

 

X      X      X      X

‘‘ପ୍ରବୀଣା ମଧ୍ୟାରତି ସ୍ମୃତି ଏହି

ପଦେ ଉପଇନ୍ଦ୍ର ଭଞ୍ଜରାଜ କହି ।।’’(୭)

 

୭। ରସ-ପଞ୍ଚକ, ଜଗନ୍ନାଥ କମ୍ପାନୀ ପ୍ରକାଶିତ-‘ପ’ ବୋଲି

 

‘‘ସପ୍ତବିଂଶ ପଦେ ଛାନ୍ଦ ଶେଷକରି ଉପଇନ୍ଦ୍ର ଭଞ୍ଜ ନୃପତି’’ । (୮) ପୁଣି ‘ରସପଞ୍ଚକ’, ‘ଭାଗବତୀ’, ଓ ଯମକରାଜ ଚଉତିଶା ଆଦିର କେତେକ ସ୍ଥାନରେ କବି ନିଜକୁ ‘ପାଟକୁମାର’ ‘ମଙ୍ଗରାଜ’ ରୂପେ ପରିଚିତ କରାଇଛନ୍ତି । ଯଥା-

 

‘‘ରଚିତ ପାଟକୁମାର ଯାତ୍ରା ଉଦ୍ଦେଶୀ ବିଚାର

ଗୁଣ ଦୁହେଁ ଦୁହିଁଙ୍କର ପଦ ଯୋଡ଼ି ଗାଇବ ।।’’(୯)

X      X      X      X

‘‘ଉପଇନ୍ଦ୍ର ମଙ୍ଗରାଜ ଏ ଭଣି’’ ।(୧୦)

X      X      X      X

‘‘କ୍ଷମେ ରକ୍ଷାକର ଉପଇନ୍ଦ୍ର ଉପଇନ୍ଦ୍ର ଭଞ୍ଜ ମଙ୍ଗରାଜକୁ ।।’’(୧୧)

 

ଏତଦବ୍ୟତୀତ ‘ଅବନାରସ ତରଙ୍ଗ’ରେ କବି ନିଜକୁ କେବଳ ‘ଉପେନ୍ଦ୍ରଭଞ୍ଜ’ ଓ ରସଲେଖା କାବ୍ୟରେ ‘ଭଞ୍ଜକବି’ ବୋଲି ନିଜକୁ ପରିଚିତ କରାଇଥିବା ପରିଲିକ୍ଷିତ ହୋଇଥାଏ ।

 

୮। ସୁଭଦ୍ରା ପରିଣୟ, ଜଗନ୍ନାଥ କମ୍ପାନୀ ପ୍ରକାଶିତ-୪ର୍ଥ ଛାନ୍ଦ

୯। ରସ-ପଞ୍ଚକ, ଜଗନ୍ନାଥ କମ୍ପାନୀ ପ୍ରକାଶିତ-‘ର’ ବୋଲି

୧୦। ଭାବବତୀ, ଜଗନ୍ନାଥ କମ୍ପାନୀ ପ୍ରକାଶିତ-୬ଷ୍ଠ ଛାନ୍ଦ

୧୧। ଯମକରାଜ ଚଉତିଶା-ଜଗନ୍ନାଥ କମ୍ପାନୀ ପ୍ରକାଶିତ, ଶେଷପଦ

 

କବିସମ୍ରାଟ ପଦବୀ ଓ କବି ଉପେନ୍ଦ୍ର ଭଞ୍ଜ

 

ସେ ଏହି ପଦବୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯେ -‘‘ଉପେନ୍ଦ୍ର ଭଞ୍ଜଙ୍କ ସମୟ ପର୍ଯ୍ୟନ୍ତ ଓଡ଼ିଶାର କୌଣସି କବି ଏତେ ବ୍ୟପକ ଭାବରେ ସମ୍ମାନିତ ଓ ସମ୍ବଦ୍ଧତ ହୋଇଥିବାର ପ୍ରମାଣ ଅଦ୍ୟାବଧି ମିଳିନାହିଁ । ସେଥିପାଇଁ, ଜନତା ତାଙ୍କୁ କବି-ସମ୍ରାଟ ରୂପେ ଅଭିନନ୍ଦିତ ଓ ଅଭିବନ୍ଦିତ କରିଅଛି । ଉପେନ୍ଦ୍ରଭଞ୍ଜଙ୍କୁ ‘କବି-ସମ୍ରାଟ’ ଉପାଧି କିଏ ଦେଇଥିଲା, ସେ କଥା ଜାଣିବାର ଉପାୟ ନାହିଁ । ଯେତେଦୂର ମନେହୁଏ ଯେଉଁ କବି ସମସାମୟିକ ସମାଜରେ ସମସ୍ତଙ୍କୁ ନିଷ୍ପଭ କରି ଦେଇଥିଲେ, ତାଙ୍କୁ ହିଁ ବଳେ ବଳେ ‘କବି-ସମ୍ରାଟ’ କୁହାଯାଇଥିଲା । x x x ସେହିପରି, ଭଞ୍ଜଙ୍କର ‘କବି-ସମ୍ରାଟ’ ଉପାଧିର ଇତିହାସ ଘୋର ଅନ୍ଧକାରାଚ୍ଛନ୍ନ । x x x ଉପେନ୍ଦ୍ରଭଞ୍ଜ ଓଡ଼ିଶାର ବହୁ ରାଜଦରବାରରେ ନିଜ ଅପୂର୍ବ ପାଣ୍ଡିତ୍ୟ ଓ କବିତ୍ୱ ଦ୍ୱାରା ସମସ୍ତଙ୍କୁ ହୀନପ୍ରଭ କରି ଦେଇଥିଲେ । ଏପରିକି, ମହାମହା ସଂସ୍କୃତ ପଣ୍ଡିତମାନେ ମଧ୍ୟ ତାଙ୍କର ପ୍ରତିଭା ଦେଖି ଭୟଭୀତ ହୋଇ ପଡ଼ିଥିଲେ । ରାଜସଭାମାନଙ୍କରେ ରାଜ୍ୟର ଗଣ୍ୟମାନ୍ୟ ଲୋକେ ମଧ୍ୟ ଶ୍ରୋତା ଭାବରେ, ଦର୍ଶକ ଭାବରେ ଉପସ୍ଥିତ ହେଉଥିଲେ । ଯୁକ୍ତିତର୍କ, ବାଦାନୁବାଦ ଓ କବିତ୍ୱ ପରୀକ୍ଷାରେ ଉପେନ୍ଦ୍ର ସମସ୍ତଙ୍କୁ ଟପି ଯାଉଥିବାର ଦେଖି ସେମାନେ ହୁଏତ କହି ପକାଇଥିଲେ, ‘ଇଏ କବିସମ୍ରାଟ’; କାଳକ୍ରମେ ଏହି ଶବ୍ଦଟି ତାଙ୍କ ଠାରେ ରୂଢ଼ ହୋଇଗଲା । ଯଥାର୍ଥରେ, ଆଜି ପର୍ଯ୍ୟନ୍ତ ସେ ‘କବିସମ୍ରାଟ’ ହୋଇ ରହିଛନ୍ତି ।’’ (୧୭) ଉକ୍ତ ଦୁଇଟି ମତ ଗବେଷକ ବ୍ରହ୍ମାଙ୍କ କପୋଳ କଳ୍ପିତ ମତ କହିଲେ ସତ୍ୟର ଅପଳାପ ହେବନାହିଁ । ସେ ନିଜେ ମଧ୍ୟ ଏହା ପ୍ରମାଣସିଦ୍ଧ ବୋଲି ଉଲ୍ଲେଖ କରି ନାହାନ୍ତି । ସେହିପରି ତାଙ୍କର ତୃତୀୟ ମତଟି ଏକ ‘ଶୁଣା’ କଥା ଉପରେ ପର୍ଯ୍ୟବସିତ । ସେ ଉଲ୍ଲେଖ କରିଛନ୍ତି ଯେ- ‘‘ପଣ୍ଡିତ ଶ୍ରୀଧର ଶତପଥୀଙ୍କ ଠାରୁ ଶୁଣିବାକୁ ପାଇଲି ଯେ ଉପେନ୍ଦ୍ର ଭଞ୍ଜଙ୍କର ‘ଗୀତାଭିଧାନ’ର ଏକ ନୁଆପୋଥି ସେ ପାଇଛନ୍ତି । ‘ଗୀତାଭିଧାନ’ ବହୁ ବର୍ଷ ତଳୁ ପ୍ରକାଶିତ ହୋଇଯାଇଛି । କିନ୍ତୁ ଏବେ ଯେଉଁ ପୋଥି ଆବିଷ୍କୃତ ହୋଇଅଛି, ତହିଁରେ କିଛି କିଛି ଅଧିକା ଅଂଶ ଅଛି । ‘ଗୀତାଭିଧାନ’ ପୋଥିଟି କ, ଖ, ଗ ପ୍ରଭୃତି ବର୍ଗରେ ବିଭକ୍ତ ହୋଇଥିବା କଥା ଆଗରୁ କୁହାଯାଇଛି । ସଂପ୍ରତି ଆବିଷ୍କୃତ ଗୀତାଭିଧାନର ‘ମାନ୍ତ’ ବର୍ଗର ଶେଷରେ ଅଛି-

୧୭। ଭଞ୍ଜ-ଭୂମିକା, ୧ମ ସଂସ୍କରଣ, ପୃ-୨୭

 

‘‘ସାର୍ବଭୌମ ଦିଗ-ଦନ୍ତୀ ଚକ୍ରବର୍ତ୍ତୀ ମାନ୍ତ ବର୍ଗ କଲା ଶେଷ ।।’’ ଏଠାରେ ‘ମ’ ଅକ୍ଷର ଅନ୍ତ ବା ଶେଷରେ ଥିବା ‘ସାର୍ବଭୌମ’ ଶବ୍ଦର ଅର୍ଥ ବ୍ୟାଖ୍ୟାନହିଁ ମୁଖ୍ୟ କଥା । ‘ସାର୍ବଭୌମ’ ହେଉଛି ଉତ୍ତର ଦିଗର ଦିଗ୍‌ଗଜର ନାମ (ଦିକ୍‌+ଦନ୍ତୀ+ହସ୍ତୀ) । ତେଣୁ ସାର୍ବଭୌମ ଏହି ହାତୀ ଏବଂ ଚକ୍ରବର୍ତ୍ତୀ ବା ସମ୍ରାଟ-ଏ ଦୁଇ ଅର୍ଥର ପ୍ରକାଶକ । x x x ସଂସ୍କୃତ-ପଣ୍ଡିତମାନଙ୍କର ସେହି କ୍ରମ ରକ୍ଷାକରି, ନିଜକୁ କବି-ଚକ୍ରବର୍ତ୍ତୀ ବା କବି ସାର୍ବଭୌମ (କବି ସମ୍ରାଟ) ରୂପେ ହୁଏତ ଏ ସ୍ଥଳରେ ଉପେନ୍ଦ୍ର ଆତ୍ମ ପରିଚୟ ଦେଇଛନ୍ତି । x x ମନେ ହେଉଚି, ଏ ଦିଗରେ ଅନ୍ୟ କିଛି ଉପାଦାନ ଅନ୍ୟ ସୁତ୍ରରୁ ମଧ୍ୟ ମିଳିଯାଇପାରେ । ତାହାହେଲେ ଏ ‘ଉପାଧି’ର ଇତିହାସ କ୍ଷେତ୍ରରେ ଏହା ଏକ ବିପ୍ଳବାତ୍ମକ ଆବିଷ୍କୃତ ହେବ ।’’ (୧୮) ପଣ୍ଡିତ ଶ୍ରୀଧର ଶତପଥୀଙ୍କ ଠାରୁ ଶୁଣିଥିବା କଥାକୁ ଭିତ୍ତିକରି ଉକ୍ତ କଳ୍ପନା-ପ୍ରସୂତ ମତକୁ ସତ୍ୟରୂପେ ଗ୍ରହଣ କରିବା ବିପଜ୍ଜ୍‌ନକ ମନେହୁଏ । କାରଣ ଆଲୋଚକ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର ଉକ୍ତ ଶ୍ରୀଧର ଶତପଥୀଙ୍କ ଆବିଷ୍କୃତ ଗୀତାଭିଧାନ ‘‘ବିଂଶ ଶତାବ୍ଦୀର ତୃତୀୟ ଦଶକର ପରବର୍ତ୍ତୀ ସୃଷ୍ଟ ହେବା ସମ୍ଭବ ବୋଲି ଉଲ୍ଲେଖ କରିଛନ୍ତି ।’’ (୧୯) ଏ ସମସ୍ତ ଆଲୋଚନାରୁ ସ୍ପଷ୍ଟ ଯେ କବି ଉପେନ୍ଦ୍ର ନିଜର ଜୀବଦ୍ଦଶାରେ କୌଣସି ରାଜଦରବାରରୁ ‘କବି-ସମ୍ରାଟ’ ପଦବୀ ଲାଭ କରି ନ ଥିଲେ । ବର୍ତ୍ତମାନ ଏହି ‘ପଦବୀ’ର ପ୍ରକୃତ ଜନ୍ମ-ଇତିହାସ ସମ୍ପର୍କରେ ଦେଖାଯାଉ ।

୧୮ । ତତ୍ର୍ୟେବ, ପୃ-୩୦୯-୩୧୦

୧୯। ‘ଉପେନ୍ଦ୍ର ଭଞ୍ଜଙ୍କ ରଚନାବଳୀ, (ପ୍ରବନ୍ଧ), ଝଙ୍କାର ୨୭ଶ ବର୍ଷ, ଦ୍ୱାଦଶ ସଂଖ୍ୟା, ପୃ-୯୨୬

 

ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ‘ଉଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୟ’ ବୋଲି ଜଣେ ବଙ୍ଗୀୟ ପଣ୍ଡିତ ମତ ପ୍ରଦାନ କଲାପରେ ଓଡ଼ିଶାରେ ପ୍ରାଚୀନ କାବ୍ୟ-କବିତା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯିବା ସଙ୍ଗେ ସଙ୍ଗେ ସେ ସମ୍ପର୍କରେ ବିଧିବଦ୍ଧ ଭାବେ ଅନୁସନ୍ଧାନ ତଥା ଗବେଷଣା ଆରମ୍ଭ ହେଲା । କ୍ରମଶଃ ପ୍ରାଚୀନ କାବ୍ୟ-କବିତା ଉଦ୍ଧାର କରାଯାଇ, ସେ ସମ୍ପର୍କରେ- ଆଲୋଚନା-ପ୍ରତି ଆଲୋଚନା ହେବାକୁ ଲାଗିଲା । ଏହି ସମୟରେ ଉପେନ୍ଦ୍ର କାବ୍ୟ କବିତାର ମଧ୍ୟ ପ୍ରବଳ ଆଲୋଚନା ହେବାକୁ ଲାଗିଲା । କେତେକ ବ୍ରାହ୍ମଧର୍ମୀ ପ୍ରଚାରକ ଉପେନ୍ଦ୍ର-ସାହିତ୍ୟକୁ ଅଶ୍ଳୀଳ ବୋଲି ପ୍ରମାଣ କରିବାକୁ ଚେଷ୍ଟା କଲାବେଳେ ଅନ୍ୟ କେତେକ ପଣ୍ଡିତ ଭଞ୍ଜ-ସାହିତ୍ୟର ପ୍ରତିଟି ଦିଗକୁ ବିଶ୍ଳେଷଣ କରି ଓଡ଼ିଆ-ସାହିତ୍ୟର ତାହା ସର୍ବଶ୍ରେଷ୍ଠ ସାହିତ୍ୟ ବୋଲି ପ୍ରତିପାଦନ କରିବାକୁ ଆପ୍ରାଣ ଉଦ୍ୟମ କଲେ । ଉକ୍ତ ବିବଦମାନ ସମୟ ମଧ୍ୟରେ ଯେଉଁ କେତେକ ତଦ୍‌ବିଦ୍‌ ଓଡ଼ିଆ-ସାହିତ୍ୟର ଇତିହାସ ତଥା ପ୍ରାଚୀନ କାବ୍ୟ-କବିତା ଉପରେ ମନ୍ତବ୍ୟ ପ୍ରଦାନ କରିଛନ୍ତି, ସେଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରି ଅନୁଧ୍ୟାନ କଲେ ଜଣାଯାଏ ଯେ ପ୍ରାୟ ବିଂଶ ଶତାବ୍ଦୀର ୨ୟ ଦଶକ ପର୍ଯ୍ୟନ୍ତ ଉପେନ୍ଦ୍ର ଭଞ୍ଜଙ୍କୁ କେହିହେଲେ ‘କବିସମ୍ରାଟ’ ବୋଲି ଉଲ୍ଲେଖ କରି ନାହାନ୍ତି ।

 

୧୮୨୨ ଖ୍ରୀଷ୍ଟାବ୍ଦରେ ଷ୍ଟାର୍ଲିଙ୍ଗ ସାହେବ ପ୍ରଥମେ ଓଡ଼ିଆ ଭାଷା ବିଷୟରେ କହିବାକୁ ଯାଇ ଲେଖିଛନ୍ତି - "I know of on original Composition deserving any notice in the language of orissa, excepting the epic poem called the kanchi Kaviri Pothi." (୨୦)

୨୦। ଓଡ଼ିଶା-ଷ୍ଟାର୍ଲିଙ୍ଗ ପୃ-୫୪

 

କବିସମ୍ରାଟ ପଦବୀ ଓ କବି ଉପେନ୍ଦ୍ରଭଞ୍ଜ

 

୧୮୯୯ ଖ୍ରୀଷ୍ଟାବ୍ଦର ଜାନୁୟାରୀ ମାସରେ Rev.J.Long ମଧ୍ୟ ଓଡ଼ିଆ ଭାଷାରେ ପୂର୍ବରୁ ରହିଥିବା କାବ୍ୟ-କବିତା ସମ୍ପର୍କରେ ମତଦେବାକୁ ଯାଇ ଉଲ୍ଲେଖ କରିଛନ୍ତି- "Oriya language has been very little cultivated. The Brahman scholars in orissa as well as in Bengal despised the vernacular. The Bhagabat-Gita however was translated from the sanskrit in oriya three centuries ago, among original works are the Rasa Kalol on Krishna, the Vaidehi-Vilasa about Rama, the Labaneatatva a tale, the Mukund Mala, jaratibhakti a vaishna work, Rasamanjari and Rasapanchak with several Mahat-means or temple legend." (୨୧) ଏଥିରୁ ଭଞ୍ଜ କବିଙ୍କ ରଚିତ ଚାରିଗୋଟି ଗ୍ରନ୍ଥର ପରିଚୟ ମିଳେ । କିନ୍ତୁ ଏ ଗୁଡ଼ିକର କବି ଉପେନ୍ଦ୍ର ଭଞ୍ଜ ‘କବି ସମ୍ରାଟ’ ଥିବାର କୌଣସି ସୂଚନା ମିଳେନାହିଁ ।

 

୧୮୭୨ ଖ୍ରୀଷ୍ଟାବ୍ଦରେ ସର୍ବ ପ୍ରଥମେ ଐତିହାସିକ ହଣ୍ଟର ସାହେବ ଭଞ୍ଜ-କବିଙ୍କର ଏକ ଗ୍ରନ୍ଥ ତାଲିକା ପ୍ରସ୍ତୁତ କରିବାକୁ ଉଦ୍ୟମ କରନ୍ତି । ଏହି ଆଲୋଚନା ସମୟରେ ସେ ଉପେନ୍ଦ୍ର ଭଞ୍ଜଙ୍କୁ ‘କବି-ସମ୍ରାଟ’ ଉପେନ୍ଦ୍ର ଭଞ୍ଜ ଲେଖିଥିବା ଦେଖାଯାଏ ନାହିଁ । (୨୨) ତା’ପରେ ୧୮୭୨ ଖ୍ରୀଷ୍ଟାବ୍ଦ ଠାରୁ ୧୮୯୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭଞ୍ଜ-ସାହିତ୍ୟ ଉପରେ ଯେଉଁ ସବୁ ଆଲୋଚନା ହୋଇଛି ସେ ସମସ୍ତର ବିବରଣୀ ଏହି କ୍ଷୁଦ୍ର ପ୍ରବନ୍ଧରେ ଦେବା ସମ୍ଭବପର ନୁହେଁ ।

 

୧୮୯୨-ଠାରୁ ୧୮୯୪ ଖ୍ରୀଷ୍ଟାବ୍ଦ ମଧ୍ୟରେ ଭଞ୍ଜ-ସାହିତ୍ୟ ଓ ରାଧାନାଥ-ସାହିତ୍ୟକୁ ନେଇ ଓଡ଼ିଶାର ସାହିତ୍ୟାକାଶରେ ଏକ ପ୍ରବଳ ଘର୍ଣ୍ଣିବାତ୍ୟା ପ୍ରବାହିତ ହୋଇଥିଲା । ଓଡ଼ିଆ ସାହିତ୍ୟର ପଣ୍ଡିତଗଣ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ ହୋଇଥିଲେ । ଗୋଟିଏ ଗୋଷ୍ଠୀ ଭଞ୍ଜକବିଙ୍କୁ ସର୍ବଶ୍ରେଷ୍ଠ ତଥା ଅସାଧାରଣ କବି ରୂପେ ପ୍ରତିପାଦିତ କରିବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ‘ଇନ୍ଦ୍ରଧନୁ’ ନାମକ ଏକ ପତ୍ରିକା ପ୍ରକାଶ କରି ତାହାରି ମାଧ୍ୟମରେ ଉପେନ୍ଦ୍ର-ସାହିତ୍ୟର ବୈଶିଷ୍ଟ୍ୟ ଆଲୋଚନା କରିବାକୁ ଲାଗିଲେ । ପକ୍ଷାନ୍ତରରେ ଅପରଗୋଷ୍ଠୀ ତତ୍‌କାଳୀନ କବି ରାଧାନାଥ ରାୟଙ୍କୁ ନବଯୁଗର ବାର୍ତ୍ତାବହ ତଥା ପ୍ରତିଷ୍ଠାତା କହି ସମଗ୍ର ଓଡ଼ିଆ-ସାହିତ୍ୟର ଶ୍ରେଷ୍ଠ କବି ରୂପେ ପ୍ରମାଣିତ କରିବାପାଇଁ ‘ବିଜୁଳି’ ନାମକ ଏକ ପତ୍ରିକା ପ୍ରକାଶ କଲେ । କ୍ରମଶଃ ଉଭୟଗୋଷ୍ଠୀ ପତ୍ରିକା ମାଧ୍ୟମରେ ସାହିତ୍ୟ ଆଲୋଚନା କରୁ କରୁ ପରିଶେଷରେ ସ୍ୱାର୍ଥ-କୈନ୍ଦ୍ରିକ ହୋଇ ‘ଅ-ସାହିତ୍ୟ’ ସୃଷ୍ଟି କରିବାକୁ ଲାଗିଲେ । ସାହିତ୍ୟ-ସାଗର ମନ୍ଥନରୁ ହଳାହଳ ବିଷର ଉତ୍ପନ୍ନ ହେବାକୁ ଲାଗିଲା । ‘ବିଜୁଳି’ ପତ୍ରିକାରେ ଉପେନ୍ଦ୍ରଭଞ୍ଜଙ୍କୁ ବହୁ କଟୁସମାଲୋଚନା କରାଯିବ ସଙ୍ଗେ ସଙ୍ଗେ ‘ଇନ୍ଦ୍ରଧନୁ’ର ଲେଖକ ଗୋଷ୍ଠୀ ରାଧାନାଥଙ୍କୁ ବ୍ୟଙ୍ଗ ବିଦ୍ରୂପ କରି ଉପେନ୍ଦ୍ର ହିଁ ଓଡ଼ିଆ ସାହିତ୍ୟାକାଶରେ ଏକମାତ୍ର ଧ୍ରୁବତାରା ରୂପେ ପ୍ରମାଣ କରିବାକୁ ଚେଷ୍ଟା କରୁଥିଲେ । ଯଦି ଏହି ସଂଘର୍ଷ ସମୟକୁ ଉପେନ୍ଦ୍ରଭଞ୍ଜ ‘କବି-ସମ୍ରାଟ’ ବୋଲି ପରିଚିତ ହୋଇଥାନ୍ତେ, ତେବେ ଇନ୍ଦ୍ରଧନୁର ସ୍ତାବକଗଣ ତାହା ନିଶ୍ଚିତ ଭାବେ ଉଲ୍ଲେଖ କରିଥାନ୍ତେ ଓ ଏହି ‘ପଦବୀ’ ଦ୍ୱାରା ଭଞ୍ଜ-କବିଙ୍କୁ ସେମାନେ ରାଧାନାଥଙ୍କ ଠାରୁ ସର୍ବଶ୍ରେଷ୍ଠ ବୋଲି ଅକୁଣ୍ଠ ଚିତ୍ତରେ ପ୍ରମାଣ କରିଥାନ୍ତେ । ମାତ୍ର ଦୁଃଖର କଥା ଯେ ଯେହେତୁ ଏହି ସମୟବେଳକୁ ଓଡ଼ିଶାର ଜନସମାଜ ଉପେନ୍ଦ୍ରଙ୍କୁ ‘କବିସମ୍ରାଟ’ ରୂପେ ଗ୍ରହଣ କରି ନ ଥିଲେ, ତେଣୁ ମନେହୁଏ ଯେ ଭଞ୍ଜୀୟ ଆଲୋଚକଗଣ କବିଙ୍କୁ ‘ଭଞ୍ଜ-କବି’ ବୋଲି ହିଁ ଗ୍ରହଣ କରିଛନ୍ତି ।

୨୧। I Bid - (p-189)

୨୨। Orissa by Hunter

 

(ମୋର ଦୃଷ୍ଟିକୁ ଆସିଥିବା ସ୍ୱଳ୍ପ ଇନ୍ଦ୍ରଧନୁ ଓ ବିଜୁଳି ପତ୍ରିକାର ଅବଲମ୍ବନରେ ଏହି ମତ ଉଲ୍ଲେଖ କରିଛି । ଯଦି କୌଣସି ବିଜ୍ଞ ପାଠକ ନିକଟରେ ‘କବି-ସମ୍ରାଟ’ ପଦବୀ ପ୍ରୟୋଗ ଥିବା ଇନ୍ଦ୍ରଧନୁ ଓ ବିଜୁଳି ଥିବ ତେବେ ମୋର ମତ ମୁଁ ପରିବର୍ତ୍ତନ କରିବି) ।

 

୧୮୯୭-୧୮୯୮ ଖ୍ରୀଷ୍ଟାବ୍ଦରେ ଶ୍ରୀଯୁକ୍ତ ମନମୋହନ ଚକ୍ରବର୍ତ୍ତୀ 'Language and Literature of Orissa' ପ୍ରବନ୍ଧନରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରସଙ୍ଗରେ ଉପେନ୍ଦ୍ର-ସାହିତ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । (୨୩) କିନ୍ତୁ ଚକ୍ରବର୍ତ୍ତୀ ମହାଶୟ ମଧ୍ୟ ଉକ୍ତ ‘ପଦବୀ’ର ପ୍ରୟୋଗ କବିଙ୍କ ପାଇଁ କରି ନାହାନ୍ତି

୨୩। J. R. A. S. B 1897 and 1898

 

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୯୦୩ ଖ୍ରୀଷ୍ଟାବ୍ଦରେ ପଠିତ ‘ଓଡ଼ିଆ ଭାଷା ଓ ପ୍ରାଚୀନ ଓଡ଼ିଆ ସାହିତ୍ୟ’ ପ୍ରବନ୍ଧରେ ଭଞ୍ଜକବିଙ୍କ ରଚନା ସମ୍ପର୍କରେ ଏକ ତାଲିକା ଦେଖିବାକୁ ମିଳେ ।(୨୪)। ଏହି ଅବସରରେ ସେ ଭଞ୍ଜ-ସାହିତ୍ୟ ସମ୍ପର୍କରେ ଯେଉଁ ଆଲୋଚନା କରିଛନ୍ତି, ସେଥିରେ ମଧ୍ୟ ‘କବି’-ସମ୍ରାଟ ପଦବୀର ଉଲ୍ଲେଖ ନାହିଁ ।

୨୪। ଉତ୍କଳ ସାହିତ୍ୟ-୭ମ, ଭାଗ, ୭ମ ସଂଖ୍ୟା ଆଶ୍ୱିନ ୧୩୧୧ ସାଲ

 

ଐତିହାସିକ ତାରିଣୀ ଚରଣ ରଥଙ୍କ ‘ଉତ୍କଳ ସାହିତ୍ୟର ଇତିହାସ’ ୧୯୧୬ ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଥିଲେ ମଧ୍ୟ ଏହାର ଦୁଇବର୍ଷ ପୂର୍ବରୁ ତାହା ଲେଖା ଯାଇଥିଲା ବୋଲି ସ୍ୱୟଂ ଲେଖକ ଉକ୍ତ ଗ୍ରନ୍ଥର ଭୂମିକାରେ ଉଲ୍ଲେଖ କରିଛନ୍ତି । ଶ୍ରୀଯୁକ୍ତ ରଥ ଏହି ଗ୍ରନ୍ଥର ଏକ ଅଧ୍ୟାୟର ନାମ ‘‘ଉପେନ୍ଦ୍ର ଭଞ୍ଜ ବୀରବର’’ ଦେଇ ଉପେନ୍ଦ୍ର-ସାହିତ୍ୟ ସମ୍ପର୍କରେ ତଥା ତାଙ୍କର ‘ବୀରବର’ ପଦବୀ ବିଷୟରେ ସମ୍ୟକ ସୂଚନା ଦେଇଛନ୍ତି ।(୨୫) ମାତ୍ର ସମଗ୍ର ଆଲୋଚନା ମଧ୍ୟରେ କୁତ୍ରାପି ‘କବି-ସମ୍ରାଟ’ ଉପାଧିର ବ୍ୟବହାର କରି ନ ଥିବା ଦେଖାଯାଏ ।

୨୫। ଉତ୍କଳ ସାହିତ୍ୟର ଇତିହାସ, ଶ୍ରୀ ତାରିଣୀ ଚରଣ ରଥ, ପ୍ରଥମ ମୁଦ୍ରଣ, ୧୯୧୬-ପୃ-୨୫

 

 

 

 

 

କବିସମ୍ରାଟ ପଦବୀ ଓ କବି ଉପେନ୍ଦ୍ର ଭଞ୍ଜ

 

ସେହିପରି ଶ୍ରୀ ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ ୧୯୨୯ ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଥିଲେ ମଧ୍ୟ, ଏଥିର ବିଷୟଗୁଡ଼ିକ ପ୍ରବନ୍ଧାକାରରେ ଏହି ସମୟର ୧୨/୧୩ ବର୍ଷ ପୂର୍ବେ ଅର୍ଥାତ ୧୯୧୬/୧୯୧୭ ‘ମୁକୁର’ରେ ଧାରାବାହିକ ଭାବେ ଆତ୍ମପ୍ରକାଶ କରିଥିଲା ବୋଲି ଲେଖକ ଗ୍ରନ୍ଥର ଭୂମିକାରେ ସୂଚାଇଛନ୍ତି । ସେହି ସମୟରେ ଉପେନ୍ଦ୍ର-ସାହିତ୍ୟ ସମ୍ପର୍କରେ ଆଲୋଚନା ପ୍ରସଙ୍ଗରେ ପ୍ରବନ୍ଧକ ସିଂହ ‘କବିଚନ୍ଦ୍ର ଉପଇନ୍ଦ୍ର ଭଞ୍ଜ ଓ ଭଞ୍ଜ ମହାଶୟ’ ବୋଲି ଉଲ୍ଲେଖ କରିଥିଲେ ମଧ୍ୟ ଗ୍ରନ୍ଥଟିର ୧ମ ଓ ଦ୍ୱିତୀୟ ସଂସ୍କରଣରେ ‘କବିସମ୍ରାଟ’ ପଦବୀର ଉଲ୍ଲେଖ ଥିବା ଦେଖାଯାଏ ।

 

ମନୀଷୀ ନୀଳକଣ୍ଠ ‘‘ସତ୍ୟବାଦୀ’’ ମାସିକ ପତ୍ରିକାରେ (୨୬) ଧାରାବାହିକଭାବେ ଭଞ୍ଜକବିଙ୍କ ‘ଲାବଣ୍ୟବତୀ’ କାବ୍ୟ ସଂପର୍କରେ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା ପ୍ରକାଶ କରୁଥିଲେ । ଭକ୍ତ ସୁବିସ୍ତୃତ ପ୍ରବନ୍ଧରେ ପଣ୍ଡିତ ନୀଳକଣ୍ଠ ‘‘ପ୍ରାଚୀନ ଓଡ଼ିଆ କବିଙ୍କ ମଧ୍ୟରେ ଭଞ୍ଜ ଶ୍ରେଷ୍ଠ’’ ବୋଲି ପ୍ରତିପାଦିତ କରିଥିଲେ ମଧ୍ୟ ଉପେନ୍ଦ୍ର ଭଞ୍ଜ ‘କବି-ସମ୍ରାଟ’ ବୋଲି କୌଣସି ସ୍ଥାନରେ ଉଲ୍ଲେଖ କରିଥିବା ପରିଲକ୍ଷିତ ହୁଏ ନାହିଁ । ଯଦି ସେତେବେଳକୁ ଉପେନ୍ଦ୍ର ଭଞ୍ଜ ଜନସମାଜରେ କିମ୍ବା ଶିକ୍ଷିତ ସମାଜରେ କିମ୍ବା ସାହିତ୍ୟ ଜଗତରେ ‘କବି-ସମ୍ରାଟ’ ରୂପେ ପରିଚିତ ହୋଇଥାନ୍ତି, ତେବେ ପଣ୍ଡିତ ନୀଳକଣ୍ଠ ନିଶ୍ଚିତ ଭାବେ ତାଙ୍କର ପ୍ରବନ୍ଧରେ ସେହି ପଦବୀ ସମ୍ପର୍କରେ ସୂଚନା ଦେଇଥାନ୍ତେ ଅଥବା ‘ପଦବୀ’ର ପ୍ରୟୋଗ କରିଥାନ୍ତେ ।

୨୬। ସତ୍ୟବାଦୀ-୧୩୨୩ ସାଲ

 

ତା’ପରେ ୧୯୨୩ ଖ୍ରୀଷ୍ଟାବ୍ଦରେ ବଂଗୀୟ ସମାଲୋଚକ ଶ୍ରୀ ବିଜୟ ଚନ୍ଦ୍ର ମଜୁମଦାର "Typical Selection from Oriya Literature' ଗ୍ରନ୍ଥରେ 'Upendra Bhanj and his Time' ଶୀର୍ଷକ ଆଲୋଚନା ପ୍ରସଙ୍ଗରେ ଭଞ୍ଜକବିଙ୍କର ସମୟ, ଶିକ୍ଷା ଓ ପାଣ୍ଡିତ୍ୟ ଆଦି ସମସ୍ତ ବିଷୟକୁ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରି ଜଣେ ମହାଗର୍ବୀ କବି ବୋଲି ପ୍ରମାଣ କରିବା ସଙ୍ଗେ ସଙ୍ଗେ ସେ ପ୍ରାଚୀନ ଓଡ଼ିଆ-ସାହିତ୍ୟର ସର୍ବଶ୍ରେଷ୍ଠ କବି ରୂପେ ସ୍ୱୀକାର କରି "Upendra Bhanj who is regarded as the greatest Poet of the old time" ବୋଲି (୨୭) ଉଲ୍ଲେଖ କରିଛନ୍ତି । କେବଳ ସେତିକି ନୁହେଁ ସେ ଉପେନ୍ଦ୍ରଭଞ୍ଜଙ୍କୁ Mighty literary acrobat ବୋଲି (୨୮) କହିଥିଲାବେଳେ ଉପେନ୍ଦ୍ର ଓଡ଼ିଆ ସାହିତ୍ୟର ‘କବି ସମ୍ରାଟ’ ରୂପେ ସ୍ୱୀକୃତ ବୋଲି କୌଣସି ସ୍ଥାନରେ ଉଲ୍ଲେଖ କରି ନାହାନ୍ତି । ଯଦି ଶ୍ରୀ ମଜୁମଦାର ଲୋକମୁଖରୁ ତାହା ଶୁଣିଥାନ୍ତେ କିମ୍ବା ସମାଲୋଚନା ଜଗତରୁ ଜାଣି ପାରିଥାନ୍ତେ ତେବେ ସେ ନିଶ୍ଚିତ ଭାବେ ତାଙ୍କର ସୁବିସ୍ତୃତ ଆଲୋଚନା ମଧ୍ୟରେ ଅନ୍ତତଃ ଥରେ ହେଲେ ‘କବିସମ୍ରାଟ’ ପଦବୀର ପ୍ରୟୋଗ କରିଥାନ୍ତେ ।

 

୨୭।Typical selection from oriya Literature, Volume-11, page-17

୨୮। ତତ୍ରୈବ, ପୃ-୨୩

 

କିନ୍ତୁ ପଣ୍ଡିତ ଶ୍ରୀ ବିନାୟକ ମିଶ୍ର ତାଙ୍କର ‘ଓଡ଼ିଆ-ସାହିତ୍ୟର ଇତିହାସ’ ଗ୍ରନ୍ଥରେ ସ୍ପଷ୍ଟଭାବେ ‘କବି-ସମ୍ରାଟ’ ପଦବୀ ଉଲ୍ଲେଖ କରିଥିବା ଦେଖାଯାଏ । ପଣ୍ଡିତ ମିଶ୍ର ଉପେନ୍ଦ୍ର ଭଞ୍ଜଙ୍କ ସମ୍ପର୍କରେ ଆଲୋଚନା କରିବା ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି-‘ଉତ୍କଳର ଏହି କବି-ସମ୍ରାଟ’ ନିଜ ରଚିତ ‘ରସପଞ୍ଚକ’ ଇତ୍ୟାଦି । ଏହାର ପରେ ୧୯୨୯ରେ ପ୍ରକାଶିତ ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ରେ ଏହି ପଦବୀର ଉଲ୍ଲେଖ ଥିବା ପୂର୍ବରୁ ଉଲ୍ଲେଖ କରାଯାଇଛି । ଭାବାତିଶଯ୍ୟରୁ ଏହିପରି ୧୯୨୮ ବେଳକୁ ଉପେନ୍ଦ୍ର ଭଞ୍ଜଙ୍କୁ କବି-ସମ୍ରାଟ ବୋଲି ଉଲ୍ଲେଖ କରିଥିବା ଦେଖାଯାଏ । କିନ୍ତୁ ପ୍ରକୃତରେ ଏହି ପଦବୀର ବହୁଳ ପ୍ରଚାର ଘଟେ ୧୯୪୪ ପରେ ପରେ । ୧୯୨୮ ବେଳକୁ ଓଡ଼ିଆଜାତି ଉପେନ୍ଦ୍ର ଭଞ୍ଜଙ୍କୁ ‘କବି-ସମ୍ରାଟ’ କହିବା ପାଇଁ ଆଗେଇ ଆସିଥିଲା ଯାହାର ପୃଷ୍ଠଭୂମିରେ ରହିଥିଲା ବଙ୍ଗୀୟ କବି ରବୀନ୍ଦ୍ର ନାଥ ଟାଗୋରଙ୍କ ‘ବିଶ୍ୱ-କବି’ ପଦବୀ । ସେ ସମ୍ପର୍କରେ ଅନୁଧ୍ୟାନ କଲେ ଜଣାଯାଏ ଯେ ୧୯୧୩ ଖ୍ରୀଷ୍ଟାବ୍ଦରେ ରବୀନ୍ଦ୍ର ନାଥଙ୍କ ଗୀତାଞ୍ଜଳି ବିଶ୍ୱସାହିତ୍ୟ ଦରବାରରେ ଉଚ୍ଚ ପ୍ରଶଂସିତ ହୁଏ ଓ ସେଥିପାଇଁ କବି ନୋବଲ ପୁରସ୍କାର ଲାଭ କରନ୍ତି । ଏହି ଯେଉଁ ଗୌରବ, ତାହା ଭାରତର ସମସ୍ତ ପ୍ରାନ୍ତୀୟ ସାହିତ୍ୟିକ ତଥା ପଣ୍ଡିତଙ୍କ ମନରେ ନିଜ ନିଜର ସାହିତ୍ୟର ଉନ୍ନତି ପାଇଁ ଏକ ପ୍ରକାର ଜାଗରଣ ସୃଷ୍ଟି କରେ । ପ୍ରତ୍ୟେକ ନିଜ ନିଜର ପ୍ରାଚୀନ କାବ୍ୟ-କବିତାଗୁଡ଼ିକୁ ଇଂରାଜୀ ଭାଷାରେ ଅନୁବାଦ କରି ବିଶ୍ୱ-ଦରବାରରେ ଉପସ୍ଥାପିତ କରିବାକୁ ଚେଷ୍ଟା କରନ୍ତି । ଏହି ଭାବ-ପ୍ରବାହର ବଶବର୍ତ୍ତୀ ହୋଇ ଯେଉଁ କେତେକ ଓଡ଼ିଆ ଯୁବକ ଉପେନ୍ଦ୍ର ଭଞ୍ଜଙ୍କୁ ଓଡ଼ିଆ-ସାହିତ୍ୟର ସର୍ବଶ୍ରେଷ୍ଠ କବି କହି, ତାଙ୍କର କାବ୍ୟ-କବିତାକୁ ଇଂରେଜୀ ଭାଷାରେ ଅନୁବାଦ କରି ବିଶ୍ୱ-ଦରବାରରେ ଉପସ୍ଥାତିତ କରିବାକୁ ଚେଷ୍ଟାକଲେ, ତନ୍ମଧ୍ୟରୁ ‘କଳିଙ୍ଗ ଭାରତୀ’ର ଉଦ୍ୟୋକ୍ତାଗଣ ଅନ୍ୟତମ । କଟକରେ ଯେତେବେଳେ ମହାସମାରୋହରେ ରବୀନ୍ଦ୍ର ଜୟନ୍ତୀ ପାଳନ ହେଉଥାଏ, ସେତେବେଳେ କେତେଜଣ ଓଡ଼ିଆପ୍ରେମୀ ଯୁବକ ମନେ ମନେ ନିଜର ମାତୃଭାଷାର ଶ୍ରେଷ୍ଠକବି ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳନ କରିବାକୁ ଉଦ୍ୟତ ହୁଅନ୍ତି । ୧୯୪୪ ମସିହା ମେ’ମାସ ୧୬ ତାରିଖରେ ସର୍ବପ୍ରଥମେ ‘କଳିଙ୍ଗ ଭାରତୀ’ର ପ୍ରତିଷ୍ଠା ହୁଏ ଏବଂ ସେହିଦିନ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳନ କରା ଯାଇଥିଲା । (୨୯) ସେତେବେଳେ ‘କଳିଙ୍ଗ ଭାରତୀ’ର ପୁରୋଧାଗଣଙ୍କ ଯୁକ୍ତିଥିଲା ଯେ ରବୀନ୍ଦ୍ର ନାଥ ଯଦି ‘ଗୀତାଞ୍ଜଳି’ ପାଇଁ ‘ବିଶ୍ୱକବି’ ବୋଲାଇ ପାରିଲେ, ତେବେ ଉପେନ୍ଦ୍ର ଭଞ୍ଜ ତାଙ୍କର ବିପୁଳ ସୃଷ୍ଟି ତଥା ଅସାଧାରଣ ପାଣ୍ଡିତ୍ୱପୂର୍ଣ୍ଣ ରଚନା ପାଇଁ କାହିଁକି ‘କବି-ସମ୍ରାଟ’ ହୋଇ ନ ପାରିବେ ? ଉକ୍ତ ଯୁକ୍ତିକୁ ନେଇ ୧୯୪୪ ମସିହା ଠାରୁ ‘କଳିଙ୍ଗ ଭାରତୀ’ର କର୍ମକର୍ତ୍ତାଗଣ ଓଡ଼ିଶାର ପୁରପଲ୍ଲୀରେ ଭଞ୍ଜ-କବିଙ୍କୁ ‘କବି-ସମ୍ରାଟ’ ରୂପେ ପ୍ରଚାର କରିବା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରି ପରିଶେଷରେ କୃତକାର୍ଯ୍ୟ ହୋଇ ପାରିଥିବା ମନେହୁଏ ।

 

୨୯। ‘କଳିଙ୍ଗ-ଭାରତୀ’-ଶ୍ରୀ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ପୃ-୬/୭

 

ଉପରୋକ୍ତ ପରିପ୍ରେକ୍ଷୀରୁ ସ୍ପଷ୍ଟ ଅନୁମତି ହୁଏ ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକ ପର୍ଯ୍ୟନ୍ତ ଉପେନ୍ଦ୍ର ଭଞ୍ଜଙ୍କୁ ‘କବି ଉପଇନ୍ଦ୍ର ବା ବୀରବର ଉପଇନ୍ଦ୍ର’ ବୋଲି ସମସ୍ତେ ଜାଣିଥିଲେ । ମାତ୍ର ୧୯୨୮ ପରେ ପରେ ବିଶେଷତଃ ୧୯୪୪ ଖ୍ରୀଷ୍ଟାବ୍ଦ ପରେ ଉପେନ୍ଦ୍ର ଭଞ୍ଜଙ୍କୁ ‘କବି-ସମ୍ରାଟ’ ପଦବୀରେ ଭୂଷିତ କରି ଦିଆଯାଇ ରବୀନ୍ଦ୍ରଙ୍କ ଠାରୁ ମଧ୍ୟ ବଡ଼ କରି ଦିଆଗଲା । ସୁତରାଂ ମତବ୍ୟକ୍ତ କରାଯାଇପାରେ ଯେ ଉପେନ୍ଦ୍ର ତାଙ୍କ ଜୀବଦ୍ଦଶାରେ କୌଣସି ରାଜଦରବାରରୁ ଉକ୍ତ ପଦବୀ ଲାଭ ନ କରି, ମୃତ୍ୟୁର ୨୫୦ ବର୍ଷ ପରେ ଜନତା ଦରବାରରୁ ଅର୍ଥାତ୍‌ ‘କଳିଙ୍ଗ ଭାରତୀ’ ଅନୁଷ୍ଠାନ ପକ୍ଷରୁ ଉକ୍ତ ପଦବୀ ପ୍ରାପ୍ତ ହୋଇଥିଲେ । ଏହା ଯେ ‘ଭାବାତିଶଯ୍ୟ’ରୁ ଦିଆଯାଇଛି ସେଥିରେ ଦ୍ୱିମତ ହେବାର ଅବକାଶ ନାହିଁ । (୩୦)

 

୩୦। ନରରବି-ପ୍ରବନ୍ଧ, ଅଧ୍ୟାପକ ନିତ୍ୟାନନ୍ଦ ଶତପଥୀ, ୧୯୭୩ ଅଗଷ୍ଟ ସଂଖ୍ୟା, ପୃ-୪୧

 

Unknown

ଶକ୍ତି-ଉପାସନା ଓ ଶାକ୍ତ-ପୀଠ

ଶ୍ରୀ ସୁଶିଲ ଚନ୍ଦ୍ର ଦେ

ପୃଥିବୀର ସବୁ ଦେବ-ଦେବୀଙ୍କ ମଧ୍ୟରେ ପ୍ରଥମେ ମାତୃଦେବୀଙ୍କର ଆବିର୍ଭାବ ହେଲା । କିଛିକାଳ ପରେ ପିତୃ-ଦେବତାଙ୍କ ଆବିର୍ଭାବ ହେଲା । କ୍ରମେ ଦୁହିଁଙ୍କ ସମନ୍ୱୟ ହୋଇ ପିତୃ-ମାତୃ ପୂଜାର ଆରମ୍ଭ ହେଲା । ବୈଦିକ ଯୁଗରେ ପିତୃଦେବ ଓ ମାତୃଦେବୀ, ରୁଦ୍ରଦେବ ଓ ତାଙ୍କ ପତ୍ନୀ ଅମ୍ବିକାରେ ପରିଣତ ହେଲେ । କ୍ରମେ ରୁଦ୍ର ଶିବ, ମହେଶ, ଭବେଶ, ମହାଦେବ ଇତ୍ୟାଦି ନାମରେ ଓ ଅମ୍ବିକା ଦୁର୍ଗା, ଉମା, ଗୌରୀ, କାଳୀ, କରାଳୀ ଇତ୍ୟାଦି ନାମରେ ପରିଚିତ ହେଲେ । ପରେ ଦେବୀଙ୍କୁ ଆଦ୍ୟାଶକ୍ତି, ବିଶ୍ୱ-ସୃଷ୍ଟି-ସ୍ଥିତି-ପାଳନକାରିଣୀ ରୂପେ କଳ୍ପନା କରାଗଲା ଓ ଶକ୍ତିପୂଜାର ସୃଷ୍ଟିହେଲା । ଶକ୍ତି ତାନ୍ତ୍ରିକମାନଙ୍କର ଉପାସ୍ୟ ଦେବୀ, ଶକ୍ତିଙ୍କ ଉପାସନାର ପ୍ରସାର ସଙ୍ଗେ ସଙ୍ଗେ ତାନ୍ତ୍ରିକ ଧର୍ମର ପ୍ରସାର ହେଲା । ସେ ବିଷୟରେ ପରେ ଆଲୋଚନା କରାଯିବ ।

 

ମାତୃ-ପୂଜା ବା ଶକ୍ତି-ପୂଜାର କ୍ରମ-ବିକାଶ ସମ୍ବନ୍ଧରେ କେତେକ ଐତିହାସିକ ତଥ୍ୟ ଅଛି । ସିଂହବାହିନୀ ଦୁର୍ଗାଙ୍କ ଅନୁରୂପ ମୂର୍ତ୍ତି ସିରିଆ ଓ ଅନ୍ୟ ପଶ୍ଚିମ-ଏସିଆ ଦେଶମାନଙ୍କରେ ମିଳିଛି । କେତେକ କୁଷାଣ ମୁଦ୍ରାରେ ଭବେଶଙ୍କ ନିକଟରେ ଗୋଟିଏ ସିଂହବାହିନୀ ଦେବୀମୂର୍ତ୍ତି ଦେଖିବାକୁ ମିଳେ । କେତେକ ମୁଦ୍ରାରେ ସିଂହବାହିନୀ ଦେବୀଙ୍କ ନାମ ସିରିଆର ଦେବୀ ନାନ୍ନ ବୋଲି ଲେଖାଅଛି, ଅନ୍ୟମାନଙ୍କରେ ଉମା ବୋଲି ଲେଖାଅଛି । ଏଥିରୁ ଜଣାପଡ଼େ ଯେ ବିଦେଶୀ କୁଷାଣମାନେ ସିରିଆର ନାନ୍ନ ଓ ଭାରତର ଉମାକୁ ଏକ ମନେ କରୁଥିଲେ । କେତେକ ଗୁପ୍ତ ମୁଦ୍ରାମାନଙ୍କରେ ସିଂହବାହିନୀ ଦେବୀ ଅମ୍ବିକାଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ପ୍ରଥମ ଶତାବ୍ଦୀରେ ଲିଖିତ ପ୍ଳିନିଙ୍କ ‘ପେରିପ୍ଳସ’ ଗ୍ରନ୍ଥରେ କୁମାରୀ ପୂଜକ ସମ୍ପ୍ରଦାୟ ବିଷୟରେ ଉଲ୍ଲେଖ ଅଛି । ସେମାନେ ଆଜୀବନ ବ୍ରହ୍ମଚାରୀ ରହି କୁମାରୀ ବ୍ରତ ପାଳନ କରୁଥିଲେ । ତୈତ୍ତିରୀୟ ଆରଣ୍ୟକର ଦେବୀ ଗାୟତ୍ରୀରେ ଦୁର୍ଗାଙ୍କୁ କାତ୍ୟାୟନୀ ଓ କନ୍ୟାକୁମାରୀ କୁହାଯାଇଛି । ସୁତରାଂ କୁମାରୀ ପୂଜା ଭାରତରେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ପୂର୍ବରୁ ପ୍ରଚଳିତ ଥିବାର ପ୍ରମାଣ ପ୍ଳିନିଙ୍କ ଗ୍ରନ୍ଥରୁ ମିଳେ ।

 

ମହିଷ-ମର୍ଦ୍ଦିନୀ ଦୁର୍ଗାଦେବୀଙ୍କର ଏକ ଅତି ଜନପ୍ରିୟ ମୂର୍ତ୍ତି । ପ୍ରଥମେ ଦୁର୍ଗାଦେବୀଙ୍କର ଦୁଇଟି ହାତ ଥିଲା । ଯାଜପୁର ବିରଜା ଦେବୀ ଦୁଇହସ୍ତ ବିଶିଷ୍ଟ ଦୁର୍ଗା । ଭାରତରେ ଏହିପରି ଦୁଇହସ୍ତ ବିଶିଷ୍ଟ ଦୁର୍ଗା ଅନ୍ୟତ୍ର ମିଳିନାହିଁ । ନାଗୋଡ଼ର ଭୁମର ମନ୍ଦିରରେ ଗୁପ୍ତଯୁଗର ଯେଉଁ ମହିଷମର୍ଦ୍ଦିନୀ ମୂର୍ତ୍ତି ଅଛନ୍ତି ସେ ଚତୁର୍ହସ୍ତା । ଏହି ଦୃଷ୍ଟିରୁ ବିରଜା ଦେବୀ ପ୍ରାକ-ଗୁପ୍ତଯୁଗର ବୋଲି ମନେହୁଏ । ଏହା ପ୍ରତ୍ନତତ୍ତ୍ୱବିତ୍‌ ରମାପ୍ରସାଦ ଚନ୍ଦଙ୍କର ମତ । କ୍ରମେ ଦୁର୍ଗାଦେବୀ ଷଡ଼ଭୂଜା, ଅଷ୍ଟଭୂଜା ଓ ଦଶଭୂଜା ହେଲେ । ଭୁବନେଶ୍ୱରର ବୈତାଳ ମନ୍ଦିର ଗାତ୍ରରେ ଯେଉଁ ମହିଷମର୍ଦ୍ଦିନୀ ମୂର୍ତ୍ତି ଅଛି ତାହା ଅଷ୍ଟଭୂଜା, ପ୍ରାୟ ଖ୍ରୀଷ୍ଟୟ ଅଷ୍ଟମ ଶତାବ୍ଦୀର । ଅନୁମାନିକ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ମାମଲ୍ଲପୁରର ମହିଷ ମଣ୍ଡପର ଗାତ୍ରରେ ଖୋଦିତ ଦୁର୍ଗାଙ୍କର ମହିଷାସୁର ସହିତ ଯୁଦ୍ଧ ଦୃଶ୍ୟ ଅତ୍ୟନ୍ତ ଚତ୍ତାକର୍ଷକ । ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଏଲୁରାର କୈଳାସ ମନ୍ଦିର ଗାତ୍ରରେ ଖୋଦିତ ଦୁର୍ଗା ମହିଷାସୁର ଯୁଦ୍ଧ ଚିତ୍ର ମହିଷ-ମର୍ଦ୍ଦିନୀ ଦୁର୍ଗାଙ୍କର ଏକ ଅପୂର୍ବ ଦୃଶ୍ୟ । ଏହିପରି ଭାବରେ ବୈଦିକ ଯୁଗର ଦୁର୍ଗାଦେବୀ ପରବର୍ତ୍ତୀ ଯୁଗରେ ମହିଷାସୁରମର୍ଦ୍ଦିନୀ ରୂପରେ ଆବିର୍ଭୂତା ହୋଇ ଭାରତରେ ଆଜି ପର୍ଯ୍ୟନ୍ତ ଅତି ଜନପ୍ରିୟ ଦେବୀରୂପେ ପୂଜିତ ହେଉଛନ୍ତି ।

 

ଦେବତା ବା ଦେବୀଙ୍କର ଅସୁର ଦଳନ ଆଖ୍ୟାୟିକା ଯେ କେବଳ ଭାରତରେ ପ୍ରଚଳିତ ଥିଲା ତାହା ନୁହେ, ଅନ୍ୟ ସଭ୍ୟଜାତିଙ୍କ ଆଖ୍ୟାୟିକାମାନଙ୍କରେ ଅନରୂପ ବର୍ଣ୍ଣନା ଅଛି । ଗ୍ରୀକ ଆଖ୍ୟାୟିକାରେ ସେଣ୍ଟ ଜର୍ଜଙ୍କର ଡ୍ରେଗନ ବିନାଶ ବା ଥିସୁମଙ୍କର ବୃଷାସୁର ବିନାଶ ଭାରତୀୟ ଦୁର୍ଗାଙ୍କର ମହିଷାସୁର ବିନାଶ ଆଖ୍ୟାୟିକାର ଅନୁରୂପ । ଏହିପରି ଦେବାସୁର ଯୁଦ୍ଧ ସମ୍ବନ୍ଧୀୟ ଆଖ୍ୟାୟିକା ସବୁ ଦେଶରେ ପ୍ରଚଳିତ ଥିଲା ।

ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରୁ ବୌଦ୍ଧ ଓ ହିନ୍ଦୁଧର୍ମ ଜଗତରେ ଏକ ଆଲୋଡ଼ନ ସୃଷ୍ଟିହେଲା-। ଦେବୀ, ଆଦ୍ୟାଶକ୍ତି, ସୃଷ୍ଟି-ସ୍ଥିତି-ପ୍ରଳୟକାରିଣୀ ଶକ୍ତିରୂପେ କଳ୍ପିତ ହେଲେ । ତାନ୍ତ୍ରିକ ଧର୍ମବାଦର ଆବିର୍ଭାବ ହେଲା । ହିନ୍ଦୁ ତାନ୍ତ୍ରିକ ତତ୍ତ୍ୱ ଅନୁସାରେ ଶକ୍ତି ପ୍ରକୃତରେ ସୁଗୁଣ ବ୍ରହ୍ମ । ନିର୍ଗୁଣ ନିଷ୍କଳ ବ୍ରହ୍ମ ଯେତେବେଳେ ସୃଷ୍ଟି କରିବାର ଇଚ୍ଛା ପ୍ରକାଶ କରନ୍ତି ସେତେବେଳେ ସେ ସଗୁଣ ହୁଅନ୍ତି । ତାଙ୍କର ସେହି ଅବସ୍ଥାକୁ ଶକ୍ତି ବୋଲି କଳ୍ପନା କରା ଯାଇଛି । ଅବଶ୍ୟ ଶକ୍ତିକୁ ସ୍ତ୍ରୀ ରୂପରେ କଳ୍ପନା କରାଯାଇ ଥିବାରୁ ତାଙ୍କୁ ଦେବୀ ଆଖ୍ୟା ଦିଆଯାଇଛି ।

 

ତନ୍ତ୍ର ଧର୍ମତତ୍ତ୍ୱ ଅତ୍ୟନ୍ତ ଜଳଟି । ଏହା ୧୨ଟି ଆଗମ, ୬ଟି ଡାମର, ୬ଟି ଯାମଳ, ୨୦ଟି ତନ୍ତ୍ର ଓ ୧୧ଟି ଉପତନ୍ତ୍ରରେ ଆଲୋଚିତ ହୋଇଛି । ସୁତରାଂ ଏହି ଧର୍ମତତ୍ତ୍ୱ ସମନ୍ଧରେ ଖୁବ୍‌ ସଂକ୍ଷିପ୍ତ ଭାବରେ ଆଲୋଚନା କରିବା ଏହି ପ୍ରବନ୍ଧର ପରିସର ମଧ୍ୟରେ ସମ୍ଭବ ନୁହେଁ । କେବଳ ମାତୃ-ପୂଜାର କ୍ରମ ବିକାଶ ଆଲୋଚନା ନିମନ୍ତେ ତନ୍ତ୍ରର କେତେକ ବିଶିଷ୍ଟ ମତବାଦ ସମ୍ପର୍କରେ ସୂଚନା ମାତ୍ର ଦିଆଯିବ ।

 

ତାନ୍ତ୍ରିକ ମତବାଦ ଅନୁସାରେ ମନୁଷ୍ୟ ତାର ଦ୍ୱୈତ୍ୟ ଅବସ୍ଥା ଯୋଗୁଁ ସଂସାରରେ ଦୁଃଖ ଭୋଗକରେ ଓ ମୃତ୍ୟୁପରେ ଜନ୍ମାନ୍ତର ଯନ୍ତ୍ରଣା ଭୋଗକରେ । ପ୍ରତ୍ୟେକ ମନୁଷ୍ୟ ଶରୀରରେ ଶିବ-ଶକ୍ତି ଅବସ୍ଥାନ କରୂଛନ୍ତି, କିନ୍ତୁ ପୃଥକ ଭାବରେ । ମୂଳଧାରା ଚକ୍ରରେ କୁଣ୍ଡଳିନୀ ଶକ୍ତି ସୁପ୍ତ ଅବସ୍ଥାରେ ଅଛନ୍ତି, ଶିବ ମସ୍ତକରେ ସହସ୍ରାରରେ ଅବସ୍ଥାନ କରନ୍ତି । ତାନ୍ତ୍ରିକମାନେ ଶରୀରରେ ୬ଟି ଚକ୍ର ଥିବାର କଳ୍ପନା କରନ୍ତି । କୁଣ୍ଡଳିନୀ ଶକ୍ତିର ଆଧାର ଓ ସୁଷୁମ୍ନା ନାଡ଼ୀର ମୂଳ ଚକ୍ରର ନାମ ମୂଳଧାର ଚକ୍ର । ଗୁହ୍ୟ ଦେଶର ୨ ଅଙ୍ଗୁଳି ଉପରେ ଓ ମେରୁଦଣ୍ଡର ନିମ୍ନ ସୀମାରେ ମୂଳଧାର ଚକ୍ର ଅବସ୍ଥିତ । ଏହା ଚତୁର୍ଦଳ ପଦ୍ମାକୃତି ଓ ଏହାର ବର୍ଣ୍ଣ ଲୋହିତ । ମୂଳାଧାର ଚକ୍ରର ଉପରେ ଉପସ୍ଥମୂଳର ବିପରୀତ ଦିଗରେ ଷଡ଼ଦଳ ଓ ପାଟଳ ବର୍ଣ୍ଣର ସ୍ୱାଧିଷ୍ଠାନ ଚକ୍ର ଅବସ୍ଥିତ । ନାଭୀ ଦେଶର ବିପରୀତ ଦିଗରେ ମେରୁଦଣ୍ଡ ଉପରେ ଦଶଦଳ ବିଶିଷ୍ଟ ନୀଳବର୍ଣ୍ଣର ମଣିପୂରକ ଚକ୍ର ଅବସ୍ଥିତ । ହୃତପିଣ୍ଡର ବିପରୀତ ଦିଗରେ ମେରୁଦଣ୍ଡ ଉପରେ ଦ୍ୱାଦଶଦଳ ବିଶିଷ୍ଟ ଲାଲ ରଙ୍ଗର ଅନାହତ ଚକ୍ର ଅବସ୍ଥିତ । କଣ୍ଠର ବିପରୀତ ଦିଗରେ ମେରୁଦଣ୍ଡ ଉପରେ ଷୋଡ଼ଶ-ଦଳବିଶିଷ୍ଟ ଧୂସର ରଙ୍ଗର ବିଶୁଦ୍ଧ ଚକ୍ର ଅବସ୍ଥିତ । ଦୁଇ ଭ୍ରୂମଧ୍ୟରେ ମେରୁଦଣ୍ଡର ଶେଷ ଊର୍ଦ୍ଧ୍ୱ ସୀମାରେ ଶ୍ୱେତବର୍ଣ୍ଣର ଦୁଇଦଳ ବିଶିଷ୍ଟ ଆଜ୍ଞାଚକ୍ର ଅଛି । ଆଜ୍ଞାଚକ୍ର ଉପରେ ମସ୍ତକରେ ସହସ୍ରଦଳ ବିଶିଷ୍ଟ ସହସ୍ରାରଚକ୍ର ଅଛି । ମୂଳାଧାରରେ ସୁପ୍ତ କୁଣ୍ଡଳିନୀ ଶକ୍ତିକୁ ପ୍ରବୃଦ୍ଧ କରି ସହସ୍ରାରରେ ଅବସ୍ଥିତ ପରମ ଶିବଙ୍କ ସହିତ ମିଳନ କରାଇ ସାମ୍ୟରସ ସୃଷ୍ଟି କରିବା ତାନ୍ତ୍ରିକମାନଙ୍କ ପ୍ରଧାନ ଲକ୍ଷ୍ୟ । ଏହାଦ୍ୱାରା ଶରୀରର ଦ୍ୱୈତ୍ୟାବସ୍ଥା ଅଦ୍ୱୈତରେ ପରିଣତ ହୁଏ ଓ ମୋକ୍ଷପ୍ରାପ୍ତି ହୁଏ ।

ଏହି ଷଟଚକ୍ର ସାଧନା ପାଇଁ ପ୍ରତ୍ୟେକ ତାନ୍ତ୍ରିକକୁ ଗୁରୁଠାରୁ ଦୀକ୍ଷା ନେବାକୁ ହୁଏ । ଏହି ଅନୁଷ୍ଠାନକୁ ଅଭିଷେକ କୁହାଯାଏ । ଅଭିଷେକ ପରେ ଶିଷ୍ୟ ଅଷ୍ଟାଙ୍ଗ ଯୋଗ ସାଧନା ଶିକ୍ଷାକରେ । ଅଷ୍ଟାଙ୍ଗଯୋଗ ସମ୍ପୂର୍ଣ୍ଣ ହେଲେ ଜୀବାତ୍ମା ପରମାତ୍ମା ସହିତ ମିଳିତ ହୁଏ ଓ ସାଧକ ମୋକ୍ଷ ଲାଭକରେ ।

 

ଅଷ୍ଟାଙ୍ଗ-ଯୋଗର ଆଠଟି ଅଙ୍ଗ, ଯଥା (୧) ଯମ, ଅର୍ଥାତ ଆତ୍ମସଂଯମ, ବ୍ରହ୍ମଚର୍ଯ୍ୟ ପାଳନ, ଇତ୍ୟାଦି ।

(୨) ନିୟମ-ବା ଧର୍ମାନୁଷ୍ଠାନମାନଙ୍କ ନିଷ୍ଠାପର ପାଳନ ।

(୩) ଆସନ-ବା ପ୍ରାର୍ଥନା ଓ ଶରୀର ମନର ନିୟନ୍ତ୍ରଣ, ପାଇଁ ବସିବାର ବିଭିନ୍ନ ଭଙ୍ଗୀ ।

(୪) ପ୍ରାଣାୟାମ-ବା ପ୍ରାଣବାୟୁର ନିୟନ୍ତ୍ରଣ ।

(୫) ପ୍ରତ୍ୟାହାର-ବା ଇନ୍ଦ୍ରିୟ ନିରୋଧ ।

(୬) ଧାରଣା-ବା ଏକାଗ୍ର ମନରେ ଇଷ୍ଟଚିନ୍ତା ।

୭) ଧ୍ୟାନ-ବା ଇଷ୍ଟଙ୍କ ବିଷୟରେ ଚିନ୍ତାରେ ମଗ୍ନ ହେବା ।

(୮) ସମାଧି- ବା ବାହ୍ୟଜ୍ଞାନ ଶୂନ୍ୟ ହୋଇ ଇଷ୍ଟ ଚିନ୍ତାରେ ସମ୍ୟକ ନିମଗ୍ନ ହୋଇ ଶିବଶକ୍ତିର ମିଳନ ଘଟାଇବା।

 

ଏହି ଅଷ୍ଟାଙ୍ଗ ଯୋଗ ସାଧନାରେ ସିଦ୍ଧହେଲେ ସାଧକ ଦୈତ ରୂପକ ବ୍ୟାଧିରୁ ମୁକ୍ତିପାଏ ଓ ସେ ମୋକ୍ଷଲାଭ କରେ । ସାଧକ ଯୋଗ ସାଧନା ଦ୍ୱାରା ଇଡ଼ା ଓ ପିଙ୍ଗଳାରେ ପ୍ରବାହିତ ପ୍ରାଣବାୟୁକୁ ସୁଷୁମ୍ନା ନାଡ଼ିରେ ମିଳିତ କରାଏ । ଏହାହିଁ ଶିବଶକ୍ତିଙ୍କ ମିଳନ । ବୈଦ୍ଧତନ୍ତ୍ର ମତରେ ପ୍ରଜ୍ଞା ଓ ଉପାୟର ସମନ୍ୱିତ ମିଳନ ଦ୍ୱାରା ସାଧକ ବୋଧିଚିତ୍ତ ପ୍ରାପ୍ତହୋଇ ମୋକ୍ଷ ଲାଭକରେ । ଲଳନା ଓ ରସନା ନାଡ଼ୀରେ ପ୍ରବାହିତ ପ୍ରାଣବାୟୁକୁ ଅବଧୂତୀ ନାଡ଼ୀରେ ମିଳିତ କରାଇ ପାରିଲେ ସାଧକ ସିଦ୍ଧଲାଭ କରେ । ହିନ୍ଦୁ ଓ ବୌଦ୍ଧତନ୍ତ୍ର ପ୍ରାୟ ଏକ ପ୍ରକାର, କେବଳ କେତେକ ନାମର ପ୍ରଭେଦ ।

 

ତାନ୍ତ୍ରିକ ସାଧନାରେ ନାନା ପ୍ରକାର ଯୋଗର ବ୍ୟବସ୍ଥା ଅଛି, ଯଥା ହଠ ଯୋଗ, ମନ୍ତ୍ରଯୋଗ, ରାଜଯୋଗ, ଲୟଯୋଗ ଇତ୍ୟାଦି । ସାଧକମାନଙ୍କର ମଧ୍ୟ ବିଭାଗ ଅଛି, ଯଥା ପଶୁ, ବୀର, ଦିବ୍ୟ । କେଉଁ ସାଧକ କି ପ୍ରକାରରେ ସାଧନା କରିବ ତାହା ଗୁରୁ ସ୍ଥିର କରନ୍ତି ।

 

ତାନ୍ତ୍ରିକ ସାଧନାରେ ମନ୍ତ୍ର, ମୁଦ୍ରା, ମଣ୍ଡଳ ଓ ପଞ୍ଚ ‘ମ’ କାର ପ୍ରଧାନ ସହାୟକ । ମନ୍ତ୍ରର ଉଚ୍ଚାରଣ ଦ୍ୱାରା ନାଦର ଓ ମୁଦ୍ରା ଦ୍ୱାରା ସ୍ପର୍ଶର ଅନ୍ତର୍ନିହିତ ଆଧ୍ୟାତ୍ମିକ ସତ୍ତାକୁ ଜାଗ୍ରତ କରାହୁଏ । ଦେବ-ଦେବୀଙ୍କ ଉପାସନା ପାଇଁ ନାନା ପ୍ରକାର ଜ୍ୟାମିତିକ ଚିତ୍ର ଅଙ୍କନ କରାଯାଈ ତନ୍ମଧ୍ୟରୁ ବିଭିନ୍ନ ବିନ୍ଦୁରେ ଦେବଦେବୀଙ୍କ ଅବସ୍ଥାନ କଳ୍ପନା କରାଯାଏ, ଏହାକୁ ମଣ୍ଡଳ କୁହାଯାଏ ।

 

ପଞ୍ଚ ‘ମ’ କାର

ମଦ୍ୟ ମାଂସ ମତ୍ସ୍ୟ ମୁଦ୍ରା ଓ ମୈଥୁନକୁ ପଞ୍ଚ ‘ମ’ କାର କୁହାଯାଏ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ତାନ୍ତ୍ରିକ ଗୁରୁମାନେ ସେମାନଙ୍କର ତତ୍ତ୍ୱକୁ ଶିଷ୍ୟଙ୍କ ମଧ୍ୟରେ ସନ୍ଧ୍ୟାଭାଷା ନାମରେ ଏକ ସଂକେତିକ ଭାଷାରେ ପ୍ରଚାର କରୁଥିଲେ । ସୁତରାଂ କୌଣସି ତାନ୍ତ୍ରିକ ତତ୍ତ୍ୱ ଯେଉଁ ଭାଷାରେ ଲିଖିତ ତାହାର ସାଧାରଣ ଅର୍ଥ ତାନ୍ତ୍ରିକମାନଙ୍କ ବ୍ୟବହୃତ ସାଙ୍କେତିକ ଭାଷାର ଅର୍ଥଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଯେପରି ମଦର ତାନ୍ତ୍ରିକ ଅର୍ଥ ହେଉଛି ସହସ୍ରାର ପଦ୍ମରୁ ନିଃସୃତ ଅମୃତ । ସେହିପରି ଯେଉଁ ସାଧକ ପାପ ରୂପକ ପଶୁକୁ ଜ୍ଞାନ ରୂପକ ଖଡ଼୍‌ଗରେ ବିନାଶ କରେ ମାଂସାହାରୀ, ଯେ ଇଡ଼ା ପିଙ୍ଗଳା ରୂପକ ଗଙ୍ଗା ଯମୁନାରେ ଖେଳୁଥିବା ମତ୍ସ୍ୟରୂପୀ ପ୍ରାଣବାୟୁକୁ ସୁଷୁମ୍ନାରେ ସମନ୍ୱିତ କରେ ସେ ମତ୍ସ୍ୟହାରୀ । ଅସତ୍‌ ସଙ୍ଗତିର ମୁଦ୍ରଣକୁ ମୁଦ୍ରା କୁହାଯାଏ । ଯୌଗିକ ପ୍ରଥାରେ କୁଣ୍ଡଳିନୀ ଶକ୍ତିର ଶିବଙ୍କ ସହିତ ମିଳନକୁ ମୈଥୁନ କୁହାଯାଏ । ଏଥିରୁ ଜଣାପଡ଼େ ଯେ ଶବ୍ଦମାନଙ୍କରେ ତାନ୍ତ୍ରିକ ଅର୍ଥ ସେମାନଙ୍କର ସାଧାରଣ ଅର୍ଥଠାରୁ ସମ୍ପୂର୍ଣ୍ଣ ଭିନ୍ନ । କିନ୍ତୁ କାଳକ୍ରମେ ପଞ୍ଚ ‘ମ’ କାରକୁ ସାଧାରଣ ଅର୍ଥ କରି ସେହି ଅନୁସାରେ କାର୍ଯ୍ୟ କରିବା ଦ୍ୱାରା ତାନ୍ତ୍ରିକ ଉପାସନା ଭ୍ରଷ୍ଟାଚାରରେ ପରିଣତ ହେଲା ।

 

ତାନ୍ତ୍ରିକ ଶକ୍ତି ଉପାସନା ଆନୁମାନିକ ଖ୍ରୀଷ୍ଟୀୟ ୩-୪ର୍ଥ ଶତାବ୍ଦୀରୁ ଆରମ୍ଭ ହୋଇ ପ୍ରାୟ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ଚାରିଆଡ଼େ ଚାଲିଥିଲା । ଏହାର କେତେକ ଐତିହାସିକ ପ୍ରମାଣ ମଧ୍ୟ ଅଛି । ଖ୍ରୀ:ଅ: ୪୨୩-୨୪ ର ଝଲରପାଟନ ଲିପି ଅନୁସାରେ ମୟୁରାକ୍ଷ ନାମକ ଜଣେ ମନ୍ତ୍ରୀ କୁମାରଗୁପ୍ତଙ୍କ ରାଜତ୍ୱକାଳରେ ମାତୃକାମାନଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କରାଇଥିଲେ । ସ୍କନ୍ଦଗୁପ୍ତଙ୍କ ସମୟର ବିହାର ଯୂପ ଲିପିରୁ ଜଣାଯାଏ ଯେ ଭଦ୍ରାର୍ଯ୍ୟା ମାତୃକାଗଣ ଓ ସ୍କନ୍ଦ କାର୍ତ୍ତିକେୟଙ୍କ ନିମନ୍ତେ ଗୋଟିଏ ଯୂପ ଉତ୍ସର୍ଗ କରା ଯାଇଥିଲା ।

 

ମୌଖରୀ ରାଜା ଅନନ୍ତ ବର୍ମନ କାତ୍ୟାୟନୀ ଦୁର୍ଗାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିଥିବା ବିଷୟ ଗୟାର ଏକ ଲିପିରୁ ଜଣା ଯାଏ । ଆନୁମାନିକ ୬ଷ୍ଠ ଶତାବ୍ଦୀରେ ବରାହ ମିହିର ତାଙ୍କର ବୃହତ୍‌ ସଂହିତା ଗ୍ରନ୍ଥରେ ଲେଖିଥିଲେ ଯେ ମଣ୍ଡଳକ୍ରମବିତ୍‌ବ୍ୟକ୍ତି ଛଡ଼ା ଅନ୍ୟ କାହାରି ଦ୍ୱାରା ମୃତିକା ମୂର୍ତ୍ତି ପ୍ରତିଷ୍ଠା କରାଇବା ଉଚିତ୍‌ ନୁହେଁ । ୭ମ ଶତାବ୍ଦୀରେ ହୁଏନସାଂ ତାଙ୍କର ଭାରତ ବିବରଣୀରେ ଗାନ୍ଧାରର ଭୀମାଦେବୀ ଓ ମହେଶ୍ୱରଙ୍କ ବିଷୟ ଉଲ୍ଲେଖ କରିଛନ୍ତି । ୫ମ-୬ଷ୍ଠ ଶତାବ୍ଦୀର କଦମ୍ୱ ବଂଶର ରାଜାମାନେ ନିଜକୁ ହାରିତୀ ପୁତ୍ର ବୋଲି କହୁଥିବାର ସେମାନଙ୍କର ଲିପିମାନଙ୍କରୁ ଜଣାପଡ଼େ । ସେହିପରି ଚାଲୁକ୍ୟ ବଂଶର ରାଜାମାନେ ନିଜକୁ ହାରିତୀ ପୁତ୍ର ଓ ସପ୍ତମାତୃକା ଓ କାର୍ତ୍ତିକେୟ ମହାସେନଙ୍କ ଅନୁଗୃହୀତ ବୋଲି ସେମାନଙ୍କର ଲିପିମାନଙ୍କରେ ଲେଖିଛନ୍ତି । ଖ୍ରୀଷ୍ଟୀୟ ୧୦ମ ଶତାବ୍ଦୀର କାନ୍ୟକୁବ୍‌ଜର ଗୁର୍ଜ୍ଜରପ୍ରତିହାର ରାଜା ବିନାୟକ ପାଲଙ୍କ ଲିପିରୁ ଜଣାପଡ଼େ ଯେ ତାଙ୍କର ପିତା ଓ ପ୍ରପିତା ଭଗବତୀ ଭକ୍ତ ଥିଲେ । ମଧ୍ୟପ୍ରଦେଶର ଭେରାଘାଟର, ଓଡ଼ିଶାର ରାଣୀପୁର ଝରିଆଲ ଓ ହୀରାପୁରର ୬୪ ଯୋଗିନୀ ମନ୍ଦିର ଭାରତରେ ୮ମ-୯ମ ଶତାବ୍ଦୀରେ ତାନ୍ତ୍ରିକ ଉପାସନାର ପ୍ରସାର ସମ୍ବନ୍ଧରେ ସାକ୍ଷ୍ୟ ଦିଏ ।

 

ତନ୍ତ୍ର ଧର୍ମର ପ୍ରସାର ସଙ୍ଗେ ସଙ୍ଗେ ଶାକ୍ତ-ପୀଠମାନଙ୍କରେ ଆବିର୍ଭାବ ହେଲା । ପୀଠର ଧାରଣା ସମ୍ଭବତଃ ବୌଦ୍ଧ ସହଜଯାନର ‘ଚତୁଷ୍ପୀଠତନ୍ତ୍ରରୁ’ ଉଦ୍ଭବ ହୋଇଛି । ଚତୁଷ୍ପୀଠ ତନ୍ତ୍ରରେ ଆତ୍ମପୀଠ, ପରପୀଠ, ଯୋଗପୀଠ ଓ ଗୁହ୍ୟପୀଠ ବିଷୟରେ ଉଲ୍ଲେଖ ରହିଛି । ଆନୁମାନିକ ଖ୍ରୀଷ୍ଟୀୟ ୭ମ-୮ମ ଶତାବ୍ଦୀର ବୌଦ୍ଧ ‘ହେବଜ୍ର’ ତନ୍ତ୍ରରେ ଜାଳନ୍ଧର, ଓଡ଼ିଆନ ପୂର୍ଣ୍ଣଗିରି ଓ କାମରୂପ ଏହି ଚାରିଟି ପୀଠର ଉଲ୍ଲେଖ ଅଛି । ବୌଦ୍ଧ ସାଧନମାଳାରେ ଓଡିଆନ ପୂର୍ଣ୍ଣଗିରି ଜାଳନ୍ଧର ଓ କାମରୂପ ଏହି ଚାରିଟି ପିଠର ଉଲ୍ଲେଖ ଅଛି। ଏଗୁଡ଼ିକ ଅବଶ୍ୟ ବୌଦ୍ଧ ତାନ୍ତ୍ରିକ ପୀଠ-। ବୌଦ୍ଧ ତାନ୍ତ୍ରିକ ପୀଠର ଆରମ୍ଭ ସଙ୍ଗେ ସଙ୍ଗେ ଶାକ୍ତ ପୀଠର ମଧ୍ୟ ଆବିର୍ଭାବ ହେଲା । ଶାକ୍ତପୀଠର ଉଦ୍ଭବ କିପରି ହେଲା ସେ ସମ୍ବନ୍ଧରେ ପୌରାଣିକ ଆଖ୍ୟା ଅଛି ।

 

‘ଗୋପଥ’ ବ୍ରାହ୍ମଣରେ ଉଲ୍ଲେଖ ଅଛି ଯେ ଥରେ ପ୍ରଜାପତି ଯଜ୍ଞ କରୁଥିଲେ । ସେ ଯଜ୍ଞଭୋଗ ରୁଦ୍ରଙ୍କୁ ନ ଦେବାରୁ ରୁଦ୍ର ରାଗ ଯଜ୍ଞର ଏକ ଅଙ୍ଗ କାଟିଦେଲେ । ଭଗଙ୍କର ଦୃଷ୍ଟ ସେହି ଛିନ୍ନ ଯଜ୍ଞାଙ୍ଗ ଉପରେ ପଡ଼ିବାରୁ ସେ ଅନ୍ଧ ହୋଇଗଲେ । ସେହିପରି ପୁଷାନ ତାଙ୍କର ଦାନ୍ତ ହରାଇଲେ ।

 

ଏହି ବୈଦିକ ଆଖ୍ୟାୟିକାର ମହାଭାରତରେ ରୂପାନ୍ତର ହେଲା । ମହାଭାରତର ଗଳ୍ପ ଅନୁସାରେ ଥରେ ଦକ୍ଷ ପ୍ରଜାପତି ଗୋଟିଏ ବଡ଼ ଯଜ୍ଞକଲେ, ସେ ସବୁ ଦେବତାଙ୍କୁ ଆମନ୍ତ୍ରଣ କଲେ, କିନ୍ତୁ ଶିବଙ୍କୁ ବାଦ ହେଲେ । ଶିବପତ୍ନୀ ଶିବଙ୍କୁ ଦକ୍ଷ ପ୍ରଜାପତିଙ୍କର ଏହି ଧୃଷ୍ଟତା ବିଷୟ ଜଣାଇବାରୁ ଶିବ ରାଗାନ୍ୱିତ ହୋଇ ଦକ୍ଷ-ଯଜ୍ଞ ନଷ୍ଟ କରିଦେଲେ । ମହାଭାରତ ଗଳ୍ପରେ ଶିବପତ୍ନୀ ଦକ୍ଷଙ୍କର କନ୍ୟା ବା ସେ ଦକ୍ଷ ଦ୍ୱାରା ଅପମାନିତ ହୋଇ ଜୀବନ ବିସର୍ଜନ କରିଥିବା ବିଷୟ ନାହିଁ ।

 

ବ୍ରହ୍ମ, ମତ୍ସ୍ୟ, ପଦ୍ମ ଇତ୍ୟାଦି ପୁରାଣମାନଙ୍କରେ ଉପର୍ଯ୍ୟୁକ୍ତ ଗଳ୍ପର କିଞ୍ଚିତ ରୂପାନ୍ତର କରି ବର୍ଣ୍ଣନା କରାଯାଇଛି । ସେଥିରେ ଶିବଙ୍କ ସ୍ତ୍ରୀ ସତୀ ଦକ୍ଷ ପ୍ରଜାପତିଙ୍କ କନ୍ୟା ଥିଲେ ଓ ସେ ଅନିମନ୍ତ୍ରିତ ହୋଇ ଯଜ୍ଞସ୍ଥଳକୁ ଆସିଥିବାରୁ ତାଙ୍କର ପିତା ତାଙ୍କୁ ଅପମାନିତ କରିଥିଲେ । ଫଳରେ ସେ ଶୋକରେ ପ୍ରାଣ ତ୍ୟାଗକଲେ ବୋଲି ବର୍ଣ୍ଣନା କରାଯାଇଛି । କାଳିଦାସଙ୍କର ‘କୁମାର ସମ୍ଭବ’ରେ ମଧ୍ୟ ଏହି ଗଳ୍ପ ଅଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଋଗ୍‌ ବେଦରେ ପ୍ରଜାପତି ତାଙ୍କର କନ୍ୟା ଉଷା ସହିତ ସଙ୍ଗମ କରିଥିଲେ । ଏହାକୁ ଭିତ୍ତିକରି ସପ୍ତପଥ ଓ ଐତରେୟ ବ୍ରାହ୍ମଣରେ ରୁଦ୍ରଙ୍କ ଦ୍ୱାରା ପ୍ରଜାପତିଙ୍କ ପ୍ରତି ଦଣ୍ଡବିଧାନ ବିଷୟରେ ଗୋଟିଏ ଗଳ୍ପଅଛି । ବ୍ରାହ୍ମଣମାନଙ୍କରେ ବର୍ଣ୍ଣିତ ପ୍ରଜାପତିଙ୍କ ଦ୍ୱାରା ତାଙ୍କର କନ୍ୟାର ଅପମାନ ଓ ରୁଦ୍ରଙ୍କର ପ୍ରଜାପତିଙ୍କ ପ୍ରତି ବୈରୀଭାବ, ଏହି ଦୁଇଟି ମୌଳିକ ତଥ୍ୟ ଉପରେ ପୌରାଣିକ ଦକ୍ଷଯଜ୍ଞ ନାଶ ଗଳ୍ପ ଆଧାରିତ ।

 

ପରବର୍ତ୍ତୀ ପୁରାଣମାନଙ୍କରେ ଯଥା ଦେବୀ ଭାଗବତ, କାଳିକା ପୁରାଣ, ଇତ୍ୟାଦି ଦକ୍ଷଯଜ୍ଞ ନାଶ ଗଳ୍ପଟି ପରିବର୍ଦ୍ଧିତ ହେଲା ।

 

ଦେବୀଙ୍କ ମୃତ୍ୟୁପରେ ଶିବ ଅତ୍ୟନ୍ତ ଶୋକାତୁର ଓ ଉଦ୍‌ଭ୍ରାନ୍ତ ହୋଇ ସତୀଙ୍କ ମୃତ ଦେହକୁ ସ୍କନ୍ଧରେ ଧରି ତାଣ୍ଡବନୃତ୍ୟ କରି ଚାରିଆଡ଼େ ବୁଲିବାକୁ ଲାଗିଲେ । ଶିବଙ୍କର ଏହି ଅବସ୍ଥା ଦେଖି ଦେବତା ଓ ଋଷିମାନେ ଶଙ୍କିତ ହୋଇ ବିଷ୍ଣୁଙ୍କୁ ଏହାର ପ୍ରତିକାର ପାଇଁ ଗୁହାରି କଲେ । ବିଷ୍ଣୁ ତାଙ୍କର ଚକ୍ର ଦ୍ଵାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ପକାଇଲେ । ସତୀଙ୍କ ଶରୀରର ଅଂଶ ଯେଉଁସବୁ ସ୍ଥାନରେ ପଡ଼ିଲା ସେହିସବୁ ସ୍ଥାନ ଶକ୍ତି-ପୀଠ ହେଲେ । ପ୍ରତ୍ୟେକ ପୀଠର ଜଣେ ଅଧୀଶ୍ୱରୀ ଦେବୀ ଓ ଜଣେ ଭୈରବ ରହିଲେ ।

 

ଓଡ଼ିୟାନ, ଜାଳନ୍ଧର, ପୂର୍ଣ୍ଣଗିରି ଓ କାମରୂପ ବୌଦ୍ଧ ହେ ବଜ୍ର ତନ୍ତ୍ରରେ ବୌଦ୍ଧ ତାନ୍ତ୍ରିକ ପୀଠ ବୋଲି ଉଲ୍ଲେଖ ଅଛି । କାଳକ୍ରମେ ସେଗୁଡ଼ିକ ଶାକ୍ତ ତାନ୍ତ୍ରିକ ପୀଠରୂପେ ପରିଗଣିତ ହେଲେ-। କାଳିକା ପୁରାଣରେ ସେହି ଚାରିପୀଠକୁ ଶାକ୍ତ ପୀଠରୂପେ ବର୍ଣ୍ଣନା କରାଯାଇଛି । (କାତ୍ୟାୟନୀ ଚୋଡ଼ିୟାନେ, କାମାକ୍ଷା କାମରୂପିଣୀ । ପୂର୍ଣ୍ଣେଶ୍ୱରୀ ପୂର୍ଣ୍ଣଗିରୌ ଚଣ୍ଡୀ ଜାଳନ୍ଧରେ ଗିରୌ) ସେହି ପୁରାଣର ଅଷ୍ଟାଦଶ ଅଧ୍ୟାୟରେ ୭ଟି ପୀଠର ଉଲ୍ଲେଖ ମିଳେ । କ୍ରମେ ପୀଠମାନଙ୍କ ସଂଖ୍ୟା ବଢିବାକୁ ଲାଗିଲା । ରୁଦ୍ର ଯାମଳରେ ୧୦ଟି, କୁଳାର୍ଣ୍ଣବ ତନ୍ତ୍ରରେ ୧୮ଟି, କୁବ୍‌ଜିକା ତନ୍ତ୍ରରେ ୪୨ଟି, ତନ୍ତ୍ରସାରରେ ୫୧ଟି ଓ ମତ୍ସ୍ୟପୁରାଣ ଓ ପ୍ରାଣପେଷିଣୀ ତନ୍ତ୍ରରେ ୧୦୮ଟି ପୀଠର ନାମ ଉଲ୍ଲେଖ ଅଛି । ପୀଠମାନଙ୍କର ସଂଖ୍ୟା ୪ରୁ ଆରମ୍ଭକରି ୧୦୮ରେ ଶେଷହେଲା । ମନେ ରଖିବାକୁ ହେବ ମହାଭାରତର ବନପର୍ବରେ (ତୀର୍ଥଯାତ୍ରା ବିଭାଗ) ପଞ୍ଚନଦର ଭୀମ ସ୍ଥାନରେ ଓ ଉଦ୍ୟତ ପର୍ବତରେ ଯୋନିକୁଣ୍ଡ ଓ ଗୌରୀ ଶିଖରରେ ସ୍ତନକୁଣ୍ଡ ଥିବାର ଉଲ୍ଲେଖ ଅଛି । ମହାଭାରତର ବନପର୍ବ ଖୁବ୍‌ ସମ୍ଭବତଃ ଖ୍ରୀଷ୍ଟୀୟ ୩ୟ ଶତାବ୍ଦୀ ବା ତା ପୂର୍ବରୁ ସଂକଳିତ ହୋଇଥିଲା । ସୁତରାଂ ସେ ସମୟରେ ଶାକ୍ତପୀଠ ଭାରତ କେତେକ ଅଂଶରେ ଥିଲା, କିନ୍ତୁ ସେସବୁ ଦେବୀଙ୍କ କୌଣସି ଅଙ୍ଗ ସହିତ ସମ୍ପୃକ୍ତ ଥିଲା କି ନା ତାହା ଜଣାନାହିଁ ।

 

ଓଡ଼ିଶାର ବିରଜା ଦେବୀ ଭାରତର ପ୍ରାଚୀନତମ ମହିଷମର୍ଦ୍ଦିନୀ ଦୁର୍ଗାମୂର୍ତ୍ତି ମଧ୍ୟରୁ ଗୋଟିଏ । ଏହା ଆନୁମାନିକ ଗୁପ୍ତଯୁଗ ପୂର୍ବର ମୂର୍ତ୍ତି । ବିରଜାଙ୍କ ବିଷୟ ମହାଭାରତରେ ଉଲ୍ଲେଖ ଅଛି । ତାନ୍ତ୍ରିକ ଧର୍ମର ପ୍ରସାର ସଙ୍ଗେ ସଙ୍ଗେ ଓଡ଼ିଶା ତାନ୍ତ୍ରିକ ଧର୍ମର ଏକ ପ୍ରଧାନ ପୀଠ ହେଲା । ଓଡ଼ିଶାର ରାଣୀପୁର ଝରିଆଲର ଓ ହୀରାପୁରର ୬୪ଟି ଯୋଗିନୀ ମନ୍ଦିର ଏ ବିଷୟରେ ସାକ୍ଷ୍ୟ ଦିଏ । ଏହି ଦୁଇ ମନ୍ଦିର ଖ୍ରୀଷ୍ଟୀୟ ୮ମ-୯ମ ଶତାବ୍ଦୀର । ସୁତରାଂ ସେହି ସମୟରେ ଓଡ଼ିଶାରେ ତାନ୍ତ୍ରିକ ଶକ୍ତିପୂଜା ସୁପ୍ରତିଷ୍ଠିତ ହୋଇଥିଲା । ଭୁବନେଶ୍ୱରର ବୈତାଳ ଓ ମୋହିନୀ ମନ୍ଦିରରେ ଉଗ୍ର ତାନ୍ତ୍ରିକ ଚାମୁଣ୍ଡ ମୂର୍ତ୍ତି ଓ ବୈତାଳ ମନ୍ଦିର ଗାତ୍ରରେ ଥିବା ମାତୃକା-ମୂର୍ତ୍ତି, ବାଜପୁର ଓ ପୁରୀର ମାତୃକା- ମୂର୍ତ୍ତି ଓଡ଼ିଶାରେ ତାନ୍ତ୍ରିକ ଧର୍ମର ପ୍ରସାର ସମ୍ବନ୍ଧରେ ସାକ୍ଷ୍ୟଦିଏ । ଓଡ଼ିଶାର ଚାରିଆଡ଼େ ବହୁ ତାନ୍ତ୍ରିକ ଦେବୀମୂର୍ତ୍ତି ଦେଖିବାକୁ ମିଳେ । ସମ୍ବଲପୁରର ସମଲେଶ୍ୱରୀ, ବାଣପୁରର ଭଗବତୀ, ଭଦ୍ରକର ଭଦ୍ରକାଳୀ, ଝଙ୍କଡ଼ର ଶାରଳା, ବାଙ୍କିର ଚର୍ଚ୍ଚିକା, ଏହିପରି ଓଡ଼ିଶାର ବହୁ ସ୍ଥାନରେ ତାନ୍ତ୍ରିକ ଦେବୀମୂର୍ତ୍ତି ଅଦ୍ୟାବଧି ପୂଜା ପାଉଛନ୍ତି । ସେହିସବୁ ସ୍ଥାନଗୁଡ଼ିକ ଓଡ଼ିଶାର ତାନ୍ତ୍ରିକପୀଠ ଥିଲା । ଆନୁମାନିକ ୮ମ-୯ମ ଶତାବ୍ଦୀରେ ଜଗନ୍ନାଥଙ୍କୁ ଭୈରବ ଓ ବିମଳାଙ୍କୁ ଭୈରବୀ ବୋଲି କଳ୍ପନା କରା ଯାଉଥିଲା ବୋଲି ତନ୍ତ୍ରଯାମଳରେ ଉଲ୍ଲେଖ ଅଛି । ଏପର୍ଯ୍ୟନ୍ତ ଜଗନ୍ନାଥଙ୍କ ଅନେକ ପୂଜାପଦ୍ଧତି ତାନ୍ତ୍ରିକ ମତରେ ହୁଏ । ଦୁର୍ଗାପୂଜା ସମୟରେ ବିମଳାଙ୍କୁ ଆମିଷ ଭୋଗ ଦିଆଯାଏ । ଭାରତର ଅନ୍ୟ କୌଣସି ବୈଷ୍ଣବ ମନ୍ଦିରରେ ତାନ୍ତ୍ରିକ ବିଧାନରେ ଶକ୍ତିପୂଜାର ବ୍ୟବସ୍ଥା ନାହିଁ । ଏହି ସବୁ ପ୍ରମାଣରୁ ମନେହୁଏ ଯେ ଦିନେ ଜଗନ୍ନାଥ ଓ ବିମଳାଙ୍କୁ ଭୈରବ ଓ ଭୈରବୀ ରୂପେ ପୂଜା କରା ଯାଉଥିଲା ।

 

ଓଡ଼ିଶାରେ ଖ୍ରୀଷ୍ଟୀୟ ୬ଷ୍ଠ-୭ମ ଶତାବ୍ଦୀରେ ଶୈବ ପାଶୁପତ ଧର୍ମ ପ୍ରସାର ଲାଭ କରିଥିଲା । ଏହା ଓଡ଼ିଶାରେ ମିଳିଥିବା ବହୁ ଲକୁଲୀଳା ମୂର୍ତ୍ତି ଦ୍ୱାରା ପ୍ରମାଣିତ ହୁଏ ।

 

ଓଡ଼ିଶାରେ ନାଥ-ଧର୍ମ ମଧ୍ୟ ପ୍ରସାର ଲାଭ କରିଥିଲା । ଏହା ଓଡ଼ିଶାରେ ମିଳିଥିବା ନାଥ-ଧର୍ମ ସମ୍ପର୍କୀୟ ବହୁ ପୁସ୍ତିକା ଦ୍ୱାରା ପ୍ରମାଣିତ ହୁଏ । ଆଜିକାଲି ମଧ୍ୟ କୌଣସି କୌଣସି ସ୍ଥାନରେ ଭୈରବ ସାଧନା, ଚକ୍ର-ପୂଜା, ପଞ୍ଚ ‘ମ’ କାର ଉପାସନା ପ୍ରଚଳିତ ଅଛି ।

 

ଏହିସବୁ ପ୍ରମାଣ ଭିତ୍ତିରେ ଅନୁମାନ କରାଯାଏ ଯେ ଓଡ଼ିଶାରେ ଦେବୀ-ପୂଜା ବହୁ ପ୍ରାଚୀନ କାଳରୁ ପ୍ରସାର ଲାଭ କରିଥିଲା । କ୍ରମେ ଦେବୀ-ପୂଜା ଯାନ୍ତ୍ରିକ ଶକ୍ତି-ଉପାସନାରେ ପରିଣତ ହେଲା ଓ ଓଡ଼ିଶାର ଶାକ୍ତ-ପୀଠଯାକ ଭାରତରେ ପ୍ରସିଦ୍ଧ ଲାଭ କଲା । କିନ୍ତୁ କାଳକ୍ରମେ ଶକ୍ତି-ଉପାସନା ମାଧ୍ୟମରେ ସମାଜରେ ବ୍ୟଭିଚାର ପ୍ରବେଶ କଲା । ସ୍ତ୍ରୀ-ସଙ୍ଗମ ଓ ଧର୍ମସାଧନ ପରସ୍ପର ସହାୟକ ବୋଲି ଲୋକଙ୍କର ବିଶ୍ୱାସ ଜନ୍ମିଲା, କାରଣ ପ୍ରକୃତ ତତ୍ତ୍ୱଜ୍ଞ ତାନ୍ତ୍ରିକ ଗୁରୁ ଅଭାବରେ ତତ୍ତ୍ୱଜ୍ଞାନହୀନ ଗୁରୁ ମାନେ ତାନ୍ତ୍ରିକ ତତ୍ତ୍ୱସବୁର ସହଜ ବ୍ୟାଖ୍ୟା କରିବା ଦ୍ୱାରା ତାନ୍ତ୍ରିକ ଧର୍ମର ବିପର୍ଯ୍ୟୟ ଓ ତାହାର ପ୍ରଭାବ ସମାଜ ଉପରେ ପଡ଼ିଲା । ୧୨ଶ-୧୩ଶ ଶତାବ୍ଦୀର ମନ୍ଦିରମାନଙ୍କ ଗାତ୍ରରେ ଯେଉଁ ସବୁ ମୈଥୁନ-ରତ ମୂର୍ତ୍ତି ସବୁ ଦେଖାଯାଏ ତାହା ତାନ୍ତ୍ରିକ ଧର୍ମର ଶେଷ ପର୍ଯ୍ୟାୟର ଧର୍ମ ଓ ସମାଜ ଉପରେ ପ୍ରଭାବ ଯୋଗୁ । କ୍ରମେ ଲୋକଙ୍କ ମଧ୍ୟରେ ଏହି ତାନ୍ତ୍ରିକ ଧର୍ମ ପ୍ରତି ଘୃଣା ଭାବ ଜାତ ହେଲା, ସେଥି ଯୋଗୁଁ ଏହା କ୍ରମେ ଲୁପ୍ତ ହେଲା । କିନ୍ତୁ ଏହାର ସମାଜ ଓ ଧର୍ମ ଉପରେ ପ୍ରଭାବ ସଂପୂର୍ଣ୍ଣ ଭାବରେ ଲୁପ୍ତ ହୋଇ ନାହିଁ । ଏବେ ମଧ୍ୟ ତାନ୍ତ୍ରିକ ଉପାସନା ଓଡ଼ିଶାର ସବୁ ତାନ୍ତ୍ରିକ ପୀଠରେ ହୁଏ । ଊନବିଂଶ ଶତାବ୍ଦୀରେ ଓଡ଼ିଶାର ବହୁ ସ୍ଥାନରେ ଶକ୍ତି ପୀଠରେ ନରବଳି ଦେବା ପ୍ରଥା ଥିଲା, ଇଂରାଜ ରାଜତ୍ୱ କାଳରେ ତାହା ଉଠି ଗଲା । ଏବେ ସେହି ସବୁକ୍ଷେତ୍ରରେ ନରବଳି ପରିବର୍ତ୍ତେ କୁଷ୍ମାଣ୍ଡ ବଳି ବା ଛାଗ, ମହିଷ ବଳି ଦିଆଯାଏ ।

 

 

ସନ୍ଥକବି ବାଲିଗାଁ ଦାସ ଓ ଭକ୍ତମାଳିକା

ଶ୍ରୀ ନୀଳମଣି ମିଶ୍ର

ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ପ୍ରସିଦ୍ଧ ସନ୍ଥକବି ଦାସିଆ ବା ବାଲିଗାଁ ଦାସ ଦୁଇଖଣ୍ଡି ପୁସ୍ତକ ରଚନା କରିଥିବାର ପ୍ରମାଣ ମିଳୁଛି । ବାଲିଗାଁ ଦାସିଆ ଭାଗବତ ବା ଆଗତ ଭବିଷ୍ୟ ପୁସ୍ତକ ସମ୍ବନ୍ଧରେ ଆଲୋଚନା ପୂର୍ବରୁ ପ୍ରକାଶିତ ହୋଇଛି । ତାଙ୍କ ରଚିତ ଦ୍ୱିତୀୟ ପୁସ୍ତକ ହେଉଛି ଭକ୍ତମାଳିକା ।

 

‘ଭକ୍ତମାଳିକା’ ପୁସ୍ତକଟି କବିଙ୍କର ପରବର୍ତ୍ତି ରଚନା, କାରଣ ପ୍ରସ୍ତୁତ ରଚନାରେ କବିଙ୍କର ରଚନାଗତ ବୈଶିଷ୍ଟ୍ୟ ପଦଯୋଜନାରେ ଦକ୍ଷତା, ବିଷୟବସ୍ତୁ ପ୍ରତିପାଦନରେ ଚମତ୍‌କାରିତା ପରିଲକ୍ଷିତ ହୁଏ । କବି ବାଲିଗାଁ ଦାସଙ୍କ ରଚିତ ଭକ୍ତ ମାଳିକା ପୁସ୍ତକରେ ତେରଟି ଅଧ୍ୟାୟ ସନ୍ନିବେଶିତ ହୋଇଛି ।

 

ପୁସ୍ତକର ପ୍ରଥମ ଅଧ୍ୟାୟରେ କବି ଦାସିଆ ତାତ୍‌କାଳିନ ସମାଜରେ ପ୍ରଖ୍ୟାତି ଅର୍ଜନ କରିଥିବା ଯଶୋବନ୍ତ, ବଳରାମ, ଅଚ୍ୟୁତ, ଜଗନ୍ନାଥ, ଅନନ୍ତ ନାମଧାରୀ ପଞ୍ଚୁ ଶାଖାଙ୍କୁ ବା ପଞ୍ଚସଖାଙ୍କ ସମ୍ବନ୍ଧରେ ତନ୍ନ ତନ୍ନ କରି ଜାଣିବା ଲାଗି ଶ୍ରୀ ଜଗନ୍ନାଥ ମହା ପ୍ରଭୁଙ୍କ ଆଗରେ ନିବେଦନ ଜଣାଇଛନ୍ତି-

 

କହନ୍ତି ବାଲିଗାଁ ଦାସେ ଶୁଣିମା ଗୋସାଇଁ ’

ଭକ୍ତଙ୍କ ଜନ୍ମଚରିତ କହିବା ବୁଝାଇ ।।

ଶ୍ରୀ ଅତିବଡ଼ି ଯଶୋବନ୍ତ ନାମ ବଳରାମ ।।

 

ଅଚ୍ୟୁତ ଅନନ୍ତ ଶିଶୁ ପଞ୍ଚୁଶାଖା ଜାଣ

ମନ୍ତ୍ର ଯନ୍ତ୍ର ଉପାସିକ ଉପଦେଶ ଧାମ ।’’

ପ୍ରଣାଳୀ ବିଳାସ କରି କହିବା ଉପାମ ।

(ଭକ୍ତ ମାଳିକା, ରାଜ୍ୟସଂଗ୍ରହାଳୟ ପୋଥି-ପ୍ରଥମ ଅଧ୍ୟାୟ)

 

ଏଠାରେ ଆଲୋଚନା କ୍ରମେ କୁହାଯାଇ ପାରେ ଯେ, ଓଡ଼ିଆ ଭକ୍ତ ମଣ୍ଡଳୀରେ ପଞ୍ଚସଖାଙ୍କ ଅସ୍ତିତ୍ୱ ସମ୍ବନ୍ଧରେ ଓଡ଼ିଶାର ଜଣେ ଦି ଜଣ ଆଲୋଚକ ସନ୍ଦେହ ପ୍ରକାଶ କରି ଆଲୋଚନା କରିଛନ୍ତି । ଖୁବ୍‌ ସମ୍ଭବତଃ ସେମାନେ ଏ ଧରଣର ପୋଥି ପାଠ ନ କରି କେବଳ ଧାରଣା ଓ ଅନୁମାନ ଉପରେ ଏପ୍ରକାର ମତ-ପୋଷଣ କରୁଛନ୍ତି । ଉକ୍ତ ବାଲିଗାଁ ଦାସ କେବଳ କିମ୍ୱଦନ୍ତୀର କବି ନୁହନ୍ତି, ‘ବାଲିଗାଁ ଦାସିଆ ଭାଗବତ’ ପୁସ୍ତକରୁ ବେଶ୍‌ ପ୍ରମାଣ ମିଳେ ଯେ ସେ ସପ୍ତଦଶ ଶତାଦ୍ଦୀର କବି ମଣ୍ଡଳୀରେ ଏକ ସ୍ୱତନ୍ତ୍ର ଆସନ ଅଧିକାର କରିଥିଲେ ଏବଂ ଖୋର୍ଦ୍ଧା ରାଜବଂଶର ଉତ୍‌ଥାନ ପତନ ତଥା ତାତ୍କାଳୀନ ରାଜନୈତିକ ବାତାବରଣ ସହିତ ବେଶ୍‌ ସୁପରିଚିତ ଥିଲେ । ତାଙ୍କ ରଚନାରେ ଅତିବଡ଼ ଜଗନ୍ନାଥ, ବଳରାମ, ଅଚ୍ୟୁତ, ଯଶୋବନ୍ତ ଓ ଅନନ୍ତଙ୍କୁ ‘ପଞ୍ଚୁଶାଖ’ ବୋଲି ଥିବାର ପ୍ରମାଣ ମିଳୁଥିବା ଏକ ସାଧରଣ ବିଷୟ ବୋଲି ମନେ କରିବା ଠିକ୍‌ ନୁହେଁ । କାରଣ ଆଜିର ସାହିତ୍ୟକମାନଙ୍କ ମତମତାନ୍ତର ପରି ଭକ୍ତ ବାଲିଗାଁ ଦାସ କୌଣସି ସ୍ୱତନ୍ତ୍ର ମତର ପରିପୋଷକ ନ ଥିଲେ କିମ୍ବା କୌଣସି ଗୋଟିଏ ଗୋଷ୍ଠୀର ସମର୍ଥକ ନ ଥିଲେ । ତାଙ୍କ ରଚନାର ଗୋଟିଏ ସ୍ଥାନରେ ନୁହେ ଅନେକ ସ୍ଥଳରେ ସେ ‘ପଞ୍ଚସଖା’ ଙ୍କ ସମ୍ୱନ୍ଧରେ ଉଲ୍ଲେଖ କରି ଥିବାରୁ ଏହା ନିଶ୍ଚିତ ଭାବରେ ଆଲୋଚକମାନଙ୍କ ଦୃଷ୍ଟି ଆକର୍ଷଣ କରିବ ।

 

ତତ୍ପରେ କବି ବାଲିଗାଁ ଦାସ ଶ୍ରୀ ଜଗନ୍ନଥ ମହାପ୍ରଭୁଙ୍କୁ ଦଶାବତାରକାରୀ ରୂପେ ସ୍ତୁତି କରିଛନ୍ତି । ଉତ୍କଳୀୟ କବି ଶ୍ରୀ ଜୟଦେବ ‘ଗୀତଗୋବିନ୍ଦ’ ର ଆରମ୍ଭରେ ଦଶାବତାର ସ୍ତୁତିକରି ଉକ୍ତଳରେ ଶ୍ରୀ ଜଗନ୍ନାଥଙ୍କୁ ‘ଦଶାକୃତିକୃତ୍‌’ ରୂପେ ପରମ୍ପରା ସୃଷ୍ଟି କରିଛନ୍ତି । ତେଣୁ ଶ୍ରୀ ବାଲିଗାଁ ଦାସ ଶ୍ରୀ ଜଗନ୍ନାଥଙ୍କର ଜଣେ ଅନନ୍ୟ ଭକ୍ତ ହୋଇଥିବାରୁ ସେ ମଧ୍ୟ ମୀନ, କୂର୍ମ, ବରାହ, ନୃସିଂହ, ବାମନ, ପରଶୁରାମ, ଶ୍ରୀରାମ, ହଳୀରାମ, ବଳୀରାମ ଓ କଳ୍‌କୀ ରୁପକୁ ନମସ୍କାର ଜଣାଇଛନ୍ତି-

 

‘‘ନମ ବାସୁଦେବାୟ ନମସ୍ତେ ମୀନରୂପ

ନମସ୍ତେ କୃମରୂପ ବରେହା ନୃସିଂହ ସ୍ୱରୂପ ।

ନମସ୍ତେ ବାମନରୂପ ପ୍ରଶୁଶସ୍ରଧାରୀ

ନମସ୍ତେ ଶ୍ରୀରାମ ଲକ୍ଷ୍ମଣ ସୀତା ଅବତାରୀ ।

ହଳୀରାମ ବଳୀରାମ ଶରଣ ତୋହାର

କଳିଙ୍କ ରୂପକୁ ମୋର କୋଟି ନମସ୍କାର ।’’

 

ଭକ୍ତ ବାଲିଗାଁ ଦାସଙ୍କ ସ୍ତୁତିରେ ମୁଗ୍‌ଧ ହୋଇ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ସ୍ମରଣ କରିବାର କାରଣ ଜିଜ୍ଞାସା କଲେ । ତହୁଁ ଦାସିଆ ବିନୀତ ଭାବରେ କହିଲେ-‘‘ମହାପ୍ରଭୁ, କାଲି ପ୍ରଭାତ ସମୟରେ ପଞ୍ଚସଖା ଆସି କୁଡ଼ିଆରେ ପହଞ୍ଚିବେ । ମୁଁ ଅଧମ, ମୁର୍ଖ; ସେମାନଙ୍କ ସେମାନଙ୍କ ତୁଳନାରେ ନିତାନ୍ତ ତୁଚ୍ଛ । ତେଣୁ ସେମାନଙ୍କ ସହିତ ମୁଁ କିପରି ବ୍ୟବହାର କରିବି ଏବଂ ସେମାନଙ୍କ ପ୍ରଶ୍ନର କି ଉତ୍ତର ଦେବି, ମୋତେ ଆଜ୍ଞା ହେଉ’’ !

 

ବାଲିଗାଁ ଦାସଙ୍କ ଆର୍ତ୍ତଜିଜ୍ଞାସା ଶୁଣି ପ୍ରଭୁ ନିଳଗିରିବିହାରୀ କହିଲେ-

 

‘‘ତୁମ୍ଭର ଦାସ ବନକୁ ବିଡ଼ିବେ ସେ ଭକ୍ତବଦୀରେ ବିଚାର ।

ଶ୍ରୀଯନ୍ତ୍ରକୁ ଭେଦ ଠାକୁରାଣୀଯନ୍ତ୍ର କହି ବୋଲିବେ ଆଗର ।।

ତୁହି ୟେବେ କିସ ବିଚାର କରିଛୁ କି ପାଠ କହିବୁ ତାଙ୍କୁ ।

ସେ ପଞ୍ଚୁଶାଖ ମେ ଦେହୁ ଜନମ ବାକ୍ୟଦେବୀ ସାହା ତାଙ୍କୁ ।।’’

(ଭକ୍ତମାଳିକା, ପ୍ରଥମ ଅଧ୍ୟାୟ)

 

ସନ୍ଥ ଦାସିଆ ନିଜର ଦାସ୍ୟଭକ୍ତି ବଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ନିଜ କୁଡ଼ିଆ ପର୍ଯ୍ୟନ୍ତ ଟାଣି ଆଣି ଥିବାରୁ ତାଙ୍କ ମନରେ ଆନ୍ଦ କହିଲେ ନ ସରେ । ପ୍ରଭୁଙ୍କର ଶ୍ରୀମୁଖ ବଚନ ଶୁଣି ସେ ନିଜର ଦୀନତା ପ୍ରକାଶ କରି କହିଲେ-

 

‘‘କହନ୍ତି ବାଲିଗାଁ ଦାସେ ଶୁଣିମା ହେ ପ୍ରଭୁ ମୁଁ କିସ କହିବି ମୂଢ ।

ସେ ତୁମ୍ଭର ଯେଣୁ ଭକତବୃନ୍ଦ ସେ ସବୁରି ପ୍ରକାରେ ବଡ଼ ।।

ଅତିବଡ଼ ଜଗନ୍ନାଥେ ମୋର ଗୁରୁଦେବ ଅଟନ୍ତିଟି ଜାଣ ।

ତାଙ୍କ ଚରଣକୁ ଶରଣ ମାଗିବି କହିବେ ଯାହା ପ୍ରମାଣ ।।

 

ଆହୁରି କଥାଏ ମନରେ ଅଛଇ ଡ଼ାକିବି ଯେବେ ତାହାଙ୍କୁ ।

କମଳା ବିମଳା ଦୁଇଜଣେ ମୋର ଶଖା ଯେ ମୋତେ ହେବାକୁ ।।

ଅଷ୍ଟସଖୀଗଣ ମୋହରଟି ଟାଣ ଡ଼ାକିଲାମାତ୍ରେ ଶୁଣିବେ ।

ଚଉଷଠୀ ଦାତା ଚଞ୍ଚଳା-ରମଣ ସେ ଯେବେ ମୋ ହୃଦେ ଥିବେ’’ ।।

 

ଦାସେ ଏତିକି ଶ୍ରୀଛାମୁରେ ମାଗୁଣି କରି ନୀରବ ହେଲେ । ତହୁଁ ଶ୍ରୀଜଗନ୍ନାଥ ବାଲିଗାଁ ଦାସଙ୍କ ମନ ଜାଣି କହିଲେ-‘‘କାଲି ପଞ୍ଚସଖାଗଣ ମୋତେ ନୀଳଚକ୍ରରେ ଲୁଚାଇ ତୁମର ଭକ୍ତିଭାବନା ପରୀକ୍ଷା କରିବା ଳାଗି ଏଠାକୁ ଆସିବେ । ତୁମେ ନିଜ ଭକ୍ତିର ପରାକାଷ୍ଠା ଦେଖାଇ ସେମାନଙ୍କୁ ଅତ୍ୟନ୍ତ ଆଦର ସତ୍କାର କରିବା ସଙ୍ଗେ ସଙ୍ଗେ ତୁମକୁ ଯାହା ଉତ୍ତମ ଭୋଜ୍ୟ ପଦାର୍ଥ ମିଳିବ ସେଥିରେ ସନ୍ତୁଷ୍ଟ କରିବ ।’’

 

ସେହି ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ଆହୁରି ମଧ୍ୟ କହିଲେ- ‘‘ପଞ୍ଚସଖାଗଣ ତୁମକୁ ବିଭିନ୍ନ ମନ୍ତ୍ରର ଗୁପତ ଗହନ ତଥ୍ୟ ପଚାରିବେ ଏବଂ ତୁମ ହୃଦୟରେ ‘ପ୍ରେମରୂପାଅଙ୍ଗ’ ଦେଖିବା ଲାଗି ଆଗ୍ରହ ପ୍ରକାଶ କରିବେ । ସେମାନେ ‘କ୍ଲୀଂ, ହୀଂ, ଶ୍ଲୀଂ, ଓଁ’ର ବିଚାର ଜାଣିବାକୁ ଇଚ୍ଛା କରିବେ । ବିଶେଷତଃ ଶିଶୁ ଅନନ୍ତ ‘ଅନାଦି ସୂର୍ଯ୍ୟ ବିଚାର’ ଏବଂ ଯଶୋବନ୍ତ ଦାସ ‘ରାଧା ଅର୍ଦ୍ଧ‘ଅଙ୍ଗ’ ସମ୍ୱନ୍ଧରେ ସ୍ୱତନ୍ତ୍ର ପ୍ରଶ୍ନ ପଚାରିବେ । ପରିଶେଷରେ ‘ଏକାକ୍ଷର ବ୍ରହ୍ମ ଶ୍ରୀଜଗନ୍ନାଥ’ ଙ୍କ ଠାରେ ସମସ୍ତ ଶକ୍ତି ଠୁଳ ହୋଇଛି ବୋଲି ଉତ୍ତର ଦେବାଲାଗି ପ୍ରଭୁ ବାଲିଗାଁ ଦାସଙ୍କୁ ଉପଦେଶ ଦେଲେ ।’’

 

‘‘ୟେକାକ୍ଷର ଲାଖ ବିନ୍ଧୁଥିବୁ ହୃଦେ କ୍ଲୀଂ ପଞ୍ଚୁମାତ୍ରା ତହିଁ ।

ଅଭମନ୍ତ୍ରିକାର ମନ୍ତ୍ରର ବିଚାର ଅନାଦିକୁ ଥିବୁ ଧ୍ୟାୟି ।।

ଯେଝା ଉପାସନା ମନ୍ତ୍ରରେ ଡ଼ାକିବୁ ମୋର ନାମ ହେତୁ ଦେଇ’’

X            X            X

ତୁହି ବସିଥିବୁ ଶ୍ଳୀଂ ଯନ୍ତ୍ର ସ୍ଥାପିଣ ଠିକଣା ତୋତେ କହିଲି ।

ତୋହରି ହୃଦରେ ବାରମାତ୍ରା ଭେଦ ଛଡ଼ଐରି ଦେଖାଇଲି ।।

 

 

କ୍ଳୀଂ ହ୍ଳୀଂ ଶ୍ଳୀଂ ଓଁ ଏ ଚାରି ଅକ୍ଷର ମନ୍ତ୍ରର ବିଜୟେ ବନା ଅବନା ନୁହନ୍ତି ।

ଏ ଚାରିକି ଯେବେ ଲୟେ କରିଥିବୁ ଛାଡ଼ିବ ସକଳ ଭାନ୍ତି ।।

X            X            X

ଶ୍ଳୀଂ ଯନ୍ତ୍ରଗୋଟି ଓମିତ ଉକାର ଠୁଳ ଶୂନ୍ୟ ଲୟେ କର ।

ଶିଶୁ ଅନନ୍ତ ପଚାରିବେ ତୁମ୍ଭଙ୍କୁ ଅନାଦି ସର୍ଯ୍ୟ ବିଚାର ।।

 

ଯଶୋବନ୍ତ ମହାଦେବ ତୋତେ ରାଧା ଅର୍ଦ୍ଧଅଙ୍ଗ ପଚାରିବେ ।

ଦେବତାମାନଙ୍କ ଅଙ୍ଗ କରନ୍ୟାସେ ଉପାସନା ବିଚାରିବେ ।।

ମୋହର କପଚ ଅଙ୍ଗନ୍ୟାସ କରି ବାଢିବୁ ତାହାଙ୍କ ଆଗେ ।

ପାଦଠାରୁ କଣ୍ଠଯାୟେ ବାଣ୍ଟିନେବୁ ଓଁ କାର ଭେଦିବୁ ଯେବେ ।।

 

X            X            X

ଚଉରାଶି ମନ୍ତ୍ର ଯନ୍ତ୍ରିହିଁ କହିଲି ଭେଦପାରିବୁ କି ତୁହି ?

ୟେ ମନ୍ତ୍ର ମାନଟି ଅମୂଲ୍ୟ ଭଣ୍ଡାର ନ କହିବୁ ଆଉ କାହିଁ ।।’’

 

ପରଦିନ ପ୍ରଭାତରୁ ଜଗନ୍ନାଥ, ବଳରାମ, ଅଚ୍ୟୁତ, ଯଶୋବନ୍ତ ଓ ଅନନ୍ତ ପ୍ରଭୃତି ସନ୍ଥ ଭକ୍ତମାନେ ଆସି ବାଲିଗାଁ ଦାସଙ୍କ ମଠରେ ଡ଼ାକ ପକାଇଲେ । ସେମାନଙ୍କ ଡ଼ାକ ଶୁଣି ଦାସିଆ ‘ପନୀରଜଳ’ ଆଣି ସେମାନଙ୍କ ପାଦଧୌତ କରିବା ସଙ୍ଗେ ସଙ୍ଗେ ଭକ୍ତିଭାବରେ ଗଦ୍‌ଗଦ୍‌ ହୋଇ ଆଦର ଅଭ୍ୟର୍ଥନା ଜଣାଇଲେ । ତତ୍ପରେ ଭକ୍ତ ଦାସିଆ ବଳରାମ ଦାସଙ୍କୁ ଜଳରେ ମହାପ୍ରଭୁଙ୍କ ଦଶାବତାର ଦର୍ଶନ କରାଇଲେ । ଦାସିଆଙ୍କ କୃତିତ୍ୱ ଦେଖି, ବର୍ତ୍ତମାନ ଶ୍ରୀ ଜଗନ୍ନାଥ କେଉଁଠାରେ ଅଛନ୍ତି ବୋଲି ପ୍ରଶ୍ନ କଲେ । ଭକ୍ତ ବାଲିଗାଁ ଦାସ ଅତ୍ୟନ୍ତ ବିମର୍ଷଭାବ ପ୍ରକାଶ କରି କହିଲେ ।

 

‘‘ଦାସେ ଯେ ବୋଇଲେ ଶୁଣିମା ଗୋସାଇଁ ମୁଁ ହୀନ ପାମର ଛାର ।

ମୁଁ କିସ କହିବି ତୁମ୍ଭ ଶ୍ରୀଛାମୁରେ ସନ୍ଥଜନଙ୍କ କିଙ୍କର।।

ତୁମ୍ଭେ ସାଧୁସନ୍ଥ ମହତଜନ ଯେ ବଡ଼ ଅନ୍ୟୟାତ କଲ ।

ଶ୍ରୀ ନୀଳଚକ୍ରରେ ଖରାରେ ପ୍ରଭୁଙ୍କୁ ବସାଇ ତୁମ୍ଭେ ଅଇଲ।।

 

ବିଶ୍ୱରୂପ ରୂପ ପଦ୍ମନୟନରୁ ବହୁଅଛି ଅଶ୍ରୁଜଳ ।

ନୀଳକନ୍ଦରରେ ନେଇ ବିଜେ କରାଅ ନିତ୍ୟ ହେଉଛି ଉଛୁର ।।

ସ୍ୱୟେଂ କମଳିନୀ ବିଜେ କରିଛନ୍ତି ନବଜଳଧର ଦେହୀ ।

ଶ୍ରୀ ବିମ୍ବାଅଧରୁ ଶ୍ରମଝାଳ ବହି ଶୁଣି ଯାଉଅଛି ଦେହୀ ।।

ଏ ବଚନ ଶୁଣି ପଞ୍ଚୁଶାଖା ଭକ୍ତ ଥକିତ ହୋଇ ରହିଲେ ।’’

 

ବାଲିଗାଁ ଦାସଙ୍କର ଭକ୍ତିଭାବନା ତଥା ଅଲୌକିକ ଶକ୍ତି ଦେଖି ପଞ୍ଚସଖାଗଣ ଆଶ୍ଚର୍ଯ୍ୟ ହୋଇଗଲେ । ତତ୍ପରେ ଅତିବଡ଼ ଜଗନ୍ନାଥ ଦାସେ ଗୁରୁଭାବରେ ଦାସିଆଙ୍କୁ ‘ରାଧା ପ୍ରେମରୂପା ଭକ୍ତିତତ୍ତ୍ୱ’ ଦୀକ୍ଷାଦେଲେ ଏବଂ ଚଉଷଠୀ ଭକ୍ତ, ମହନ୍ତ ଓ ପଞ୍ଚସଖାଗଣ ମିଳି ଦାସିଆଙ୍କ ମସ୍ତକରେ ଆଦର୍ଶ ଭକ୍ତରୂପେ ଶାଢୀ ବାନ୍ଧିଲେ ।

 

‘ଭକ୍ତମାଳିକା’ର ଦ୍ୱିତୀୟ ଅଧ୍ୟାୟରେ ବାଲିଗାଁ ଦାସଙ୍କ ଜିଜ୍ଞାସା ମତେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ଞାନମାର୍ଗର ଗହନତତ୍ତ୍ୱ ଠିକ୍‌ ଠିକ୍‌ କରି ବୁଝାଇଲେ । ତତ୍ପରେ ଦାସିଆ ନିଜର ପୂର୍ବଜନ୍ମ ବୃତ୍ତାନ୍ତ ମହାପ୍ରଭୁଙ୍କୁ ପଚାରିଲେ, ତହିଁ ମହାପ୍ରଭୁ ଦାସିଆଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ଶୁଣାଇ କହୁଛନ୍ତି-

 

‘‘ପୂର୍ବେ ତୋହ ଜନ୍ମ କହିବାକ କର୍ମ କାହୁଁ ତୁ ହୋଇଲୁ ଜାତ ।

ଶୂଦ୍ରକୂଳେ ତୋର ତିନି ଜନ୍ମ ଗଲା ଦୟାରେ ବସିଲା ଚିତ୍ତ ।।

ଦୟା ନାମେ ଫେଡିକାର ସେ ନାୟକ ତା’ଘରେ ହୋଇଲା ସତ୍ୟେ ।

 

ବ୍ରାହ୍ମଣ ଘରେ ତୁ ଜନ୍ମ ହୋଇଥିଲୁ ତିନିଜନ୍ମ ପରିଯନ୍ତେ ।।

ପୂଜାରେ ତୁମ୍ଭର ଅନୀତି ହୋଇଲା ପାପ ଲାଗିଲା ଯୁଗତେ ।

ତେଣୁକରି ତୁମ୍ଭେ ବାଉରୀ ହୋଇଲ ହୀନକର୍ମ କଳ ଯେତେ ।।’’

 

ତତ୍ପରେ ଶ୍ରୀ ମହାପ୍ରଭୁ ଅତିବଡ଼ ଜଗନ୍ନାଥ ଦାସଙ୍କ ଜନ୍ମ ଚରିତ ବର୍ଣ୍ଣନା କରିଛନ୍ତି । ସେ ପ୍ରସଙ୍ଗକ୍ରମେ କହିଛନ୍ତି-

 

‘‘ଶ୍ରୀଜଗନ୍ନାଥ ଦାସ ଶ୍ରୀଠାକୁରାଣୀ ଅଙ୍ଗରୁ ଜାତ ଏବଂ ସେ ଅନାମ ପଣ୍ଡା ଘରେ ଜଗନ୍ନାଥ ପଣ୍ଡା ନାମରେ ଖ୍ୟାତହୋଇ ରାଧା ରୂପରେ ଶ୍ରୀଜଗନ୍ନାଥଙ୍କୁ ଭଜନ କରୁଛନ୍ତି । ପୁରୁଷୋତ୍ତମ କ୍ଷେତ୍ରରେ ଅନ୍ୟାନ୍ୟ ଭକ୍ତ ସନ୍ଥମାନେ ସ୍ଥାନାନ୍ତରକୁ ଗମନ କରିଥିଲେ ହେଁ ଶ୍ରୀଜଗନ୍ନାଥ ଦାସ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବାରେ ନିରତ ରହି ‘ଅତିବଡ଼’ ହୋଇ ପାରିଥିଲେ । ସେ ସ୍ତ୍ରୀ କିମ୍ବା ପୁରୁଷ ନୁହନ୍ତି ଏବଂ ପୁରୁଷୋତ୍ତମ କ୍ଷେତ୍ରରେ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରର ଅବସ୍ଥିତି ଅନୁଭବ କରିଛନ୍ତି । ସେ ବାଙ୍କି ମୁହାଣରେ ଥାଇ ଶ୍ରୀଜଗନ୍ନାଥ ବଳଦେବ, ସୁଭଦ୍ରା ଓ ସୁଦର୍ଶନଙ୍କୁ ହୃଦ ମଧ୍ୟରେ ଧ୍ୟାନକରି ‘ପ୍ରେମରୂପା ରାଧା’ ଭାବରେ ପ୍ରଭୁଙ୍କ କୃପା ଳାଭକଲେ । ଶ୍ରୀଜଭନ୍ନାଥଙ୍କ ଅନୁଗ୍ରହ ଓ ଶ୍ରୀଠାକୁରାଣୀଙ୍କ ସ୍ୱତନ୍ତ୍ର କୃପାବଳରେ ସେ ‘ଅତିବଡ଼’ ହୋଇ ପାରିଥିଲେ ।

 

ତୃତୀୟ ଓ ଚତୁର୍ଥ ଅଧ୍ୟାୟରେ ବାଲିଗାଁ ଦାସ ହରି ଦାସଙ୍କ ଆଗରେ ସୃଷ୍ଟିତତ୍ତ୍ୱ, କିପରି ସେ ଭକ୍ତିରୂପକ ଶ୍ରୀ ଜଗନ୍ନାଥଙ୍କୁ ବାନ୍ଧି ପାରିଲେ, ତା’ର ଗହନ ତତ୍ତ୍ୱ ବ୍ୟାଖ୍ୟାନ କରିଛନ୍ତି ।

 

ପଞ୍ଚମ ଅଧ୍ୟାୟରେ ଉତ୍କଳୀୟ ଭକ୍ତ ତଥା ଅତିବଡ଼ ଗୋସାଇଁଙ୍କ ସହଯୋଗୀ ବୃନ୍ଦ, ପ୍ରାଚୀତଟର ସିଦ୍ଧମଠସ୍ଥ ଯୋଗୀ ତଥା ସେହି ପ୍ରସଙ୍ଗରେ ଭକ୍ତକବି ଦିବାକର, ଉଦ୍ଧବ, ମାଧବ, କରୁଣାକର, ଶ୍ୟାମସୁନ୍ଦର, ନିଧି ଦାସ, ଅର୍ଜୁନ ଦାସ ପ୍ରଭୃତିଙ୍କ ନାମ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ କବି ବାଲିଗାଁ ଦାସ ଦେଶରେ ବ୍ୟାପିଥିବା ଅନ୍ୟାୟ ଓ ଅତ୍ୟାଚାର ତଥା ତହିଁର ପ୍ରତିକାର ସମ୍ୱନ୍ଧରେ ବ୍ୟାଖ୍ୟାନ କରିଛନ୍ତି ।

 

ଷଷ୍ଠ ଅଧ୍ୟାୟରେ ପୂର୍ବଖଣ୍ଡର ଯାଜପୁର ପର୍ଯନ୍ତ ଯେତେ ଭକ୍ତ ଯେଉଁଠାରେ ଜନ୍ମ ଗ୍ରହଣ କରିଛନ୍ତି, ସେମାନଙ୍କ ଗ୍ରାମ, ପିତା ମାତାଙ୍କ ନାମ, ଶ୍ରୀ ଜଗନ୍ନାଥ ବାଲିଗାଁ ଦାସଙ୍କ ଆଗରେ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ଭକ୍ତକବି ଭୀମ ଦାସ, ବିକ୍ରମ ଦାସ, ଦ୍ୱିଜ ଅନନ୍ତ, ମହାଦେବ ଦାସ, ରଘୁ ଦାସ, ସଦାନନ୍ଦ ଦାସ ପ୍ରଭୃତି ଭକ୍ତଙ୍କ ସମ୍ୱନ୍ଧରେ ବର୍ଣ୍ଣନା କରାଯାଇଛି ।

 

ସପ୍ତମ ଅଧ୍ୟାୟରେ, ଦ୍ୱାପରଯୁଗର ଷୋଳସହସ୍ର ଗୋପୀ କଳିଯୁଗରେ କେଉଁ କେଉଁ ଭକ୍ତ ରୂପେ ଜନ୍ମଗ୍ରହଣ କରିଛନ୍ତି ଏବଂ ଦେବତାମାନେ କିଏ କେଉଁଠି ଜନ୍ମଗ୍ରହଣ କରିଛନ୍ତି, ପଞ୍ଚପାଣ୍ଡବ ଓ ହନୁମାନ ଆଦି ଭକ୍ତମାନେ କେଉଁ କେଉଁ ସ୍ଥାନରେ ଜନ୍ମ ଗ୍ରହଣ କରି କି କି ସାଧନା କରୁଛନ୍ତି, ତହିଁର ବିବରଣୀ ଦିଆଯାଇଛି ।

 

ଅଷ୍ଟମ ଅଧ୍ୟାୟରେ, ଖଣ୍ଡଗିରିରେ ଶିଶୁ ଅନନ୍ତଙ୍କ ଅଂଶରେ ଯେଉଁ ଭକ୍ତମାନେ ଜନ୍ମ ଗ୍ରହଣ କରିଛନ୍ତି, ସୁବର୍ଣ୍ଣରେଖା, ଯାଜନଗ୍ର, ଅସୁରେଶ୍ୱର, ଆଠଗଡ଼, ବାଲିବିଶି ପ୍ରଭୃତି ଅଞ୍ଚଳର ଯେଉଁ ଭକ୍ତମାନେ ଅଛନ୍ତି ତଥା ତ୍ରେତୟାଯୁଗର ସୁଗ୍ରୀବ, ଅଙ୍ଗଦ, ଜାମ୍ୱବାନ୍‌ ପ୍ରଭୃତି ଭକ୍ତମାନେ କଳିଯୁଗରେ କିଏ କେଉଁଠାରେ ଜନ୍ମ ହୋଇ ଲୀଳା ପ୍ରକଟ କରୁଛନ୍ତି, ତାର ସଂକ୍ଷିପ୍ତ ବିବରଣୀ ଦିଆଯାଇଛି ।

 

ନବମ ଅଧ୍ୟାୟରେ ଭକ୍ତକବି ବାଲିଗାଁ ଦାସ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କଠାରେ ବିନୀତ ପ୍ରର୍ଥନା କରି କହିଛନ୍ତି-

 

‘‘ଅତିବଡ଼ ଗୁରୁ ଚରିତ । କହିବା ହେଉ ପଦ୍ମନେତ୍ର ।।

ଏହାଙ୍କ ସଙ୍ଗେ ସାଧୁ ଯେତେ । କାହିଁ ଅଛନ୍ତି କହ ମୋତେ ।।

ଏହାଙ୍କ ସଙ୍ଗେ ବାଦୀ କେହୁ । ଫେଡ଼ି କହିବା ମହାବାହୁ ।।’’

 

ଭକ୍ତ ଦାସିଆଙ୍କ ଜିଜ୍ଞାସାମତେ ପ୍ରଭୁ ଭକ୍ତମାନଙ୍କ ଚରିତ ବ୍ୟାଖ୍ୟାନ କରିବା ସଙ୍ଗେ ସଙ୍ଗେ ଓଡ଼ିଶା ରାଜ୍ୟରେ ମହାବିତ୍ପାତ ହେବାର ସୂଚନା ଦେଇଛନ୍ତି । ସେହି ପ୍ରକରଣରେ ଓଡ଼ିଶାର ବିଭିନ୍ନ ପୀଠେଶ୍ୱରୀ ଦେବୀଗଣ କିପରି ସଂଗ୍ରାମରେ ଯୋଗଦେଇ ସଂହାରଲୀଳା ଚଳାଇବେ, ତା’ର ସମ୍ୟକ୍‌ ସୂଚନା ଦେଇଛନ୍ତି । ସେହି ପ୍ରସଙ୍ଗରେ ନୀଳମାଧବ ଦୁର୍ଗା, ହେଙ୍ଗୁଳା, ଝଙ୍କଡ଼େଶ୍ୱରୀ ସାରଳା, ଅମ୍ବିକା, ଇଚ୍ଛାପୁରର ଧୋବାଈ, ଚୋବକାଈ ତଥା ଅନ୍ୟାନ୍ୟ ସ୍ଥାନେଶ୍ୱରୀ ଯଥା- ମଙ୍ଗଳା, କୋତାମଚଣ୍ଡୀ, କାଳିକା, ବରୁଣେଈ, ଅଗ୍ନ ସେନୀ, ସତଭାଉଣୀ, ଭଦ୍ରକାଳୀ, ଆଠଗଡ଼ର କାନ୍ତାନୀ, ଝାଡ଼ଖଣ୍ଡର ବାଲୁକେଶ୍ୱରୀ, ଯାମଳା, ମହାକାଳୀ, ଉଲଳା, ଭାଲୁକାଈ, ପୋତବିନୀ, ପୋତଳୀ, ଭଦ୍ରଗଉରୀ, ଦୁର୍ଗତିଚମ୍ପିକା, ବିକଟାଳୀ ପ୍ରଭୃତି ଦେବୀମାନେ ମିଳି କିପରି ସଂହାର ଲୀଳାକୁ ସାର୍ଥକ କରିବେ ।

 

ଏହି ପ୍ରସଙ୍ଗରେ କବି ଶ୍ରୀ ଜଗନ୍ନାଥଙ୍କ ମୁଖରେ ଖେର୍ଦ୍ଧାରାଜା ବୀରକେଶରୀ ଦେବଙ୍କ ସମ୍ୱନ୍ଧରେ ଉଲ୍ଲେଖ କରି ତାଙ୍କ ରଚନା ସମୟ ସମ୍ୱନ୍ଧରେ ପରୋକ୍ଷ ସୂଚନା ଦେଇଛନ୍ତି ।

 

‘‘ବୀରକେଶରୀ ଦେବ ଜାଣ । ବୟାଳିଶରେ ହୋଇ ଜନ୍ମ ।।

ଏ ରାଜାଠାରୁ ଗୋଳକୁଣ୍ଡା । ବହୁତ ଜନ ହେବେ ଗୁଣ୍ଡା ।।

ଗୋଳ ଳାଗିବ ଘରେ ଘରେ । ନୃପତି ପଳାଇବ ଡ଼ରେ ।।

କଳିଙ୍ଗ ଦେଶ ମରହଟ୍ଟ । ଓଡ଼ିଶା ଭାଜିବ ଯେ ନଷ୍ଟ ।।

 

ଇତିହାସ ଆଲୋଚନା କଲେ ଜଣାଯାଏ ଯେ ଖୋର୍ଦ୍ଧାର ଭୋଇବଂଶରେ ବୀରକେଶରୀ ଦେବ ଖ୍ରୀ:ଅ: ୧୭୩୬ରେ ରାଜତ୍ୱ ଆରମ୍ଭ କରିଥିଲେ । ତାଙ୍କର ସମୟରେ ଗୋଲକୁଣ୍ଡାର ମୁସଲମାନ ଶାସକ ଓ ମରହଟ୍ଟା ଶକ୍ତିଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ସଂଘଟିତ ହୋଇଥିଲା । ବୀରକେଶରୀ ଦେବ ମରହଟ୍ଟାମାନଙ୍କ ପକ୍ଷ ସମର୍ଥନ କରି ଶ୍ରୀମନ୍ଦିରର ସୁରକ୍ଷା କରିବା ସଙ୍ଗେ ସଙ୍ଗେ ଦେଶଗେ ଶାନ୍ତି ସ୍ଥାପନା କରାଇଥିଲେ ।

 

‘ଭକ୍ତ ମାଳିକା’ ପୁସ୍ତକର ଦଶମ ଅଧ୍ୟାୟଟି କେବଳ ଜ୍ଞାନୋପଦେଶରେ ପୂର୍ଣ୍ଣ ।

 

‘‘କହନ୍ତି ଦେବ ନାରାୟଣ । ଶୁଣ ହେ ଦାସେ ପରମାଣ ।।

ଗୁପତ ରସନିଧି ବାଣୀ । ଏ ଟୀକା ଭକ୍ତ ରସବାଣୀ ।।

ଭକ୍ତ ମାଳିକା ମୂଳଟୀକା । ବ୍ରହ୍ମାଣ୍ଡ ରୋମମୂଳେ ଲେଖା ।।

 

 

 

ବିରାଟ ଦେହେ ଯେତେ ଛନ୍ତି । ଯହିଁ ଯେମନ୍ତ ଜନ୍ମ ହୋନ୍ତି ।।

X            X            X

ଜ୍ଞାନଲୋଚନେ ଦେବା କହି । ତୋହୋର ମନ ସ୍ଥିର ହୋଇ ।’’

 

ଏହି ପ୍ରସଙ୍ଗରେ କବି ଭକ୍ତିସିଦ୍ଧାନ୍ତ, ମନ୍ତ୍ରଯନ୍ତ୍ର ବସାଣ, ନାମ ମହାତ୍ମ୍ୟ ତଥା ଲୋକମାନଙ୍କ ଅଧୋଗତି ସମ୍ପର୍କରେ ସୂଚନା ଦେଇଛନ୍ତି ।

 

ଏକାଦଶ ଅଧ୍ୟାୟରେ କବି ବାଲିଗାଁ ଦାସ ପ୍ରଭୁଙ୍କଠାରୁ ଅଧିକ କିଛି ଜାଣିବା କାମନାରେ ପ୍ରଶ୍ନ କରିଛନ୍ତି-

 

‘‘ଠିକ ଜ୍ଞାନୀଙ୍କ ନାମ ମୋତେ । କହିବା ହେଉ ପ୍ରଭୁ ଚିତ୍ତେ ।।

ଚୌଷଠୀ ଜଣେ କେହୁ ଲେଖା । ତାହା କହିବା ପ୍ରଭୁ ୟେକା ।।

ଗୋପ, ମଥୁରା, ବୃନ୍ଦାବନ । ଅଯୋଧ୍ୟା ଦ୍ୱାରିକା ଭୁବନ ।।

ଯେତେ କହିଲ ଦିଗ ଜାଣ । ଏହାର କେ ହୋ ପୁରାଣ ।।’’

 

ଭକ୍ତ ଦାସିଆଙ୍କ ଆର୍ତ୍ତଜିଜ୍ଞାସା ମତେ ପ୍ରଭୁ ଜଗନ୍ନାଥ ସମସ୍ତ ତଥ୍ୟ ବିଶ୍ଲେଷଣ କରିବା ସଙ୍ଗେ ସଙ୍ଗେ ‘ଚଉଦ ବ୍ରହ୍ମାଣ୍ଡ’ ର ଭକ୍ତବୃନ୍ଦଙ୍କ ବର୍ଣ୍ଣନା କରିଛନ୍ତି । ତତ୍‌ସହିତ ପଞ୍ଚସଖାଙ୍କ ଶିଷ୍ୟ ଓ ଭକ୍ତ ସଂଖ୍ୟାର ଉଲ୍ଲେଖ କରିଛନ୍ତି-

 

‘‘ଗନ୍ଧର୍ବ ଅଂଶ ୟେ ଲେଖିବୁ । ଲକ୍ଷେ ସତୁରୀ ଭେଦିଥିବୁ ।।

ଯଶୋବନ୍ତ ଅଂଶ ଳକ୍ଷଣ । ଦି’ ଲକ୍ଷ ବଳରାମ ପୁଣ ।।

ଶିଶୁ ଅନନ୍ତ ଦୁଇ ଲକ୍ଷ । ଜଗନ୍ନାଥ ଯେ ଷଡ଼ ଲକ୍ଷ ।।

ଅଚ୍ୟୁତ ପାଞ୍ଚ ଲକ୍ଷ କହି । ୟେ ରୂପେ ଷୋଳ ଲକ୍ଷ ଗୋଈ ।।

 

X            X            X

ଏ ରୂପେ ଚଉଷଠି ଜାଣ । ଭକ୍ତ ମାଳିକାରେ ପ୍ରମାଣ ।।

ଚଉଦ ବ୍ରହ୍ମାଣ୍ଡରେ ଭେଦ । ଯେତେ ଅଛନ୍ତି ଭକ୍ତବୃନ୍ଦ ।।

ତୋ ଆଗେ କହିଦେଲୁ ଫେଇ । ଏଥି ସଂଶୟ କିଛି ନାହିଁ ।।

 

ଦ୍ୱାଦଶ ଓ ତ୍ରୟୋଦଶ ଅଧ୍ୟାୟରେ ଭକ୍ତକବି ଦାସିଆ କଳିଯୁଗରେ ନାମଭଜନ ଉପରେ ଗୁରୁତ୍ୱ ଦେଇ ଆଲୋଚନା କରିଛନ୍ତି; କିନ୍ତୁ ଯେଉଁମାନେ ଭକ୍ତିମାର୍ଗରେ କାଳଯାପନ ନ କରି ଭିନ୍ନ ମାର୍ଗରେ କାଳାତିପାତ କରୁଛନ୍ତି, ସେମାନେ କିପରି ନାଶଯିବେ, ତାହା ତନ୍ନ ତନ୍ନ କରି ବୁଝାଇଛନ୍ତି-

 

ପ୍ରଭୁ ଜଗନ୍ନାଥ ଦାସିଆଙ୍କ ଘରଠାରେ ଅନେକ ସମୟ ଅତିବାହିତ କରିଥିବାରୁ ଶ୍ରୀମନ୍ଦିରର ଭୋଗବେଳେ ଚଳୁରେ ଦେଖ ଦେଲେ ନାହିଁ । ତହୁଁ ଶ୍ରୀମନ୍ଦିରରେ ଚହଳ ପଡ଼ିଗଲା ସେହିଦିନ ଶ୍ରୀମନ୍ଦିରର ‘ଖଟଣି’ ରେ ରାଜା ପ୍ରତାପରୁଦ୍ରଙ୍କର ବହୁ ଭୋଗ ବରାଦ ଥିଲା । ମହାପ୍ରସାଦ ଲାଗି ପ୍ରସ୍ତୁତ ହୋଇଥିବା ଦ୍ରବ୍ୟମାନ ନଷ୍ଟ ହୋଇଯାଆନ୍ତେ, ଠାକୁର ରାଜା ପଣ୍ଡା, ସୁଆର ପ୍ରଭୃତିଙ୍କୁ ସମୁଚିତ ଦଣ୍ଡଦେବା ଅଭିପ୍ରାୟରେ ବନ୍ଦୀ କରିଥିଲେ ।

 

‘‘ମକର ମାସ ଦ୍ୱାଦଶୀରେ । ବିଜୟେ ବାଲିଗାଁ ମନ୍ଦିରେ ।।

ରାତ୍ରହୁଁ ବିଜେ ଦାମୋଦର । ତିନି ପ୍ରହର ହେଲା ବେଳ ।।

X            X            X

 

ଷାଠିଏ ପୌଟୀ ଭୋଗମାନ । ଦାୟିତାପତି କଲେ ପୂର୍ଣ୍ଣ ।।

ପଣ୍ଡା ବସିଲା ଚଳୁ ଧରି । ମନ୍ତ୍ର ସୁମରି ସ୍ୱାହା କରି ।।

ଚଳୁ ଯେ ତୋଳିଣ ଧଇଲା । ପ୍ରଭୁଙ୍କ ଦ୍ରଶନ ନୋହିଲା ।।’’

 

ମହାପ୍ରଭୁ ଏହା ଜାଣିପାରି ରାତ୍ରରେ ରାଜାଙ୍କୁ ସ୍ୱପ୍ନରେ ସବୁ ବୃତ୍ତାନ୍ତ କହି ନିର୍ଦ୍ଦୋଷ ପଣ୍ଡାମାନଙ୍କୁ ମୁକ୍ତ କରିବା ଲାଗି ଆଦେଶ ଦେଲେ । ତହୁଁ ରାଜ ସ୍ୱପ୍ନ ପରେ ସମସ୍ତ ପଣ୍ଡାଙ୍କୁ ବନ୍ଦୀଘରୁ ମୁକ୍ତ କରିଥିଲେ ।

 

‘‘ଦୟାସାଗର ନରହରି । ରାଜା ଶୟନ ସ୍ଥାନେ ମିଳି ।।

ସପନେ କହିଲେ ରାଜାଙ୍କୁ । କମ୍ପାଇଁ ଚିନ୍ତା ତୋ ମନକୁ ।।

ପର ଅପର ମୋର ନାହିଁ । ଭାବିଲା ଭୃତ୍ୟ ସଙ୍ଗେ ଧାଇଁ ।।

ବାଉରିକୁଳେ ତା’ର ଜନ୍ମ । ବାଲିଗାଁ ଦାସ ବୋଲି ନାମ ।।

 

ତା’ର ମନ୍ଦିରେ ଥିଲି ମୁହିଁ । ଭକତ ଭାବେ ବନ୍ଦୀ ହୋଇ ।।

X            X            X

ପ୍ରତାପରୁଦ୍ର ନୃପରାଶି । ସପନ ତେଜ ଉଠି ବସି ।।

ଦାଣ୍ଡ ପାଞ୍ଚ ବଖରା ମେଲା । ନୃପତି ତହିଁ ବିଜେ କଲା ।।

ଖୁଣ୍ଡିଆ ରାଇ ପରମାଣ । ବନ୍ଦୀ ସେବକ ଆଗେ ଆଣ ।।

 

X            X            X

ରାଜା ଆଜ୍ଞା ଦେଲେ ଅନାଇଁ । ତୁମ୍ଭର କିଛି ଦୋଷ ନାହିଁ ।।

ସେ ମାୟା ଅନ୍ତ କେ କରିବ । କୀଟୁ ବ୍ରହ୍ମରେ ଯାର ଭାବ ।।

ସମସ୍ତେ ୟେବେ ଯାଅ ବେଗ । ପ୍ରଭୁ ସେବାରେ ଯାଇ ଲାଗ ।।’’

 

ଭକ୍ତକବି ଦାସିଆ ପ୍ରତାପରୁଦ୍ର ଦେବଙ୍କ ସମ୍ୱନ୍ଧରେ ଯେଉଁ ଆଖ୍ୟାୟିକାଟି ଶୁଣାଇଛନ୍ତି ତାହା ନିଶ୍ଚିତ ଭାବରେ ଭାକ୍ତିକ କଳ୍ପନା ବୋଲି ଧାରଣା କରିହୁଏ । କାରଣ ଗଜପତି ପ୍ରତାପରୁଦ୍ର ଖ୍ରୀ.ଅ. ୧୫୩୫ ପର୍ଯ୍ୟନ୍ତ ଜୀବିତ ଥିବାର ପ୍ରମାଣ ମିଳୁଛି । ଯଦି କବି ଦାସିଆ ସେହି ସମୟରେ ବିଦ୍ୟମାନ ଥିଲେ ବୋଲି ଧାରଣା କରାଯାଏ, ତା’ହେଲେ ଖ୍ରୀ: ଅ: ୧୭୩୬ରେ ଖୋର୍ଦ୍ଧା ରାଜବଂଶର ବୀରକେଶରୀ ଦେବ ଓ ମରହଟ୍ଟାମାନଙ୍କ ଓଡ଼ିଶା ଆଗମନ ସମ୍ପର୍କରେ ତଥ୍ୟ ଦେବା ଆଦୌ ସମ୍ଭବ ହୁଅନ୍ତା ନାହିଁ । କିନ୍ତୁ ପୂର୍ବରୁ ଆଲୋଚିତ ‘ଆଗତ-ଭବିଷ୍ୟ’ରୁ ଜଣାଯାଏ ଯେ ସେ ଖୋର୍ଦ୍ଧା ରାଜବଂଶର ନରସିଂହ ଦେବଙ୍କ ଠାରୁ ଗଜପତି ବୀରକେଶରୀ ଦେବଙ୍କ ସମ୍ୱନ୍ଧରେ ଯେଉଁ ଆଲୋଚନା କରିଛନ୍ତି, ଐତିହାସିକ ଦୃଷ୍ଟିକୋଣରୁ ତାହା ଅଭ୍ରାନ୍ତ ବୋଲି ଜଣାପଡ଼ୁଛି । ସେହି ଦୃଷ୍ଟିରୁ ଖ୍ରୀଷ୍ଟୀୟ ସପ୍ତଦଶ ଶତାଦ୍ଦୀର ପ୍ରଥମ ଦଶକରୁ ଅଷ୍ଟାଦଶ ଶତାଦ୍ଦୀର ଚତୁର୍ଥ ଦଶକ ସୁଦ୍ଧା ଭକ୍ତ ଦାସିଆଙ୍କ ସମୟ ବୋଲି ଆଲୋଚନା କରାଯିବା ଅସମୀଚୀନ ହେବ ନାହିଁ ।

 

ପଞ୍ଚାସଖାଙ୍କ ସହିତ ଭକ୍ତ ଦାସିଆଙ୍କର ସାକ୍ଷାତ ମଧ୍ୟ ଅନୁରୂପ ଭାକ୍ତିକ କଳ୍ପନା ବୋଲି କୁହାଯାଇପାରେ । କାରଣ ଦୀର୍ଘ ଅଢେଇ ଶହ ବର୍ଷ ଦାସିଆ ବଞ୍ଚିଥିବେ ବୋଲି ଯୁକ୍ତି କରିବା ହୁଏତ କାବ୍ୟିକ କଳ୍ପନା ହୋଇପାରେ, କିନ୍ତୁ ଇତିହାସ ଦୃଷ୍ଟିରୁ ଏହା ସଙ୍ଗତ ବୋଲି ମନେ ହୁଏ ନାହିଁ-

 

ଭକ୍ତ ଦାସିଆଙ୍କ ସମାଧି ଅଦ୍ୟାପି ବାଲିଗାଁ ଠାରେ ରହିଛି । ତାଙ୍କ ଦାସ ସଂପ୍ରଦାୟର ଳୋକମାନେ ଅଦ୍ୟାପି ସେହି ସମାଧି ଠାରେ ଭଜନ କୀର୍ତ୍ତନ କରୁଛନ୍ତି । ତାଙ୍କ ସମ୍ୱନ୍ଧରେ ଆଉ କିଛି ଅଧିକ ତଥ୍ୟ ହସ୍ତଗତ ହୋଇନାହଁ ।

 

ଋଗ୍‌ବୈଦିକ ପୃଷ୍ଠ ଭୂମିରେ : ନୌକଳା- ଏକ ଅଧ୍ୟୟନ

ପଣ୍ଡିତ ଗୌରୀଶଙ୍କର ଶତପଥୀ

ବୈଦିକ ବଙ୍ମୟ ରଚନାର ପ୍ରାଥମିକ ପର୍ଯ୍ୟାୟରେ ଆର୍ଯ୍ୟମାନେ ଯେ ସାମୁଦ୍ରିକ ଜ୍ଞାନ ତଥା ନୌଯାତ୍ରା ସହ ଉତ୍ତମ ରୂପେ ପରିଚିତ ଥିଲେ ତାହାହିଁ ଏହି ପ୍ରବନ୍ଧର ପ୍ରତିପାଦ୍ୟ ବିଷୟ । ବିଭିନ୍ନ ବେଦବିତ୍‌ମାନେ ଭିନ୍ନ ଭିନ୍ନ ମତ ପୋଷଣ କରି ଅନେକ କ୍ଷେତ୍ରରେ ଏହାର ବିପକ୍ଷ ମତ ପ୍ରଦାନ କରିଥାନ୍ତି । କେତେକ ସମାଲୋଚକ କହନ୍ତି ଯେ ବୈଦିକ ସଭ୍ୟତର ଶେଷ ପ୍ରାନ୍ତରେ ଆର୍ଯ୍ୟମାନେ ଏହି ନୌକଳା ସମ୍ପର୍କରେ ସମାନ୍ୟ ଜ୍ଞାନ ଅର୍ଜନ କରିଥିଲେ । ଅନ୍ୟ କେତେକ ସମଲୋଚକ ମତ ପୋଷଣ କରନ୍ତି ଯେ, ଋଗ୍‌ବେଦ ରଚନା ପରେ ଆର୍ଯ୍ୟମାନେ ଏହି ନୌଯାତ୍ରା ପାଇଁ ଆକୃଷ୍ଟ ହୋଇଥିଲେ । ଏତଦ୍‌ବ୍ୟତୀତ ଅନ୍ୟ ଏକ ପ୍ରକାର ଆଧୁନିକ ସମାଲୋଚକ ଗୋଷ୍ଠୀ ବହୁ ବିବଦମାନ ଯୁକ୍ତି ଉପସ୍ଥାପିତ କରି କହନ୍ତି ଯେ, ବେଦ ବର୍ଣ୍ଣିତ ‘ସମୁଦ୍ର’ ଶଦ୍ଦ ନଦୀ ଓ ଜଳଭଣ୍ଡାର ଅର୍ଥର ଦ୍ୟୋତକ ଅଥବା ମୁଖ୍ୟତଃ ‘‘ସିନ୍ଧୁ ନଦୀ’’ ର ପ୍ରତିଶଦ୍ଦ ରୂପେ ପ୍ରଦତ୍ତ । କିନ୍ତୁ ବେଦ ରଚନାରେ ପ୍ରାକ୍‌କାଳରେ ଯେଉଁ ଆର୍ଯ୍ୟମାନେ କେବଳ ଚିରସ୍ରୋତା ପବିତ୍ର ନଦୀଶଯ୍ୟାରେ ବସବାସ ଆରମ୍ଭ କରି ନଦୀ ଓ ସମୁଦ୍ରର ମିଳନ ସ୍ଥଳୀକୁ ସେଥିନିମନ୍ତେ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରିଥିଲେ; ସେମାନେ ଯେ ନୌକଳା ଓ ସମୁଦ୍ର ସମ୍ୱନ୍ଧୀୟ ଜ୍ଞାନ ସମ୍ପର୍କରେ ଅଭିହିତ ନ ଥିବେ ଉପରୋକ୍ତ କାରଣରୁ ଏହା ଠିକ୍‌ ମନେ ହୁଏ ନାହିଁ ।

 

ଋଗ୍‌ବୈଦିକ କାଳରେ ଆର୍ଯ୍ୟମାନେ ମନେ କରୁଥିଲେ ଯେ ପୃଥିବୀର ଦୁଇ ଗୋଲାର୍ଦ୍ଧ ଜଳୀୟବାଷ୍ପରେ ପୂର୍ଣ୍ଣ ଥିଲା ଏବଂ ଊର୍ଦ୍ଧ୍ୱ ଗୋଲାର୍ଦ୍ଧରୁ ଅର୍ଦ୍ଧ ଗୋଲାର୍ଦ୍ଧ ଊର୍ଦ୍ଧ୍ୱ ଏବଂ ଅର୍ଦ୍ଧ ଗୋଲାର୍ଦ୍ଧରୁ ଊର୍ଦ୍ଧ୍ୱ ଗୋଲାର୍ଦ୍ଧକୁ ଅବିଚ୍ଛିନ୍ନ ଭାବରେ ଏହି ବାଷ୍ପ ଗତିଶୀଳ ଥିଲା ।‘ସପ୍ତସିନ୍ଧୁ’ ଏହି ପୃଥିବୀକୁ ନିରନ୍ତର ପ୍ରଦକ୍ଷିଣ କରୁଥିଲେ ।

 

ଋଗ୍‌ବେଦକାଳୀନ ଆର୍ଯ୍ୟମାନଙ୍କର ଏହି ଧାରଣା ପ୍ରାଚୀନ ଇହୁଦୀୟ ସମୁଦ୍ରଜ୍ଞାନ ସହ ପ୍ରାୟତଃ ସମାନ । ବିଭିନ୍ନ ବୈଦିକ ଉପଖ୍ୟାନ; ଯଥା- ବୃତ୍ତ୍ର, ସମ୍ୱରାଦି ଅସୁରମାନଙ୍କ ସଙ୍ଗେ ଇନ୍ଦ୍ରଙ୍କର ଯୁଦ୍ଧ ପ୍ରତି ଏକ ପର୍ଯ୍ୟାଲୋଚନାତ୍ମକ ଦୃଷ୍ଟି ନିକ୍ଷେପ କଲେ ଉପରୋକ୍ତ ତଥ୍ୟର ପ୍ରମାଣିକତା ପ୍ରତି କେତେକ ସମର୍ଥନ ମିଳେ । ବୃତ୍ତାସୁର ସଙ୍ଗେ ମୁଖ୍ୟତଃ ‘ଗାବଃ’’, ‘‘ଉଷସ୍‌’’ ଏବଂ ‘‘ଆପଃ’’ କୁ ସେ (ବୃତ୍ତାସୁର) ଆବଦ୍ଧ କରିବା ଯୋଗୁଁ ସେ ସବୁର ମୁକ୍ତି ନିମନ୍ତେ ଇନ୍ଦ୍ର ସଂଗ୍ରାମ କରିଥିବା ଜଣାଯାଏ । ‘ଗାବଃ’’, ‘ଉଷସ’’ ଏବଂ ‘‘ଆପଃ’’ ଯଥାକ୍ରମେ, ଉଷାକାଳ ଏବଂ ଜଳ ଅର୍ଥକୁ ପ୍ରକାଶ କରନ୍ତି । ସୁଦୂର ସମୁଦ୍ରରେ ଇନ୍ଦ୍ର ଅସୁରମାନଙ୍କର ଅର୍ଥାତ୍‌ ଅବରୋଧ-କାରୀ ଶକ୍ତିଗୁଡ଼ିକର ବିଲୋପସାଧନ କରି ଏହି ଜଳର ସୁଗମ ଗତି ପ୍ରତି ସହାୟ ହୋଇଥିଲେ । ଏ’ ସମ୍ପର୍କରେ ବେଦରେ ଅଛି, ‘‘ପରାଽବାତି ସମୁଦ୍ରେ’’ ।। (୧) ଏଣୁ ‘‘ସମୁଦ୍ର’’ ଶବ୍ଦର ଏ ପ୍ରକାର ବ୍ୟବହାର ପ୍ରୋକ୍ତ ମତକୁ ଅଧିକ ବଳିଷ୍ଠ କରେ । ଏହି ଅବରୋଧକାମୀ ଶକ୍ତିଗୁଡ଼ିକର ବିଲୟ ପରେ ସାଗରୀୟ ଜଳର ଅବାଧଗତି ନିମିତ୍ତ ସାତଗୋଟି ନିତ୍ୟ-ପ୍ରବହମାନ ମାର୍ଗର ମଧ୍ୟ ନିର୍ମାଣ କାର୍ଯ୍ୟ ଇନ୍ଦ୍ରଙ୍କ ଦ୍ୱାରା ସମ୍ଭବ ହୋଇଥିଲା । (୨) ସମୁଦ୍ରର ସଂଜ୍ଞା ନିର୍ଦ୍ଦେଶ କରିବାକୁ ଯାଇ ମଧ୍ୟ କୁହାଯାଇଛି ଯେ ‘‘ସମୁଦ୍ରବନ୍ତି ଅସ୍ମାଦ୍‌ ଆପଃ’’-ଅର୍ଥାତ୍‌ ଯେଉଁଠାରେ ଚିରନ୍ତନ ଭାବରେ ଜଳ ପ୍ରବାହିତ ହେଉଥାଏ ।

 

୧। ଦ୍ରଷ୍ଟବ୍ୟ - ଋକ୍‌ -୧।୫୩।୭

୨। ଦ୍ରଷ୍ଟବ୍ୟ- ଋକ୍‌- ୭।୪୦।୫-‘‘ଯା’’ ସପ୍ତବୁଧ୍ୱମର୍ଣ୍ଣବଜିଗ୍ନ ବାରମ ପୋର୍ଶ୍ନୁତେ । ଅଗ୍ରଭଣେ ସମୁଦ୍ରେ’’

 

ଏଣୁ ଯେଉଁ ଋଗ୍‌-ବୈଦିକ ଯୁଗରେ ‘ସମୁଦ୍ର’ ବା ‘ଅର୍ଣ୍ଣବ’ର ସ୍ୱରୂପ ଏହିଭଳି ଭାବରେ ପ୍ରଚଳିତ ଥିଲା, ତା’ର ଆଲୋଚନା ବା ତତ୍କାଳୀନ ଆର୍ଯ୍ୟମାନଙ୍କର ତତ୍‌ସମ୍ବନ୍ଧୀୟ ଜ୍ଞାନର ପର୍ଯ୍ୟାଲୋଚନା ଏହାର ପୃଷ୍ଠଭୂମି ଉପରେ କରାଯିବା ଏକାନ୍ତ ବିଧେୟ ।

 

ଋଗବେଦରେ ‘‘ସମୁଦ୍ର‘’ ଶବ୍ଦର ବ୍ୟବହାର ନିଦୀ ଅର୍ଥର ଦ୍ୟୋତକ ନ ହୋଇ ନିଶ୍ଚିତ ଭାବରେ ସମୁଦ୍ର ଅର୍ଥର ଯେ ପ୍ରତିପାଦକ ଏହା ସେଥିରେ ବ୍ୟବହୃତ ବିଭିନ୍ନ ସ୍ଥାନରେ ତା’ର ପ୍ରତ୍ୟକ୍ଷ ଓ ପରୋକ୍ଷ ବ୍ୟବହାରରୁ ମିଳିଥାଏ । ଋଗ୍‌ବେଦର ଏକ ସ୍ଥାନରେ ଅଛି-

 

‘‘ତ୍ୱଂ ବୃଥା ନଦ୍ୟ ଇନ୍ଦ୍ର ସର୍ତବେଽଚ୍ଛା

ସମୁଦ୍ର ମସୃଜୋ ରଥାଁଇବ ।

ବାଜୟତୋଽଥାଁ ଇବଇତଊତା

ରୟୁତେ ସମାନମର୍ଥ-ମଷିତମ୍‌ ।।’ (୩)

 

୩। ୠକ୍‌ - ୧।୧୧୦।୫

(ଅର୍ଥାତ୍‌- ହେ’ ଇନ୍ଦ୍ର ! କୌଣସି ପ୍ରୟାସ ବ୍ୟତୀତ ଆପଣ ଜଳ ପ୍ରବାହକୁ ମୁକ୍ତ କରିଦେଲେ, ତେଣୁ ସୁତୀବ୍ର ଗତିରେ ରଥ ପରି ନୀଚ ସମୁଦ୍ରକୁ ଏହା ପ୍ରବାହିତ ହେଉଅଛି । ଆପଣଙ୍କର ସମସ୍ତ ଶକ୍ତି ଆଦାନ ପ୍ରଦାନ ହେବା ଯୋଗୁଁ ଏହା ଦୂରରେ ପହଞ୍ଚି ଏକ ଶାଶ୍ୱତ ବା ଅନନ୍ତ ଲକ୍ଷ୍ୟସ୍ଥଳରେ ଏକତ୍ରିତ ମଧ୍ୟ ହେଉଅଛି ।)

 

ଏଠାରେ ଇନ୍ଦ୍ରଙ୍କର ବିନା ପ୍ରୟାସରେ ଜଳ ପ୍ରବାହର ମୁକ୍ତି ଯୋଗୁଁ ରଥର ସୁତୀବ୍ର ବେଗ ପରି ଏହି ଜଳପ୍ରବାହ ତୀବ୍ର ବେଗରେ ନୀଚ ସମୁଦ୍ରକୁ ପ୍ରବାହିତ ହେବା ଏବଂ ଇନ୍ଦ୍ରଙ୍କ ଶକ୍ତିର ଆଦାନ ପ୍ରଦାନରେ ଦୂରସ୍ଥ ଏକ ଶାଶ୍ୱତ ଓ ଅନନ୍ତ ଲକ୍ଷ୍ୟସ୍ଥଳରେ ଏହି ଜଳପ୍ରବାହ ଏକତ୍ରିତ ହେବା ବିଷୟରେ ସୂଚନା ମିଳେ । ତେବେ ଏହି ଶାଶ୍ୱତ ଓ ଅନନ୍ତ ଗନ୍ତବ୍ୟ ସ୍ଥାନ କ’ଣ ? ଏହା କ’ଣ ‘ସମୁଦ୍ର’ ନୁହେଁ ? ନଦୀଗୁଡିକର ନିତ୍ୟ ଲକ୍ଷ୍ୟସ୍ଥଳ ଭାବରେ ଅସଂଦଗ୍‌ଧ ଓ ସ୍ପଷ୍ଟ ରୂପେ ଏଠାରେ ସମୁଦ୍ରକୁ ଗ୍ରହଣ କରାଯାଇ ପାରିବ । ଏହିଭଳି ପରିସ୍ଥିତିରେ ସମୁଦ୍ର ଶବ୍ଦ ଅନ୍ୟ କୌଣସି ଜଳଭଣ୍ଡାର ବା ନଦୀ ଅର୍ଥ ପ୍ରତିପାଦକ ବୋଲି ଉଚିତ ମନେ କରିବା ଅତୀବ ଭ୍ରମାତ୍ମକ ମନେ ହୁଏ-

 

ଏତଦ୍‌ବ୍ୟତୀତ ଋଗ୍‌ବେଦର ବିଭିନ୍ନ ସ୍ଥାନରେ ସମୁଦ୍ରକୁ ନଦୀମାନଙ୍କର ସର୍ବଶେଷ ଗନ୍ତବ୍ୟ ସ୍ଥଳ ଭାବରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବରେ ଏପରିକି ଉପମା ଛଳରେ ମଧ୍ୟ ପର୍ଯ୍ୟପ୍ତ ଭାବରେ ବର୍ଣ୍ଣନା କରାଯାଇଛି । ସେଗୁଡ଼ିକର ଏକ ସ୍ଥୂଳାଲୋଚନା ନିମ୍ନରେ ପ୍ରଦତ୍ତ ହେଲା ।

 

‘‘ଅହନ୍ନହିଂ ପର୍ବତେ ଶିଶ୍ରିୟାଶଂ

ତ୍ୱଷ୍ଟାସ୍ମୈ ବଜ୍ରଂ ସୂର୍ଯ୍ୟତତଷ

ବାଶ୍ରାଇବ ଧେନବଃ ସ୍ୟନ୍ଦମାନା

ଅଞ୍ଜଃ ସମୁଦ୍ରଇବ ଜଗ୍ମୁରାପଃ’’ ।। (୪)

 

‘‘ସମୁଦ୍ରଂ ନ ସ୍ରବତଃ ସପ୍ତୟାହ୍ୱୀଃ’’ ।। (୫)

‘‘ସମୁଦ୍ରଂ ନ କୁର୍ବଂତେ ରୋଧଚକ୍ରାଂ’’ ।। (୬)

 

‘‘ଆପଃ ସମୁଦ୍ରଂ ରଥୈବ ଜଗ୍ମଃ’’ ।। (୭)

‘‘ସମୁଦ୍ରଂ ନ ସିନ୍ଧବଃ’’ ।। (୮)

 

‘‘ ଅପାମବୋ ନ ସମୁଦ୍ରେ’’ ।। (୯)

‘‘ସମୁଦ୍ରାୟୈବ ସିନ୍ଧବଃ’’ ।। (୧୦)

 

(୪) ଦ୍ରଷ୍ଟବ୍ୟ - ଋକ୍‌-୧।୩୨।୨

(ଅର୍ଥାତ୍‌ - ଆପଣ ଆମ୍ଭମାନଙ୍କ ନିମିତ୍ତ ପର୍ବତୋପରିସ୍ଥିତ ଅହି (ସର୍ପ ?)ର ବଧ ଦ୍ରବ୍ୟବ୍ରଜଦ୍ୱାରା କଲେ, ଯାହା ଫଳରେ ଭୋକିଲା ବାଛୁରୀ ପରି ଦ୍ରୁତ ଗତିରେ ପ୍ରବାହମାନ ଜଳୀୟ ସ୍ରୋତ ସମୁଦ୍ରରେ ନିପାତିତ ହେଲା ।)

 

୫। ତତ୍ରେବ - ୧।୭୧।୧ (ଅର୍ଥାତ୍‌ - ଯେଉଁପରି ସେହି ଶକ୍ତିଶାଳୀ ସପ୍ତନଦୀ ସମୁଦ୍ରକୁ ଖୋଜୁଥା’ନ୍ତି ।)

୬ । ଦ୍ରଷ୍ଟବ୍ୟ - ଋକ୍‌-୧।୧୯୨।୭ (ଅର୍ଥାତ୍‌ - ଯେଉଁପରି ନଦୀଗୁଡ଼ିକର ଭିତରର ଜଳ ଚକ୍ରାକାର ହୁଏ ଏବଂ ତାହା ସମୁଦ୍ରାଭିମୁଖୀ ହୋଇ ବହୁଥାଏ । )

 

୭ । ଋକ୍‌ - ୩।୩୬।୭ (ଅର୍ଥାତ୍‌ - ରଥ ସମୂହ ପରି ଜଳ ପ୍ରବାହ ସମୁଦ୍ରାଭ୍ୟନ୍ତରକୁ ବହୁଥାଏ ।)

୮। ତତ୍ରୈବ- ୬।୩୬।୩ (ଅର୍ଥାତ୍‌ - ଯେଉଁପରି ନଦୀଗୁଡ଼ିକ ସମୁଦ୍ରରେ ପହଞ୍ଚିଥାଏ ।)

 

୯ । ତତ୍ରେବ - ୮।୧୬।୨ (ଅର୍ଥାତ୍‌ ଯେଉଁପରି ଜଳ ଅନୁରାଗ ଥାଏ ।)

୧୦ । ତତ୍ରେବ - ୮।୪୪।୨୫ (ଅର୍ଥାତ୍‌ - ଯେଉଁପରି ନଦୀଗୁଡ଼ିକ ଶୀଘ୍ର ସମୁଦ୍ରକୁ ଗତି କରୁଥା’ନ୍ତି--)

 

ଏ’ ସମସ୍ତ ଉଲ୍ଲିଖିତ ସତ୍ୟର ପର୍ଯ୍ୟପ୍ତ ପ୍ରମାଣ ଉପରେ ନିର୍ଭର କରି ଏତିକି କୁହାଯାଇପାରେ ଯେ ଜଳର ଅନ୍ତିମ ଗନ୍ତବ୍ୟସ୍ଥଳ ରୂପେ ସମୁଦ୍ର ସହ ସେମାନଙ୍କର ଉତ୍ତମ ପରିଚିତ ଥିଲା ।

 

ତତ୍‌ପରେ ଯେଉଁ କେତେକ ଆଧୁନିକ ସମାଲୋଚକ ଏହାକୁ ସିନ୍ଧୁନଦୀ ରୂପେ ଗ୍ରହଣ କରନ୍ତି, ବିଭିନ୍ନ ପ୍ରକୃତ ପ୍ରମାଣ ବଳରେ ତା’ର ବିପକ୍ଷ ମତ ପ୍ରତିପାଦନ କରି ଋଗ୍‌-ବୈଦିକ ଆର୍ଯ୍ୟମାନେ ଯେ ସମୁଦ୍ର ସମ୍ପର୍କରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିଥିଲେ ଏହାର ପର୍ଯ୍ୟାପ୍ତ ଉଦାହରଣ ମଧ୍ୟ ଋଗ୍‌ ବେଦରୁ ପ୍ରଦାନ କରାଯାଇପାରେ । ଯଦି ତତ୍କାଳୀନ ଆର୍ଯ୍ୟମାନେ ସମୁଦ୍ରକୁ ସିନ୍ଧୁ ନଦୀ ରୂପରେ ଗ୍ରହଣ କରିଥାନ୍ତେ, ତେବେ ବେଦରେ ସମୁଦ୍ର ଶବ୍ଦର କେବଳ ଏକବଚନାନ୍ତ ବ୍ୟବହାର ଦେଖା ଯାଉଥା’ନ୍ତା, କିନ୍ତୁ ଋଗ୍‌ବେଦରେ ସମୁଦ୍ର ଶବ୍ଦର ବହୁବଚନରେ ପ୍ରଯୁକ୍ତ ବ୍ୟବହାର ।।୧୧।। ତାକୁ କୌଣସି ମତେ ସିନ୍ଧୁ ନଦୀ ଅର୍ଥର ପରିପ୍ରକାଶ ନିମନ୍ତେ ବ୍ୟବହାର କରାଯାଇ ନାହିଁ ବୋଲି ଦୃଢ଼ ଭାବରେ ପ୍ରମାଣ ପ୍ରଦାନ କରେ । ଏତଦବ୍ୟତୀତ ସମୁଦ୍ରର ଜ୍ଞାତବ୍ୟ ବିଷୟ ତଥା ଦୈନନ୍ଦିନ ଜୀବନରେ ତା’ର ଆବଶ୍ୟକତା ଅନୁସାରେ ସେମାନେ ସମୁଦ୍ରର ବିଭାଗୀକରଣ କରି ତାକୁ ଚାରିଭାଗରେ ବିଭକ୍ତ କରିଥିଲେ ।।୧୨।। ଏଥିରୁ ସ୍ପଷ୍ଟ ରୂପେ ପ୍ରତିପାଦିତ ହୁଏ ଯେ ଋଗ୍‌-ବୈଦିକକାଳରେ ତତ୍କାଳୀନ ଆର୍ଯ୍ୟମାନେ ସମୁଦ୍ର ବିଷୟରେ ଗଭୀର ଜ୍ଞାନାର୍ଜନ କରି ଥିଲେ ଏବଂ ଋଗ୍‌ ବେଦରେ ବ୍ୟବହୃତ ସମୁଦ୍ର ଶବ୍ଦ କୌଣସି ମତେ ସିନ୍ଧୁ ନଦୀ ବା ଜଳଭଣ୍ଡାରବାଚକ ନୁହେଁ ।

 

୧୧ । ‘ସମୁଦ୍ର’ ଶବ୍ଦର ବହୁ ବଚନାନ୍ତ ବ୍ୟବହାର ନିମନ୍ତେ ଦ୍ରଷ୍ଟବ୍ୟ - ଋକ୍‌ - ୬।୭୨।୩ ‘‘ପ୍ରାର୍ଣ୍ଣାଂ ସ୍ୟୈରୟତଂ ନଦୀନାମା-ସମୁଦ୍ରାଣୌ ପପ୍ରଶୁଃ ପୁରିଣି’’ ଅର୍ଥାତ୍‌ ତୁମେ ନଦୀମାନଙ୍କର ପ୍ରବାହଗୁଡ଼ିକ ଦ୍ରୁତ ଗତିରେ ଚାଳିତ କରିବା ନିମନ୍ତେ ପ୍ରେରିତ ହୋଇଅଛି ଏବଂ କୌଣସି ସମୁଦ୍ର ଗୁଡ଼ିକୁ ଜଳରେ ପୂର୍ଣ୍ଣକର।

 

୧୨ । ଋକ୍‌ - ୯।୩୬।୬ –

 

‘‘ରାୟଃ ସମୁଦ୍ରାଶ୍ଚଂତୁରୋଽସ୍ମଭ୍ୟଂ ସୋମ ବିଶ୍ୱତଃ । ଆ ପବସ୍ୱ ସହସ୍ରିଶଃ’’-ଅର୍ଥାତ-‘ହେ ସୋମ, ଆମ୍ଭମାନଙ୍କର ଲାଭ ନିମନ୍ତେ ପ୍ରତ୍ୟେକ ଦିଗରେ ସହସ୍ର ସମ୍ପଦରେ ପୂର୍ଣ୍ଣ ଚାରିଗୋଟି ସମୁଦ୍ରକୁ ପୂର୍ଣ୍ଣକର ।’

 

ଋଗ୍‌ବେଦିକ ପୃଷ୍ଠ ଭୂମିରେ :

ଉପମା ପ୍ରୟୋଗରେ ଋଗ୍‌ ବେଦରେ ସମୁଦ୍ର ଶବ୍ଦର ଯେଉଁ ପ୍ରୟୋଗ ଦୃଷ୍ଟିଗୋଚର ହୁଏ, ତାହାକୁ କୌଣସି ମତେ ଜଳଭଣ୍ଡାର ବା ସିନ୍ଧୁ ନଦୀ ଅର୍ଥରେ ଗ୍ରହଣ କରାଯାଇ ପାରିବ ନାହିଁ ।।୧୩।। ବଶିଷ୍ଠଙ୍କର ଅଦ୍ୱିତୀୟ ମହିମାର ତୁଳନା ସମୁଦ୍ରର ଗାମ୍ଭୀର୍ଯ୍ୟ ସହ କରାଯାଇଛି, ଯାହା ସଂସ୍କୃତ ସାହିତ୍ୟ ରାଜ୍ୟର ଉପମା ଗନ୍ତାଘରର ଏକ ପରିଚିତ ବିଷୟ । ସମୁଦ୍ରରେ ଜୁଆର ଆସିବା ବିଷୟର ପ୍ରମାଣ ମଧ୍ୟ ତତ୍‌ ସମ୍ପର୍କୀୟ ଉପମା ପ୍ରୟୋଗରୁ ବାରମ୍ୱାର ସ୍ପଷ୍ଟ ହୋଇଥାଏ ।।୧୪।।

 

୧୩ । ଋକ୍‌ - ୭।୩୩।୭-

 

‘‘ସୂର୍ଯ୍ୟସ୍ୟେବ ବକ୍ଷଥୋ ଜ୍ୟୋତିରେଷାଂ

ସମୁଦ୍ର ସ୍ୟେକ ମହିମା ଗଭୀରଃ ।

ବାତସ୍ୟେବ ପ୍ରଜବୋନା ନ୍ୟେନ

ସ୍ତୋମୋବସି ଅନ୍ୱେତବେ ବଃ ।’’

 

( ଅର୍ଥାତ - ‘ସୂର୍ଯ୍ୟଙ୍କର ବର୍ଦ୍ଧିତ ଜ୍ୟୋତିର ତୁଲ୍ୟ ଏହାର କାନ୍ତି ଏବଂ ସମୁଦ୍ର ତୁଲ୍ୟ ଏହାର ଗାମ୍ଭୀର୍ଯ୍ୟ-। ଏହାର ଗତି ବାୟୁ ସମାନ । ହେ’ ବଶିଷ୍ଠ, ଆପଣଙ୍କର ଭୂମି ଅନ୍ୟ କୌଣସି ବ୍ୟକ୍ତି ଅଧିକାର କରିବ ନାହିଁ ।’)

 

୧୪ । (କ) ଋକ୍‌ - ୧।୮।୭ - ‘‘ଯଃ କୁକ୍ଷି ସୋମ ପାକମଃ ସମୁଦ୍ରଇବପିନ୍ୱତେ’’

(ଅର୍ଥାତ - ସୋମ ରସର ଅଧିକ ପାନରେ ସମୁଦ୍ରରେ ଜୁଆର ଆସିବା ପରି ଏହାର ଉଦର ଫୁଲିଗଲା ।)

(ଖ) ଋକ୍‌ - ୯।୬୪।୮

‘‘କେତୁଂ କୃଣ୍ୱନ୍‌ ଦିବସ୍ପରି ବିଶ୍ୱା            ରୂପାଭ୍ୟର୍ପସି ସମୁଦ୍ରଃ ସୋମ ପିନ୍ୱସେ’’

(ଅର୍ଥାତ୍‌ - ହେ’ ସୋମ, ଏହା ଆକାଶରେ ପ୍ରକାଶ ଲାଭ କଲା, ନାନା ଆକୃତି ଧାରଣ କଲା ଏବଂ ସମୁଦ୍ର ପରି ଫୁଲିବାକୁ ଲାଗିଲା ।)

 

ସମୁଦ୍ରର ସ୍ୱରୂପ ଓ ସାରବତ୍ତା ସମ୍ପର୍କରେ ଋଗ୍‌-ବୈଦିକକାଳୀନ ଆର୍ଯ୍ୟମାନଙ୍କର ପର୍ଯ୍ୟାପ୍ତ ଜ୍ଞାନର ପରିଚୟ ମିଳିବ । ପରେ ସେମାନଙ୍କର ନୌଯାତ୍ରା ବିଷୟରେ ଆଲୋଚନା ସର୍ବାଦୌ ବିଧେୟ । ସମୁଦ୍ର ଯେ ସକଳ ପ୍ରକାର ସମ୍ପଦରେ ପରିପୂର୍ଣ୍ଣ ହୋଇ ଏକ ସଂଗ୍ରହାଳୟ ରୂପେ ରହିଥିଲା ଏହା ଋଗ୍‌ବେଦର ବିଭିନ୍ନ ସ୍ଥାନରେ ବର୍ଣ୍ଣିତ ।।୧୫।। କେବଳ ଏତିକି ନୁହେଁ, ଅନନ୍ତ ସମୁଦ୍ର ଭିତରେ ଗତିକରି ସମ୍ପଦର ଅନୁସନ୍ଧାନ କରୁଥିବା ପ୍ରସିଦ୍ଧ ବଣିକ ରାଜକୁମାରମାନଙ୍କର ବର୍ଣ୍ଣନା ମଧ୍ୟ ଏଥିରୁ ମିଳିଥାଏ ।।୧୬।।

 

୧୫ । (କ) ଋକ୍‌ - ୧୦।୫।୧ -‘‘ବସୌ ଅର୍ଣ୍ଣବମ୍‌ ’’

(ଖ) ଋକ୍‌- ୧୦।୫।୧ -‘‘ଏକଃ ସମୁଦ୍ରୋ ଧରିଣୋରୟୀଣାମ୍‌’’

(ଗ) ଋକ୍‌-୧୦।୪୭।୨ -‘‘ ଚତୁଃ ସମୁଦ୍ରଂ ଧରିଣୋରୟୀଣାମ୍‌’’

 

୧୬ । ତତ୍ରୈବ - ୧।୫୬।୨, ୪।୫୫।୬

‘ସମୁଦ୍ରଂ ନ ସଞ୍ଚରଣେ ସନିଷ୍ୟବଃ ’’

(‘ସନିଷ୍ୟବଃ’ର ଅର୍ଥ ‘ଧନାନ୍ୱେଷା’ ହେବା କଥା ମହର୍ଷି ସାୟଣ ମଧ୍ୟ ତାଙ୍କର ଭାଷ୍ୟରେ ଉଲ୍ଲେଖ କରି ଅଛନ୍ତି, ଯଥା - ‘ସନିଂଧନମାତ୍ମନ ଇଛନ୍ତୋ ବଣିଜଃ’ - ସାୟଣ ଭାଷ୍ୟ - ୧।୫୬।୭ - ଋକ୍‌)

 

ଏତଦ୍‌ବ୍ୟତୀତ ଋଗ୍‌ବେଦର ବହୁ ସ୍ଥାନରେ ପୋତ ବା ନୌବର୍ଣ୍ଣନାର ଅଜସ୍ର ଉଦାହରଣ ମିଳେ ।।୧୭।। ଏହି ନୌକାଗୁଡିକ ଯେ ସମୁଦ୍ରରେ ଗତି କରୁଥିଲା-ଏଥିରେ ମଧ୍ୟ କୌଣସି ସନ୍ଦେହ ନାହିଁ।।୧୮।। ଏହି ପୋତଗୁଡ଼ିକ ଅତୀବ ସାଧାରଣ ନଥିଲା, ପରନ୍ତୁ ସମ୍ପଦାନୁ-ସନ୍ଧାନ ବ୍ୟତୀତ ଆମୋଦ ପ୍ରମୋଦ ନିମନ୍ତେ ।।୧୯।। ଉଦ୍ଦିଷ୍ଟ ସୁବର୍ଣ୍ଣ ନିର୍ମିତ ।।୨୦।। ଏବଂ ସମୁଦ୍ରର ଅନ୍ତର୍ଦ୍ଦେଶକୁ ମଧ୍ୟ ଗତି କରିପାରୁଥିଲା । ସେମାନେ ନୌକଳା ବିଷୟରେ ଯଥେଷ୍ଟ ଜ୍ଞାନ ଅର୍ଜନ କରି ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ଦୂର ଓ ଦୀର୍ଘଯାତ୍ରା ନିମନ୍ତେ ଆବଶ୍ୟକତାନୁସାରେ ଉପଯୁକ୍ତ ପୋତର ନିର୍ମାଣ କରି ତଦ୍ଦ୍ୱାରା ଯଥେଷ୍ଟ ପରିମାଣରେ ଉପକୃତ ହେଉଥିଲେ ।।୨୧।।

 

୧୭ । ଦ୍ରଷ୍ଟବ୍ୟ - ୧।୨୫।୭, ୧।୧୧୬।୩୫, ୬।୫୮।୩, ୭।୮୮।୩ ଓ ୧୦।୬୩।୧୦ ଇତ୍ୟାଦି ।

୧୮ । ତତ୍ରୈବ - ୧।୨୫।୭ ‘ବେଦନାବଃ ସମୁଦ୍ରିୟଃ’

୧୯ । ତତ୍ରୈବ - ୭।୮୮।୩ ‘‘ଆୟଦ୍ରୁହାବ ବରୁଣଶ୍ଚ ନାବଂ ପ୍ରୟତ ସମୁଦ୍ରଂ ସେରୟାବ ମଧ୍ୟମ’’

 

( ଅର୍ଥାତ୍‌ - ଯେତେବେଳେ ବରୁଣ ଓ ମୁଁ ଏକସଙ୍ଗେ ନୌକାରୋହଣ କରି ସମୁଦ୍ରର ମଧ୍ୟ ସ୍ଥଳକୁ ଚାଲିଗଲୁ ସେତେବେଳେ ଆମ ନାବ ଲହରୀମାଳା ଉପରେ ବିଚରଣ କରିବାକୁ ଲାଗିଲା ଏବଂ ଆମେ ଝୁଲି ଝୁଲି ଆନନ୍ଦ ଲାଭ କଲୁ।

 

୨୦ । ତତ୍ରୈବ - ୬।୫୮।୩ - ‘‘ଯାସ୍ତେ ପୂଷନ୍ନାବୋ ଅନ୍ତଃ ସମୁଦ୍ରେ’’

( ‘ପୂଷନ୍‌’ ଅର୍ଥାତ୍‌ ସୁବର୍ଣ୍ଣ ଦ୍ୱାରା ନିର୍ମିତ ପୋତର ‘ଅନ୍ତଃ ସମୁଦ୍ରେ’ ଯାତ୍ରାର ପ୍ରମାଣ ଏଠାରୁ ମିଳିଥାଏ । )

 

୨୧ । ତତ୍ରୈବ - ୧୦।୬୩।୧୦ ‘‘ଦୈବୀଂ ନାବଂ-ସ୍ୱରିତ୍ର ମନା-ଗସମସ୍ରବନ୍ତୀମାରିହେମା ସ୍ୱସ୍ତୟେ’’

(‘ସ୍ୱରିତ୍ରାମନାଗସ୍ରବନ୍ତୀ’ ଅର୍ଥାତ୍‌ -ସୁଦୃଢ଼ (ସ୍ୱରିତ୍ରା) ଦୋଷରହିତ (ନାନାବାସ) ଏବଂ ଛିଦ୍ରରହିତ (ଅସ୍ରବନ୍ତୀ) ରୂପେ ପୋତ ନିର୍ମାଣର ଉଦାହରଣ ଏଠାରେ ମିଳେ । )

 

ସର୍ବଶେଷରେ ଋଗ୍‌ବେଦ ବର୍ଣ୍ଣିତ ଭୁଜ୍ୟୁ ଉପାଖ୍ୟାନ ।।୨୨।। ସେମାନେ ଯେ ନୌକଳା ସମ୍ପର୍କରେ ଆଧୁନିକ ବୈଜ୍ଞାନିକମାନଙ୍କର ପୋତ ନିର୍ମାଣ କୌଶଳଠାରୁ ଯଥେଷ୍ଟ ଉନ୍ନତତର ଜ୍ଞାନ ଅର୍ଜନ କରି ପାରିଥିଲେ ଏହାର ଉପଯୁକ୍ତ ପ୍ରମାଣ ପ୍ରଦାନ କରେ । ଦୀର୍ଘ ତିନି ଦିନ ତିନିରାତି ତୀବ୍ର ଗତିକରି ଭୁଜ୍ୟୁଙ୍କୁ ତାଙ୍କ ଗୃହକୁ ପ୍ରେରଣ କରିଥିବା କଥା ଏଠାରେ ଉଲ୍ଲେଖ କରାଯାଇଛି ।

୨୨। ଦ୍ରଷ୍ଟବ୍ୟ - ୧।୧୧୬।୩-୫

 

ତେବେ ଭୁଜ୍ୟୁଙ୍କ ଏହି ଯାତ୍ରାରେ ବ୍ୟବହୃତ ହୋଇଥିବା କେତେକ ଶବ୍ଦ ପ୍ରତ୍ୟେକ ବେଦପାଠକର ଦୃଷ୍ଟି ଆକର୍ଷଣ କରିବା ଏକାନ୍ତ ସ୍ୱାଭାବିକ । ସେଗୁଡ଼ିକ ହେଲା - ‘‘ଆତ୍ମନ୍ୱତୀଭିଃ’’ ‘ଅନ୍ତରୀକ୍ଷ ପ୍ରଦିଭିଃ’ ଏବଂ ‘ଅପୋଦକାଭିଃ’ ଯାହାର ଅର୍ଥ ଯଥାକ୍ରମେ ସ୍ୱୟଂଚାଳିତ, ଆକାଶଭେଦୀ (ଉତ୍ତୁଙ୍ଗ ମାସ୍ତୁଲଯୁକ୍ତ ବା ଅତି ବିଶାଳକାୟ ) ଏବଂ ଜଳାଭେଦ୍ୟ (Water-Proof) । ଏହିଭଳି ଭାବରେ ଋଗ୍‌ବୈଦିକ କାଳରେ ତତ୍କାଳୀନ ଆର୍ଯ୍ୟମାନେ ଯେ କେବଳ ସମୁଦ୍ର ସମ୍ପର୍କରେ ଗଭୀର ଜ୍ଞାନ ଅର୍ଜନ କରିଥିଲେ ତାହା ନୁହେଁ; ଏତଦ୍‌ବ୍ୟତୀତ ନୌକଳା ସମ୍ପର୍କରେ ଅତି ଉନ୍ନତ ଜ୍ଞାନାହରଣ କରିଥିଲେ - ଏଥିରେ କୌଣସି ସନ୍ଦେହ ନାହିଁ, ବରଂ ଏ ମତକୁ ଏଠାରେ ଆଲୋଚିତ ପ୍ରତ୍ୟେକ ପ୍ରମାଣ ପର୍ଯ୍ୟାପ୍ତ ଭାବରେ ପ୍ରମାଣିତ କରେ ।

 

ସମ୍ପାଦକ ‘‘ପୁନର୍ବସୁ’’

ଭଞ୍ଜନଗର-୧

 

 

ଓଡ଼ିଶାର ସଂସ୍କୃତ ରୂପକରେ ଶ୍ରୀଜଗନ୍ନାଥ

ଶ୍ରୀ ଭଗବାନ ପଣ୍ଡା

ଓଡ଼ିଶା ‘ଜଗନ୍ନାଥ ଦେଶ’ ନାମରେ ସୁବିଦିତ । ଶ୍ରୀଜଗନ୍ନାଥ ଏହାର ରାଷ୍ଟ୍ର-ଦେବତା । ଶ୍ରୀ ଜଗନ୍ନାଥ ହିଁ ଏ ଦେଶର ଇତିହାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ଯୁଗ ଯୁଗ ଧରି ଓଡ଼ିଶାର ସାଧକ-ପଣ୍ଡିତ-କବିକୋବିଦଗଣ ପରମପୁରୁଷ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ମହିମାରେ ଉଦ୍‌ବୁଦ୍ଧ ଓ ଅନୁପ୍ରେରିତ ହୋଇ ଶତ ଶତ ଗ୍ରନ୍ଥ ରଚନା କରିଛନ୍ତି । ଓଡ଼ିଶାର ଓଡ଼ିଆ ଓ ସଂସ୍କୃତ ସାହିତ୍ୟ, ବିଶେଷ କରି ସଙ୍ଗୀତ, ନୃତ୍ୟ ଓ ନାଟକର ରଚନା, ପ୍ରୟୋଗ ଓ ପ୍ରସାର କ୍ଷେତ୍ରରେ ଶ୍ରୀଜଗନ୍ନାଥଧାମର ଅବଦାନ ଉଲ୍ଲେଖଯୋଗ୍ୟ । ଓଡ଼ିଆ ନାଟ୍ୟକାରମାନଙ୍କ ପ୍ରଣୀତ ଅଧିକାଂଶ ସଂସ୍କୃତ ରୂପକ ଶ୍ରୀଜଗନ୍ନାଥଙ୍କ କୌଣସି ଏକ ଯାତ୍ରା ବା ମହୋତ୍ସବ ଉପଲକ୍ଷେ ଶ୍ରୀମନ୍ଦିରରେ, ଶ୍ରୀମନ୍ଦିର ପାର୍ଶ୍ୱ ଭୂମିରେ ବା ରାଜଦରବାରରେ ସମବେତ ରାଜନ୍ୟମଣ୍ଡଳୀ ଓ ଭକ୍ତ-ଜନତାର ଚିତ୍ତବିନୋଦନ ନିମିତ୍ତ ଅଭିନୀତ ହେଉଥିଲା । ସଂସ୍କୃତ ରୂପକଗୁଡ଼ିକରେ ଥିବା ଶ୍ରୀପୁରୁଷୋତ୍ତମ, ଶ୍ରୀଜଗନ୍ନାଥ, ଶ୍ରୀଜଗନ୍ନାଥଧାମ, ନୀଳାଚଳ ବା ନୀଳଶୈଳର ସ୍ତୁତି ଓ ପ୍ରାସଙ୍ଗିକ ଉଲ୍ଲେଖରୁ ଶ୍ରୀଜଗନ୍ନାଥଙ୍କ ପ୍ରତି ନାଟ୍ୟକାରମାନଙ୍କ ଐକାନ୍ତିକ ଶ୍ରଦ୍ଧା ଓ ଭକ୍ତିର ପରିଚୟ ମିଳେ । ଓଡ଼ିଆ ନାଟ୍ୟକାରମାନଙ୍କ ପ୍ରଣୀତ ପ୍ରାୟ ୪୦ଟି ରୂପକର ପୋଥି ଓ ପାଣ୍ଡୁଲିପି ସମ୍ପ୍ରତି ଆଲୋଚକମାନଙ୍କର ହସ୍ତଗତ ହୋଇଛି । ତନ୍ମଧ୍ୟରୁ ଶ୍ରୀଜଗନ୍ନାଥ ପ୍ରସଙ୍ଗ ଥିବା ରୂପକଗୁଡ଼ିକୁ କାଳକ୍ରମାନୁଯାୟୀ ଏଠାରେ ଆଲୋଚନା କରାଯାଇଛି ।

 

 

 

 

୧-ବେଣୀସଂହାର ନାଟକ-

ନାଟ୍ୟକାର ଭଟ୍ଟ ନାରାୟଶ ଓଡ଼ିଶା ବାହାରର ପଣ୍ଡିତ ବୋଲି କେତେକ ଆଲୋଚକ ମତ ପ୍ରକଶ କରିଛନ୍ତି । (୧) କିନ୍ତୁ ଓଡ଼ିଶାର ଐତିହାସିକମାନଙ୍କ ଅନୁସାରେ ଶୈଳୋଦ୍‌ଭବବଂଶୀୟ ନରପତି ମାଧବ ବର୍ମାଙ୍କ (୬୨୦ ଖ୍ରୀଷ୍ଟାବ୍ଦ ) ସମସାମୟିକ ପଣ୍ଡିତ ନାରାୟଣ ଭଟ୍ଟ ଓ ନାଟ୍ୟକାର ଭଟ୍ଟ ନାରାୟଣ ଅଭିନ୍ନ ବ୍ୟକ୍ତି ଥିବାର ମନେ ହୁଏ । (୨) ମହାଭାରତର ବିଷୟ ଉପରେ ଆଧାରିତ ଛଅଅଙ୍କ ବିଶିଷ୍ଟ ‘ବେଣୀସଂହାର ନାଟକ’ରେ ନାଟ୍ୟକାର ନାରାୟଣ ପ୍ରସଙ୍ଗକ୍ରମେ ଶ୍ରୀଜଗନ୍ନାଥ ପୁରୁଷୋତ୍ତମଙ୍କର ସ୍ତୁତିଗାନ କରିଛନ୍ତି

 

କ୍ରୋଧାନ୍ଧୈଃ ସକଳଂ ହତଂ ରିପୁକୁଳଂ ପଞ୍ଚାକ୍ଷତାସ୍ତେ ବୟଂ

ପାଞ୍ଚାଲ୍ୟା ନାମ ଦୁର୍ନୟୋପଜନିତସ୍ତୀର୍ଣ୍ଣୋ ନିକାରାର୍ଣ୍ଣବଃ ।

ତ୍ୱଂ ଦେବଃ ପୁରୁଷୋତ୍ତମଃ ସୁକୃତିନଂ ମାମାଦୃତୋ ଭାଷସେ

କିଂ ନାମାନ୍ୟଦତଃ ପରଂ ଭଗବତୋ ଯାଚେ ପ୍ରସନ୍ନାଦହମ୍‌ ।।

 

X            X            X

ଅକୃପଣମରୁକ୍‌ ଶ୍ରାନ୍ତଂ ଜୀବ୍ୟାଜ୍ଜନଃ ପୁରୁଷାୟୁଷଙ୍ ।

ଭବତୁ ଭଗବଦ୍‌ଭକ୍ତିଦ୍ୱୈର୍ତଂ ବିନା ପୁରୁଷୋତ୍ତମେ ।

ଦୟିତଭୁବନୋ ବିଦ୍ୱଦ୍‌ବନ୍ଧୁର୍ଗୁଣେଷୁ ବିଶେଷବିତ୍‌

ସତତ ସୁକୃତୀର୍ଭୂୟାଦ୍‌ ଭୂପଃ ପ୍ରସାଧିତମଣ୍ଡଳଃ ।। (୩)

 

ଉଦ୍ଧୃତ ଶ୍ଳୋକ ଦୁଇଟିରେ ପୁରୁଷୋତ୍ତମଙ୍କ ନାମୋଲ୍ଲେଖ ଥିବାରୁ ନାଟ୍ୟକାର ଭଟ୍ଟ ନାରାୟଣ ଓଡ଼ିଶାବାସୀ ଥିବାର ବିଶ୍ୱାସ କରାଯାଏ । ଓଡ଼ିଶାରେ ଉକ୍ତ ‘ବେଣୀସଂହାର’ ନାଟକଟି ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଥିଲା । ସେହି ନାଟକକୁ ଅନୁକରଣ କରି ଦୀର୍ଘ ଆଠ ଶହ ବର୍ଷ ପରେ ଗଜପତି ପୁରୁଷୋତ୍ତମ ଦେବ (୧୪୬୬-୧୪୯୭ ଖ୍ରୀଷ୍ଟାବ୍ଦ ) ‘ଅଭିନବ ବେଣୀସଂହରଣ’ ନାମକ ଖଣ୍ଡିଏ ଉପରୂପକ ରଚନା କରିଥିଲେ । (୪)

 

୨- ଅନର୍ଘ ରାଘବ ନାଟକ -

ବିଶ୍ୱବିଖ୍ୟାତ ନାଟ୍ୟକାର ମୁରାରି ମିଶ୍ରଙ୍କର (୭୫୦ ଖ୍ରୀଷ୍ଟାବ୍ଦ) ଏହା ଏକ ଅନବଦ୍ୟ କୃତି-। ପୁରୀଜିଲ୍ଲାର ଅଧିବାସୀ ମୁଦ୍‌ଗଲଗୋତ୍ରୀୟ ବର୍ଦ୍ଧମାନ ଓ ତନ୍ତୁମତୀଙ୍କର ସେ ଥିଲେ ଯଶସ୍ୱୀ ପୁତ୍ର । (୫) ମୁରାରି ରାମାୟଣ ବିଷୟକୁ ନେଇ ସାତୋଟି ଅଙ୍କରେ ଏହି ନାଟକଟି ରଚନା କରିଛନ୍ତି-। ଅନ୍ୟାନ୍ୟ ଗ୍ରନ୍ଥରେ ଥିବା ରାମାୟଣୀୟ ବିଷୟବସ୍ତୁ ଠାରୁ ଏହି ନାଟକର ସ୍ୱାତନ୍ତ୍ର୍ୟ ଓ ନାଟ୍ୟକାରଙ୍କ ବୈଶିଷ୍ଟ୍ୟ ଥିବାର ଲକ୍ଷ୍ୟ କରାଯାଏ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଯାତ୍ରାରେ ଏହି ନାଟକଟି ଅଭିନୀତ ହୋଇଥିବାରୁ ସୂତ୍ରଧର ଉକ୍ତିରୁ ଜଣାଯାଏ -

 

ଭୋ ଭୋ ଲବଣୋଦବେଳାବନାଳୀତମାଳତରୁକନ୍ଦନସ୍ୟ ତ୍ରି ଭୁବନମୌଳିମଣ୍ଡନ-ମହାନୀଳମଣେଃ କମଳାକୁଚକଳସକେଳିକସ୍ତୁରିକାପତ୍ରାଙ୍କୁରସ୍ୟ ଭଗବତଃ ପୁରୁଷୋତ୍ତମଯାତ୍ରାୟାମୁପସ୍ଥାପନୀୟାଃ ସଭାସଦଃ । X X X । ମୌଦ୍‌ଗଲ୍ୟ-ଗୋତ୍ରସମ୍ଭବସ୍ୟ ମହାକବେର୍ଭଟ୍ଟ ଶ୍ରୀବର୍ଦ୍ଧମାନ-ତନୁଜନ୍ମନସ୍ତନ୍ତୁମତୀନନ୍ଦସ୍ୟ ମୁରାରୋଃ କୃତିରଭିନବମନର୍ଘରାଘବଂ ନାମ ନାଟକମ୍‌ ।।(୬)

 

ଟୀକାକାରାମାନେ ପୁରୁଷୋତ୍ତମଯାତ୍ରାକୁ ରଥଯାତ୍ରା ଭାବେ ଅନୁମାନ କରିଛନ୍ତି । (୭) କିନ୍ତୁ ନାଟକଟି ଚୈତ୍ରମାସ ରାମନବମୀ ଅବସରରେ ଅଭିନୀତ ହୋଇଥିବାରୁ ସମ୍ଭାବନା ଅଧିକ ଯୁକ୍ତି-ସଙ୍ଗତ ମନେହୁଏ। ନାଟ୍ୟକାର ମୁରାରି ନାଟକର ପ୍ରାରମ୍ଭରେ ଜଗନ୍ନିଧି ଶ୍ରୀଜଗନ୍ନାଥଙ୍କୁ ବନ୍ଦନା କରିଛନ୍ତି -

 

ବିରମତି ମହାକଳ୍ପେ ନାଭୀପଥୈକ ନିକେତନ-

ସ୍ତ୍ରୀଭୁବନ ପୁରଃ ଶିଳ୍ପୀ ଯସ୍ୟ ପ୍ରତିକ୍ଷଣମାତ୍ମଭୁଃ ।

କିମଧିକରଣଂ କୀଦୃକ୍‌ କସ୍ୟ ବ୍ୟବସ୍ଥିତିରିତ୍ୟସା-

ବିଦୁରମବିଶଦ୍ଦ୍ରଷ୍ଟୁଂ ତସ୍ମୌ ଜଗନ୍ନିଧୟେ ନମଃ ।।

 

X            X            X

ତସ୍ମୈ ବୀରାଦ୍ଭୁତାରମ୍ଭଗମ୍ଭୀରୋଦାତ୍ତବସ୍ତବେ।

ଜଗଦାନନ୍ଦକନ୍ଦାୟ ସନ୍ଦର୍ଭାୟ ତ୍ୱରାମହେ ।।(୮)

 

ଏଠାରେ ଶ୍ରୀଜଗନ୍ନାଥଙ୍କୁ ବୀର ଶ୍ରୀ ରାମଚନ୍ଦ୍ର ରୂପରେ ସ୍ତୁତି କରାଯାଇଛି । ଶ୍ରୀଜଗନ୍ନାଥଙ୍କ ଠାରେ ରାମଭକ୍ତି ଚେତନାର ଏହା ଏକ ପ୍ରକୃଷ୍ଟ ନିଦର୍ଶନ ।

 

୩-ପ୍ରବୋଧଚନ୍ଦ୍ରୋଦୟ ନାଟକ-

ନାଟ୍ୟକାର କୃଷ୍ଣ ମିଶ୍ର (୧୪୪୦-ଖ୍ରୀଷ୍ଟାବ୍ଦ) ଓଡ଼ିଶାର ଜଣେ ପ୍ରଜ୍ଞାଶାଳୀ ପଣ୍ଡିତ ଥିଲେ । ସେ ଏହି ପ୍ରତୀକଧର୍ମୀ ନାଟକଟି ଛଅଟି ଅଙ୍କରେ ରଚନା କରିଛନ୍ତି । ମହାରାଜ କୀର୍ତ୍ତିବର୍ମ ଦେବଙ୍କ ବିଜୟୋତ୍ସବ ଉପଲକ୍ଷେ ଏହା ଅଭିନୀତ ହୋଇଥିଲା । ଉନ୍ମର୍ଗଗାମୀ ଛାତ୍ର ଜନତାର ଶିକ୍ଷା ନିମିତ୍ତ ଶାନ୍ତିରସାତ୍ମକ ‘ପ୍ରବୋଧ ଚନ୍ଦ୍ରୋଦୟ’ ନାଟକର ସୃଷ୍ଟି । ନାଟ୍ୟକାର ଏହି ନାଟକରେ ଭାରତର ଅନ୍ୟାନ୍ୟ ତୀର୍ଥର ପରିଚୟ ଦେବାକୁ ଯାଇ ପ୍ରସଙ୍ଗକ୍ରମେ ପୁରୁଷୋତ୍ତମ ଦେବାୟତନର ଉଲ୍ଲେଖ କରିଛନ୍ତି ।

ଅହମୁତ୍କଳଦେଶାଦାଗତୋସ୍ମି । ଅସ୍ତି ତତ୍ର ସାଗରତୀରେ ସଂନିବେଶେ ପୁରୁଷୋତ୍ତମ ଶବ୍ଦିତଂ ଦେବାୟତନମ୍‌ । X X X । ଅହଂ ପୁରୁଷୋତ୍ତମାଦାଗତୋଽସ୍ମି ।।(୯)

ଏଥିରୁ ନାଟ୍ୟକାର ଯେ ଉତ୍କଳୀୟ ଥିଲେ ଏହା ନିଃସନ୍ଦେହ । ପଞ୍ଚତନ୍ତ୍ର, ବେଣୀସଂହାର ପ୍ରଭୃତି ପରି ଆଲୋଚ୍ୟ ନାଟକଟି ଓଡ଼ିଶା ବାହାରେ ବିଶେଷ ପ୍ରଚାର ଲାଭ କରିଥିବାର ସ୍ପଷ୍ଟ ସୂଚନା ମିଳେ ।

୫-ପରଶୁରାମ ବିଜୟ ବ୍ୟାୟୋଗ-

ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବ (୧୪୩୫-୧୪୬୬ ଖ୍ରୀଷ୍ଟାବ୍ଦ) ଏହି ବ୍ୟାୟୋଗର ରଚୟିତା ଭାବରେ ସୁବିଦିତ । ଶ୍ରୀଜଗନ୍ନାଥଙ୍କ ଶରତ୍‌କାଳୀନ କୌଣସି ଏକ ଉତ୍ସବରେ ଏହା ଅଭିନୀତ ହୋଇଥିଲା ।

ପ୍ରବୁଦ୍ଧ-ପୁଣ୍ଡରୀକାକ୍ଷ X X X ପ୍ରତାପତପନାନ୍ୱିତଃ ।

ଶରତ୍‌କାଳ ଇବାଭାତି କପିଳେନ୍ଦ୍ର ମହୀପତିଃ ।।

ଅସ୍ମିନ୍‌ ଖଳୁ ସମୟେ X X ଅଭୀଷ୍ଟ ଫଳମାସାଦ୍ୟ ମୋଦତେ ପୁରୁଷୋତ୍ତମତ୍‌ (୧୦)

X            X            X

ନୀଳସୁନ୍ଦର ନାଥସ୍ୟ ମହୋତ୍ସବେ ସଭାସଦଃ ।

ମତ୍କାବ୍ୟାଭିନୟୋନାଦ୍ୟ ବିନୋଦୟ କୁଶୀଲବ ।। (୧୧)

 

ନାଟ୍ୟକାର ଗ୍ରନ୍ଥାରମ୍ଭରେ ବିଷ୍ଣୁ, ଶ୍ରୀଜଗନ୍ନାଥ, ରୁକ୍ମିଣୀ ଓ ଶ୍ରୀକୃଷ୍ଣ ଏବଂ ଶିବଙ୍କ ବର୍ଣ୍ଣନା କରିଛନ୍ତି । ତନ୍ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ସ୍ତୁତି ନିମ୍ନମତେ ଉଲ୍ଲେଖ କରାଯାଇଛି-

 

ନବବିକଚସରୋଜ ଦ୍ୱନ୍ଦ ସୌନ୍ଦର୍ଯ୍ୟ ସମ୍ପତ୍‌

ପ୍ରତିଭଟନୟନଶ୍ରୀରମ୍ବୁଦ ଚ୍ଛାୟକାୟଃ ।

କନକରୁଚିରବାସାଶ୍ଚନ୍ଦନା ଲେପରମ୍ୟୋ

ନିଖିଳ ନୟନ ବନ୍ଧୁଃ ପାତୁ ନୀଳାଚଳେନ୍ଦୁଃ ।।(୧୨)

 

୬-ଶ୍ରୀରାମ ବିଜୟ ବ୍ୟାୟୋଗ-

ଦୟା ଦାସଙ୍କ ପୁତ୍ର ପଣ୍ଡିତ ବୃହସ୍ପତି (୧୪୬୬-୧୪୯୭ ଖ୍ରୀଷ୍ଟାବ୍ଦ) ଗଜପତି ପୁରୁଷୋତ୍ତମ ଦେବଙ୍କ ଆଦେଶରେ ଏହି ବ୍ୟାୟୋଗଟି ରଚନା କରିଥିଲେ । ଶ୍ରୀଜଗନ୍ନାଥଙ୍କ ଅଭିଷେକୋତ୍ସବ ଦିନ ଏହା ପୁରୀରେ ଅଭିନୀତ ହୋଇଥିଲା ।

 

ପ୍ରୋଦ୍ଦଣ୍ଡ ଦୋର୍ଦ୍ଦଣ୍ଡମଣ୍ଡଳାୟମାନ X X X ଶ୍ରୀନୀଳାଚଳଚନ୍ଦ୍ର ଚରଣାମ୍ବଜ ଚିନ୍ତା ସନ୍ତାନାତ୍ମକୃତ ସକଳ ପୁରୁଷାର୍ଥଫଳେନ ବୀରଶ୍ରୀ କପିଳେନ୍ଦ୍ର ନୃପତନୟୋ X X X ଶ୍ରୀପୁରୁଷୋତ୍ତମ ନୃପମଣି X X X ନୀଳାନ୍ଦ୍ରିନାଥସ୍ୟାଭିଷେକ ଦର୍ଶନୋତ୍ସୁକା ରାଜସମୂହାଃ ସମ୍ଭୂୟ ବର୍ତ୍ତନ୍ତେ । ତେଷାଂ ପୁରତଃ ଶ୍ରୀରାମଚନ୍ଦ୍ରସ୍ୟ ପ୍ରଚୁରରସନିବଦ୍ଧଙ୍ଗ ଅଭିନବ ନାଟକଙ୍ଗ ତୃୟାଭିନେତବ୍ୟମିତ X ଶ୍ରୀନୀଳସୁନ୍ଦର ମହୀଧରାବସ୍ଥିତସ୍ୟ ପାଦବଜପୁଜକୋ ଦୟାଦାସାତ୍ମଜେନ ବୃହସ୍ପତି ପଣ୍ଡିତେନ ବିରଚିତାଭିନବ ବ୍ୟାୟୋଗେନ ରାମବିଜୟାଖ୍ୟେନ X X X । (୧୩)

 

ନାଟ୍ୟକାର ମଙ୍ଗଳାଚରଣରେ ନିମ୍ନମତେ କୃଷ୍ଣଙ୍କୁ ବନ୍ଦନା କରିଛନ୍ତି-

 

ଯେନାନୀୟ ଚିରାତ୍ପରାସୁମସୁର ଗ୍ରସ୍ତଂ ପ୍ରଭାସେ ସୁତଂ

ଦତ୍ତ୍ୱା ସଂଯନନୀ ପୁରାଦପି ପୁରା ସା ଦୀପ ନିର୍ନନ୍ଧତଃ ।

ଯେନାରକ୍ଷି ପରିକ୍ଷିଦକ୍ଷତତନୁ ଦୈତ୍ୟାସ୍ୱଦଗ୍‌ଧାଙ୍ଗକଃ

ସଂସ୍ନିରାଧାଞ୍ଜନ ପୁଣ୍ୟମଞ୍ଜୁଳ ରୁଚିଃ ପୁଷ୍ଣାତୁ କୃଷ୍ଣଃ ଶ୍ରିୟମ୍‌ ।।(୧୪)

 

ଏଥିରେ ମଧ୍ୟ ‘ପରଶୁରାମ ବିଜୟ ବ୍ୟାୟୋଗ’ ଭଳି ଓଡ଼ିଆ ଗୀତ ସନ୍ନିବେଶିତ ହୋଇଛି-

 

୭-ଚନ୍ଦ୍ରାବତୀ ହରଣ ରୂପକ-

ରତ୍ନାକର ରଥଙ୍କ ପୁତ୍ର ନାଟ୍ୟକାର ଗୋପୀନାଥ (୧୪୬୬-୧୪୯୬ ଖ୍ରୀଷ୍ଟାବ୍ଦ) ଏହି ରୂପକର ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କୁ ନିମ୍ନପ୍ରକାରେ ବନ୍ଦନା କରିଛନ୍ତି-

 

ଲାବଣ୍ୟାମୃତବାରିଧିଂ ଗୁଣନିଧିଂ କୈବଲ୍ୟନାଥଂ ପ୍ରଭୁଂ

ଯଂ ଦୁଷ୍ଟ୍ୱା ଜନୁଷୋ ଦୃଶୋଃ ଫଳମୃଷିଃ କଞ୍ଜୁଶ୍ଚିରାତ୍‌ ପ୍ରାପ୍ତବାନ୍‌ ।

ସୋଽୟଂ ଶ୍ରୀ ପୁରୁଷୋତ୍ତମୋ ନିରୂପମଃ କାରୁଣ୍ୟବାରାଂନିଧିଃ

ଯୁଷ୍ମାକଂ ନୟନୋତ୍ସବଂ ବିତନୁତା ନୀଳାନ୍ଦ୍ରିଚୂଡ଼ାମଣିଃ ।।(୧୫)

 

ଏହି ରୂପକଟି ଗଜପତି ପୁରୁଷୋତ୍ତମ ଦେବଙ୍କ ଆଦେଶରେ ରଚିତ । ଶରତ୍‌କାଳୀନ ଦୁର୍ଗୋତ୍ସବରେ ମହାଷ୍ଟମୀ ଦିନ ଏହା ଅଭିନୀତ ହୋଇଥିଲା।

 

କପିଳେନ୍ଦ୍ର ତନୟେନ X X X ଶ୍ରୀ ପୁରୁଷୋତ୍ତମ ଦେବେନ ନୂତନ ପ୍ରବନ୍ଧାଭିନୟେନାନନ୍ଦୟେତ୍ୟତ୍ରହ । ଅତ୍ରିକୁଳ ସମୁଦ୍‌ଭୂତ ଶ୍ରୁତିସ୍ମୃତିରସାଗମ କାବ୍ୟକଥାଳାପନିପୁଣ ରତ୍ନାକରନାମଧେୟସ୍ୟାତ୍ମସମ୍ଭବେନ ଗୋପୀନାଥରଥେନ କୃତଂ ଚନ୍ଦ୍ରାବତୀ ହରଣ ନାମ ରୂପକମସ୍ତି X X X ଶ୍ରୀମଦ୍‌ଭଗବତ୍ୟା ମହାଷ୍ଟମୀ ମହୋତ୍ସବରୁଚିରୋଽୟଂ ଶରତ୍‌ ପ୍ରବର୍ତ୍ତତେ ।।(୧୬)

 

୮-ଭକ୍ତିବୈଭବ ନାଟକ

ଗଜାପତି ପ୍ରତାପରୁଦ୍ର ଦେବଙ୍କ (୧୪୯୭-୧୫୩୫ ଖ୍ରୀଷ୍ଟାବ୍ଦ) ଗୁରୁ, ବାହିନୀପତି କବିଡ଼ିଣ୍ଡିମ ଜୀବଦେବାଚାର୍ଯ୍ୟ ନଅଟି ଅଙ୍କରେ ଏହି ନାଟକଟି ରଚନା କରିଛନ୍ତି । ଏହାର ମଙ୍ଗଳାଚରଣରେ ଶ୍ରୀ ଜଗନ୍ନାଥଙ୍କୁ ନିମ୍ନମତେ ସ୍ତୁତି କରାଯାଇଛି -

 

ସ୍ୱଚ୍ଛନ୍ଦପ୍ରସରେଣ ଦିବ୍ୟମହସା-ବିଭ୍ରାଜମାନଃ ସଦା

ଶ୍ରୀ ନୀଳାଚଳନାୟକୋ ବିଜୟତେ ତ୍ରିଲୋକ୍ୟ ଚିନ୍ତା ମଣିଃ ।

ଯୋ ଧ୍ୟାତୋ ହୃଦୟେ କ୍ଷଣ ହରିରିତି ସ୍ୱୈରଂ ପରଂ କୀର୍ତ୍ତିତ-

ସ୍ୱତ୍ମାନଂ ବିତରତ୍ୟନାଦିନିଧନଂ ନିତ୍ୟୋଦିତାନନ୍ଦଥୁମ୍‌ (୧୭)

 

ଏହି ନାଟକଟି ଦୋଳମହୋତ୍ସବ କାଳରେ ଶ୍ରୀମନ୍ଦିରରେ ଅଭିନୀତ ହୋଇଥିଲା ।

 

ଦୋଳାମହୋତ୍ସବକତେ ପୁରୁଷୋତ୍ତମସ୍ୟ

କୋଳାହଳୈଃ ପିକଗିରାଂ ଧ୍ୱନୟନ୍‌ ଦିଗନ୍ତାନ୍‌ ।

ଲୋଲାଳନାଦ୍‌ ବହଳ କୁଙ୍କୁମ ଧୂଳିସିକ୍ତ -

ଚେଳାଞ୍ଚଳ ଦ୍ୱିଜପଟୈ ମଧୁରୁଜ୍ଜିହୀତେ ।।(୧୮)

 

୯-ଉତ୍ସାହବତୀ ରୂପକ-

କବିଡ଼ିଣ୍ଡିମ ଜୀବଦେବଙ୍କ ଅନ୍ୟତମ କୃତୀ ଉତ୍ସାହବତୀ ରୂପକ ବସନ୍ତକାଳୀନ ଦୋଳୋତ୍ସବ ଅବସରରେ ଶ୍ରୀ ମନ୍ଦିର ପାର୍ଶ୍ୱସ୍ଥ ଦୋଳବେଦୀଠାରେ ଅଭିନୀତ ହୋଇଥିଲା -

 

ଅସ୍ମିନ୍‌ ବସନ୍ତ ସମୟେ ପୁରୁଷୋତ୍ତମସ୍ୟ

ପ୍ରସାଦ ପାର୍ଶ୍ୱମଣି ମଣ୍ଡପ ମଣ୍ଡଳୀଷୁ ।

ଏତେ ହରନ୍ତି ହୃଦୟାନି ମହାଜନା ନାଂ

ନାନା ବିଧୈରଭିନୟୈ ରସିକା ନଟେନ୍ଦ୍ରାଃ ।

 

ନାଟ୍ୟକର ମଙ୍ଗଳାଚରଣରେ ଶ୍ରୀପତି ଶ୍ରୀ ଜଗନ୍ନାଥଙ୍କର ସ୍ତୁତିଗାନ କରିଛନ୍ତି-

 

କନକ ନିକଷରେଖା ସୋଦରେଣାମ୍ବରେଣ

ସ୍ଫୁରିତସୁଭଗମୂର୍ତ୍ତିର୍ବିଦ୍ୟୁତେବାମ୍ବୁବାହ ।

ଜଗଦଭୟଦନାଦଂ ବାଦୟନ୍‌ ପଞ୍ଚାଜନ୍ୟଂ

ବିଜୟ ବିଜୟଦାୟୀ ଶ୍ରୀପତିଃ ପାତୁଃ ଯୁଷ୍ମାନ୍‌ ।। (୧୯)

 

 

 

୧୦- ଶ୍ରୀ ଜଗନ୍ନାଥ-ବଲ୍ଲଭ ନାଟକ-

ଭକ୍ତକିବି ରାୟ ରାମାନନ୍ଦ ପଟ୍ଟନାୟକ (୧୪୯୭-୧୫୩୫ ଖ୍ରୀଷ୍ଟାବ୍ଦ) ଗଜପତି ପ୍ରତାପରୁଦ୍ର ଦେବଙ୍କ ଆଦେଶରେ ସଙ୍ଗୀତମୟ ‘ଶ୍ରୀ ଜଗନ୍ନାଥବଲ୍ଲଭ ନାଟକ’ ରଚନା କରିଥିଲେ । ଏହା ‘ସଙ୍ଗୀତ ନାଟକ’ ନାମରେ ସୁବିଦିତ । ଏହାର ପାଞ୍ଚଟି ଅଙ୍କରେ ଶ୍ରୀରାଧାକୃଷ୍ଣଙ୍କ ପ୍ରେମ, ବିରହ ଓ ମିଳନ ରୂପାୟିତ ହୋଇଛି। ଏହି ନାଟକଟି ଶ୍ରୀକ୍ଷେତ୍ରରେ ବସନ୍ତୋତ୍ସବ କାଳରେ ଅଭିନୀତ ହୋଇଥିଲା । ନାଟ୍ୟକାର ଶ୍ରୀକୃଷ୍ଣ ଜଗନ୍ନାଥଙ୍କୁ ବନ୍ଦନା କରିଛନ୍ତି -

 

ସ୍ମିତଂ ତୁ ନ ସିତଦ୍ୟୁତିସ୍ତରଳମକ୍ଷି ନାମ୍ବୋରୁହଂ

ଶ୍ରୁତି ନ ଚ ଜଗଜ୍ଜୟେ ମନସିଜସ୍ୟ ମୌର୍ବୀଲତା ।

ମୁକୁନ୍ଦ ମୁଖମଣ୍ଡଳେନ ରଭସ ମୁଗ୍‌ଧ ଗୋପାଙ୍ଗନା

ଦୃଗଞ୍ଚଳଭବୋ ଭ୍ରମ ଶୁଭଶତାୟ ତେ କଳ୍ପତାମ୍‌ ।।(୨୦)

 

୧୧-ପୀୟୂଷ ଲହରୀ ରୂପକ -

କବିଡ଼ିଣ୍ଡିମ ଜୀବଦେବାଚାର୍ଯ୍ୟଙ୍କ ପୁତ୍ର ଜୟଦେବ ରାଧାକୃଷ୍ଣ ରାସଲୀଳାକୁ ଆଧାର କରି ଏହି ଏକାଙ୍କି କାଟି ରଚନା କରିଥିଲେ । ଏହା ବସନ୍ତକାଳରେ ଶ୍ରୀ ମନ୍ଦିରରେ ଅଭିନୀତ ହୋଇଥିଲା-

 

ଅହୋ ଭଗବତୋ ଭାଗବତ ଜନଶୀତମୟୁଖସ୍ୟ ନୀଳାଚଳ ମୌଳିମଣ୍ଡନମଣେର୍ଗରୂଡ଼ ଧ୍ୱଜସ୍ୟ ପ୍ରସାଦେ ପ୍ରସାଦମିଳିତାଃ ସାମାଜିକାଃ ।

 

ନାଟ୍ୟକାର ସର୍ବଶେଷ ଶ୍ଳୋକରେ ଶ୍ରୀ ଜଗନ୍ନାଥଙ୍କୁ ନିମ୍ନମତେ ବର୍ଣ୍ଣନା କରିଛନ୍ତି –

 

ଶୁଭମସ୍ତୁ ସର୍ବଜଗତାଂ ନିରନ୍ତରଂ

ନ ରିପୋରପି ସ୍ଫୁରତୁ ବୈପଦଂ ପଦମ୍‌

ଜଗଦୀଶ୍ୱର କପଟଦାରୁବିଗ୍ରହଃ

କରୁଣାକଟାକ୍ଷ ଲହରୀଂ ବିମୁଞ୍ଚ ତୁ ।। (୨୧)

 

୧୨-ଶ୍ରୀକୃଷ୍ଣ ବିଜୟ ରୂପକ

ବୈଷ୍ଣବ କବି ରାମଦାସଙ୍କ (୧୪୯୭-୧୫୩୫ ଖ୍ରୀଷ୍ଟାବ୍ଦ) ପ୍ରଣୀତ ଏହି ରୂପକଟି ଶ୍ରୀ ଗୁଣ୍ଡିଚା ମହୋତ୍ସବ କାଳରେ ଅଭିନୀତ ହୋଇଥିଲା ।

 

ଅଖିଳ-ଲୋକଲୋଚନ-କନ୍ଦଳୀ ମୂଳକନ୍ଦେନ ବିବିଧ ବୃନ୍ଦାରକବୃନ୍ଦ ମୌଳିମନ୍ଦାରମକରନ୍ଦପିଞ୍ଜରୀଭୂତ-ପଦ ରବିନ୍ଦେନ ଇନ୍ଦିରାମନ୍ଦତରାନନ୍ଦ ସନ୍ଦୋହ-ମନ୍ଦିରେଣ କୋଟି କନ୍ଦର୍ପ କମନୀୟତା କନ୍ଦରେଣ ଭଗବତା ନୀଳାଚଳନାଥେନ ଭକ୍ତସୁଖେନ ଗୁଣ୍ଡିଚା ମହୋତ୍ସବେ ଏତଦ୍‌ ସମୟୋଚିତଂ କିମପ୍ୟୁପରୂପକଂ ଅଭିନେତବ୍ୟମିତି ।

 

X            X            X

ଅସ୍ତିତାବାତ୍‌ ବୈଷ୍ଣବଜନ ପାଦପଦ୍ମୋପସେବିନା ରାମଦାସେନ ବିରଚିତଂ ସକଳ ଲୋକହୃଦୟୈକ ଚମତ୍କାରକାରକଂ ଶ୍ରୀକୃଷ୍ଣ ବିଜୟଂ ନାମ ରୂପକମସ୍ମାଭିସ୍ତ୍ଵଭ୍ୟସ୍ତମିତି । (୨୨)

 

ଆଲୋଚ୍ୟ ରାମଦାସଙ୍କ ପିତା ହାରିତ ଗୋତ୍ରୀୟ ଶ୍ରୀଚନ୍ଦନ ଥିବାର ଜଣାଯାଏ । ତାଙ୍କ ପ୍ରଣୀତ ‘ନୀଳାଦ୍ରି ମହୋଦୟ’ ରୂପକରେ ସେ ନିଜର ପରିଚୟ ଦେବାକୁ ଯାଇ ଉଲ୍ଲେଖ କରିଛନ୍ତି -

 

ଯା ହାରିତ କୁଟୁମ୍ବ କୈରବନସଂ ଯୋ ବୋଧ ଶୀତଦ୍ୟୁତି

ର୍ଯୋ ଗୋବିନ୍ଦ ପଦାରବିନ୍ଦ ବିଗଳନ୍ନାଧ୍ୱୀକଭୁକ୍‌ ଭୁଜତି ।

ଧତ୍ତେ ଚନ୍ଦନ ଶୀତଳୈର୍ନିଜ ଗୁଣୈର୍ଯଶ୍ଚନ୍ଦନେନାଭିଧାଂ

ତତ୍ପତ୍ରେଣ କୃତା କୃତିର୍ବତନୁତେ ଶ୍ରୀରାମ ନାମ୍ନାମୁଦମ୍‌ ।। (୨୩)

 

ନାଟ୍ୟକାର ରାମଦାସ ଏହି ରୂପକର ମଙ୍ଗଳାଚରଣରେ କେଶବ ଶ୍ରୀ ଜଗନ୍ନାଥଙ୍କୁ ନିମ୍ନମତେ ବର୍ଣ୍ଣନା କରିଛନ୍ତି-

 

କାରୁଣ୍ୟଂ କଳୟନ୍‌ ସମଂ କମଳୟା ସମ୍ପାଦୟଳୁତ୍ସବଂ

ନୀଳଦ୍ରେୟୀ ନିବସନ୍ନବୀନଜଳଦ ଶ୍ୟାମାଭିରାମଛବି

ସ୍ମେର ସ୍ମେର ମୁଖାରବିନ୍ଦ ବିଗଳନ୍ମାଧ୍ୱୀକ ଧାରାଂ କ୍ଷରନ୍‌

ଭକ୍ତାନାଂ ମୁଦମୁଦ୍‌ ବିତନୁତାଂ ଶ୍ରେୟାନ୍‌ ଶିବଃ କେଶବଃ ।।(୨୪)

 

ଉପସଂହାର କରିବାକୁ ଯାଇ ନାଟ୍ୟକାର ପ୍ରସଙ୍ଗତଃ ନୀଳଗିରିଚାରୀ ମେଘ ଶ୍ୟାମଳ ଶ୍ରୀ ଜଗନ୍ନାଥଙ୍କ ପ୍ରାର୍ଥନା ଗାନ କରିଛନ୍ତି-

 

ମେଘ ଶ୍ୟାମଳ ମାହତାଖିଳମହାମୋହଂ ମହଃ ପଶ୍ୟତାଂ

ନିତ୍ୟଂ ନୀଳଗିରୌ ନୃଣାଂ ନୟନୟୋଃ ସାଫଲ୍ୟମୁଜ୍ଜୃମ୍ଭତାମ୍‌ ।

ବାରଂ ବର୍ଷତୁ ବାରିଦୋ ବପୁମରାମିଷ୍ଟାଂ ବିଶିଷ୍ୟଦ୍ୱିଜା

ଦୃଶ୍ୟନ୍ତୁ ପ୍ରଚରନ୍ତୁ କୀର୍ତ୍ତୟ ଇମା କାଳଂ କବିନାଂ ଭୁବି ।। (୨୫)

 

୧୩-ନୀଳାନ୍ଦ୍ରି ମହୋଦୟ ରୂପକ-

ନାଟ୍ୟକାର ରାମଦାସଙ୍କ ଅନ୍ୟତମ ରଚନା ନୀଳାଦ୍ରି ମହୋଦୟ ରୂପକ ବା ରାମାଭିଷେକ ରୂପକରେ ମଧ୍ୟ ନୀଳାନ୍ଦ୍ରିନାଥଙ୍କୁ ନିମ୍ନମତେ ବର୍ଣ୍ଣନା କରାଯାଇଛି-

 

ଘୋଣା ଦଣ୍ଡାଭିଘାତଃ କ୍ଷୁଭିତଜଳଧରୋ ଗାତ୍ରପାଥଃ ପ୍ରପାତଃ

ପ୍ରାୟୋ ଦୃପ୍ୟତ୍‌ ପୟୋଧିର୍ଧ୍ୱନିଜନିତ ମଦାରବ୍‌ଧ ଫୁତ୍କାର ଘୋଷଃ ।

ଗୋତ୍ରାପୋତ୍ରେଣ ପୋତ୍ରୀ ଜଗଦୁପକୃତୟେ ଯୋ ଜବାଦୁଜ୍ଜହାର

ପ୍ରେମ୍‌ଣାସ ଶ୍ରେୟସେ ବୋ ଭବତୁ କମଳୟା ନୀଳଶୈଳାଧିରୂଢଃ ।। (୨୬)

 

ଏହି ରୂପକଟି ଜଗନ୍ନାଥ ମହାପାତ୍ରଙ୍କ ନିର୍ଦ୍ଦେଶମତେ ପ୍ରଣୀତ ହୋଇଥିଲା । ଗଜପତି ପ୍ରତାପରୁଦ୍ରଦେବଙ୍କ ପ୍ରୀତ୍ୟର୍ଥେ ଏହା ଅଭିନୀତ ହୋଇଥିବାର ନାଟ୍ୟକାର ଉଲ୍ଲେଖ କରିଛନ୍ତି ।

 

ପ୍ରଚଣ୍ଡ-ଭୁଜଦଣ୍ଡ-ମଣ୍ଡଳୀ ଭୂତୋଦ୍ଦଣ୍ଡ-କୋଦଣ୍ଡ-ଖଣ୍ଡିତା-ରାତି-ମଣ୍ଡଳେନ ଅନବରତ-ଚରଣପରିଚୟପରାଭୂତପାତକ-ପ୍ରକରେଣ ବିବିଧ ବୃନ୍ଦାରକବୃନ୍ଦ ସୁନ୍ଦରୀ-ମୁଖାର-ବିନ୍ଦୋପରୀୟମାନ-ଯଶଃ-କଦମ୍ବସ୍ୟ ଶ୍ରୀଗୋବିନ୍ଦତନୁଜନ୍ମନଃ ପ୍ରତାପରୁଦ୍ର ଦେବସ୍ୟ ପୁରତୋ ବୈଷ୍ଣବ ପାଦପଦ୍ମୋପଜୀବିନା ରାମଦାସେନ ବିରଚିତଂ ଶ୍ରୀ ରାମାଭିଷେକ-ମହୋତ୍ସବଂ ନାମାଭିନେତବ୍ୟେମିତି । (୨୭)

 

୧୪-ଭଗବଦ୍‌ଯାନ ରୂପକ-

ନାଟ୍ୟକାର ରାମଦାସଙ୍କ ‘ଭଗବତ୍‌ଯାନ ରୂପକ’ରେ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ନିମ୍ନ ପ୍ରକାରେ ସ୍ତୁତି କରାଯାଇଛି-

 

ଅବାଶକ୍ତ ବିଚିତ୍ରଭୂଷଣତତିସ୍ତ୍ରୈଲୋକ୍ୟରକ୍ଷାରତି

ବେଦୀବେଶ୍ମ ବିନୋଦବିସ୍ମ ତକୃତିର୍ଦେବେନ୍ଦ୍ରଦତ୍ତାନତିଃ ।

ଇନ୍ଦ୍ରଦ୍ୟୁମ୍ନକୃପାବିଭାବିତମତିର୍ଭକ୍ତୌଘମୀତ ସ୍ତୁତି-

ର୍ଭୂୟାଦ୍‌ଭାସୁର ନନ୍ଦିଘୋଷବସତିର୍ଲକ୍ଷ୍ମୀପତି ବୋ ଗତିଃ ।

 

ଏହି ରୂପକଟି ବସନ୍ତକାଳୀନ ଦୋଳମହୋତ୍ସବ କାଳରେ ଅଭିନୀତ ହୋଇଥିବାର ନିମ୍ନୋଦ୍ଧୃତିରୁ ଜଣାଯାଏ ।

 

ପୟୋନିଧି ନନ୍ଦିନୀ ତନୟ ଖଞ୍ଜରୀଟଖେଳା ବିହାରରଙ୍ଗସ୍ୟ ଉଦ୍ଦାମକାମ ସଂଗ୍ରାମ ସନ୍ନଦ୍ୟସକଳ ଗୋପାଙ୍ଗନା ଭୁଜଙ୍ଗସ୍ୟ ଲଳିତ ଲାବଣ୍ୟମୟ ନିଜାଙ୍ଗୋଶୋଭା ନିର୍ଜିତା ବଙ୍ଗସ୍ୟ ଅଙ୍ଗୀକୃତ ନୀଳାଚଳନିବାସରଙ୍ଗସ୍ୟ ଭବବତଃ ପୁଣ୍ଡରୀକ ନୟନସ୍ୟ ଦୋଳମହୋତ୍ସବେ ତତ୍ପାଦାରବିନ୍ଦ ପ୍ରକୀର୍ଣ୍ଣପଟବାସପୁଞ୍ଜ ପିଞ୍ଜରିତ ମୌଳିନା ଭକ୍ତ ସମୂହେନ X X X ଭଗବଦ୍‌ଯାନନାମକ ରୂପକ ରାମଦାସେନ ରଚିତମସ୍ମାଭିଃରଭ୍ୟସ୍ତମିତି । (୨୮)

ଏଥିରେ ମଧ୍ୟ ବିଦୂର, କୁନ୍ତୀ ପ୍ରଭୃତି ଚରିତ୍ରଗୁଡ଼ିକର ଗାୟନ ନିମିତ୍ତ ଓଡ଼ିଆ ସଙ୍ଗୀତ ସନ୍ନିବେଶିତ ହୋଇଛି ।

 

 

୧୫-ତ୍ରିଶିରୋବଧ ବ୍ୟାୟୋଗ-

ମୃତ୍ୟୁଞ୍ଜୟ ମିଶ୍ରଙ୍କ ପୁତ୍ର ପ୍ରସିଦ୍ଧ ଆଳଙ୍କାରିକ ଓ ନାଟ୍ୟକାର କବି ଚିନ୍ତାମଣି ମିଶ୍ର (୧୫୩୦-୧୫୮୦ ଖ୍ରୀଷ୍ଟାବ୍ଦ) ଏହା ବ୍ୟାୟୋଗଟି ରଚନା କରିଛନ୍ତି ।

 

ସକଳ ସୁରାସୁରନିକର ସିଦ୍ଧ ସାଧ୍ୟ ଯକ୍ଷରାକ୍ଷସଭୂଜଙ୍ଗ ଗନ୍ଧର୍ବମୁନି ଚରଣ-ପିଶାଚ ଗୁହକଗଣ ପ୍ରଣମ୍ୟମାନ ଚରଣଯୁଗଳସ୍ୟ ଜଳଧିନନ୍ଦିନୀବଦନାରବିନ୍ଦଲୋକରୋଲମ୍ବାୟମାନଲୋଚନତା କସ୍ୟ ଭବତୋ ନୀଳାନ୍ଦ୍ରିନାଥସ୍ୟ ସତତସନ୍ତୋଷତା ସଂକ୍ଷୀଣାଶେଷ କଳୁଷ ମୃତ୍ୟୁଞ୍ଜୟ ମିଶ୍ର ତଜ୍ଜନ୍ମନା ଚିନ୍ତାମଣି ମିଶ୍ରେଣ ବିରଚିତ ତ୍ରିଶିରୋବଧ ନାମ ବ୍ୟାୟୋଗମଭିନେତବ୍ୟମିତି ।

 

ଏହା ଶରତ୍‌କାଳରେ ଅଭିନୀତ ହୋଇଥିଲା । ନାଟ୍ୟକାର ବ୍ୟାୟୋଗଟିର ମଙ୍ଗଳାଚରଣରେ ଶ୍ରୀଜଗନ୍ନାଥଙ୍କ ସ୍ତୁତିଗାନ କରିଛନ୍ତି ।

 

ସ୍ୱଚ୍ଛନ୍ଦଂ ବିହରନ୍‌ ହରନ୍ନିଶି ରସା ବୃନ୍ଦାବନାଭ୍ୟନ୍ତରେ

ଗୋପସ୍ତ୍ରୀଷ୍ୱବଲେପିନୀମତିମଦା ବୃନ୍ଦାବତୀ ଛଦ୍ମନା ।

[ଶ୍ରୀରାଧାବର] ସୁନ୍ଦରୀଜନମୁଦଂ ସମ୍ବର୍ଦ୍ଧୟନ୍‌ କାମଦଃ

କାମଂ ବଃ କୁରୁତାତ୍କଳାଧର ମୁଖଃ କାମାକୃତିଃ କେଶବଃ ।। (୨୯)

 

୧୬-ଅମ୍ବରୀଷ ଦୁର୍ବାସାଙ୍କ-

ବୈଷ୍ଣବ କବି ରାୟ ରାମାନନ୍ଦ ପଟ୍ଟନାୟକଙ୍କ ଅନୁଜ ବାଣୀନାଥ (୧୫୩୫-ଖ୍ରୀଷ୍ଟାବ୍ଦ) ଏହି ରୂପକଟି ରଚନା କରିଛନ୍ତି। ଶ୍ରୀ ଜଗନ୍ନାଥଙ୍କ ଦୋଳଯାତ୍ରା ଅବସରରେ ଏହା ଅଭିନୀତ ହୋଇଥିବାର ଜଣାଯାଏ । (୩୦)

 

ତଦିଦାନୀଂ ଅଶେଷ ଜନନୟନାକର୍ଷଣସିଦ୍ଧୌଷଧସ୍ୟ ଭଗବତଃ ଶ୍ରୀ ନୀଳଶୈଳ ଶିରୋମଣେଃ ଦୋଳମହୋତ୍ସବମନୁଭୂୟ ଚକ୍ଷୁଷ୍ମତୋ ଜନ୍ମାନଃ ଫଳମନୁଭବାମି । X X X X ଭୁଜଦଣ୍ଡମଣ୍ଡଳୀଭୂତ କୋଦଣ୍ଡ ଖଣ୍ଡିତାରାତି ମଣ୍ଡଳେନ ଅନବରତ ହରିଚରଣ ପରିଚୟପରାଭୂତ ପାତକପ୍ରକରେଣ X X X ସକଳ ନୃପତି ଚକ୍ରଚୂଡ଼ାମଣି ମରୀଚି ମଞ୍ଜରୀନୀରାଜିତଚରଣଯୁଗଳେନ ଶ୍ରୀମତା ମୁକୁନ୍ଦଦେବେନ X X X ଭବାନନ୍ଦରାୟସ୍ୟ ତନୁଜେନ ବାଣୀନାଥେନ କୃତମମ୍ବରୀଷ ଚରିତମଭିନୀୟ ଜନ୍ମସଫଳୟାମଃ ।

 

ନାଟ୍ୟକାର ବାଣୀନାଥ ମଙ୍ଗଳାଚରଣରେ ଶ୍ରୀକୃଷ୍ଣ-ଜଗନ୍ନାଥଙ୍କ ସ୍ତୁତିଗାନ କରିଛନ୍ତି –

 

ଯୋ ଯୋଗିଭିର୍ନଗମଞ୍ଜାନନଗାଢଚୂଢୋ

ମୂଢ଼େତରେ ମନସି ନୈବ ବଶୀକୃତୋଽଭୂତ୍‌ ।

ବିଦ୍ୟସ୍ତୁ ଯୋ ବିବିଧ ଭକ୍ତିଗୁଣେନ ନିତ୍ୟଂ

କସ୍ୟାପି ସର୍ବଜଗତଃ ସ ପୁନାତୁ କୃଷ୍ଣହ ।। (୩୧)

 

 

 

୧୭-ଶ୍ରୀକୃଷ୍ଣ ଭକ୍ତବାତ୍ସଲ୍ୟ ବ୍ୟାୟୋଗ -

ଅଭିନବ ଇନ୍ଦ୍ରଦ୍ୟୁମ୍ନଭାବେ ସୁବିଦିତ ଗଜପତି ରାମଚନ୍ଦ୍ରଦେବ (୧୫୬୮-୧୬୦୦ ଖ୍ରୀଷ୍ଟାବ୍ଦ) ଏହି ବ୍ୟାୟୋଗଟି ରଚନା କରିଛନ୍ତି । ଏହା ଗୁଣ୍ଡିଚା ମହୋତ୍ସବରେ ଅଭିନୀତ ହୋଇଥିଲା-। ଏହାର ମଙ୍ଗଳାଚରଣରେ ନାଟ୍ୟକାର ଶ୍ରୀଜଗନ୍ନାଥଙ୍କୁ ନିମ୍ନମତେ ସ୍ତୁତି କରିଛନ୍ତି-

 

ଦିଗଦନ୍ତ ଶ୍ରେତ୍ରବନ୍ଧୌ ଦଳିତଦ୍ରୁତମଦଃ ପୁଷ୍କରାବର୍ତ୍ତକାଦେ-

ଜୀର୍ଣ୍ଣ ବ୍ରହ୍ମାଣ୍ଡଭାଣ୍ଡେ ଦନୁତନୁଜରଣେ ଦୁର୍ନିବାରାଗ୍ନିବୃଷ୍ଟିଃ ।

ପ୍ରୋଦ୍ୟତ୍‌ ପୀୟୁଷପୂରଃ ପ୍ରଣତଜନତନୌ ପଦ୍ମନାଭଃ ପ୍ରଯୁକ୍ତଃ

ପାୟାଦାୟାସହାରୀ ପରମମରଗୁରୋଃ ପାଞ୍ଚଜନ୍ୟ ପ୍ରନାଦଃ ।। (୩୨)

 

ଏହି ବ୍ୟାୟୋଗର ଉପସଂହାରରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ସ୍ତୁତି-ଶ୍ଳୋକର ଉଲ୍ଲେଖ ଅଛି-। କିନ୍ତୁ, ଏହି ଶ୍ଳୋକଟି ନାଟ୍ୟକାର ରାମଦାସଙ୍କ ପ୍ରଣୀତ ‘ଶ୍ରୀକୃଷ୍ଣ ବିଜୟ ରୂପକ’ର ଉପସଂହାର ଶ୍ଳୋକଭାବେ ପାଣ୍ଡୁଲିପିରେ ଉଲ୍ଲେକ କରାଯାଇଛି । ଖୁବ୍‌ ସମ୍ଭବତଃ ଲିପିକାରଙ୍କ ଦ୍ୱାରା ଉକ୍ତ ଶ୍ଳୋକଟି ଆଲୋଚ୍ୟ ‘ଶ୍ରୀକୃଷ୍ଣ ଭକ୍ତବାତ୍ସଲ୍ୟ ବ୍ୟାୟୋଗ’ରେ ସନ୍ନିବେଶିତ ହୋଇଛି ।

 

୧୮-ଶ୍ୟମନ୍ତକହରଣ ରୂପକ -

ପଣ୍ଡିତ ବାସୁଦେବ ରଥ ମଧ୍ୟ ଗଜପତି ଦେବଙ୍କ (୧୫୬୮-୧୬୦୦ ଖ୍ରୀଷ୍ଟାବ୍ଦ) ଆଦେଶରେ ଶ୍ରୀ ଜଗନ୍ନାଥଙ୍କ ବିବାହ ଯାତ୍ରା (ରୁକ୍ମିଣୀ ହରଣ) ଉପଲକ୍ଷେ ଏହି ରୂପକଟି ରଚନା କରିଥିଲେ ।

 

ଆଦିଷ୍ଟୋଽସ୍ମି X X ଅଭିନବ ଇନ୍ଦ୍ରଦ୍ୟୁମ୍ନବତାରାଖିତ ନୃପତି ତିଳକ ରାମଚନ୍ଦ୍ର ଦେବେନ X X ଶ୍ରୀଜଗନ୍ନାୟସ୍ୟ ବିବାହ ଯାତ୍ରା ଦର୍ଶନୋତ୍ସୁକା ଭୂପସମୂହାଃ X X ବାସୁଦେବ ରଥ ନାମଧେୟେନ କୃତଂ ଶ୍ୟମନ୍ତକ ହରଣଂ ନାମ ରୂପକମ୍‌।

ଏହାର ମଙ୍ଗଳାଚରଣରେ ନାଟ୍ୟକାର ବାସୁଦେବ ଶ୍ରୀଜଗନ୍ନାଥଙ୍କ ସ୍ତୁତିଗାନ କରିଛନ୍ତି –

 

ହର୍ତ୍ତୁଂ ଜାମ୍ବବତୀ ମଣିଂ ସ୍ୱହରଣଂ ଯୋଦହସତ୍ରାଜିତେ

ଯୋ ବିଷ୍ଣୁର୍ଜୟତି ତ୍ରିଲୋକ ବିଜୟୀ ଶୈଳେୟପାର୍ଶ୍ୱସ୍ଥିତଃ ।

ଯସ୍ତେଜୋଭିଃ ନିବାରିତା ସୁରଗଣଶ୍ଚତ୍ରସ୍ୟ ଶଙ୍ଖସ୍ୟ ବା

ଯୋ ଜାମ୍ବବତୀ ବିବାହ କୁତୁକୀ ପୀତାମ୍ବରଃ ପାତୁବଃ ।। (୩୩)

 

୧୯-ମଣିମାଳା ନାଟିକା-

କବି ଓ ନାଟ୍ୟକାର ଅନାଦି ମିଶ୍ର (୧୬୫୦ ଖ୍ରୀଷ୍ଟାବ୍ଦ) ସିଂହଳର ରାଜକନ୍ୟାଙ୍କ ସହିତ ଉଜ୍ଜୟିନୀର ରାଜା ଶୃଙ୍ଗାରଶୃଙ୍ଗଙ୍କ ବିବାହ ବିଷୟକୁ ନେଇ ଚାରି ଅଙ୍କରେ ଏହି ନାଟିକାଟି ରଚନା କରିଛନ୍ତି । ଏହାର ଚତୁର୍ଥ ଅଙ୍କରେ ପ୍ରସଙ୍ଗତଃ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ଉଲ୍ଲେଖ ଅଛି –

 

ଶ୍ରୀମାନୁତ୍କଳଦେଶ ଏଷ ବିଳାସତ୍ୟୁଲ୍ଲାସୟନ୍‌ କେକିନଂ

ସାନ୍ଦ୍ରକ୍ଷାର ସମୁଦ୍ରମନ୍ଦ୍ରନିନଦୈରବ୍ଦସ୍ୱରଭାନ୍ତିଦୈଃ ।

କ୍ଷେତ୍ରଂ ଶ୍ରୀ ପୁରୁଷୋତ୍ତମାଖ୍ୟାମିହ ତନ୍ମୋକ୍ଷସ୍ୟ ସତ୍ରାସ୍ପଦଂ

ଯତ୍ରମ୍ନାୟ ଚତୁଷ୍ଟୟଂ ସ୍ଫୁଟୟିତୁଂ ଭ୍ରେଜେ ଚତୁର୍ଦ୍ଧା ବିଭୁଃ ।। (୩୪)

 

 

୨୦-ମଧୁରାନିରୁଦ୍ଧ ନାଟକ-

ଚୟନି ଚନ୍ଦ୍ରଶେଖର ରାୟଗୁରୁ (୧୭୨୮-୧୭୯୩ ଖ୍ରୀଷ୍ଟାବ୍ଦ) ଉଷା-ପରିଣୟ ବିଷୟକୁ ନେଇ ଆଠଟି ଅଙ୍କରେ ଆଲୋଚ୍ୟ ନାଟକଟି ରଚନା କରିଛନ୍ତି । ସ୍ୱଜନ୍ମଭୂମି ଉତ୍କଳର ପରିଚୟ ବର୍ଣ୍ଣନା କରିବାକୁ ଯାଇ ସେ ଏହି ନାଟକରେ ପ୍ରସଙ୍ଗତଃ ଶ୍ରୀ ଜଗନ୍ନାଥଙ୍କ ସ୍ତୁତି ଓ ଶ୍ରୀ କ୍ଷେତ୍ରର ସ୍ଥିତି ନିମ୍ନୋକ୍ତମତେ ଉଲ୍ଲେଖ କରିଛନ୍ତି ।

 

ଦିଷ୍ଟ୍ୟେଦଂ ଲବଣୋଦରୋଧସି ମିଥଃ ସଂଘଟ୍ଟିତୋର୍ମିଛଟା

ବିଗୋକୂଳିତଶଙ୍ଖବଦ୍‌ ଭାଗବତଃ କ୍ଷେତ୍ରଂ ପୁରୋ ଦୃଶ୍ୟତେ ।

ଯତ୍ରାୟଂ ସହବାସି-ସିଦ୍ଧଶବରୀ ବିଶ୍ରମ୍ଭସମ୍ଭାବିତୋ

ଦେବୀନୀଳବସୁନ୍ଧରାଧରାଦରୀ କଣ୍ଠୀରବଃ କ୍ରୀଡ଼ତି ।

X            X            X            X

 

ପଦ୍ମାପତେରୟ ମୁଦିଞ୍ଚତି ନୀଳଶୈଳଃ

ସସ୍ୱର୍ଣ୍ଣ କଟଶିଖରୀ ଚ ମୃଗାଙ୍କମୌଳେଃ ।

ମଧ୍ୟେ ବିବର୍ତ୍ତିତ ଦୁକଳିତ ମୋକ୍ଷଲକ୍ଷ୍ମୀ

ବକ୍ଷୋଜୟୋରିବ ଯୟୋର୍ଭୃଗୁନିମ୍ନଗେୟମ୍‌ ।।୩୫।।

 

ପର୍ଯ୍ୟାଲୋଚିତ ରୂପକଗୁଡ଼ିକ ବ୍ୟତୀତ ପୁରୁଷୋତ୍ତମ ଦାସଙ୍କ (୧୪୩୫-୧୪୬୬ ଖ୍ରୀଷ୍ଟାବ୍ଦ) ପ୍ରଣୀତ ‘ଅଭିନବ ପ୍ରତିଜ୍ଞା’, ନରସିଂହ ମିଶ୍ରଙ୍କ (୧୬୫୦-ଖ୍ରୀଷ୍ଟାବ୍ଦ) ପଞ୍ଚ ଅଙ୍କାତ୍ମକ ‘ଭଞ୍ଜ ମହୋଦୟ ନାଟକ’ କବିରତ୍ନ ପୁରୁଷୋତ୍ତମ ମିଶ୍ରଙ୍କ (୧୬୭୫ ଖ୍ରୀଷ୍ଟାବ୍ଦ) ପ୍ରଚଣ୍ଡବୃକୋଦର, ଧର୍ମଶାସ୍ତ୍ରକାର ଗୋବିନ୍ଦ କବି ଭୂଷଣ ସାମନ୍ତରାୟଙ୍କ (୧୭୫୦ ଖ୍ରୀଷ୍ଟାବ୍ଦ) ସପ୍ତାଙ୍କ ବିଶିଷ୍ଟ ‘ସମୃଦ୍ଧ ମାଧବ ନାଟକ’ ଏବଂ ଅଜ୍ଞାତ ନାଟ୍ୟକାରଙ୍କ ‘ଶିଶୁପାଳ ବଧ ରୂପକ’ରେ ଶ୍ରୀଜଗନ୍ନାଥ ଓ ନୀଳାଚଳଧାମର ପ୍ରାସଙ୍ଗିକ ଉଲ୍ଲେଖ ଅଛି । ଏହି ରୂପକ ଗୁଡ଼ିକର ଆଲୋଚନାରୁ ଜଣାଯାଏ ଯେ, ପ୍ରବୋଧଚନ୍ଦ୍ରୋଦୟ ନାଟକ ଓ ମଣିମଳା ନାଟିକା ବ୍ୟତୀତ ଅନ୍ୟଗୁଡ଼ିକ ମୁଖ୍ୟତଃ ମହାଭାରତ, ରାମାୟଣ ଓ ଭାଗବତର କଥାବସ୍ତୁ ଉପରେ ଆଧାରିତ । ଏଥିରୁ ବହୁ ରୂପକ ଅଦ୍ୟାବଧି ଅପ୍ରକାଶିତ । ସେ ଗୁଡ଼ିକ ପ୍ରକାଶ ପାଇଲେ ସଂସ୍କୃତ ନାଟ୍ୟ ସାହିତ୍ୟକୁ ଓଡ଼ିଆ ନାଟ୍ୟକାରଙ୍କ ଅବଦାନ ଓ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାର ସଙ୍ଗୀତ, ନୃତ୍ୟ ଓ ନାଟକ କିପରି ଓ ନାଟକ କିପରି ସମୃଦ୍ଧି ଓ ପରିପ୍ରସାର ଲାଭ କରିଥିଲା, ତାହାର ତୁଳନାତ୍ମକ ଅଧ୍ୟୟନ ଓ ଯଥାର୍ଥ ମୂଲ୍ୟାୟନ କରାଯାଇପାରିବ ।

 

ସୂତ୍ର-ନିର୍ଦ୍ଦେଶିକା-

୧।

History of sanskrit Literature-De and Dasgupta, P-272.

୨।

OHRJ. Vol II.. P-20

୩।

ବେଣୀସଂହାର ନାକଟମ୍‌, ପୁନା, ୧୯୨୨ ସଂସ୍କରଣ-୬-୪୪, ୪୫ ।

୪।

A Descriptive Cat. of sanskrit Mss-K. N. Mahapatra vol. II. PPXIII.

୫।

ଅନର୍ଘରାଘବନାଟକମ୍‌-ନିର୍ଣ୍ଣୟସାଗର ପ୍ରେମ, ବମ୍ବେ ସଂସ୍କରଣ, ୧୯୩୭, ପୃ-୧୯

୬।

ତତ୍ରୈବ-ପୃ-୮

୭।

ତତ୍ରୈବ ବ-ପୃ

୮।

ତତ୍ରୈବ ୧, ୨, ୬,

୯।

ପ୍ରବୋଧ ଚନ୍ଦ୍ରୋଦୟ ନାଟକମ୍‌-ନିର୍ଣ୍ଣୟ ସାଗର, ବମ୍ବେ ସଂସ୍କରଣ, ୧୯୩୫, ପୃ-୭୯

୧୦।

Utkal University Mss. Cy. No. 267. P-7

୧୧।

A. Descriptive Cat, of Sanskrit Mss. Vol II. PP-LXXXIX

୧୨।

ପରଶୁରାମ ବିଜୟଃ- Ed. K. K. Kar, Prachi- Vol. II Pt. III and IV, 1932, P-98

୧୩।

U. U. Mss. Cy. No. 267-P-39

୧୪।

Ibid. P-38

୧୫।

Ibid. P-46

୧୬।

Ibid. P-47

୧୭।

ଭକ୍ତି ବୈଭବ ନାଟକମ୍‌-U. U. Mss. No. L. 159

୧୮।

ତତ୍ରୈବ

୧୯।

ଉତ୍ସାହବତୀ ରୁପକମ୍‌-OSM. Mss. No. L. 515

୨୦।

ଶ୍ରୀ ଜଗନ୍ନାଥବଲ୍ଲଭ ନାଟକମ୍‌- OSM. Mss. No. Sms. 66

୨୧।

J.K.H.R.S. Vol. l. No. 4. P-320

୨୨।

U.U. Mss. Cy. No. 267. P-70

୨୩।

Ibid. P-128

୨୪।

Ibid. P-70

୨୫।

Ibid. P-93

୨୬।

Ibid. P-63

୨୭।

Ibid. P-63

୨୮।

Ibid. P-127-28

୨୯।

Ibid. P-15

୩୦।

Ibid. P-BIII

୩୧।

Ibid. P-110

୩୨।

ଶ୍ରୀକୃଷ୍ଣ ଉକ୍ତବାତ୍ସଲ୍ୟ ବ୍ୟାୟୋଗ- OSM. Mss. No. Sms-3

୩୩।

U. U. Mss. Cy. No. 267. P-94

୩୪।

ମଣିମାଳା ନାଟିକା-OSM. Mss. No. L. 58

୩୫।

ମଧୁରାନିରୁଦ୍ଧନାଟକମ୍‌-ଓଡ଼ିଶା ସାଂସ୍କୃତିକ ବିଭାଗ, ୧୯୭୭-୫, ୪, ୬

 

କାହ୍ନୁଚରଣଙ୍କ ଉପନ୍ୟାସରେ ନାରୀ-ଚରିତ୍ର

ପ୍ରମୋଦ କୁମାର ଦ୍ୱିବେଦୀ

ଉପନ୍ୟାସ ମାନବ ଜୀବନର ପ୍ରତିଚ୍ଛବି । ସମାଜ ଜୀବନରେ ଦେଖା ଦେଇଥିବା ବିଭିନ୍ନ ଚରିତ୍ରର ବ୍ୟକ୍ତିତ୍ୱ, ମାନସିକତା, ସୁଖଦୁଃଖ ତଥା ସେମାନଙ୍କର ନାନା ସମସ୍ୟା ଓ ସେଗୁଡ଼ିକର ସମାଧାନର ସୂତ୍ର ଔପନ୍ୟାସିକ ଲିପିବଦ୍ଧ କରେ ଉପନ୍ୟାସରେ ଆପଣାର କଳାପାଟବ ମାଧ୍ୟମରେ-। ଔପନ୍ୟାସିକ ଯଦିଓ ବାସ୍ତବଜୀବନରେ କଥା କହେ, ତଥାପି ସମାଜ ଜୀବନକୁ ପ୍ରଭାବିତ କରିବାର ତଥା ଆଦର୍ଶର ପ୍ରଚାରରେ ସମାଜ ଜୀବନକୁ ଶିକ୍ଷାଦେବାର ଯେଉଁ ଦାୟିତ୍ୱ ତା’ର ଅଛି, ସେଥିପାଇଁ ସେ ବାସ୍ତବତାର ସହିତ ଆଦର୍ଶର କଥା କହେ ଏବଂ ଆଦର୍ଶ ମଣିଷ ଗଢ଼ିବାର ପ୍ରୟାସ କରେ । ଏ ଦିଗରେ ଅନ୍ୟ କୌଣସି ଔପନ୍ୟସିକଙ୍କ କଥା ଯାହା ହେଉନା କାହିଁକି, କାହ୍ନୁଚରଣଙ୍କ ଭୂମିକା ଯେ ଅଗ୍ରଗଣ୍ୟ, କହିବା ବାହୁଲ୍ୟ ମାତ୍ର । କାହ୍ନୁଚରଣ ଚରିତ୍ରର ଚିତ୍ରଶାଳା ସୃଷ୍ଟି କରିବାକୁ ଗଲାବେଳେ ପୁରୁଷ-ଚରିତ୍ର ଅପେକ୍ଷା ନାରୀ-ଚରିତ୍ର ଉପରେ ପ୍ରାଧାନ୍ୟ ଦେଇଛନ୍ତି । ନାରୀ-ଚରିତ୍ରର ବିଭିନ୍ନ ଦିଗ ଦେଖାଇବାରେ ତାଙ୍କର ଉପନ୍ୟାସମାନ ସତତ ଭାସ୍ୱର ହୋଇ ଉଠିଛି । ଇଂରାଜୀ ସାହିତ୍ୟରେ ସେକ୍‌ସପିଅରଙ୍କ ରଚନାରେ ଆମେ ଏହିପରି ଦେଖିଥାଉ ।

 

ପ୍ରକୃତି ହୃଦୟର ପ୍ରାୟ ସକଳ ଭାବ ହୃଦୟରେ ସମ୍ଭବ ହୋଇଥାଏ । ସ୍ନେହ, ପ୍ରେମ, କ୍ଷମା, ସେବା, ପ୍ରବଞ୍ଚନା ପ୍ରଭୃତି ବିଭିନ୍ନ ଗୁଣର ଅଧିକାରିଣୀ ଭାବରେ ଓ ସମାଜ ସଂସ୍କାର ଗୁରୁତ୍ୱ ଘେନି ସେ ଜନନୀ, ଭଗିନୀ, ଜାୟା, ପ୍ରେମିକା, ଗଣିକ, ରାକ୍ଷସୀ, ଦାସୀ ଓ ଧାତ୍ରୀ ପ୍ରଭୃତି ନାନା ରୂପରେ ଆତ୍ମପ୍ରକାଶ କରିଥାଏ । ନାରୀକୁ ଶକ୍ତି ରୂପେ କଳ୍ପନା କରି ଅନୁକମ୍ପା, କ୍ଷମା ଓ ପ୍ରେମର ଆଧାର ରୂପେ ଗ୍ରହଣ କରି ପୁରୁଷ ରୁକ୍ଷ ମରୂପମ ଜୀବନ ପଥରେ ଅନାୟାସରେ ଗତି କରିଥାଏ । ଅନ୍ୟ ପକ୍ଷରେ ନାରୀ ପୁରୁଷ ଠାରୁ ବଞ୍ଛିତ ସ୍ନେହ ଓ ପ୍ରେମ ଲାଭକରି ତା’ର ମଙ୍ଗଳ ପଥରେ ସାହାଯ୍ୟ କରିବାକୁ ସଦା ତତ୍ପର ହୁଏ । ଯେଉଁ ନାରୀର ଦେହଗତ ସୌନ୍ଦର୍ଯ୍ୟ ଓ ସୌକୁମାର୍ଯ୍ୟକୁ ଭାରତୀୟ ସାହିତ୍ୟରେ ସ୍ୱର୍ଗୀୟ ଐଶ୍ୱର୍ଯ୍ୟ ରୂପେ ଉପସ୍ଥାନ କରାଯାଏ ତାହାକୁ Byron କହିଛନ୍ତି only biological necessity । ନାରୀର ଜୈବୀ-ପ୍ରେରଣାର ଶକ୍ତି ଘେନି Shaw କହନ୍ତି ନାରୀର ଶକ୍ତି ହେଉଛି Aggravating । ତଥାପି ମଧ୍ୟ ପାଶ୍ଚାତ୍ୟ ସାହିତ୍ୟରେ ନାରୀ ଘେନି ଅଛି ପ୍ରେମ, ସାଧନା, ତ୍ୟାଗ ଓ ଯୁଦ୍ଧ । ରବି ଠାକୁର ମଧ୍ୟ କହନ୍ତି- ‘‘ଅର୍ଦ୍ଧେକ ମାନବୀ ତୁମେ ଅର୍ଦ୍ଧେକ କଳ୍ପନା’’; ବହୁ ପ୍ରାଚୀନ ଯୁଗରୁ ଆମ ସାହିତ୍ୟରେ ନାରୀର ସ୍ଥାନ ଅତି ଉଚ୍ଚରେ । ମନୁ କହିଛନ୍ତି- ‘‘ଯନ୍ତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା’’; ଯାହା ହେଉନା କାହିଁକି ଆଧୁନିକ ଯୁଗର ସଂଖ୍ୟାତ୍ମକ ଓ ଗୁଣାତ୍ମକ ଉପନ୍ୟାସର ରଚୟିତ କାହ୍ନୁଚରଣ ନାରୀଙ୍କୁ ଶ୍ରେଷ୍ଠ ସ୍ଥାନ ଦେଇ ଜୀବନ ତଥା ନାରୀ-ଚରିତ୍ରର ବିଶ୍ଳେଷଣ କରି ଯେଉଁ ଦକ୍ଷତା ଅର୍ଜନ କରିଯାଇଛନ୍ତି; ସେଥିପାଇଁ ଓଡ଼ିଆ ଉପନ୍ୟାସ ସାହିତ୍ୟ କ୍ଷେତ୍ରରେ ତାଙ୍କର ସ୍ଥାନ ଅନନ୍ୟ । ତାଙ୍କ ରଚିତ ବିଭିନ୍ନ ଉପନ୍ୟାସ ଗୁଡ଼ିକରେ ସେ ଯେତୋଟି ମୁଖ୍ୟ ନାରୀ-ଚରିତ୍ର ଗ୍ରହଣ କରିଛନ୍ତି, ସେଥିରୁ ପ୍ରାୟ ଅଧିକାଂଶ ବିଶ୍ୱର ଅନିନ୍ଦ୍ୟସୁନ୍ଦରୀ ପରି ମନେହୁଏ । ଧୋବୀ, ପରୀ, ପେଚୀ, ରତନୀ, ରଶ୍ମି ପ୍ରଭୃତି ପ୍ରତ୍ୟେକ କରଣ ଘରୁ ହରିଜନ ଘର ପର୍ଯ୍ୟନ୍ତ ପୁଣି ଏମ୍‌. ଏ. ଡିଗ୍ରୀଧାରୀଠାରୁ ଅଶିକ୍ଷିତା ପର୍ଯ୍ୟନ୍ତ ହୋଇଛନ୍ତି ସୁନ୍ଦରୀ-। ବ୍ରଜମୋହନ ମହାନ୍ତି ତେଣୁ ମତ ଦିଅନ୍ତି-‘‘ମନେହୁଏ କାହ୍ନୁଚରଣ କେବଳ ସରଳା, ସୁନ୍ଦରୀ ଝିଅଙ୍କୁ ହିଁ ପ୍ରେମ କରନ୍ତି ।’’ ନାରୀ-ଚରିତ୍ର ଚିତ୍ରଣ କଲାବେଳେ କାହ୍ନୁଚରଣ ଗ୍ରାମ ସମାଜକୁ ଆଖି ଆଗରେ ରଖିଛନ୍ତି । ତାଙ୍କର ସମସ୍ତ ନାରୀ-ଚରିତ୍ର ପ୍ରାୟ ଏକାଭଳି (Type)ର । ତାଙ୍କ ନାରୀ-ଚରିତ୍ର ପ୍ରେମିକା, ଜନନୀ ଓ ଭଗିନୀରୂପେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି । ପ୍ରବନ୍ଧଟିରେ ତାହା ଆଲୋଚିତ ହେବ ।

 

 

 

ପ୍ରେମିକା-

      ହା-ଅନ୍ନର ବିକଳ ଚିତ୍କାରଠାରୁ ତମସା ତୀରରେ ପ୍ରେମର କଳରୋଳ ପର୍ଯ୍ୟନ୍ତ କାହ୍ନୁଚରଣ କେବଳ ଶୁଣାଇଛନ୍ତି-‘‘ନାରୀ ସଦା ନାରୀ’’ ! କାନ୍ତତୀରା ପୂତନୀରା ଜାହ୍ନବୀର ଧାରାପରି ନାରୀର ହୃଦୟ ପ୍ରଶାନ୍ତ ଓ ପବିତ୍ର । ସାଗରର ଗଭୀରତା ସେଠାରେ ଉପହସିତ ହୁଏ । ସକଳ ଦୁଃଖ-ଯନ୍ତ୍ରଣା ମଧ୍ୟରେ ବି ତା’ର ଆଭା ଉକୁଟି ଉଠେ ସୁବର୍ଣ୍ଣର ଦୀପ୍ତିପରି । ଦୁର୍ଭିକ୍ଷର କରାଳ ଛାୟାତଳେ ସେଦିନ ଉମା ମଥା ଲୁଚାଇ ନ ଥିଲା, କି ପାରିବାରିକ ସକଳ ଲାଞ୍ଛନା ଯାତନାରେ ସେ ବିପର୍ଯ୍ୟସ୍ତ ହୋଇପଡ଼ି ନ ଥିଲା, କିନ୍ତୁ ଉଦ୍ଦାମ ଯୁବତୀ ପ୍ରାଣ ତା’ର ବିକଳ ହୋଇପଡ଼ୁଥିଲା ଜଗୁର ସାନ୍ନିଧ୍ୟ ପାଇଁ । ଯେଉଁଠାରୁ ସେ ସ୍ନେହ ସହାନୁଭୂତିର ସ୍ପର୍ଶ ଟିକକ ପାଇଥାଏ, ସେଠାରେ ଆପଣାକୁ ହଜାଇଦେବାକୁ, ଆପଣାର ଦୁର୍ବଳତା ପ୍ରକାଶ କରିବାକୁ ତା’ର ଟିକିଏ ବି ଶଙ୍କା ନ ଥିଲା । ନିଜେ ଦୁଃଖ ସହି ଅପରକୁ ସୁଖର ସ୍ୱାଦ ଚଖାଇବାରେ ଯେ ନାରୀ ଜୀବନର ସାର୍ଥକତା ! ! ଚଳଚଞ୍ଚଳ ନହୁଲିରୂପସୀ ଊମା ଆପଣା ଦେହରେ ଦୁର୍ଭିକ୍ଷର ଚାବୁକ ଖାଇ ଖାଇ ପରେ ପରେ ଦେଖାଦେଇଛି ଧୋବୀ ରୂପରେ । କାରୁଣ୍ୟର ବନ୍ଦୀଶାଳାରୁ ଖସିପାରି ନି ସେ ତଥାପି ବି ତା’ ମନରେ ପ୍ରେମ ଓ ପ୍ରଣୟର ଯେଉଁ ଫଲ୍‌ଗୁଧରା ଚିରପ୍ରବହମାନ ଥିଲା, ଅସହାୟ ଦରିଦ୍ର ସନିଆର ସ୍ନେହସରାଗର ବନ୍ଧନ ନିକଟରେ ତାହା ରୁଦ୍ଧହହୋଇଗଲା । ପରିସ୍ଥିତିର ତାଡ଼ନାରେ ଅନ୍ୟକୁ ବିବାହ କଲେ ବି ଯାହାପାଇଁ ତା ମନଟା ବ୍ୟାକୁଳ ହୋଇଥିଲା, ଯାହାକୁ ମନର ମଣିଷ ଭାବି ଜୀବନର ସାଥୀ କରିବାକୁ ସ୍ଥିର କରିଥିଲା, ତାକୁ କେବେ ଭୁଲି ପାରି ନି ସେ । ପ୍ରେମିକ ହିଁ ସଦା ପ୍ରେମିକ । ଐଶ୍ୱର୍ଯ୍ୟର ପ୍ରସାଦ ମଧ୍ୟରେ ଥାଇ ବି ଶେଷରେ ସନିଆ ନିକଟରେ ଆପଣାର ହୃଦୟ ଫାଡ଼ି ସେ କହି ପକାଇଛି ମୁଁ ବି ଅଜାତି ହୋଇଛି । ସନିଆ ଭାଇ, ମୁଁ ବି ଅଛୁଆଁ ହୋଇଛି । ସମସ୍ତେ କହନ୍ତି ମୁଁ ଧନୀ, କେତେ ଜମି, ଗାଈଗୋରୁ, ଚାକରବାକରଙ୍କର ମାଲିଜ ମୁଁ ଜଣେ, ଅନୁଭବ କରେ ମୁଁ ତୋଠୁଁ ଗରିବ ସାହାହୀନ, ଏକୁଟିଆ । ତୁଣ୍ଡ-ବାଇଦକୁ ଭୟ କରି ସିନା ତୁଳସୀ ସୁର ପ୍ରତି ନିଷ୍ଠୁରା ହୋଇ ଉଠିଥିଲା; କିନ୍ତୁ ତା’ର ହୃଦୟର ପ୍ରଶାନ୍ତି, ପବିତ୍ରତା ସ୍ପଷ୍ଟ ହୋଇଗଲା ସେତେବେଳେ, ଯେତେବେଳେ ସେ ଜାଣିଲା ତୁଣ୍ଡ ଥିଲେ ମଣିଷ କଥା କହେ, ତୁଣ୍ଡବାଇଦରେ ଭାସିବାରେ ବା କ’ଣ ଥାଏ ? ଅଦେଖା ହାତର ଇଙ୍ଗିତରେ ସେ ଗୀତାର ରୂପ ନେଇଛି, ସୁଶ୍ରୀ ଭୟାକୁଳା ଗୀତ । ମନର ମଣିଷ ପାଇବାକୁ ତା’ ମନରେ ଅନେକ ଝଡ଼ବତାସ ସୃଷ୍ଟି ହୋଇଛି ସତ, ହେଲେ ଭାଗ୍ୟ ନିକଟରେ ସେ ନତଜାନୁ ହୋଇଛି । ଆଦିବାସୀ ଜୀବନର ସରଳ ନିରୀହତା ମଧ୍ୟରେ ବନ ଗହନର ତଳେ ସୁନାର କୋମଳ ହୃଦୟଟା ଯା’ ପାଇଁ ଆର୍ଦ୍ର ହୋଇ ଉଠିଚି । ପ୍ରେମ ମଦିରାରେ ଉନ୍ନତ୍ତ ହୋଇ ଯା’ ସହିତ ସ୍ୱପ୍ନ ରାଇଜରେ ସେ ହାତକୁ ହାତ ମିଳାଇ ସତତ ନାଚ କରିବାରେ ଲାଗିଚି । ଜୀବନରେ ଯାହାଠାରୁ ସେ ହାତକୁ ହାତ ମିଳାଇ ସତତ ନାଚ କରିବାରେ ଲାଗିଚି, ଜୀବନରେ ଯାହାଠାରୁ ସେ ପ୍ରେମର ପ୍ରଥମ ସ୍ୱାଦ ପାଇଚି । ଶତ ଦାରିଦ୍ର୍ୟର ପଙ୍କ ମଧ୍ୟରେ ବି ତା’ ମୁହଁଟା ଦିଶିଯାଏ ପଦ୍ମର ଲାବଣ୍ୟ ପରି । ବାୟା ପାଇଁ ସେ ପାଗଳୀ ହୋଇଚି । ଭୁଲିଯାଇଚି ଜୀବନର ସକଳ ପାହାଚ । ପରିସ୍ଥିତି ଓ ପରିବେଶର ଦାସ ତ ଏ ମଣିଷ । ଏମିତି ମାଗତା ହାତରେ ସେଇ ସୁନାକୁ ଛନ୍ଦି ଦିଆ ଯାଇଥିଲେ ବି ଦେହଟା ସିନା ମାଗତାର ହୋଇ ରହିଲା, କିନ୍ତୁ ମନଟା ନୁହେଁ । ଦେହରେ ପ୍ରତିଟି ରକ୍ତକଣିକା ଜୀବିତ ଥିବା ପର୍ଯ୍ୟନ୍ତ ସେ ଯେ ବାୟା ପାଇଁ ବାୟାଣୀ । ତେଣୁ ତ ବୈବାହିକ ଜୀବନକୁ ବହୁ ଦୂରକୁ ଫିଙ୍ଗି ଦେଇ ଆପଣାର ସନ୍ତାନକୁ ଲତାକ୍ରୋଡ଼ରେ ଛାଡ଼ି ସେ ପୁଣି ଧାଇଁଯାଇଚି ବାୟା ପାଖକୁ । ସେଇ ନାରୀ ପୁଣି ଦୁନିଆର ରଙ୍ଗମଞ୍ଚରେ ଅଭିନୟ କରେ । ମିଛ ମାୟାରେ ଭୁଲି ମାୟା ଅନେକ ଦୁଃଖ ପାଇଚି । ହେଲେ ସହି ଯାଇଚି ନୀଳକଣ୍ଠ ପରି । ହୃଦୟର କେଉଁ ଗଭୀରତମ ସ୍ଥାନରେ ପ୍ରୀତିର ପ୍ରସ୍ରବଣ ତା’ର କଳ କଳ ଛଳ ଛଳ ନାଦକରି ବହିଚାଲିଛି । ମାନିନାହିଁ କିଛି ବାଧା ଓ ବନ୍ଧନ । ପ୍ରେମିକାର ଅଭିନୟ ସେ କରିଛି । ଆପଣାର ମନର ମଣିଷ ବିଧୁଭୂଷଣକୁ ହରାଇ ମଧ୍ୟ ସେ ଅଧୈର୍ଯ୍ୟ ହୋଇନି । ବାତ୍ୟା-ବିଧ୍ୱସ୍ତ ଲତାଟିଏ ପରି ତା’ର ମନ ପୁଣି ପଲ୍ଲବି ଉଠିଛି । ପରିବେଶର ଚାପରେ ସେ ପୁଣି ବିବାହ କରିଛି ଅଧ୍ୟାପକ ଗଗନକୁ । କିନ୍ତୁ ଜୀବନରେ ପ୍ରଥମ ଥର ପାଇଁ ଯାହାକୁ ହୃଦୟଟା ସମର୍ପଣ କରାଯାଇଥାଏ, ତାକୁ ଭୂଲି ହୁଏନା ସାରା ଜୀବନ ପାଇଁ । ଯେତେବେଳେ ତା’ର ମୂର୍ତ୍ତିଟା ମନରେ ଭାସି ଆସେ, ସେତେବେଳେ ପ୍ରାଣଟା ଆପଣାଛାଏଁ କାନ୍ଦିଉଠେ । ହଜିଲା ବସ୍ତୁକୁ ହେଜି ହେଜି ଭଙ୍ଗା ମନରେ ଯେତେ ପଙ୍କ ଲେସିଲେ ବି ତାହା କେବେ ଅତୁଟ ରହେନା । ପ୍ରଣୟିନୀରୁ ପତ୍ନୀ ହେଲାପରେ ମଧ୍ୟ ଯେତେବେଳେ ସ୍ୱାମୀ ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ସେ ଅଯୋଗ୍ୟା ହୁଏ, ସେତେବେଳେ ସ୍ୱାମୀଙ୍କ ସୁଖ ଭୋଗ ପାଇଁ ସନ୍ତାନର କାମନା ନେଇ ସେ ନିଜର ମନର ମଣିଷ ନିକଟରେ ବାଢ଼ି ବସେ ଆଉ ଏକ ନାରୀ, ସପତ୍ନୀର ଭୂମିକା ନେଲେ ବି (ନନ୍ଦିକା) ତାର ନଥାଏ ତିଳେହେଲେ କ୍ଷୋଭ ବା ଆତ୍ମଗ୍ଳାନି । କାରଣ ସ୍ୱାମୀ ସୁଖରେ ସେ ସୁଖୀ । ଦୁଇଟି କୁଳର ହିତସାଧନ କରିବାକୁ ତ ତା’ର ନାମ ଦୁହିତା ! ସେ ଏ ପାରିର ସୂର୍ଯ୍ୟ ତ ସେପାରିର ଚନ୍ଦ୍ର । ପତିଦେବତାଙ୍କ ନିକଟରେ ରହି ଜୀବନ ବିତାଇଦେବା ତା’ର ଏକମାତ୍ର କାମ୍ୟ । ଦୁଃଖର ପାହାଡ଼ରେ ଚାପି ହୋଇ ମଧ୍ୟ ପେଚୀ ହତାଶ ହୋଇନି । ମଣିଷର ଆଦିମ କାମନା ଯେ ତା’ ମନକୁ ଉନ୍ମନ କରୁ ନଥିଲା, ତା’ ନୁହେଁ । ଜୀବନର ମନ୍ଦ୍ର ଅଳସ ଗତିକୁ ଫାଙ୍କି ଦେଇ ଦୂରେଇ ଦେଇଥିବା ମଣିଆ ନିକଟକୁ ସେ ଧାଇଁ ଯାଇଛି ଗୋଟାଏ ପାରିର ଭ୍ରାତୃତ୍ୱର ବନ୍ଧନକୁ ଏଡ଼ାଇ ଦେଇ । ସେ ଯେଉଁମାନଙ୍କୁ ନିଜର କରିଥିଲା, ସେମାନେ ତାକୁ ପର କଲେ ବି, ସେଥିପ୍ରତି ତା’ର ତିଳେମାତ୍ର ଅନୁଶୋଚନା ନଥିଲା । ଏହିପରି ଦେଖିବାକୁ ଗଲେ ପ୍ରାୟତଃ କାହ୍ନୁ ଚରଣଙ୍କ ଉପନ୍ୟାସରେ ନାରୀଚରିତ୍ରମାନେ ପ୍ରେମ ଓ ପ୍ରଣୟର ଅଧିକାରୀ ତଥା ପରମ ପ୍ରେମିକା ରୂପେ ଦେଖାଦିଅନ୍ତି, ‘‘ପ୍ରେମ ଆନ ପାଇଁ ଦେବା ନିଜକୁ ହଜାଇ’’ ରୀତିରେ ସେମାନେ ଜୀବନ ପଥରେ ଗତିକରି ଚାଲନ୍ତି ! ଦୁନିଆର କ୍ଷେତରେ ସୁଖର ବୀଜ ବୁଣିବା ପାଇଁ ଅବା ଏ ନାରିତ୍ୱର ଜନ୍ମ ।

 

କାହ୍ନୁଚରଣଙ୍କ ନାରୀଚରିତ୍ରମାନେ ସହାନୁଭୂତିଶୀଳା । ଅନ୍ୟର ଦୁଃଖରେ ସେମାନେ ଦୁଃଖୀ ଓ ଅନ୍ୟର ସୁଖରେ ସୁଖୀ ହୁଅନ୍ତି । ‘ହାଅନ୍ନ’ରେ ମୋତି ମା ଉମାର ଦୁଃଖରେ ସହାନୁଭୂତି ଜଣାଇଛି ଏବଂ ଧୌର୍ଯ୍ୟ ସହକାରେ ପରିସ୍ଥିତିକୁ ମୁକାବିଲା କରିବାକୁ ସାହସ ଦେଇଛି । ଶାସ୍ତିରେ ଧୋବୀ ସନିଆଁର ଦୁଃଖ ସହିପାରି ନି । ନିଜର ଦୁର୍ବଳତା ଜଣାଇ ସେ ସନିଆଁର ସମକକ୍ଷ ବୋଲି ଜଣାଇଛି । ‘ଭୁଲି ହୁଏନା’ରେ ସୁକୃତି ରତନୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ସେ କହିଛନ୍ତି ‘‘ମତେ ନିଦ ହେଉ ନାହିଁ । ସେହି ଭିକାରୁଣୀ ରତନୀ କଥା ମୋର ମନରୁ ଯାଉନାହିଁ । ସବୁକଥା ଖୋଲିକରି ଟିକିନିଖି କରି ସେ କହିଲା ମୋ ଆଗରେ । ଦରିଦ୍ର ଯେଉଁଠି ଟିକିଏ ସହାନୁଭୂତି ପାଏ, ମନ ଖୋଲି ସବୁ ଦୁଃଖ ସେ ଅଜାଡ଼ିଦିଏ । ଆହା ବିଚାରୀ ! (ପୃ-୬୩) ‘ଅଭିନେତ୍ରୀ’ରେ ଛାୟା ଭଉଣୀ ମାୟା ଦୁଃଖରେ ମର୍ମାହତ ହୋଇଛି । ଆପଣାର ଅଳଙ୍କାର ଖୋଲି ସେ ମାୟା ଦେହରେ ପିନ୍ଧାଇଛି । ତା’ ସହିତ ଅନେକ ଖୁସି ଆଳାପ କରିଛି କେବଳ ତା’ ମନରେ ସାମୟିକ ଶାନ୍ତି ଆଣିଦେବା ପାଇଁ । ‘କା’ର ନନ୍ଦିକା ଓ କନି ପରିବାରର ସୁଖ ଦୁଃଖ ପ୍ରତି ସର୍ବଦା ସମ୍ବେଦନଶୀଳା । ଲଳିତା ମଧ୍ୟ ବିବାଦ୍ୱ ପରେ ନନ୍ଦିକାର ଦୁଃଖ ଜାଣି ଦୁଃଖିତା ହୋଇଛି ଏବଂ ତାକୁ ଆନନ୍ଦ ଦେବାପାଇଁ କଥା କହିଛି । ‘ଏପାରି ସେପାରି’ର ପେଚୀ ସମସ୍ତଙ୍କ ପ୍ରତି ମହାନୁଭୂତିଶୀଳା । ଲେଖକଙ୍କ ଭାଷାରେ ଗାଁଯାକର ସବୁ ଲୋକ ତା’ର, ଆଉ ସଭିଙ୍କର । ସମସ୍ତଙ୍କୁ ସେ ଚିହ୍ନେ, ତାକୁ ମଧ୍ୟ ଚିହ୍ନନ୍ତି ସମସ୍ତେ ।’’(ପୃ-୨୫)

 

‘‘ଗାଁଯାକର ପିଲା ତା’ର ନିଜର । ବେଳ ପାଇଲେ ସମସ୍ତଙ୍କୁ ସେ ଦେଖିଆସେ । କାହାକୁ ଦିଏ ତେଲହଳଦୀ, କାହାକୁ କରେ ଧ୍ୱଓ ବାଇଆ ।’’(ପୃ-୨୯) ‘ଶାସ୍ତି’ ଉପନ୍ୟାସରେ ଧୋବୀ ଯେଉଁ ସେବା ଓ ସ୍ୱାର୍ଥତ୍ୟାଗ କରିଛି ତାହା ଉଦ୍ଦେଶ୍ୟମୁଖୀ, ‘କା’ ଉପନ୍ୟାସର ନନ୍ଦିକା ଯେଉଁ ସେବା ଓ ସ୍ୱାର୍ଥତ୍ୟାଗ କରିଛି, ସେ କରିଛି ଜୀବନ ଧରି ମଣିଷ ଭଳି ବଞ୍ଚିବା ପାଇଁ ।

 

କାହ୍ନୁଚରଣଙ୍କ ପ୍ରତ୍ୟେକ ନାରୀ-ଚରିତ୍ର ଧୈର୍ଯ୍ୟଶୀଳ । ଦୁଃଖର ତଡ଼ାଗରେ ସେମାନେ ମୁଣ୍ଡ ଟେକିଛନ୍ତି ପଦ୍ମପରି । ଏ ଦୁନିଆରେ ଦୁଃଖ ତ ପାଣିର ଗାର । ତେଣୁ ସେଥିପ୍ରତି ଭୟ ବା କାହିଁକି ? ଏଥିପାଇଁ ଦୁଃଖରେ ସନ୍ତୁଳିତ ହୋଇ ମଧ୍ୟ ପ୍ରତ୍ୟେକ ଚରିତ୍ର ଅପେକ୍ଷା ରଖିଛନ୍ତି ସୁଖର ସୁଦିନର । ବଜର ଘନ ନିନାଦିତ ଗର୍ଜନ ମଧ୍ୟରେ ଆପଣାକୁ ଭୁଲିଯାଇ ଜଗତକୁ ଚକିତ ଉଦ୍ଭାସିତ କରିବା ପାଇଁ କେଉଁ ଏକ ଦୀପ୍ତିରେ ଝଲସି ଉଠିଛନ୍ତି ଉମା, ଧୋବୀ, ତୁଳସୀ, ଗୀତା, ରାଧୀ, ସୁନା, ରତନୀ, ମାୟା ଓ ପେଚୀ ଆଦି । ନଅଙ୍କ ଦୁର୍ଭିକ୍ଷରେ ପରିପୀଡ଼ିତା ଉମା । ଜଣକୁ ଭଲପାଇ ବାଧ୍ୟବଶତଃ ଅନ୍ୟତ୍ର ବିବାହ କରିଛନ୍ତି ଧୋବୀ ଓ ସୁନା । ତୁଳସୀ ନିଜ ନାମରେ ଅନେକ କୁତ୍ସାରଟନା ଶୁଣିଛି । ଅଦେଖା-ହାତର କରାମତିରେ ଗୀତାକୁ ଅନେକ କଣ୍ଟକ ପାବଚ୍ଛ ଅତିକ୍ରମ କରିବାକୁ ପଡ଼ିଛି । ପ୍ରେମିକାର ଅଭିନୟ କରି ବିବାହର କେତୋଟି ଦିନ ପରେ ମାୟା ଆପଣାର ମନର ମଣିଷକୁ ଚିରଦିନ ପାଇଁ ହଜାଇ ବସିଛି । ତଥାପି ସକଳ ପରିତାପକୁ ଭୁଲିଯାଇ ଗୋଟାଏ ପରିବାରର ଅନୁରୋଧରେ ସେ ପୁଣି ବିବାହ କରିଛି ଗଗନଙ୍କୁ । ଅସୀମ ଧୈର୍ଯ୍ୟ ସହକାରେ ସେ ଅଭିନେତ୍ରୀର ଭୂମିକା ବଦଳାଇ ନି । ଦାରିଦ୍ର୍ୟର କଷାଘାତାରେ ନିର୍ଯ୍ୟାତିତା ରତନୀ ଦଶଟା ଟଙ୍କା ପାଇଁ ପୁଣି ଗୋଟାଏ ବଙ୍ଗଳାରେ ଇତିହାସ ଅଧ୍ୟାପକଙ୍କର ପାଶବିକ ପ୍ରବୃତ୍ତିର ଶିକାର ହୋଇଛି । ସନ୍ତାନ ଜନ୍ମ ଦେଇଛି ସିନା, ହେଲେ ତାକୁ ପିତାର ପରିଚୟ ଦେଇପାରି ନି । ଏହିପରି ପ୍ରତ୍ୟେକ ଚରିତ୍ର ଆପଣାର ଦୁଃଖରେ ଦୁଃଖୀ ହୋଇଛନ୍ତି; ତଥାପି ସେମାନେ ଧୈର୍ଯ୍ୟବତୀ । ହତାଶାର କୃଷ୍ଣ ମେଘ ତଳେ ସେମାନେ କେବେ ନିଜକୁ ଧରା ଦେଇନାହାନ୍ତି ।

 

ଜନନୀ

ଉପନ୍ୟାସ ମଧ୍ୟ ଦେଇ କାହ୍ନୁଚରଣ କେତୋଟି ଆଦର୍ଶ ଜନନୀର ଚିତ୍ର ଦେଇ ଯାଇଛନ୍ତି । ସେମାନଙ୍କ ହୃଦୟରେ ସେ ଆଦର୍ଶ ବିଶ୍ୱପ୍ରାଣତାର ପରିଚୟ ଦେଇଛନ୍ତି । ସେମାନେ ହେଲେ ମୋତିମା, ହାରା ବୋଉ ଓ ଅଭୟା ଆଦି । ଅଭୟା ଶାଶୁର ଭୂମିକା ନେଇଥିଲେ ମଧ୍ୟ ବୋହୂଙ୍କ ପ୍ରତି ସେ ଅତି ପ୍ରୀତିପଦ ।

 

ଭଗିନୀ

ଆଦର୍ଶ ଭଗ୍ନୀ ଚରିତ୍ର ସୃଷ୍ଟି କରିବାରେ ତାଙ୍କର ପୁନୀ, ମାୟା, ଛାୟା, ପେଚୀ ଓ ପରୀ ଆଦି ଅନନ୍ୟ ଭୂମିକା ଗ୍ରହଣ କରନ୍ତି । ସନିଆର ଭଉଣୀ ପୁନୀ, ମାୟା ଓ ଛାୟା ଦୁଇଭଉଣୀ, ମାୟାର ସ୍ୱାମୀ ବିୟୋଗ ପରେ ବିଧବା ହୋଇ ସେ ବାପଘରେ ରହିଲାବେଳେ ଛାୟା ତା’ ପ୍ରତି ଯେଉଁ ବ୍ୟବହାର ଦେଖାଇଛି, ଖୁସୀ ଗପରେ ଯେପରି ଲାଗିରହିଛି ଏବଂ ନିଜ ଅଳଂକାର ନ ପିନ୍ଧି ଯେପରି ମାୟାକୁ ପିନ୍ଧାଇଛି, ତହିଁରୁ ଭଉଣୀ ପ୍ରତି ଭଉଣୀର ମମତ୍ୱ ପ୍ରତିପାଦ୍ୟ । ପେଚୀ ନିଜ ଭାଇ ଚଇଁଆଲାଗି ଛୋଟୀ ହେଲା । ଶେଷରେ ଚଇଁଆ ପେଚୀକୁ ଭଲପାଇବା ପରିବର୍ତ୍ତେ ମାଡ଼ ଦେଇଥିଲା । କିନ୍ତୁ ପେଚୀ ସବୁକିଛି ସହିଯାଇ ଆଦର୍ଶ ଭଉଣୀର ପରିଚୟ ଦେଇଗଲା । ପରୀ ଜନ୍ମଠାରୁ ଚାକରାଣୀ ରୂପେ ରହିଥିଲା ଶଙ୍କରବାବୁଙ୍କ ଘରେ । ଶଙ୍କରବାବୁଙ୍କ ମୃତ୍ୟୁ ପରେ କୁବେର ତାକୁ ଭଉଣୀ ପରି ଦେଖିଛି । ଅବଶ୍ୟ କୁବେର ମନେ ମନେ ପରୀକୁ ପ୍ରାଣସଙ୍ଗିନୀ କରିବାକୁ ଭାବିଥିଲା, ହେଲେ ତା’ ମନର ସବୁ ଭ୍ରାନ୍ତି ସେଦିନ ତୁଟିଗଲା ଯେତେବେଳେ ପରୀ କହି ପକାଇଲା-‘‘ମୁଁ ଚାହେଁ କେବଳ କନ୍ୟା ଓ ଭଉଣୀ ଭାବେ ବଞ୍ଚି ରହିବାକୁ ।’’

 

ଖଳନାୟିକା-

ଗୋଟିଏ ହାତରେ ତାଳି ବାଜେ ନାହିଁ । ତାଳିର ସୃଷ୍ଟି ପାଇଁ ଉପନ୍ୟାସରେ ଚମତ୍କାରିତା ଦୃଷ୍ଟିକୋଣରୁ ସଂଘର୍ଷର ସୃଷ୍ଟି ପାଇଁ ଖଳ-ଚରିତ୍ରର ଆବଶ୍ୟକତା ରହିଛି । ସେଥିପାଇଁ ଆଦର୍ଶ ଚରିତ୍ରମାନ ସୃଷ୍ଟି କରିବାକୁ ଗଲାବେଳେ କାହ୍ନୁ ଚରଣ ନେତୀ, ରାଈ ଆଦି ଖଳ-ଚରିତ୍ରର ଅବତାରଣା କରିଛନ୍ତି । ‘ହା ଅନ୍ନ’ର ଅନ୍ୟତମ ଚରିତ୍ର ନେତୀ । ତାକୁ ନ ପଚାରି ପ୍ରଧାନେ କିଛି କରନ୍ତି ନାହିଁ । ବାରବୁଲା କୁକୁରକୁ ଆଶ୍ୱାଶନା କଲେ ସେ’ତ ଆହ୍ଲାଦରେ ମୁହଁରେ ବୋକ ଦେବ । ନେତୀତ ଥୋଇଲୀ ପୋଇଲୀ । ମୁହଁ ପାଇ ନିଜ ଗୁଣ ପ୍ରକାଶ ନ କରିବ କାହିଁକି ? ଉପନ୍ୟାସରେ ନେତୀ ଚକ୍ରାନ୍ତ କରି ଚାଲିଛି । ସେ ବିଶ୍ୱାସରେ ବିଷ ମିଶାଇ ଥିବାର ଜଗୁ ନିକଟରେ ମାନି ଯାଇଛି-। ଶେଷରେ ତା’ ଚରିତ୍ର ବିଷୟରେ ସ୍ପଷ୍ଟ ଧାରଣା ଆଣିପାରିଛି ଜଗୁ । ସେ ହୃଦୟଙ୍ଗମ କରିଛି-‘‘ନେତୀକୁ ବିଶ୍ୱାସ କରିବା ତା’ ପକ୍ଷରେ ଭଲ ହୋଇନାହିଁ । ତା’ର ଅନୁପସ୍ଥିତିରେ ନେତୀ ମିଛ କରି ତା’ ବିରୁଦ୍ଧରେ ପଧାନଙ୍କ ଆଗରେ କହିଛି । ଗରିବ ନିରୀହ ଉମାର ନିର୍ମଳ ଚରିତ୍ରକୁ କଳଙ୍କିତ ବୋଲି ଲୋକଙ୍କ ମନରେ ଧରଣା ସୃଷ୍ଟି କରିବାକୁ ଚେଷ୍ଟା କରିଛି । ‘ପରୀ’ ଉପନ୍ୟାସର ରାଈ ଅନ୍ୟତମ ଖଳ ଚରିତ୍ର ଅଟେ । ପରୀକୁ ସେ ହରିଆ ସହିତ ବିବାହ କରିବାକୁ ପ୍ରବର୍ତ୍ତାଇଛି । ତା’ ଭାଷାରେ-‘‘ଆଲୋ ପରୀ, ଝିଅ ଜନମ ପରଘର ପାଇଁ, ଆଲେ, ବଥ ବଥାଏ ସିନା, ଆବୁ ବଥାଏ ନାହିଁ । ଜାଣିକରି ତୋ ଜନମ ଅବେଇଜ, କପୋଳହୀନ । କାହିଁକିଲୋ, ମାଡ଼ ଗାଳି ଖାଇ ପେଟ ପାଇଁ ଖଟି ମରୁଛୁ ? ବେଳ ବୟସ ଅଛି । ରୂପର ଝଟକ ଅଛି । ତୋ ପାଇଁ ଏଇ ନନ୍ଦପୁରରେ କେତେଲୋକ ଝୁରି ମରୁଛନ୍ତି । ଏତିକିବେଳେ କେଉଁକୁଳକୁ ହେଲେ ଆଉଜିପଡ଼ି ।’’ ପରୀ ସମୟକ୍ରମେ ଖୁଡ଼ୀ ସୂମତୀଙ୍କ ଠାରୁ ହରାଇ ବସିଥିବା ସ୍ନେହଶ୍ରଦ୍ଧା ପାଇଛି । ତେଣୁ ତା’ କାନରେ ଅମୃତ ଢାଳିବାକୁ ରାଈ ଆଉ ସୁଯୋଗ ପାଇନି । ସେଇ ରାଈ ଦିନେ ସୁମତୀ ସହ ପରୀର ସଂପର୍କ ନେଇ ନଗୀ ବୋଉକୁ ବିଶ୍ୱାସ ଜନ୍ମାଇଲା ପରି କହିଛି- ‘‘ହେଲେ ଅପା, ଜଣାଶୁଣା ନାହିଁ, ଜାତି ଗୋତ୍ର, କି ଘରର ପିଲାଟା ପରୀ, ତାକୁ ନେଇ କୋଳରେ ବସାଇବାଟା କ’ଣ ଭଲକଥା ? X      X ଅପା, ବିଲେଇ ସିନା ଚୂଲି ମୁଣ୍ଡରେ ଶୋଇଲେ ଶୋଭା,-କୁକୁର ଶୋଇଲେ ଶୋଭା ଦିଶିବ ?’’ ରାଈ ବୁଢ଼ୀର ଚରିତ୍ର ସମ୍ପର୍କରେ ଲେଖକ କହନ୍ତି-ରାଈ ବୁଢ଼ୀ କଥାଗୁଡ଼ାଏ କହେ-। ଦହିମୁହାଁ, ଚାଉଳରୁ ଧାନ ଗରଗଡ଼ ବଛା, ବଡ଼ିପରା, ଶାଗତୋଳା, ଘରଲିପା କାମକୁ ନିଠେଇ ନିଠେଇକରେ । ହାତ ହଲାଇଲେ ଯେଉଁ କାମ କ୍ଷଣକରେ ଶେଷ ହୁଅନ୍ତା ରାଈବୁଢ଼ୀ ଘଣ୍ଟାକରେ କରେ । ସବୁବେଳେ ଓର ଉଣ୍ଡୁଥାଏ, କେମିତି ଗାଁ ଭିତରକୁ ଖସି ପଳାଇବ । ଏ ଘର କଥା ସେ ଘରେ, ସେ ଘର କଥା ଏ ଘରେ ବନେଇ ଚୁନେଇ କହିବ । ଭାଇ ଭଉଣୀର ସଂପର୍କ ଥିବ କୁବେର ଓ ପରୀଙ୍କୁ ଏକ ସ୍ଥାନରେ ଦେଖି ସେ ପୁଣି ଈର୍ଷା କରିଛି । କହିଛି- ‘‘ଭାଇ ଭାଇ କି ଭଉଣୀ ଭଉଣୀ ହୁରି ପକେଇଲେ ବି ଯିଏ ଭାଇ ନୁହେଁ ସେ ଭାଇ କି ଭଉଣୀ ହୁଏନାହିଁ ।’’ ସର୍ବୋପରି ରାଈର ସମସ୍ତ ଖଳ ଚକ୍ରାନ୍ତ ଶେଷକୁ ନିଷ୍‌ପ୍ରଭ ହୋଇପଡ଼ିଛି । ବସ୍ତୁତଃ ଦେଖିବାକୁ ଗଲେ କାହ୍ନୁଚରଣ ଯେଉଁ ଖଳ ଚରିତ୍ରର ଅବତାରଣା କରିଥାନ୍ତି, ଉପନ୍ୟାସର ଶେଷ ଆଡ଼କୁ ସେମାନେ ନିଷପ୍ରଭ ହୋଇ ଉଠନ୍ତି । ସେକ୍‌ସପିଅରଙ୍କ ଖଳ ଚରିତ୍ର ସହିତ ଏମାନଙ୍କର ତୁଳନା ଦିଆଯାଇପାରେ ।

 

କାହ୍ନୁଚରଣଙ୍କ ଉପନ୍ୟାସରେ ନାରୀର ସହଜାତ ଭାବ ଯେ ଚିତ୍ରିତ ନ ହୋଇଛି ତାହା ନୁହେଁ । ଈର୍ଷା, ଯୌନାକାଂକ୍ଷା, ସଂକୀର୍ଣ୍ଣ ମନ ଆଦିର ବଶବର୍ତ୍ତୀ ହୋଇଛନ୍ତି ତାଙ୍କର କେତେକ ନାରୀ-ଚରିତ୍ର । ଅବଶ୍ୟ ସେ ଈର୍ଷା ପରଶ୍ରୀକାତରଗତ ନୁହେଁ, ତାହା ପ୍ରେମିକାର ପ୍ରେମିକ ସହ ସମ୍ପର୍କତା ନାରୀ ପ୍ରତି ଈର୍ଷା; ନଚେତ୍‌ ନିଜର ନାରୀତ୍ୱର ବଡ଼ିମା ପାଇଁ ଈର୍ଷା । ଯେପରି ‘ଶାସ୍ତି’ରେ ସନିଆଁ ନିକଟରେ କଇଁକୁ ଦେଖି ଧୋବୀ ଈର୍ଷାନ୍ୱିତା ହୋଇଛି । ଯୌନାକାଂକ୍ଷା ଦିଗରୁ ଦେଖିଲେ ତାଙ୍କ ନାରୀ-ଚରିତ୍ରର ଯୌନାକାଂକ୍ଷା କେବଳ ସନ୍ତାନ-ଲାଭର ଆଶାରେ, ନ ହେଲେ ମାତୃତ୍ୱର ଲାଳସାରେ । ସେ ନାରୀମାନେ ଜନନୀର ଗୌରବପ୍ରାପ୍ତି ପାଇଁ ସଦା ଚିନ୍ତିତା । ଯୌନାକାଂକ୍ଷା ନେଇ ସେମାନେ ପରକୀୟା ହେବାକୁ ଉଚିତ ମଣି ନାହାନ୍ତି । ନିହାତି ଗାଉଁଲୀ ପରିବେଶ ଠାରୁ ଆଧୁନିକ ସହରୀ ଜୀବନ ପର୍ଯ୍ୟନ୍ତ ବିଭିନ୍ନ ପରିବେଶରୁ ଔପନ୍ୟାସିକ ନାରୀ-ଚରିତ୍ର ସଂଗ୍ରହ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସରଳା, ନୀରୀହା ହୋଇପଡ଼ିଛନ୍ତି; ହୋଇଛନ୍ତି ବି ଅତ୍ୟାଧୁନିକା । ମୁକ୍ତମନ ନେଇ ସମାଜର ଆଡ଼ ଆଖିରୁ ଦୂରକୁ ସେମାନେ କେବେହେଲେ ଚେଷ୍ଟା କରି ନାହାନ୍ତି । ସମାଜର ଶୃଙ୍ଖଳ ନିକଟରେ ସେମାନେ ଆପେ ବନ୍ଦୀତ୍ୱ ସ୍ୱୀକାର କରିଛନ୍ତି । ଯେଉଁଠାରେ କି ତାଙ୍କ କନିଷ୍ଠ ଭ୍ରାତ ଗୋପୀନାଥ ମହାନ୍ତିଙ୍କ ନାରୀ-ଚରିତ୍ର ସର୍ବଦା ସମାଜର ନିୟମ କାନୁନ ଭାଙ୍ଗି, ନତୁବା ସମାଜର ନିଷ୍ଠୁର ଆଖି ନିକଟରୁ ବହୁ ଦୂରକୁ ଆଗେଇ ଯାଇ ପାରିଛନ୍ତି । କାହ୍ନୁବାବୁଙ୍କ ନାରୀ ସମାଜରେ ରହି ସମାଜର ଆଦର୍ଶ ରକ୍ଷା କରିବା ପାଇଁ ଆପଣାକୁ ଜଳାଞ୍ଜଳି ଦେଇଛନ୍ତି; ମାତ୍ର ଗୋପୀବାବୁଙ୍କ ନାରୀ ଜୀବନକୁ ଉପଭୋଗ କରିବା ପାଇଁ ସମାଜର ଶୃଙ୍ଖଳକୁ ମାନି ନାହାନ୍ତି । ମୁକ୍ତ ଆକାଶ ତଳେ ସେମାନେ ଗାଇଛନ୍ତି ଜୀବନର ପବିତ୍ରାର ମନ୍ତ୍ର । କାହ୍ନୁଚରଣଙ୍କ ନାରୀଚରିତ୍ର ମନର ଅନେକ ସଂଗୁପ୍ତ ଭବନାକୁ ସେ ସାଇତି ରଖିଛି ଆପଣାର ହୃଦୟ ମନ୍ଦିରରେ; ମାତ୍ର ଗୋପୀବାବୁଙ୍କ ନାରୀଚରିତ୍ର ହୃଦୟର କଥା କହିବାକୁ କେଉଁଠାରେ ହାର ମାନିନି ।

 

ଫକୀର ମୋହନଙ୍କ ନାରୀ-ଚରିତ୍ର ସହିତ ଏହାଙ୍କର ନାରୀ-ଚରିତ୍ରର ତୁଳନା କଲେ ଦେଖାଯାଏ ଉଭୟ ସମାଜର ବିଭିନ୍ନ ସ୍ତରରୁ ଗୃହୀତ । ଉଭୟଙ୍କ ନାରୀ-ଚରିତ୍ର ସହିତ ଏହାଙ୍କର ନାରୀ-ଚରିତ୍ରର ତୁଳନା କଲେ ଦେଖାଯାଏ ଉଭୟ ସମାଜର ବିଭିନ୍ନ ସ୍ତରରୁ ଗୃହୀତ । ଉଭୟଙ୍କ ନାରୀ-ଚରିତ୍ର ସେମାନଙ୍କ ରଚନାରେ ଶ୍ରେଷ୍ଠ ସ୍ଥାନ ଲାଭ କରିଛନ୍ତି । ବିଧବା ବିବାହ ଆଦି ସଂସ୍କାର ପାଇଁ କାହ୍ନୁ ବାବୁଙ୍କ ନାରୀ ଚେଷ୍ଟିତ ଥିଲାବେଳେ ସମାଜର ଅନ୍ଧ-ବିଶ୍ୱାସ କୁସଂସ୍କାରର ଦୂରୀକରଣ ପାଇଁ ଫକୀର ମୋହନଙ୍କ ନାରୀ ସିଦ୍ଧହସ୍ତା ଥିଲା । ଫକୀରମୋହନ ଅତ୍ୟାଧୁନିକା ନବ୍ୟା ସଭ୍ୟା ନାରୀଙ୍କୁ ସମାଜର ବହୁ ଊର୍ଦ୍ଧ୍ୱକୁ କେତେବେଳେ ନେଇ ଯାଇଛନ୍ତି ତ କେତେବେଳେ ସମାଜର ନୀଚ ସ୍ତରରେ ଆବଦ୍ଧ ରଖିଛନ୍ତି । ମାତ୍ର କାହ୍ନୁ ବାବୁଙ୍କ ନାରୀ ପ୍ରାୟ ଏକ ଶ୍ରେଣୀର । ଯଦିଓ ‘ଶର୍ବରୀ’ ପରି ଉପନ୍ୟାସରେ ସେ ନାରୀକୁ ଆଧୁନିକା ହେବାକୁ ଦେଇଛନ୍ତି; ତଥାପି ତାହା ସବିଶେଷ ନୁହେଁ । ଉଭୟଙ୍କ ନାରୀ ଦୁଃଖର ଦାବ ଦହନରେ ଜଳି ବି ସୁବର୍ଣ୍ଣ ପରି ଉକୁଟି ଉଠିଛନ୍ତି । ‘ପ୍ରାୟଶ୍ଚିତ୍ତ’ର ଇନ୍ଦୁମତୀ, ‘ମାମୁଁ’ର ଚାନ୍ଦମଣି, ସରସ୍ୱତୀ ଦେଈ, ଗେହ୍ଲେଇ, ‘ଛମାଣ ଆଠ ଗୁଣ୍ଠ’ର ଶାରିଆଙ୍କଠାରେ ଫକୀରମୋହନ ଯେଉଁ ନାରୀତ୍ୱ ଓ ମାତୃତ୍ୱର ଫଲ୍‌ଗୁ ଢାଳି ଦେଇଛନ୍ତି, କାହ୍ନୁବାବୁଙ୍କ ଉପନ୍ୟାସରେ ତାହା ଆହୁରି ଉଜ୍ଜ୍ୱଳତର ଭାବେ ଦେଖା ଦେଇଛି । ଉଭୟଙ୍କ ନାରୀ-ଚରିତ୍ର ମଧ୍ୟରେ ବିଧବାର ଚିତ୍ର ବୋଧହୁଏ ସ୍ପଷ୍ଟ । ଉଭୟଙ୍କ ନାରୀ ସୁଖ-ସମ୍ପଦର ଆନନ୍ଦଦାୟିନୀ, ବିପଦରେ ପାର୍ଶ୍ୱବର୍ତ୍ତିନୀ, ଧର୍ମକର୍ମରେ ସହକର୍ମିଣୀ, ପର-ଦୁଃଖ-ମୋଚନ-ତତ୍ପରା, ଆତିଥ୍ୟକୁଶଳା ଏବଂ ଲାଞ୍ଛନା, ଯାତନା ଓ ନିପୀଡ଼ନରେ ସହନଶୀଳା ଅହଲ୍ୟା ।

 

ଜୀବନରେ ପ୍ରେମକୁ ପ୍ରାଧାନ୍ୟ ଦେଇ କାହ୍ନୁବାବୁ ନାରୀ-ଚରିତ୍ରର ବିଚିତ୍ର ସୃଷ୍ଟି କରି ଯାଇଛନ୍ତି । ଇଂରାଜୀ ସାହିତ୍ୟର ସେକ୍‌ସପିଅର ବା ଆମ ସାହିତ୍ୟର କାବ୍ୟଯୁଗର ଭଞ୍ଜଙ୍କ ପରି ତାଙ୍କ ସାହିତ୍ୟରେ ନାରୀତ୍ୱର ପ୍ରତିଧ୍ୱନି ସ୍ପଷ୍ଟ । ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟର ମୂର୍ତ୍ତ ପ୍ରତୀକ ନାରୀକୁ ଶ୍ରେଷ୍ଠ ସ୍ଥାନ ଦେଇ ଥିବାରୁ ତାଙ୍କ ସାହିତ୍ୟ ସତେ ଅବା ଆଜି ପାଠକ ରାଜ୍ୟରେ ଉନ୍ନତ ରୁଚିର ସହାୟକ ।